Unknown

 

 

 

 

 

 

 

 

 

 

 

ଏଣୁଶ୍ଚ ତେଣୁଶ୍ଚ

ବାମାଚରଣ ମିତ୍ର

 

 

 

 

 

 

 

ଉତ୍ସର୍ଗ

 

ସୁହୃଦ୍‌

ଅଧ୍ୟାପକ ଶ୍ରୀ ମହାପାତ୍ର ନୀଳମଣି ସାହୁଙ୍କୁ

Image

 

ସୂଚୀପତ୍ର

 

୧.

ଶୋକ ସମ୍ବାଦ

୨.

ଖୋସାମଦି ସପକ୍ଷରେ

୩.

ଯାଦୁକରର ଖେଳ

୪.

ଭଡ଼ାଟିଆ

୫.

ଗୋଟିଏ ବାକ୍ୟ ରଚନା

୬.

ଅପାଂକ୍ତେୟ ସାହିତ୍ୟ

୭.

କାହିଁକି କେଜାଣି

୮.

ଫୈୟାଜ୍‌ ଖାଁ

Image

 

ଶୋକ-ସମ୍ବାଦ

 

‘ହାଡ଼ୁ ଭାଇ ଆମର ମରିଗଲେ !’

 

ଯାଜପୁର-ପୁରୀ ବସ୍‌ କଟକ ଚାନ୍ଦିନୀଚୌକରେ କିଛି ସମୟ ପାଇଁ ରହିଥିବାବେଳେ ବସ୍‌ ଭିତରେ ଥିବା ଯାତ୍ରୀମାନଙ୍କ ଭିତରୁ ନୀଳେଇ ସେଠୀ ମି: ଦାସଙ୍କୁ ଉକ୍ତ ଶୋକ-ସମ୍ବାଦଟି ଦେଲେ ।

 

ମୁଁ ନୀଳେଇ ସେଠୀକୁ ଜାଣେନାହିଁ କିମ୍ବା ମି: ଦାସଙ୍କୁ ଜାଣେନାହିଁ । ସେ ଦୁହିଁଙ୍କ କଥାବାର୍ତ୍ତାରୁହିଁ ସେମାନଙ୍କ ନାଁ-ଗାଁ ଜାଣିପାରିଥିଲି । ମୁଁ ବସିଥାଏ ସେମାନଙ୍କ ଅତି ନିକଟବର୍ତ୍ତୀ ଗୋଟିଏ ବେଞ୍ଚରେ । ବସ୍‌ ଭିତରେ ତିଳାର୍ଦ୍ଧ ପରିମାଣ ସ୍ଥାନ ନାହିଁ । ମୁଁ ସେତେବେଳେ ମାକୁ ଭଳି ଭୁବନେଶ୍ୱରରୁ କଟକ ଓ କଟକରୁ ଭୁବନେଶ୍ୱର ପ୍ରତିଦିନ ଯା’ଆସ କରୁଥାଏ । ମୁଁ ଭୁବନେଶ୍ୱରର ବାସିନ୍ଦା; କିନ୍ତୁ ମୋର ପଞ୍ଚାଅଶିବର୍ଷର ମାଆ କଟକରେ ମୃତ୍ୟୁଶଯ୍ୟାରେ ପଡ଼ିଥିବା ହେତୁ ଯା’ଆସ କରୁଥାଏ । ଦିନେ ବସ୍‌ ଭିତରେ ବସି ଚିନ୍ତାରେ ମଗ୍ନଥିବାବେଳେ ନୀଳେଇ ସେଠୀ ମି: ଦାସଙ୍କୁ ଉକ୍ତ ସମ୍ବାଦଟି ଦେବାର ହଠାତ୍‌ ମୋ କାନରେ ପଡ଼ିଗଲା ।

 

ଆପଣ କହିବେ, ‘ୟେ ଏମିତି ଗୋଟାଏ କି କଥା ଯେ ନୀଳେଇ ସେଠୀ ଯଦିବା ମି: ଦାସଙ୍କୁ କହିଲେ, ଆପଣ ଆମ ଆଗରେ ସେ କଥା ବଖାଣି ଆମର ବୃଥା ସମୟ....କ୍ଷମା କରିବେ...ଆମର ସମୟ ବୃଥା ନଷ୍ଟ କରୁଛନ୍ତି ? ମଣିଷ ସୃଷ୍ଟି ହେବା ଦିନରୁ କୋଟି କୋଟି ମଣିଷ ମଲେଣି, ମରୁଛନ୍ତି ଏବଂ ମରିବେ ଓ ପୁଣି ଜନ୍ମ ନେବେ । ପୁନରପି ଜନମମ୍‌...ହ୍ୟାପ...ପୁନରପି ମରଣମ୍‌ । ବଞ୍ଚିଥିବା ଲୋକ ମୃତ ଲୋକର ଯେତେ ଆପଣାର ଓ ପ୍ରିୟ ହେଉନା କାହିଁକି, ବଞ୍ଚିଥିବା ଲୋକ ଦଣ୍ଡେ ମୁହୂର୍ତ୍ତେବି ଅଟକିବ ନାହିଁ । ଯିଏ ମଲା ସେ ଗଲା, ତିନି ପାଞ୍ଜିରୁ ପୋଛିହୋଇଗଲା-

 

‘କେହି ରହିନାହିଁ ରହିବ ନାହିଁଟି ଭବ ରଙ୍ଗଭୂମି ତଳେ,

ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ ।’

 

ହଁ, ଏ କଥା ଆପଣ ଯାହା କହିଲେ ବେଦ ବାକ୍ୟ । ଆପଣଙ୍କ ଏ କଥା ଶୁଣି ଗୋଟିଏ ଦୃଶ୍ୟ ଆଖିଆଗରେ ଭାସିଯାଉଛି । ଧନ୍ୟ କହିବା ବେଦବ୍ୟାସଙ୍କୁ, ଯେ ଏପରି ଚିତ୍ରଟି ଆଙ୍କି ପାରିଛନ୍ତି ତାଙ୍କ କଥାରେ । ପାଞ୍ଚପାଣ୍ଡବଙ୍କ ମହାଯାତ୍ରା । ପଞ୍ଚପାଣ୍ଡବ ଗୋଟିକ ପଛକୁ ଗୋଟିଏ ଧାଡ଼ି ବାନ୍ଧି ଚାଲିଛନ୍ତି ହିମାଳୟବାଟେ ସ୍ୱର୍ଗକୁ । ସଭିଙ୍କ ଆଗରେ ଧର୍ମରାଜ ଯୁଧିଷ୍ଠିର, ଯାହାଙ୍କୁ ଭଗବାନ୍‌ ଦିନେ କଥାପ୍ରସଙ୍ଗରେ କହିଥିଲେ–ଯୁଧିଷ୍ଠିର, ତୁମେ ଅହଂଭାବାପନ୍ନ ନିତୀବାନ୍‌ ଲୋକଥିବାରୁ ନିଜକୁ ସର୍ବଦା ପାପୀ ମନେକରି ବୃଥା ନିଜର ଆନନ୍ଦ ନଷ୍ଟ କରୁଚ । ପାପ ପୁଣି କ’ଣ-? ସବୁ ତ ମୁଁ ସୃଷ୍ଟି କରିଚି । ମୁଁ ପାପ, ମୁଁ ପୁଣ୍ୟ; ମୁଁ ସତ, ମୁଁ ଅସତ୍‌ । ସବୁରି ସୃଷ୍ଟି ମୋରି ପ୍ରେମରୁ (ଗୀତା ୭ । ୧୨ ଓ ୯ । ୧୯ ) । ସାରା ବିଶ୍ୱର ମୂଳଶକ୍ତି ହେଉଚି ପ୍ରେମ । ଏଇ ପ୍ରେମ ଯେତେବେଳେ ଆଧ୍ୟାତ୍ମିକ ଚେତନା ମଧ୍ୟରେ କାର୍ଯ୍ୟ କରେ ସେତେବେଳେ ଗଛବୃଛ, ଜଡ଼ ପ୍ରାଣୀ, ମଣିଷ ଆଦି ସମସ୍ତଙ୍କୁ ଏକ ଦେଖି ଅସୀମ ଆନନ୍ଦ ପାଏ । ପୁଣି ଯେତେବେଳେ ଇନ୍ଦ୍ରିୟନିଷ୍ଠ ଚେତନା ଭିତରେ ଥାଏ ସେତେବେଳେ ବିଭେଦ, ଭୟ, ଘୃଣା, କାମୁକତା ଆଦି ରୂପ ନିଏ । ସତ୍‌-ଅସତ୍‌, ପାପ-ପୁଣ୍ୟ ନୀତି ତେଣୁ ସାଧାରଣ ଇନ୍ଦ୍ରିୟନିଷ୍ଠ ଲୋକମାନଙ୍କ ପାଇଁ ଗୋଟାଏ କାମଚଳା କଥା, ଆଧ୍ୟାତ୍ମିକ ଚେତନାକୁ ଯିବାପାଇଁ ଗୋଟାଏ ପନ୍ଥା ମାତ୍ର । ଇନ୍ଦ୍ରିୟନିଷ୍ଠ ଲୋକମାନଙ୍କ ପାଇଁ ଏସବୁ ମାନିବା ଯେମିତି ମୋର ସୃଷ୍ଟି, ଆଧ୍ୟାତ୍ମିକ ଲୋକମାନଙ୍କ ପାଇଁ ଏ ନିୟମକୁ ଅତିକ୍ରମ କରି ସବୁ ଏକ ଦେଖିବା କଥାବି ସେମିତି ମୋର ସୃଷ୍ଟି । ଯିଏ ଯଥାର୍ଥ ଜ୍ଞାନୀ, ଅର୍ଥାତ୍‌ ବିଜ୍ଞାନୀ, ସେ ମୋର ସବୁ ନିୟମ ବୁଝି ଆନନ୍ଦ ପାଏ । ମୋତେ ଭଲପାଇଲେ ମୋର ସବୁ ସୃଷ୍ଟିକୁ ତ ଭଲପାଇବ । ଟେକାଟି ଉପରକୁ ପକାଇଲେ ପୃଥିବୀର ମାଧ୍ୟାକର୍ଷଣଶକ୍ତି ତାକୁ ଟାଣିଆଣିବ । ଏ ତ ମୋରି ସୃଷ୍ଟି । ଏଥିରେ ସତ୍‌-ଅସତ୍‌, ଭଲ-ମନ୍ଦ କଥା ଉଠୁଚି କେଉଁଠୁ ? କିନ୍ତୁ ତୁମ ମୁଣ୍ଡ ଉପରେ ଯଦି ପଡ଼ିଲା ତେବେ ସିନା ରାଗିଯିବ ଓ ଟେକା ପକାଇଥିବା ଲୋକକୁ ମାରିବାକୁ ଦଉଡ଼ିଯିବ ! ଯଦି ତୁମର ଶତ୍ରୁ-ମୁଣ୍ଡ ଉପରେ ପଡ଼ିଲା ? ତା’ ହେଲେ କି ଖୁସି ! ମାଧ୍ୟାକର୍ଷଣ ନିୟମ ମୁଁ କରିଚି, ପୁଣି ତାକୁ ଅତିକ୍ରମ କରିଯିବାର ନିୟମବି ମୁଁ କରିଚି । ସବୁ କଥାର ଓଲଟା କଥାବି ମୁଁ କରିଚି । ‘ତସ୍ମାତ୍‌ ସର୍ବୋଷୁ କାଳେଷୁ ମାମନୁସର ଯୁଧ୍ୟଚ’ । ଯେତେ ଯେତେ ଚେତନା ବଢ଼ୁଥିବ ସେତେ ସେତେ ଅନ୍ୟ ନିୟମମାନ ଦିଶୁଥିବ । ଶେଷରେ କେବଳ ଗୋଟିଏ କଥା ଦିଶିବ, ମୋର ପ୍ରେମ । ତୁମେ ଅହଂଭାବ ଛାଡ଼ିଲେ ଯାଇ ସେସବୁ ନିୟମ ଜାଣିପାରିବ । ଇନ୍ଦ୍ରିୟବଦ୍ଧ ଥିବାବେଳେ ଲୋକ ମୋର କେତେକ ନିୟମ ଦେଖିପାରେ, ବୁଝିପାରେ-। ଇନ୍ଦ୍ରିୟ ଛାଡ଼ି ଆହୁରି ଯେତେ ଆଗେଇବ ତାହାର ଓଲଟା ନିୟମମାନ ଦିଶିବ; ଏପରିକି ସାତ୍ତ୍ୱିକଭାବରେ ମଧ୍ୟ ଓଲଟା ଫଳ ଅଛି । ଯଦିବା ସାଧନା କରି ନିରାସକ୍ତ ହେଲ, ଦେଖିବ ତା’ର ଭିତରୁ ନିଷ୍ଠୁର ଭାବ ଜାତ ହେଲାଣି । ପୁଣି ସେ ନିଷ୍ଠୁର ଭାବକୁ କାଟିବା ପାଇଁ ଯାହା କରିବ ତାହାର ଗୋଟିଏ ଭଲ ଫଳ ପାଇଲେବି ଏକ ମନ୍ଦ ଫଳବି ପାଇବ । ଏମିତି କାଟିକାଟିକା ଯାଇ ତିନିଗୁଣ ଉପରକୁ ଉଠି ନିସ୍ତ୍ରୈଗୁଣ୍ୟ ହେବ । ନ ହେଲେ ପାପବୃତ୍ତିରେ ପଡ଼ି ଘାଣ୍ଟି ହେଉଥିବ । ନିସ୍ତ୍ରୈଗୁଣ୍ୟ ହେଲେ ଦେଖିବ ଏକ ଅନ୍ୟର ବିରୋଧ ବୋଲି ଯାହା ମଣୁଥିଲ ତା’ ନୁହେଁ, ସବୁ ଏକ-। ଏହି ବିରୋଧଭାବ ଯାହାର ଯେତେ କଟିଚି ସିଏ ସେତିକି ବିଜ୍ଞାନୀ । ତା’ ବୋଲି ସାମାଜିକ ସ୍ତରରେ ଯେ ବିରୋଧ କରିବ ନାହିଁ ତା’ ନୁହେଁ, ବିରୋଧଭାବ ରହିବ ନାହିଁ । ପ୍ରେମୀ ଲୋକ ବୁଝିବ ଏକ ସ୍ତରର କାର୍ଯ୍ୟରେ ସିନା ମୋର ବିରୋଧ କରିବା କର୍ତ୍ତବ୍ୟ ବୋଲି ମୁଁ ବିରୋଧ କରୁଚି, ବାସ୍ତବିକ ମୂଳତଃ ମୁଁ ଓ ସେ ଏକ । ମୁଁ ନିଜେ ତ ସମସ୍ତ ବିରୋଧଭାବର ସମଷ୍ଟି ଓ ସମନ୍ୱୟ । ସବୁ ଶକ୍ତି, ସବୁ ନିୟମ ମୋରି ଦେହରୁ ବାହାରି ଭିନ୍ନ ଭିନ୍ନ ସ୍ତରରେ କାମ କରୁଛନ୍ତି । ଦିନେ ମୁଁ ସେସବୁକୁ ଓଟାରିନେବି । ସେତେବେଳେ ପୁଣି ସବୁ ନିସ୍ତବ୍‌ଧ । ଖାଲି ମୁଁ ଯୋଗନିଦ୍ରାରେ ଥିବି । ମୋର ସେତେବେଳେ ବାହ୍ୟ ସୁପ୍ତ; ନିଷ୍କ୍ରିୟ; କିନ୍ତୁ ଭିତର ଜାଗ୍ରତ, କ୍ରିୟାଶୀଳ । ମୁଁ ପୁଣି ଏକ ନୂତନ ସୃଷ୍ଟି ପାଇଁ ଯୋଗ କରିବି ସେତେବେଳେ । ହେଲା ।

 

ଯୁଧିଷ୍ଠିରଙ୍କର ହେଲା କି ନାହିଁ, ବେଦବ୍ୟାସ ସ୍ପଷ୍ଟଭାବରେ ସୂଚାଇ ନାହାନ୍ତି । ତେବେ ଦେଖାଗଲା, ଦିନେ ସେ ସମସ୍ତଙ୍କ ସହିତ ସ୍ୱର୍ଗଯାତ୍ରା କରୁଛନ୍ତି । ପଛରୁ ପଛରୁ ଜଣକ ପରେ ଜଣେ ଟଳିପଡ଼ୁଛନ୍ତି ଓ ଅନ୍ୟମାନେ ମୃତ ବ୍ୟକ୍ତିଙ୍କ ପାଇଁ ବାହୁନି କାନ୍ଦିବାବେଳେ ଯୁଧିଷ୍ଠିର କହୁଛନ୍ତି, କି ଲାଭ ସେଥିରେ, ବେଳ ନାହିଁ, ଆଗେଇ ଚାଲ । ଚରୈବେତି, ଚରୈବେତି ।

 

ତେଣୁ ଆପଣ ଯାହା କହିଲେ, ‘କେହି ରହିନାହିଁ ରହିବେ ନାହିଁଟି....’ ସେ କଥାଟି ସେମିତି ଗୋଟିଏ ଦୃଶ୍ୟ ଆଙ୍କି ଦେଇଚି । ମାନିଲି ଅବସ୍ଥା ଏଇଆ ।

 

ହେଲେ କୌଣସି ଡାକ୍ତର ଦୋକାନରେ ବଡ଼ ବଡ଼ ଅକ୍ଷରରେ ଏ ବେଦବାକ୍ୟଟି ଲେଖାଥିବାର ଦେଖିଲେ ଆପଣଙ୍କୁ କ’ଣ ଭଲଲାଗିବ ? ଆପଣ ବ୍ୟାଧିଜନିତ ନାନା ଶାରୀରିକ ଯନ୍ତ୍ରଣାରେ ଘାରି ହୋଇଯାଇଛନ୍ତି ଡାକ୍ତରଙ୍କ ପାଖକୁ ଉପଶମ ପାଇଁ । ଦେଖିଲେ ଡାକ୍ତରଙ୍କ ବସିବା ସ୍ଥାନର ଠିକ୍‌ ପଛପଟେ ବଡ଼ ବଡ଼ ଅକ୍ଷରରେ କାଳେ କେହି ଦେଖିପାରିବେ ନାହିଁ ବୋଲି) ଲେଖା ହୋଇଚି ‘କେହି ରହି ନାହିଁ ରହିବେ ନାହିଁଟି...’ ସମସ୍ତେ ତ ବାହୁଡ଼ିବେ ନିଶ୍ଚୟ, କିନ୍ତୁ ଏଠି କାହିଁକି ସେ କଥା ପଡ଼ିଚି ?

 

ମାନୁଚି, ମରିବାଟା ଆଶ୍ଚର୍ଯ୍ୟ ନୁହେଁ, ବଞ୍ଚିରହିବାଟା ଆଶ୍ଚର୍ଯ୍ୟ । ଏ ଆଣବିକ ଓ ଯନ୍ତ୍ରଯୁଗରେ ସେ କଥା ତ ମର୍ମେ ମର୍ମେ ଉପଲବ୍ଧ ହେଉଚି । ସେଇଥିପାଇଁ ତ ଇୟେ, ଶୋକସଭାମାନଙ୍କରେ ବକ୍ତୃତା ଶୁଣିଲେ ବା ଶୋକ-ସମ୍ବାଦ ପଢ଼ିଲେ ହସ ମାଡ଼େ । ‘କଣ୍ଟେଇପୁରର ବୁଦ୍ଧି ମହାରଣା ଆଜକୁ ସାତଦିନ ଆଗେ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁ ସମୟକୁ ତାଙ୍କର ବୟାନବେବର୍ଷ ବୟସ ହୋଇଥିଲା । ସେ ଜଣେ ଲୋକପ୍ରିୟ ଧର୍ମପ୍ରାଣ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ଯୋଗୁଁ ସେ ଅଞ୍ଚଳରେ ଗଭୀର ଶୋକଛାୟା ଖେଳିବୁଲୁଛି । ତାଙ୍କର ପୁତ୍ର ଶ୍ରୀଯୁକ୍ତ ଅଜୟ ମହାରଣା ଆଇ. ଏ. ଏସ୍‌. ବର୍ତ୍ତମାନ ଲଣ୍ଡନରେ ରହି ଜିଲ୍ଲାପାଳ ଅଛନ୍ତି । ଶ୍ରୀ ଅଜୟଙ୍କ ଗୋଟିଏ ପୁଅ ଶ୍ରୀ ବିଜୟ ବର୍ତ୍ତମାନ ଲଣ୍ଡନରେ ରହି ଜାଳେଣି କାଠ ବିଷୟରେ ଗବେଷଣା କରୁଛନ୍ତି । ଆଉ ଗୋଟିଏ ପୁତ୍ର ଶ୍ରୀ ସଞ୍ଜୟ ଏବଂ କନ୍ୟା ଶ୍ରୀମତୀ ପାମେଲା (ପ୍ରଥମେ ନାଁ ଥିଲା ପ୍ରମିଳା) ଆମେରିକାରେ ପାଠ ପଢ଼ୁଛନ୍ତି । ଶ୍ରୀ ଅଜୟ ନିଜେ ମଧ୍ୟ ଅନେକ ଥର ବିଲାତ ଯାଇଛନ୍ତି । ଆମେ ସ୍ୱର୍ଗତ ବୁଦ୍ଧି ମହାରଣାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛୁ ଓ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛୁ ।

 

ଏ ସମ୍ବାଦଟି ପଢ଼ି ଆପଣଙ୍କ ମନରେ ନାନା ପ୍ରଶ୍ନ ଜାଗିବ ନିଶ୍ଚୟ । କଣ୍ଟେଇପୁର କେଉଁଠି ? ସ୍ୱର୍ଗତ ବୁଦ୍ଧି ମହାରଣା କିଏ ଥିଲେ ? (ଆପଣ ବୋଧହୁଏ ‘ଶୋକସଭାର ସଂଜ୍ଞାଟି ଜାଣିନାହାନ୍ତି । ସେ ସଂଜ୍ଞାଟି ହେଉଚି–ଏହା ଏପରି ଏକ ବ୍ୟକ୍ତିପାଇଁ ସଭା ଯିଏ ବଞ୍ଚିରହି ପୃଥିବୀରେ ଥିବାର କେହି କଦାପି ଜାଣି ନଥିଲେ) । ସ୍ୱର୍ଗତ ବୁଦ୍ଧି ମହାରଣା ମହାଶୟ ତ ସାତଦିନ ଆଗେ ପ୍ରାଣତ୍ୟାଗ କରିଥିଲେ, ଏ ଖବର ସାତଦିନ ପରେ କାହିଁକି ବାହାରୁଚି ? ଶୋକର ଛାୟା କ’ଣ ଖେଳେ ? ପୁଣି ଖେଳିବୁଲେ ? ଯଦିବା ତାହା ସମ୍ଭବ ତେବେ ସାତଦିନ ବା ତଦୁର୍ଦ୍ଧ ଦିନ ଯାବତ୍‌ ଏହା ସେ ଅଞ୍ଚଳଟାଯାକ ଖେଦି ବୁଲିବା ଏକ ବିପଜ୍ଜନକକଥା ନୁହେଁ କି ? ଏପରି ଘଟିବାର କାରଣ ବିଷୟରେ ସରକାର ଅନୁସନ୍ଧାନ କରିଛନ୍ତି କି ? ଯଦି ପୂର୍ବୋକ୍ତ ପ୍ରଶ୍ନର ଉତ୍ତର ହଁ ହୁଏ ତେବେ ସେ ଅନୁସନ୍ଧାନର ଫଳାଫଳ ଜଣାଇବେ କି ? ଲୋକପ୍ରିୟ ଓ ଧର୍ମପ୍ରାଣ ଏ ଦୁଇଟି ସ୍ୱର୍ଗତ ବୁଦ୍ଧି ମହାରଣାଙ୍କ ଭିନ୍ନ ଭିନ୍ନ ବିଶେଷଣ, ନା ପ୍ରଥମଟି ଦ୍ୱିତୀୟଟିର ବିଶେଷଣ ? (ଆପଣଙ୍କ ଏ ପ୍ରଶ୍ନରୁ ଜଣାପଡ଼ୁଚି ଆପଣ ନିଶ୍ଚୟ ହୃଦୟଙ୍ଗମ କରିପାରିଛନ୍ତି ଯେ ଏକାସାଙ୍ଗରେ ଦୁଇଟିଯାକ ଗୁଣ ଥିଲେ ବିପଜ୍ଜନକ) ପୁଣି, ଏ ବିଶେଷଣଗୁଡ଼ିକ ସ୍ୱର୍ଗତ ବୁଦ୍ଧି ମହାରଣାଙ୍କ ଜୀବିତାବସ୍ଥାରେ କେହି ଉପଲବ୍ଧି କରିଥିଲେ ନା ମୃତ୍ୟୁ ପରେ ଶୋକସମ୍ବାଦର ବିଧିରକ୍ଷା ପାଇଁ ବ୍ୟବହୃତ ହୋଇଚି ? ସ୍ୱର୍ଗତ ବୁଦ୍ଧି ମହାରଣା ଯଦି ‘ଲୋକପ୍ରିୟ ଧର୍ମପ୍ରାଣ’ ଥିଲେ ତେବେ ତ ତାଙ୍କର ଆତ୍ମାର ସଦ୍‌ଗତି ସୁନିଶ୍ଚିତ । ଯଦି ଗୀତା ଭାଗବତ ଆଦି ବିଶ୍ୱାସ କରାଯାଏ ତେବେ କାହିଁକି ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିବା ଭଳି ବୃଥା ଶ୍ରମ ହେଉଚି ? କ’ଣ ଏପରି ସନ୍ଦେହ ରହିଯାଇଚି ଯେ ସେ ‘ଲୋକପ୍ରିୟ ଧର୍ମପ୍ରାଣ’ ନଥିଲେ ଏବଂ ତଥାପି ଦୟାପରବଶ ହୋଇ ସାମ୍ବାଦିକ ବା ସମ୍ବାଦପତ୍ର ଅନୁଷ୍ଠାନମାନେ ବୁଦ୍ଧି ମହାରଣାଙ୍କ ଆତ୍ମାକୁ ଏକ ବ୍ୟତିକ୍ରମଭାବେ ଗ୍ରହଣ କରି ଦୟା ଦେଖାଇବାପାଇଁ ସ୍ୱର୍ଗର କର୍ତ୍ତୃପକ୍ଷଙ୍କଠାରେ ଅଳି କରୁଛନ୍ତି ? ଏ ପ୍ରଶ୍ନର ଉତ୍ତର ହଁ ହେଲେ, ଏପରି ଅଳି ପ୍ରତ୍ୟେକ ମୃତବ୍ୟକ୍ତି ପାଇଁ କରାଯାଉଥିବାରୁ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେବେ ନାହିଁ ବୋଲି ମନେହୁଏ କାହିଁକି ? ଅପରପକ୍ଷରେ, ସ୍ୱର୍ଗତ ବୁଦ୍ଧି ମହାରଣା ‘ଲୋକପ୍ରିୟ ଧର୍ମପ୍ରାଣ’ ଥିଲେ ବୋଲି ଯଦି ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ ତେବେ କ’ଣ କର୍ତ୍ତୃପକ୍ଷଙ୍କ ଉପରେ ସନ୍ଦେହ ଅଛି ଯେ ତା’ ସତ୍ତ୍ୱେ ସ୍ୱର୍ଗତ ବୁଦ୍ଧି ମହାରଣାଙ୍କ ଆତ୍ମାକୁ ଉପଯୁକ୍ତ ଗତି ଦିଆ ନ ହୋଇପାରେ ? ‘କାମନା କରୁ’ ରୂପକ ଯେଉଁ ନିତ୍ୟ-ବର୍ତ୍ତମାନ କାଳ କ୍ରିୟାଟି ବ୍ୟବହୃତ ହୋଇଚି ତା’ କ’ଣ ବାସ୍ତବିକ କାର୍ଯ୍ୟରେ ପରିଣତ ହେଉଛି-? ଅନ୍ୟଥା, ‘କାମନା କରୁ’ ଲେଖିଦେବା କ’ଣ କାମନା କରିବା ପାଇଁ ଯଥେଷ୍ଟ ? ସର୍ବୋପରି, ସମ୍ବାଦଟିରେ ସ୍ୱର୍ଗତ ବୁଦ୍ଧି ମହାରଣାଙ୍କ ପୁତ୍ର ପ୍ରପୌତ୍ର ପ୍ରପୌତ୍ରୀମାନଙ୍କ ଗୁଣବର୍ଣ୍ଣନାରେ ଯେଉଁ ଆନ୍ତରିକତା ପ୍ରକାଶ ପାଇଚି ତାହା ସ୍ୱର୍ଗତ ବୁଦ୍ଧି ମହାରଣାଙ୍କ ଗୁଣବର୍ଣ୍ଣନାରେ ନଥିବା ଦୃଷ୍ଟେ ଏ ସମ୍ବାଦଟି ଶୋକ-ସମ୍ବାଦ ବୋଲି ଏକ ଗୋଳମାଳ ସୃଷ୍ଟି କରୁନାହିଁ କି ? ତେବେ କ’ଣ ବିଚାରା ସ୍ୱର୍ଗତ ବୁଦ୍ଧି ମହାରଣାଙ୍କ ନିଜସ୍ୱ ପରିଚୟ କିଛି ନାହିଁ ?

 

ଆପଣ ଭୌଗୋଳିକ, ଐତିହାସିକ, ଦାର୍ଶନିକ, ବୈଧାନିକ ଆଦି ଯେତେ ପ୍ରଶ୍ନ ଉଠାଇଛନ୍ତି ସେସବୁ ବିଷୟରେ ମୋର କିଛି କହିବାର ନାହିଁ । କାରଣ, ସେସବୁର ଉତ୍ତର ଶୋକସଭା ପରିଚାଳକମାନେ ଅଥବା ଶୋକସମ୍ବାଦ ପରିବେଷକମାନେ ଦେବାର ଉପଯୁକ୍ତ ପାତ୍ର-। ସେମାନଙ୍କର ଶୋକଭାବ ଏତେ ପ୍ରବଳ ଯେ ‘ଯେ ବାନ୍ଧବାନ୍ଧବାବା’(୭) ପ୍ରତ୍ୟେକ ଲୋକ ନିମିତ୍ତ ଶୋକ ପ୍ରକାଶ କରିବା ପାଇଁ ସେମାନେ ଟାକି ବସିଥାନ୍ତି ଓ ସେଥିପାଇଁ ସାମାନ୍ୟ ସୁବିଧା ମଧ୍ୟ ହାତଛଡ଼ା କରନ୍ତି ନାହିଁ । ସେମାନେ ତେଣୁ ଏ ବିଷୟରେ ନାନା ତଥ୍ୟ ଓ ସେମାନଙ୍କର ଶୋକକୁ ଅନ୍ୟ ହୃଦୟରେ ସଞ୍ଚାର କରାଇବାର ନାନା କୌଶଳ ଜାଣନ୍ତି । ଉଦାହରଣସ୍ୱରୂପ, ଶୋକସଭାର କେଉଁ କେଉଁ ସ୍ଥାନରେ କି ପ୍ରକାର ଶୋକନୃତ୍ୟ ପରିବେଷଣ କଲେ ସଭାସ୍ଥିତ ଲୋକେ ‘ଶୋକସନ୍ତପ୍ତ’ ହେବେ, ଅଥବା ଶୋକସଭାର କାର୍ଯ୍ୟସୂଚୀରେ ଠିକ୍‌ କେଉଁଠି କେତେ ସମୟ କିପରି ଭାବରେ ପ୍ରାର୍ଥନା କଲେ ଆତ୍ମାର ଗତିବିଧାୟକ କର୍ତ୍ତୃପକ୍ଷମାନେ ଯଥେଷ୍ଟ ମଣିବେ, କି କି ଶୋକ-ସଙ୍ଗୀତ କେଉଁ କେଉଁ ସମୟରେ କିପରି ଭାବରେ ବୋଲା ହେଲେ ଶୋକଟି ସଙ୍ଗୀତମୟ କାରୁଣ୍ୟ ପ୍ରାପ୍ତ ହେବ ଇତ୍ୟାଦି ନାନା ବିଷୟରେ କୌଶଳ ସେମାନେ ଆୟତ୍ତ କରିପାରିଛନ୍ତି । ବାସ୍ତବିକ କହିବାକୁ ଗଲେ ‘କର୍ମସୁ କୌଶଳମ୍‌’ ତ ଯୋଗ । ଆପଣଙ୍କ ସାଧାରଣ ଜ୍ଞାନ (General Knowledge-G.K.) ବଢ଼ାଇବା ପାଇଁ କେବଳ ଏତିକି କହୁଚି ଯେ ଏହି ଶୋକବିଶେଷଜ୍ଞମାନେ ବହୁ ଅଭିଜ୍ଞତାରୁ ଜାଣିପାରିଛନ୍ତି, ଶୋକସଭା କାର୍ଯ୍ୟ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଦୁଇ ମିନିଟ୍‌ ଦଣ୍ଡାୟମାନ ହୋଇ ନୀରବ ପ୍ରାର୍ଥନା (ବୋଇଲେ, ମୁଣ୍ଡ ଟିକିଏ ତଳକୁ) କଲେ ମୃତ ବ୍ୟକ୍ତିର ଆତ୍ମାର ସଦ୍‌ଗତି ପାଇଁ ସବୁ କାଳକୁ ଯଥେଷ୍ଟ ବୋଲି ସ୍ୱର୍ଗସ୍ଥ କର୍ତ୍ତୃପକ୍ଷ ତଥା ମୃତ ବ୍ୟକ୍ତିର ଶୋକସନ୍ତପ୍ତ ପରିବାର ନିଶ୍ଚୟ ଗ୍ରହଣ କରିବେ । ଅବଶ୍ୟ ଏହା ସହରାଞ୍ଚଳ କଥା । ଗ୍ରାମାଞ୍ଚଳରେ ଏହା ଏକ ମିନିଟ୍‌ ବୋଲି ଧରାଯାଏ । (ସଭାପତି ଯେତେବେଳେ ଉକ୍ତ ସମୟ ଶେଷ ହୋଇଗଲା ବୋଲି ସଙ୍କେତ ଦିଅନ୍ତି ସେତେବେଳେ ଶୋକସନ୍ତପ୍ତ ଶ୍ରୋତାଗଣ ଯେଉଁ ସ୍ୱସ୍ତିର ନିଃଶ୍ୱାସ ପକାନ୍ତି, ତାହା ଦେଖିବା କଥା !)

 

ଅତଏବ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଁ ସେଇ ଶୋକବିଶେଷଜ୍ଞବୃନ୍ଦଙ୍କୁ ଧରନ୍ତୁ । ମୁଁ କେବଳ ଆପଣଙ୍କ ଶେଷ ପ୍ରଶ୍ନ ଦୁଇଟିର ଉତ୍ତର ଦେବାକୁ ଚେଷ୍ଟା କରିବି ।

 

ମଣିଷର ଦୁଇଟି ଜୀବନ ବା କର୍ମପ୍ରେରଣା ଅଛି । ଗୋଟିଏ ଆତ୍ମା ଓ ଗୋଟିଏ ଦେହ । ଗୋଟିଏ ଆଧ୍ୟାତ୍ମିକ ଓ ଅନ୍ୟଟି ସାମାଜିକ । ପ୍ରଥମଟିର ଗତି ଊର୍ଦ୍ଧ୍ୱକୁ ଓ ଦ୍ୱିତୀୟଟିର ଗତି ସମତଳୀୟ (Vertical and Horizontal) । ପ୍ରଥମଟି ଆତ୍ମନିର୍ଭର ଓ ଦ୍ୱିତୀୟଟି ବହୁ-ନିର୍ଭର । ମଣିଷ ମୂଳତଃ ଆଧ୍ୟାତ୍ମିକ । ଅବଶ୍ୟ ଗାନ୍ଧିନୀ କହିଚନ୍ତି, ମଣିଷ ମୂଳତଃ ସାମାଜିକ; କିନ୍ତୁ ସେ କର୍ମୀଥିବାରୁ ସାମାଜିକ ଜୀବନ ଉପରେ ପ୍ରାଧାନ୍ୟ ଦେଇଛନ୍ତି, ବିଶେଷତଃ ଭାରତରେ ତାହାର ଘୋର ଅଭାବଦୃଷ୍ଟିରୁ । ରସେଲ୍‌ ପ୍ରଥମେ ଏ ଦୁଇଟିକୁ ଭିନ୍ନ ଭିନ୍ନ ବୋଲି ଜାଣିଥିଲେ, କିନ୍ତୁ ପରେ ସେ ଅନୁଭବ କଲେ ଯେ ଏ ଦୁଇଟି ଅଭିନ୍ନ । ସେର୍‌ଭାନ୍ତେଙ୍କ ‘କୁଇକ୍‌ସୋ’ରେ କୁଇକ୍‌ସୋ ହେଉଛନ୍ତି ଆଧ୍ୟାତ୍ମିକ ଏବଂ ସାଙ୍କୋ ହେଉଛନ୍ତି ସାମାଜିକ । କିନ୍ତୁ ପରେ ସେ ଦୁହେଁ ହେଲେ ଅଭିନ୍ନାତ୍ମା । ଏ ସମସ୍ତେ କିନ୍ତୁ ସାମାଜିକ ଜୀବନ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଆତ୍ମାପାଇଁ ସବୁ କର୍ମ ତ୍ୟାଗ କରିବା ଦରକାର; କିନ୍ତୁ ଦେହପାଇଁ ବହୁ କର୍ମ ଆବଶ୍ୟକ । ଏ ଦୁଇର ସମନ୍ୱୟ ବଡ଼ କଠିନ ବ୍ୟାପାର । କିନ୍ତୁ ଏକକ ଜୀବନର ବିକାଶପାଇଁହିଁ ସାମାଜିକ ଜୀବନ ଏକ ପନ୍ଥା । ଅନେକେ ସାଂସାରିକତାକୁ ଆଧ୍ୟାତ୍ମିକତାର ପରିପନ୍ଥୀ ବୋଲି ଦର୍ଶାଇଛନ୍ତି; କିନ୍ତୁ ବାସ୍ତବିକ ଏ ଦୁହେଁ ପରସ୍ପର ବିରୋଧୀ ନୁହନ୍ତି । ଦୁହେଁ ପରସ୍ପର ପରିପୂରକ । ଏ ଦେହ ଅଛି; ତେଣୁ ଏ ଦେହର ରକ୍ଷା, ପୁଷ୍ଟି ଓ ବିକାଶପାଇଁ ସମାଜ ଓ ସାମାଜିକ ନ୍ୟାୟ, କର୍ମ ଆବଶ୍ୟକ; କିନ୍ତୁ ଏ ଦେହ ସେଇଥିପାଇଁ କେବଳ ଉଦ୍ଦିଷ୍ଟ ନୁହେଁ । ଅନନ୍ତ ସହିତ ନିଜର ସମ୍ପର୍କ ସ୍ଥାପନ ଓ ସେଥିରେ ଆନନ୍ଦ ପାଇବା ଏ ଜୀବନର ଚରମ ଉଦ୍ଦେଶ୍ୟ । ମଣିଷର ସୃଷ୍ଟି ଅନନ୍ତରୁ ଏବଂ ସେ ଯେଉଁଠି ଥାଉନା କାହିଁକି, ଅନନ୍ତ ତାକୁ ଘେରି ରହିଚି । ସାମାଜିକ ନ୍ୟାୟ ପ୍ରତ୍ୟେକ ଲୋକର ଦାବି । ଏ ଦାବିର ମାହାତ୍ମ୍ୟ ପ୍ରତ୍ୟେକେ ଯେତେବେଳେ ଅନୁଭବ କରିବେ ସେତେବେଳେ କର୍ତ୍ତବ୍ୟ ଆପେ ଆପେ ଆସିଯିବ । ଦାବି ହେଉଚି ମୌଳିକ ପ୍ରବୃତ୍ତି । କର୍ତ୍ତବ୍ୟବୋଧ ସେଥିରୁ ଉତ୍ପନ୍ନ । କେହି ଆଉ କାହାର ଦୟା ଉପରେ ତିଷ୍ଠିବେ ନାହିଁ; ଏହାହିଁ ଏ ଯୁଗର ବାର୍ତ୍ତା । ଦୟା ଏକ ପୁଞ୍ଜିବାଦୀ ପାପ; ଯାହାକୁ ପୁଞ୍ଜି ବାଦୀ-ଦର୍ଶନ ଏକ ମହତ୍‌ଗୁଣ ବୋଲି ପ୍ରଚାର କରି ଲୋକମାନଙ୍କୁ ଭୁଲାଇ ଫାଇଦା ଉଠାଉଚି–ଏ ହେଲା ଏ ଯୁଗର ଚିନ୍ତା । ଶ୍ରୀରାମକୃଷ୍ଣ ପରମହଂସଦେବ ମଧ୍ୟ କହିଛନ୍ତି, ‘‘ତୁଇ ଦୟା କର୍‌ବାର୍‌ କେରେ ଶାଲା-?’’ ଗୀତା ମଧ୍ୟ ଏ କଥା କହିଛି । (୨/୪୮, ୫୦, ୧୧, ୩/୩୩, ୩/୩୪, ୪/୧୨, ୬/୩୨, ୪/୩, ୧୨/୪୮/୩ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଗୀତାପ୍ରବେଶ ଦ୍ରଷ୍ଟବ୍ୟ) । ଅତଏବ ସାମାଜିକ ସାମ୍ୟ ବା ସାମାଜିକ ନ୍ୟାୟ ହେଲା ମଣିଷର ସାମାଜିକ ଜୀବନର ଆଦର୍ଶ ଏବଂ ଏହି ଆଦର୍ଶ ହାସଲ କରିବାର ମୂଳ ପ୍ରେରଣା ହେଲା ଦାବି ଏବଂ ଦାବି ହାସଲ କରିବାର କୌଶଳ ହେଲା ପରସ୍ପର ପ୍ରତି କର୍ତ୍ତବ୍ୟ । ଗୀତା (୭।୪୮, ୫୦, ୬।୩୨ ଓ ୧୨।୪)ରେ ଏହା ମଧ୍ୟ କୁହାହୋଇଛି । ଲୋଭ ବା ହିଂସାର ସାମାଜିକ ସ୍ୱୀକୃତି ବା ସାମାଜିକ ବଣ୍ଟନ ସାମାଜିକ ଜୀବନର ବିକାଶ ପାଇଁ ଆବଶ୍ୟକ–ନିଜର କାମନା ପୂର୍ଣ୍ଣ ହେବା ନିଜର ଯେପରି ଦରକାର, ଅନ୍ୟର ସେଇପରି ଓ ସେଇ ପରିମାଣରେ ଦରକାର, ଏହା ବୁଝିବିଚାରି ସବୁ ପ୍ରାଣୀଙ୍କ ହିତରେ ରହିବ (ଗୀତା–୧୨/୪) । ଏଥିରୁ ସମାଜବାଦ ବା ସାମ୍ୟବାଦର ଜନ୍ମ । ତେଣୁକରି ତ ଧନ ଅର୍ଜନର ସମସ୍ତ ପନ୍ଥା ରାଷ୍ଟ୍ରୀୟକରଣ କରାଯିବାର ଚିନ୍ତା ଆସୁଚି–‘‘ଧନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନରହରି’’ (ନରମାନଙ୍କର ଇଷ୍ଟ) । ଆଉ ରାଷ୍ଟ୍ର ବୋଇଲେ ତ ସବୁ ଲୋକ, ଗଣ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ନିର୍ଦ୍ଦିଷ୍ଟ ଶ୍ରେଣୀ ନୁହେଁ । ‘‘Rights are those social conditions which are necessary for the development of personality’’–H. Laski. ଦାବି ହେଉଛି ଏପରି ସାମାଜିକ ଅବସ୍ଥା ଯହିଁରେ ବ୍ୟକ୍ତିତ୍ୱର ବିକାଶ ହୁଏ । ବ୍ୟକ୍ତିତ୍ୱର ବିକାଶର କେବଳ ଗୋଟିଏ ମାତ୍ର ଦିଗ ଅଛି ଓ ତାହା ହେଉଛି ଆଧ୍ୟାତ୍ମିକ ।

 

ତା’ ଯଦି ହେଲା, ତେବେ ଆପଣ ନିଜ ସୁଖପାଇଁ ବିବାହ କଲେ ବା ପୁତ୍ରକନ୍ୟା ଜନ୍ମଦେଲେବି, ଯେହେତୁ ସମାଜ ଆପଣଙ୍କୁ ସେଥିରେ ସାହାଯ୍ୟ କରୁଛି, ସେହେତୁ ସମାଜ ଦାବି କରିପାରେ ଯେ ଆପଣ ପୁତ୍ରକନ୍ୟାମାନଙ୍କୁ ଯଥାର୍ଥରେ ସବଳ, ସୁସ୍ଥ, ଭଦ୍ର, ଶିକ୍ଷିତ, ସାଧୁ କରି ସମାଜକୁ ଛାଡ଼ିବେ । ଆଉ ଏପରି କେତେଗୁଡ଼ିଏ ପୁତ୍ରକନ୍ୟା ସମାଜକୁ ଦେବାରେ ଯେ ନିଜକୁ ନିୟୋଜିତ କରିଛି, ତାକୁ ତ ଆଧ୍ୟାତ୍ମିକ ନିଶ୍ଚୟ ବୋଲିବାକୁ ହେବ । ଏଥିପାଇଁ ବହୁ ପରିଶ୍ରମ, ସଂଯମ, ସାଧନା ଓ ତ୍ୟାଗ ଦରକାର । ଏପରି ଯେ କରୁଛି ତାହାର ଆଧ୍ୟାତ୍ମିକ ବିକାଶ ହେବହିଁ ହେବ । ଆମେ ତ କେବଳ ନିଜର ଅହମିକାର ବୃଦ୍ଧିପାଇଁ ପୁଅଝିଅ ପଢ଼ାଉ । କେବଳ ନିଜର ପ୍ରତିପତ୍ତିର ବୃଦ୍ଧିପାଇଁ ଏପରି ସନ୍ତାନ ବଢ଼ାଇବା ଯାହା କିଳାପୋତେଇ କରି ଧନ ବଢ଼େଇବା ସେଇଆ ।

 

କଥା-କଥାରେ ମୂଳ ବକ୍ତବ୍ୟର ବହୁଦୂରକୁ ଚାଲିଆସିଲେଣି; କିନ୍ତୁ ବନ୍ଧୁ-ରମ୍ୟାଣି ବୀକ୍ଷ....ବାକ୍ୟମାନଙ୍କରେ ଯଦି ରମ୍ୟାର୍ଥ ନିହିତ ଥାଏ, ତେବେ ବାଡ଼ବନ୍ଧ ରଖିବା ଆଉ ଉଚିତ ହେବ ନାହିଁ । ଦ୍ୱାସୁପୂର୍ଣ୍ଣା ସବୁଜା ସଖାୟା.... । ସର୍ବଦା ସଂଯୁକ୍ତ ଓ ତୁଲ୍ୟନାମବିଶିଷ୍ଟ ଦୁଇଟି ପକ୍ଷୀ ଗୋଟିଏ ବୃକ୍ଷକୁ (ଏ ଦେହକୁ) ଆଶ୍ରୟ କରି ଅବସ୍ଥାନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ବିଚିତ୍ର ଆସ୍ୱାଦଯୁକ୍ତ ଫଳ ଭକ୍ଷଣ କରୁଥାଏ ଓ ଅନ୍ୟଟି ଭକ୍ଷଣ ନ କରି କେବଳ ଦର୍ଶନ କରୁଥାଏ । ଯେଉଁ ପକ୍ଷୀଟି ଫଳ ଖାଉନି ତା’ ନିଜ କଥା ଯଦି କ୍ଷୁଦ୍ର ଗଳ୍ପ ହୁଏ, ତେବେ ଅନ୍ୟ ପକ୍ଷୀଟିର କଥା ହେବ ପ୍ରବନ୍ଧ ବା ରମ୍ୟରଚନା । ଯିଏ ଖାଉଛି ତା’ର ଭାବ ସୀମିତ ବା କେନ୍ଦ୍ରୀଭୂତ । ଯିଏ ଦର୍ଶନ କରୁଛି ତା’ର ଭାବ ଅସୀମ, ଶାଖାପ୍ରଶାଖା ମେଲି କୁଆଡ଼େ କୁଆଡ଼େ ଚାଲିଯାଏ । ଗୋଟିଏ ଘଟଣାର ଖିଅ ଧରି କେତେ କଥା ମନକୁ ଆସେ, କେତେ ଘଟଣା ଦିଶିଯାଏ । ଆଧୁନିକ ଉପନ୍ୟାସ ତେଣୁ ନାନା ବିକ୍ଷିପ୍ତ ଚରିତ୍ର ଓ ଘଟଣାର ସମାବେଶ । ସେସବୁ ଘଟଣାର ବା ଚରିତ୍ରର ଆଗପଛ ନାହିଁ, କିମ୍ବା କୌଣସିଟି ସ୍ପଷ୍ଟ ନୁହେଁ । ତେଣୁ ସେସବୁ ଘଟଣାର ଯୋଗସୂତ୍ର ଘାଟନିକ ସ୍ତରରେ ପାଇବେ ନାହିଁ; ପାଇବେ ସୂକ୍ଷ୍ମ ମାସିକ ସ୍ତରରେ ବା ଆଧ୍ୟାତ୍ମିକ ସ୍ତରରେ । ମହାଭାରତରେ କୌଣସି ଚରିତ୍ର ବା ଘଟଣାକୁ ଭଲ କି ମନ୍ଦ କିଛି କହିହେବ ନାହିଁ, ସବୁ ଅସ୍ପଷ୍ଟ । ମଣିଷବି ସେମିତି-

 

ବର୍ତ୍ତମାନ ସେହି ଶୋକସମ୍ବାଦଟି ବିଷୟରେ ଆପଣଙ୍କ ଶେଷ ଦୁଇଟି ପ୍ରଶ୍ନ ମନେପକାନ୍ତୁ । ସ୍ୱର୍ଗତ ବୁଦ୍ଧି ମହାରଣା ଯଦି କେତେଗୁଡ଼ିଏ ଯଥାର୍ଥ ସୁସ୍ଥ, ସାଧୁ, ଶିକ୍ଷିତ, ଭଦ୍ର ପୁତ୍ରକନ୍ୟା ସମାଜକୁ ଦେଇଯାଇଥାନ୍ତି ତେବେ ସେ ନିଶ୍ଚୟ ଧର୍ମପ୍ରାଣ ଥିଲେ । ତାଙ୍କୁ କୋଟି କୋଟି ନମସ୍କାର । ନାହିଁ ଯଦି ସେ କେତେଗୁଡ଼ିଏ ଦର୍ପୀ, ଅସାଧୁ, ଅଭଦ୍ର ସନ୍ତାନ ସମାଜ ଉପରେ ଲଦି ଦେଇଯାଇଥାନ୍ତି, ତେବେ ତାଙ୍କୁ ଧିକ୍‌, ଆମ ଭାଗ୍ୟକୁ ଧିକ୍‌।

 

ସେମିତି ଶୋକସଭା କଥା । ଏ ସଭାର ମୃତ ବ୍ୟକ୍ତିର ଏପରି ଗୁଣସବୁ ବକ୍ତାମାନେ ବର୍ଣ୍ଣନା କରନ୍ତି ଯାହା କେବଳ ବୁଦ୍ଧି, ଯୀଶୁ, ଚୈତନ୍ୟ ଆଦି ଯୁଗାବତାରମାନଙ୍କଠାରେ ସମ୍ଭବ, କିମ୍ବା ଅସମ୍ଭବ ମଧ୍ୟ । ଆଉ ପ୍ରତ୍ୟେକେ ନିଜ ସହିତ ମୃତ ବ୍ୟକ୍ତିର ସମ୍ପର୍କ ଏପରି ଭାବରେ ଚିତ୍ରଣ କରନ୍ତି ଯେ, ଧାରଣା ଜନ୍ମେ, ମୃତ ବ୍ୟକ୍ତି କେବଳ ବକ୍ତାଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ବିଶ୍ୱାସ କରୁନଥିଲେ ବା ଖାତିର୍‌ କରୁନଥିଲେ । କେହି କେହି ବକ୍ତା ମଝିରେ ମଝିରେ କାନ୍ଦି ମଧ୍ୟ ପକାନ୍ତି । କହନ୍ତି ନାହିଁ, ‘ନ ଦେଲୁ ତୁଣ୍ଡେ, ଦେଲୁ ବେଣାମୁଣ୍ଡେ’ ସେଇଆ । ପୁଣି ପ୍ରତ୍ୟେକ ବକ୍ତା ନିଜ ବକ୍ତୃତା ପାଇଁ ଏତେ ବ୍ୟାକୁଳ ହୋଇପଡ଼ନ୍ତି ଯେ ପୂର୍ବବର୍ତ୍ତୀ ବକ୍ତାମାନଙ୍କର ବକ୍ତୃତାକୁ ନାନା ଭାବରେ କଟୂ ସମାଲୋଚନା କରନ୍ତି । ତାଙ୍କର ପରବର୍ତ୍ତୀ ବକ୍ତାମାନେ ସେ ସମାଲୋଚନାରୁ ନିସ୍ତାର ପାଇଯାନ୍ତି; କାରଣ ନିଜ ବକ୍ତୃତା ସରିବା ସାଙ୍ଗେ ସାଙ୍ଗେ ବକ୍ତା ନାନା ଆଳ ଦେଖାଇ ସଭା ଛାଡ଼ି ଚାଲିଯାଆନ୍ତି ।

 

ଥରେ ତ ଏପରି ଏକ ସଭାରେ ଏକ ମର୍ମନ୍ତୁଦ ଘଟଣା ଘଟିଗଲା । କୁମାରୀ ହିମାଳୟଙ୍କ ଶୋକନୃତ୍ୟ ପରେ କୁମାରୀ ସାହାନାସୁନ୍ଦରୀ ଆଧୁନିକ ଶୋକସଙ୍ଗୀତ ଗାଇଲେ, ‘ହାୟ-! ତୁମେ ମରିଛ...ମରିଛ...ମରିଛ...ଏବଂ ଆମେ ଶୋକ କରି ଚାଲିଛୁ...ଚାଲିଛୁ ଚାଲିଛୁ...’ । ତା’ପରେ ଆଧୁନିକ କରୁଣ ସୁରରେ ଜଣାଣ ଗାଇଲେ ଶ୍ରୀ ଧୂରୀଣ ଦାସ–‘ଉଗ ବା...ଆ....ଆ...ନ, ତଣ୍ଟି ଚିପି ତୋତେ ମାରିଦେବି ମୁହିଁ, ନୁହେଁ ତ ବା ଫାଡ଼ିଦେବି....ଇ....ଇ ।’ ଶ୍ରୋତାମାନେ ଯଥାରୀତି ଶୋକସନ୍ତପ୍ତ ହେଲେ । ପ୍ରଥମ ବକ୍ତା ଆରମ୍ଭ କରିବାବେଳୁ ଜଣେ ଯୁବକ ମୁହୁର୍ମୁହୁଃ ଚିଟାଉମାନ ପଠାଉଥାନ୍ତି ସଭାପତିଙ୍କ ପାଖକୁ । ସଭାପତି ସେଗୁଡ଼ିକ ପଢ଼ି ଟେବୁଲ ଉପରେ ଗଦାକରୁଥାନ୍ତି । ବକ୍ତାଙ୍କର ଏଥିରେ କିଛି ବାଧା ହେଉନଥିଲା । କିନ୍ତୁ ଶ୍ରୋତାମାନଙ୍କର ଦେଖିବାରେ ବାଧା ଉପୁଜିବାରୁ ସେମାନେ ବିରକ୍ତି ପ୍ରକାଶ କଲେ । ସେମାନଙ୍କ ଭିତରୁ କେହି କେହି ଯୁବକଟିକୁ କହିବାକୁ ଶୀଘ୍ର ଅନୁମତି ଦେବାକୁ ମଧ୍ୟ ପ୍ରସ୍ତାବ ଦେଲେ । ଯୁବକଟି ଆଉ ଅପେକ୍ଷା ନ କରି ଉଠି ଚାଲିଗଲା କହିବାକୁ । ପ୍ରଥମେ ଯେ ଯଥାରୀତି ଗମ୍ଭୀରଭାବରେ ଆରମ୍ଭ କରିଥିଲା; କିନ୍ତୁ କ୍ରମେ କ୍ରମେ ନାନାପ୍ରକାର ହସ-କୌତୁକ କଥା କହି ହସାଇବାକୁ ଲାଗିଲା । ଶ୍ରୋତାମାନଙ୍କ ମଧ୍ୟରେ ମହାଗୋଳମାଳ ସୃଷ୍ଟି ହେଲା । ଶୋକାଭିଭୂତ ହେବାପାଇଁ ମନ ଓ ମୁହଁକୁ ସଜାଡ଼ି ସେମାନେ ବସିଥିଲେ । ଶୋକନୃତ୍ୟ, ଶୋକସଙ୍ଗୀତ ଓ ଶୋକ ଜଣାଣ ମଧ୍ୟ ସେମାନଙ୍କୁ ଯଥେଷ୍ଟ ସାହାଯ୍ୟ କରିଥିଲା । ବର୍ତ୍ତମାନ ସେସବୁ ନଷ୍ଟ ହେବା ଉପରେ । ତା’ଛଡ଼ା, ବକ୍ତା ହ୍ୟାପ ସିନା ଚାରିଦଉଡ଼ିକଟା, ସମାଜରେ ତା’ର ମାନସମ୍ମାନ କିଛି ନାହିଁ.....ଶ୍ରୋତାମାନେ ତ ତା’ ନୁହନ୍ତି । ସେମାନେ ଶୋକସଭାରେ ହୋ-ହୋ ହୋଇ ହସିବେ ବା କିପରି ? । ସେମାନେ ଆସିଛନ୍ତି କୌଣସିମତେ ଶୋକକାର୍ଯ୍ୟଟି ସମାଧା କରି, ଦରକାର ହେଲେ ଦୁଇ ବୁନ୍ଦା ଅଶ୍ରୁ ବିସର୍ଜନ କରି, ଖୁସିମନରେ ଫେରିଥାନ୍ତେ ଯେ ଶୋକସଭାଟିକୁ ସଫଳ କରିପାରିଛନ୍ତି । ଏ କି ଗୋଳମାଳ ! ଶେଷରେ ସବୁ ଶ୍ରୋତା ଏକାସାଙ୍ଗରେ ଉଠି ଯୁବକଟିକୁ ମାରିବାକୁ ଦୌଡ଼ିଲେ । ଶୋକସଭା ଲଣ୍ଡଭଣ୍ଡ ହୋଇଗଲା ।

 

ଅତଏବ ସର୍ବେ ନିଜ ନିଜ ଅଭିନୟ ସାରି କାଳବଳେ ବାହୁଡ଼ିବେ ନିଶ୍ଚୟ । କିନ୍ତୁ ତଥାପି ମଣିଷ ନିଜପାଇଁ ଅନ୍ୟ ଆଖିରୁ ଦୁଇ ବୁନ୍ଦା ଅଶ୍ରୁ ଦେଖିବାକୁ ଦୀନଦରିଦ୍ର ଭାବରେ ଅପେକ୍ଷା କରିଥାଏ । ଅନ୍ୟପାଖରୁ ସମବେଦନା କଥା ଶୁଣିଲେ, ସେ ଯାହାପାଇଁ ହେଉନା କାହିଁକି, ମଣିଷ ମନରେ ସାହସ ଆସେ । ତେଣୁ ନୀଳେଇ ସେଠୀ ଯେତେବେଳେ ମି: ଦାସଙ୍କୁ ହାଡ଼ୁ ଭାଇଙ୍କ ମୃତ୍ୟୁ-ସମ୍ବାଦ ଦେଲେ ନିହାତି ଅପ୍ରାସଙ୍ଗିକ ଭାବରେ, ଯେତେବେଳେ ଏହା ଭାବିବା ସ୍ୱାଭାବିକ–ନୀଳେଇ ସେଠୀଙ୍କ ମନ ତାଙ୍କର ହାଡ଼ୁ ଭାଇଙ୍କ ମୃତ୍ୟୁରେ ଏତେ ଶୋକାଭିଭୂତ ହୋଇପଡ଼ିଛି ଯେ ସେ ଦୁମ୍‌କରି ସେ କଥାଟି କହିଦେଲେ–ଏପରିକି ଏକ ଅଚିହ୍ନା ଲୋକ ପାଖରେବି । କିନ୍ତୁ ନୀଳେଇ ସେଠୀଙ୍କ ମୁହଁରେ ଶୋକର ଚିହ୍ନବର୍ଣ୍ଣ ନାହିଁ ।

 

ସମ୍ବାଦଟି ଶୁଣି ମୁଁ ଚମକି ପଡ଼ିଲି । ମୁଁ ସେତେବେଳେ ମୃତ୍ୟୁଚିନ୍ତାରେ ମଗ୍ନ ଥାଏ । ମୃତ୍ୟୁ କ’ଣ ? କୌଣସି ଏକ ପୁରାଣରେ ପଢ଼ିଥିଲି–ଯମରାଜ ଯାଇ ବିଷ୍ଣୁଙ୍କ ପାଖରେ ଆପତ୍ତି କରି କହିଲେ ଯେ ସେ ଆଉ ମୃତ୍ୟୁ ବିଭାଗ ଦାୟିତ୍ୱରେ ରହିବେ ନାହିଁ; କାରଣ ପୃଥିବୀର ସବୁ ଲୋକ ତାଙ୍କୁ ଗାଳିଗୁଲଜ କରୁଛନ୍ତି ଏବଂ ସବୁ ଦୋଷ ତାଙ୍କରି ଉପରେ ଲଦିଦେଉଛନ୍ତି । ବିଷ୍ଣୁ କହିଲେ, ‘ଆଚ୍ଛା, ତୁମର ଭୟ ନାହିଁ । ଆମ୍ଭେ ଆଉ ଗୋଟିଏ ବିଭାଗ ସୃଷ୍ଟି କରୁଚୁ–ବ୍ୟାଧି ବିଭାଗ । ସେ ବିଭାଗର କର୍ମଚାରୀମାନେ ମଣିଷକୁ ତା’ର ମରଣକାଳରେ ଆକ୍ରମଣ କରିବେ । ଅତଏବ ଲୋକେ ବ୍ୟାଧିକୁହିଁ ଏଥର ଦାୟୀ କରିବେ; ତୁମକୁ ନୁହେଁ ।’ ସେଇଦିନୁ କୁଆଡ଼େ ବ୍ୟାଧିର ସୃଷ୍ଟି ହେଲା ।

 

କିନ୍ତୁ ଏ ନିୟମର ବ୍ୟତିକ୍ରମ ମୁଁ ଦେଖିଲି–ବ୍ୟାଧିବିହୀନ ମୃତ୍ୟୁ । ପଞ୍ଚାଅଶିବର୍ଷରେ ମଧ୍ୟ ମୋର ମାଆ ସୁସ୍ଥ ସବଳ ଥିଲେ । ମସ୍ତିଷ୍କକୁ ରକ୍ତସଞ୍ଚାଳନ କମି କମି ଯାଉଥିବାରୁ ବର୍ଷେ ଆଗରୁ ତାଙ୍କର କଥାରେ ଟିକିଏ ଗୋଳମାଳ ହେଉଥିଲା । ରକ୍ତସଞ୍ଚାଳନ ଅନେକ କମିଯିବାରୁ ଦିନେ ସେ ବେହୋସ ହେବାଭଳି ଶୋଇଗଲେ । ସେମିତି ସେ ରହିଲେ ଛତିଶ ଦିନ । ଏହି ସମୟ ମଧ୍ୟରେ ତାଙ୍କର କୌଣସି ବ୍ୟାଧି ନଥିଲା । ଜରା ହେତୁରୁ ରକ୍ତସଞ୍ଚାଳନ କ୍ଷେତ୍ର ଧୀରେ ଧୀରେ ସଙ୍କୁଚିତ ହେବାକୁ ଲାଗିଲା । ଅତି ଧୀରେ ଧୀରେ ପ୍ରାଣଶକ୍ତି ଛାଡ଼ି ଛାଡ଼ି ଯାଉଥାଏ । ଡାକ୍ତରମାନେ କହିଲେ, ‘କରିବାର କିଛି ନାହିଁ, କାରଣ କୌଣସି ବ୍ୟାଧି ନାହିଁ ଯେ ଔଷଧ ଦିଆଯିବ । ଏହା ବ୍ୟାଧି ନୁହେଁ । କୌମାର, ଯୌବନ ଯେପରି ଗୋଟିଏ ଗୋଟିଏ ଅବସ୍ଥା, ଜରା ସେହିପରି ଏକ ଅବସ୍ଥା ଏବଂ ସେ ଅବସ୍ଥା ମଧ୍ୟ ପରିବର୍ତ୍ତିତ ହେବ ମୃତ୍ୟୁରେ । ବ୍ୟାଧି ଥିଲେ ତାହା ଅତିଶୀଘ୍ର ଘଟନ୍ତା; ବ୍ୟାଧି ନଥିବାରୁ ତାହା ଅତି ଧୀରେ ଧୀରେ ଘଟୁଛି ।’

 

ଆମେ ମୃତ୍ୟୁ ଓ ବ୍ୟାଧି ଏକାକଥା ବୋଲି ଜାଣୁ । କିନ୍ତୁ ଆଖିସାମ୍ନାରେ ଦେଖିଲି ମୃତ୍ୟୁ ସହିତ ବ୍ୟାଧିର କୌଣସି ସମ୍ପର୍କ ନାହିଁ । ଦୁହେଁ ଅଧିକାଂଶ କ୍ଷେତ୍ରରେ ଏକାଠି ମିଳି କାର୍ଯ୍ୟ କରୁଥିଲେହେଁ କେହି କାହାରି ଅଧୀନ ନୁହେଁ । ଦୁହିଁଙ୍କର ସୃଷ୍ଟି ଓ କ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ଏବଂ କୌଣସି କୌଣସି କ୍ଷେତ୍ରରେ ଗୋଟିକୁ ଛାଡ଼ି ଅନ୍ୟଟି ମଧ୍ୟ କାମ କରିଚାଲିଥାଏ । ଯୋଗୀମାନେ କୁଆଡ଼େ ବ୍ୟାଧିଦ୍ୱାରା ଆକ୍ରାନ୍ତ ହୁଅନ୍ତି ନାହିଁ; କିନ୍ତୁ ବ୍ୟାଧିହୀନ ମୃତ୍ୟୁର ମନ୍ଥରତା ଏକ ମର୍ମନ୍ତୁଦ କଥା, ମୁର୍ମୂଷୁ ଓ ଦର୍ଶନ ଉଭୟଙ୍କ ପାଇଁ ।

 

ବ୍ୟାଧି ବିଷୟରେ ଡାକ୍ତରୀ, ଆୟୁର୍ବେଦ ଆଦି ଶାସ୍ତ୍ରରେ ନାନା ତଥ୍ୟ ଅଛି । ମାତ୍ସ୍ୟନ୍ୟାୟ ଅନୁସାରେ ପ୍ରାଣୀମାନେ ଭାଇରସ୍‌ ବା ଜର୍ମ୍‌ମାନଙ୍କ ଖାଦ୍ୟରେ ପରିଣତ ହୁଅନ୍ତି । ସେମାନେ ହେଲେ ବ୍ୟାଧିର ସଂବାହକ । ସେଇମାନେହିଁ ବ୍ୟାଧି କହିଲେ ଚଳେ । କର୍ମବିଧି (Law of Karma) ଅନୁସାରେ ପ୍ରାଣୀମାନେ ଦିନକୁ ଦିନ ଦୁର୍ବଳ ହୋଇପଡ଼ୁଥାନ୍ତି । ଦୁର୍ବଳ ହୋଇପଡ଼ନ୍ତି କାହିଁକି ? ଶରୀର ଭିତରେ କାର୍ଯ୍ୟ କରୁଥିବା ଯନ୍ତ୍ରପାତି ସବୁ ଦିନକୁ ଦିନ ଧିମେଇ ଯାଉଥାଏ । କର୍ମବିଧି ଅନୁସାରେ ତୁମେ ସତ୍ତ୍ୱ, ରଜ, ତମ ଏ ତିନି ଗୁଣର ବଶବର୍ତ୍ତୀ ହୋଇ ଯାହା କର ନା କାହିଁକି, ସେ କର୍ମର ଗୋଟିଏ ଭଲ ଫଳ ଫଳିଲା ତ ତାହାର ଓଲଟା ଫଳ ଫଳିବାର ପରିସ୍ଥିତି ସେଇଥିରୁହିଁ ସୃଷ୍ଟି ହେବ । ଅପରପକ୍ଷରେ ମନ୍ଦ ଫଳ ଫଳିଲା ତ ତାହାର ଓଲଟା ଫଳ ଫଳିବାର ପରିସ୍ଥିତି ମଧ୍ୟ ସେଇଥିରୁ ସୃଷ୍ଟି ହେବ । ଅର୍ଥାତ୍‌ ଯେଉଁ କର୍ମ କରନା କାହିଁକି, ତା’ର ମନ୍ଦ ଫଳବି ଫଳୁଥିବ ଓ ଭଲ ଫଳବି ଫଳୁଥିବ । ମନ୍ଦ ଫଳକୁ କାଟିବାକୁ ଯାହା ଯାହା କରିବ ତା’ର ମଧ୍ୟ ସେଇ ଅବସ୍ଥା । ଏଠାରେ ଭଲମନ୍ଦ କେବଳ ସାଂସାରିକଦୃଷ୍ଟିରୁ କୁହାଯାଉଛି; ଅର୍ଥାତ୍‌ ତୁମର ଦୈହିକ ସ୍ଥିତିଦୃଷ୍ଟିରୁ (relative) କୁହାଯାଉଛି ସିନା, ଅନପେକ୍ଷିତ ବା ଚରମ ଅବସ୍ଥା ବା ନିତ୍ୟ (absolute) ଦୃଷ୍ଟିରୁ ନୁହେଁ । କାରଣ ସେଠି ତ ସବୁ ସମାନ, ସବୁ ପ୍ରେମମୟ । ଗୀତାରେ କର୍ମଯୋଗରେ ଏହି ଗତିବିଧି କଥା କୁହାଯାଇଛି । ଏହାହିଁ ଦ୍ୱାନ୍ଦ୍ୱିକ ଗତି (dialectical) । ତେଣୁ ଭଗବାନ କହିଲେ–‘‘ତ୍ରିଗୁଣାତୀତ ହୁଅ ।’’ ଏହି ନିୟମ ଅନୁସାରେ ଶରୀରଧାରଣ ଓ ପୁଷ୍ଟିପାଇଁ ଯାହା କରାଯାଉନା କାହିଁକି, ସେଇ କର୍ମ ଭିତରେହିଁ ଅଛି ତା’ର ଓଲଟା ଫଳିବାର ବୀଜ ଯାହା କ୍ରମେ କ୍ରମେ ବଢ଼ି ବଢ଼ି ଦ୍ରୁମରେ ପରିଣତ ହୁଏ । ଭଗବାନଙ୍କ ଏ ନିୟମ ବିଷୟରେ ଜ୍ଞାନ ଅର୍ଜନ କରି, ଭଗବାନଙ୍କ ଏ ଲୀଳା ହୃଦୟଙ୍ଗମ କରି ଆନନ୍ଦ ପାଇବା ବଡ଼ କଷ୍ଟକର କଥା । ଏହାହିଁ ତ୍ରିଗୁଣାତୀତ ଅବସ୍ଥା । ଏ ଅବସ୍ଥାରେ ସାଂସାରିକଦୃଷ୍ଟିରୁ ମନ୍ଦର ବିରୋଧ ବାହ୍ୟତଃ ଆନ୍ତରିକତାର ସହିତ କରୁଥିଲେହେଁ ଅନ୍ତରରେ କୌଣସି ବିରୋଧ ନାହିଁ । ତେଣୁ କୁହାଯାଇଛି–ଏ ଦ୍ୱନ୍ଦ୍ୱ ବା କର୍ମବିଧିରୁ ମୁକୁଳିଯିବାର ଏକମାତ୍ର ଉପାୟ ହେଉଚି ‘ପ୍ରେମ’ ।

 

ସେ ଯାହାହେଉ, ଦେହ ଏହି ବିଧି ଅନୁସାରେ କ୍ରମେ କ୍ରମେ ଦୁର୍ବଳ ହୋଇଯାଏ ଏବଂ ଶେଷରେ ଅନ୍ୟର ଆହାର ହୁଏ । କିନ୍ତୁ କେହି କେହି ପୁଣି ଏପରି ସୁସ୍ଥ ଥାନ୍ତି ଯେ ତା’ ହୁଏ ନାହିଁ; ଅର୍ଥାତ୍‌ ବ୍ୟାଧି ତାଙ୍କୁ ଧରିପାରେ ନାହିଁ । ତଥାପି ମୃତ୍ୟୁ ତାଙ୍କୁ କବଳିତ କରେ–କାଳରୂପେଣ ଧୀବରାଃ । ଅନ୍ୟଭାବରେ କହିଲେ, ମୃତ୍ୟୁ ସେମାନଙ୍କୁ ଶୁଆଇ ରଖି ଧୀରେ ଧୀରେ ଆଉଁସି ଆଉଁସି କୋଳକୁ ଆଉଜାଇନିଏ–ମରନ୍‌ରେ ତୁହୁଁ ମମ ଶ୍ୟାମ ସମାନ...

 

ମୃତ୍ୟୁ–(ମୁହଁରେ ମନ ଭୁଲାଣିଆ ହସ) ଆସ ସଖି !

 

ବ୍ୟକ୍ତି–ତୁମେ କିଏ ?

 

ମୃତ୍ୟୁ–ମୁଁ ପରା ତୁମର ଘନଶ୍ୟାମ ଗୋ !

 

ବ୍ୟକ୍ତି–ଘନଶ୍ୟାମ କିଏ ?

 

ମୃତ୍ୟୁ–କୋଟି କୋଟି ଗ୍ରହତାରା ଯେଉଁ ମୂଳଶକ୍ତିରୁ ଶକ୍ତି ଆହରଣ କରି କାର୍ଯ୍ୟ କରିଚାଲିଛନ୍ତି, ସେଇ ମୂଳଶକ୍ତିଟି ହେଉଚି ପ୍ରେମ । ମୁଁ ସେଇ ପ୍ରେମ, ଆନନ୍ଦ । ଆସ ସଖି !

 

ବ୍ୟକ୍ତି–ଚାଲ । ଆଃ କି ଆରାମ, କି ଆନନ୍ଦ !

 

କବି ଯାହା କହିଲେ ଏ ସାଂଖ୍ୟ ( ସଂଖ୍ୟାବିଷୟକ) କଥା; ଗାଣିତିକ ସୂତ୍ର । ଆଇନ୍‌ଷ୍ଟାଇନ୍‌ ଯାହାକୁ କହିଲେ E = MC2; ଅର୍ଥାତ୍‌ ଶକ୍ତି ଓ ବସ୍ତୁ ଭିନ୍ନ ନୁହେଁ । ଶକ୍ତି ଘନୀଭୂତ ହେଲେ ବସ୍ତୁ ଏବଂ ବସ୍ତୁ ଫିଟି-ଫିଟିଗଲେ ଶେଷରେ ଶକ୍ତି । ଇତି ତେଽଭିହିତା ସାଂଖ୍ୟେ...ମୂଳଶକ୍ତିଟି ହେଉଚି ‘ପ୍ରେମ’ ।

 

ହେଲା । ତେବେ ନିଜ ଜୀବନରେ କାହିଁକି ଏ କଥା ବୁଝିହେଉ ନାହିଁ ?

 

ତା’ର ଉତ୍ତର ଦେବାକୁ ଯାଇ ଭଗବାନ କହିଲେ, ବୁଦ୍ଧି ଯୋଗେ ତ୍ୱିମାଂ ଶୃଣୁ । (Divine Truth must be made human truth to be appreciated by us.–Sir H. Davy) ପୂର୍ବରୁ ଯାହା ସବୁ କହିଗଲି (ଆତ୍ମା ଅମର, ତାକୁ କେହି କାଟିପାରିବେ ନାହିଁ, ପୋଡ଼ି ନଷ୍ଟ କରିପାରିବେ ନାହିଁ । କାରଣ ଯାହା କଲେବି ଏକ ଶକ୍ତି ଆଉ ଏକ ଶକ୍ତିରେ ପରିଣତ ହେବ ସିନା, ଉଭେଇ ତ ଯିବ ନାହିଁ ଇତ୍ୟାଦି), ସେ ସବୁ ସାଂଖ୍ୟ କଥା । ନିଜ ଜୀବନରେ ସେ ପ୍ରେମ ଅର୍ଥାତ୍‌ ନିତ୍ୟ ଅବସ୍ଥା ଉପଲବ୍ଧି ହେବ କିପରି ତା’ର ଉପାୟ ବତାଉଛି, ଶୁଣ୍‌ । କାରଣ ସେତକ ଜାଣିଲେ ଓ ହୃଦୟଙ୍ଗମ କରି ଆନନ୍ଦ ପାଇଲେ ତୋର କର୍ମଶକ୍ତି ବୃଦ୍ଧି ପାଇବ, ମତି ସ୍ଥିର ହେବ । ଯେ କୌଣସି ପରିସ୍ଥିତିରେ ତୁ ଉଦ୍‌ବେଗଶୂନ୍ୟ ହୋଇ କାର୍ଯ୍ୟ କରିପାରିବୁ ।

 

ବସ୍ତୁତଃ ଗୀତା ହେଉଚି ଉପର୍ଯ୍ୟୁକ୍ତ ପ୍ରଶ୍ନଟିର ଉତ୍ତର । ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ସମାଜ ବିଜ୍ଞାନ, ମନସ୍ତତ୍ତ୍ୱ ଆଦି ନାନା ବିଷୟରେ ଜ୍ଞାନଥିଲେ ଗୀତା ଭଲ ବୁଝିହୁଏ ବୋଲି କହନ୍ତି । ଏତେ କଥା ବା ଜାଣୁଛି କିଏ ? ମୋଟାମୋଟି ଏତିକି ଜଣାପଡ଼ୁଚି ଯେ ସେଇ ମୂଳଶକ୍ତି ପ୍ରେମ ନାନା ସ୍ତରରେ ନାନାରୂପେ ପ୍ରକାଶ ପାଏ । ଯାହା ଆଧ୍ୟାତ୍ମିକ ଚେତନାରେ ଆନନ୍ଦ ତାହା ଇନ୍ଦ୍ରିୟ ଚେତନାରେ ଭୟ, ଘୃଣା, ହିଂସା ଉତ୍ପାଦନ କରେ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଅଛି ବୋଲି ସମସ୍ତଙ୍କୁ ଟାଣିନିଏ, ଏହା ଗୋଟିଏ ମାତ୍ର ନିୟମ ନୁହେଁ । ତା’ର ଓଲଟା ନିୟମ ମଧ୍ୟ ଅଛି ଏବଂ ସେହି ନିୟମ ଅନୁସାରେ ମାଧ୍ୟାକର୍ଷଣଶକ୍ତିରୁ ଫିଟିଯିବାର ମଧ୍ୟ ଉପାୟ ଅଛି । ଜାଣିଲେ ହେଲା । ନାନା ସ୍ତରରେ ନାନା ସତ୍ୟ ମଣିଷ ପାଏ; କିନ୍ତୁ ଗୋଟିଏ ସ୍ତରର ସତ୍ୟ ଯେ ଚରମ ସତ୍ୟ ତାହା ଭାବିବା ଭୁଲ୍‌ ଏବଂ ସେପରି ଭାବିଲେ ମହାପ୍ରମାଦମାନ ସୃଷ୍ଟି ହେବ; ମନର ବ୍ୟାପ୍ତି ରୁଦ୍ଧ ହୋଇଯିବ । ଆଖି, କାନ ଆଦି ମାଧ୍ୟମରେ ଯାହା ଜାଣିଲେ ତାହା ଯେ ବସ୍ତୁ ବା ବିଷୟରେ ବାସ୍ତବ ରୂପ, ତାହା ନୁହେଁ ବା ଇନ୍ଦ୍ରିୟବଦ୍ଧ କାମନା ଯାହା କର୍ମପ୍ରେରଣା ଦେଲା ତାହା ଯେ ଅବଶ୍ୟ କର୍ତ୍ତବ୍ୟ ତାହା ନୁହେଁ । ଚେତନାର ଭିନ୍ନ ଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ସତ୍ୟ ପ୍ରତିଭାତ ହେବ–ଏପରିକି ଏକ ସ୍ତରର ସତ୍ୟ ଅନ୍ୟ ସ୍ତରର ସତ୍ୟର ସଂପୂର୍ଣ୍ଣ ବିପରୀତ ମଧ୍ୟ ହେବ । ତେବେ ଚରମ ସ୍ତର (ତ୍ରିଗୁଣାତୀତ)କୁ ଗଲେ ଆଉ କେହି କାହାର ବିପରୀତ ବା ବିରୋଧୀ ନୁହେଁ ଜାଣିପାରିବ । ଅତଏବ ମୃତ୍ୟୁଭୟକୁ ଏଡ଼ିବାକୁ ହେଲେ ସେଇ ପ୍ରେମକୁ ଉପଲବ୍ଧି କରିବାକୁ ହେବ । ଅତଏବ ଜାଗତିକ ମଙ୍ଗଳପାଇଁ ତୁ ଅନ୍ୟକୁ ମାରିବାକୁ ଭୟ କରୁଛୁ କିଆଁ ? ଏଙ୍କୁ ମାରିଦେଲେ କ’ଣ ସୃଷ୍ଟି ଶେଷ ହୋଇଯିବ ଭାବୁଚୁ ? ନା ଏମାନେ ବ୍ୟକ୍ତିଗତଭାବେ ଶେଷ ହୋଇଯିବେ ? ଏଠି ଯେଉଁ ସନ୍ଦେହ ସ୍ୱଭାବତଃ ଜାଗେ, ତାହାର ସ୍ପଷ୍ଟୀକରଣ ଶ୍ରୀରାମକୃଷ୍ଣ ଦେଇଛନ୍ତି ।

 

ଶ୍ରୀରାମକୃଷ୍ଣ–ଏ ଦେହ ହେଉଚି ଗୋଟାଏ ଖୋଳ । ଏଟା ଥିଲେ ବା କ’ଣ, ଗଲେ ବା କ’ଣ !

 

ଜଣେ ଭକ୍ତ–ତେବେ ମଣିଷକୁ କ’ଣ ହିଂସା କରିବା ବା ମାରିପକାଇବା ଉଚିତ ?

 

ଶ୍ରୀରାମକୃଷ୍ଣ–ହଁ, ଗୋଟିଏ ଅବସ୍ଥାରେ ହୋଇପାରେ । ସେ ହେଉଚି ବ୍ରହ୍ମଜ୍ଞାନର ଅବସ୍ଥା । ସେ ଅବସ୍ଥା ସମସ୍ତଙ୍କର ହୁଏ ନାହିଁ (ତେଣୁ ସମସ୍ତେ ସାଂସାରିକ ନିୟମ ମାନି ଚଳିବା ବିଧେୟ) ।

 

ଯଦି ଜଣେ ଦୁର୍ନୀତିଦ୍ୱାରା ଧନ ଅର୍ଜନ କରି ମହାମଉଜମଜଲିସରେ ରହେ, ତେବେ ତ ବ୍ୟକ୍ତିଗତଭାବେ ଏବଂ ସାମାଜିକଭାବେ ତାକୁ ହିଂସା କରିବା ଉଚିତ । ‘‘ଅନ୍ୟାୟ ଯେ କରେ ଏବଂ ଅନ୍ୟାୟ ଯେ ସହେ, ଦୁହେଁ ସମାନ ପାପୀ’’–ରବୀନ୍ଦ୍ରନାଥ । ତେଣୁ ତ ବିଦ୍ରୋହ-ବିପ୍ଳବ ଆବଶ୍ୟକ ହୋଇପଡ଼େ । ଧର୍ମରେ ଯେତେବେଳେ ଗ୍ଳାନି ହୁଏ, ଆଇନ୍‌ଦ୍ୱାରା ଯେତେବେଳେ କାମ କରାଯାଏ, ସେତେବେଳେ ଭଗବାନ ନିଜେ ସଂହାର କରନ୍ତି । ଅତଏବ ଏ କ୍ଷେତ୍ରରେ ହିଂସା ତ ପାପ ନୁହେଁ; ପୁଣ୍ୟ । କାରଣ ଏହାଦ୍ୱାରା ନ୍ୟାୟ ପ୍ରତିଷ୍ଠା ହୁଏ । ଏ ହେଉଛି ହିଂସାର ସାମାଜିକ ସ୍ୱୀକୃତି ଓ ବଣ୍ଟନ-। ଏ ହିଂସା ସେଇ ପ୍ରେମରୁ ଜାତ । ଭଗବାନ୍‌ କହିଛନ୍ତି, କାମ କ୍ରୋଧ ଲୋଭ ଆଦି ମୁଁ ଯାହା ସୃଷ୍ଟି କରିଚି ତାହା ନିଜର ଇନ୍ଦ୍ରିୟଜ କାମନା ଚରିତାର୍ଥ ପାଇଁ ବ୍ୟବହାର କଲେ ପାପ; କିନ୍ତୁ ଜନମଙ୍ଗଳ ପାଇଁ ବ୍ୟବହାର କଲେ ପୁଣ୍ୟ । ଏହି ନୈସର୍ଗିକ ନିୟମ ଅନୁସାରେ, ଯଦି କେହି ଅନ୍ୟାୟଭାବରେ (ଅନ୍ୟକୁ ଶୋଷଣ କରି) ବେଶି ସୁଖ ଭୋଗକରୁଥାଏ ତାକୁ ଓଟାରିଦେବାକୁ ପଡ଼ିବ । ଯଦି ଏପରି କେହି ଭାବେ ଯେ ଅମୁକ ଲୋକ ମଉଜମଜଲିସ୍‌ରେ ଅଛି, ତା ପାଖରୁ କାଢ଼ି ନେଇ ମୁଁ ମଉଜମଜଲିସ୍‌ରେ ରହିବି; କି ଭାବେ ଯେ ତା’ର ନ ହୋଇ ମୋର ଖାଲି ହେଉ; ଅଥବା ଭାବେ ଯେ ସେ ଯଦି ଅନ୍ୟାୟରେ ଚଳି ସୁଖରେ ରହିଲା ମୋର ଆପତ୍ତି ନାହିଁ, ମୋର ସେଥିରେ କ’ଣ ଗଲା; କି ଭାବେ ଯେ ସେ ସେମିତି ଅଛି ଥାଉ, ମୁଁ ବି ସେମିତି ଚଳିବି, ତେବେ ଏ ଭାବନା ହିଂସାରୁ ଜାତ ପାପ । କାରଣ ଏହା ଇନ୍ଦ୍ରିୟବଦ୍ଧ କାମନାରୁ ବା ତାମସିକତାରୁ ଜାତ ଓ ତେଣୁ ନିଜର ଏବଂ ଅନ୍ୟର ଆଧ୍ୟାତ୍ମିକ ଓ ସାମାଜିକ ଜୀବନ ଏଥିରେ ବିପନ୍ନ ହେବ । ଇନ୍ଦ୍ରିୟବଦ୍ଧ କାମନା ମାନସିକଦୃଷ୍ଟିରୁ (ଫଳାଫଳ ଜ୍ଞାନକୁ) ଏତେ ସଙ୍କୁଚିତ କରିଦିଏ ଯେ ଅଦୂର ଭବିଷ୍ୟତରେ କି ବିପଦ ପଡ଼ିବ ତାହା ଦୃଷ୍ଟିରେ ପଡ଼େ ନାହିଁ, କେବଳ ତତ୍କାଳିକ ସୁଖଟି ଦିଶେ । ତେବେ ଏପରି ପରିସ୍ଥିତିରେ ସମସ୍ତେ ହଣାକଟା ହେଉ ହେଉ ସତ୍ୟ ଆପେ ଆପେ ପ୍ରତିଷ୍ଠିତ ହୋଇଯିବ । ଦୂରଦ୍ରଷ୍ଟାମାନେ ଏ ପରିଣାମ ସ୍ପଷ୍ଟ ଦେଖିପାରି ଏକୁ ଏଡ଼ାଇବାର ବାଟ ବଢ଼ାନ୍ତି । କମ୍ୟୁନିଜ୍‌ମର ରାଷ୍ଟ୍ରବିହୀନ ରାଷ୍ଟ୍ର (Stateless State–ରାଷ୍ଟ୍ରଟି ନିଜ ନିଜ ଭିତରେ, ବାହାରେ ନାହିଁ) ଏକ ଆଧ୍ୟାତ୍ମିକ ଅବସ୍ଥା ଏବଂ ମାର୍କସ୍‌ କହିଛନ୍ତି, ‘‘ଭୟ ଦେଖାଇବା ଦରକାର ପଡ଼ିଲେ ହଣାକଟା କରି ଏ ଅବସ୍ଥାକୁ ଆଣିବାକୁ ପଡ଼ିବ ମାନବସମାଜକୁ । ଅବଶ୍ୟ ଗାନ୍ଧି ଏବଂ ଅନ୍ୟାନ୍ୟ ମହାପୁରୁଷମାନେ କହିଛନ୍ତି, ଏ ଅବସ୍ଥାକୁ ପ୍ରେମରେହିଁ ଆଣିବା ଏକମାତ୍ର ପନ୍ଥା । ରାଷ୍ଟ୍ର ବୋଇଲେ ଯେଉଁଠି ବ୍ୟଷ୍ଟି ଓ ସମଷ୍ଟି (ଆଧ୍ୟାତ୍ମିକ ଓ ସାମାଜିକ ଜୀବନ)ର ସମନ୍ୱୟ ଘଟିଚି । ରସେଲ୍‌ କହନ୍ତି, ମାର୍କସ୍‌ ନିଜକୁ ନିରୀଶ୍ୱରବାଦୀ କହିଲେହେଁ ସେ ଥିଲେ ଈଶ୍ୱରବାଦୀ । କାରଣ ସାଂସାରିକ ଉପାୟରେ ସେଇ ମହାଜାଗତିକ ଆନନ୍ଦଟିକୁ ଆଣିବାର ସେ ଏକ ରାଜନୀତିକ ଓ ଆର୍ଥନୀତିକ ଘୋଷଣାପତ୍ର (Manifesto) ଦେଇଥିଲେ । ତାଙ୍କର ଥିଲା ମହାଜାଗତିକ ସ୍ୱପ୍ନ, ଆଶା ଓ ବିଶ୍ୱାସ । ତେଣୁ ସେ ଈଶ୍ୱରବାଦୀ ।

 

ମୃତ୍ୟୁ ଏମିତି ନାନାକ୍ଷେତ୍ରରେ ନାନାଭାବରେ କାର୍ଯ୍ୟ କରେ । ବ୍ୟାଧି ମୃତ୍ୟୁର ଏକମାତ୍ର କାରଣ ବା ସହଯୋଗୀ ନୁହେଁ । ଇନ୍ଦ୍ରିୟବଦ୍ଧ ମନ ଯେତେବେଳେ ନିଜର କାମନାକୁ ପ୍ରାଧାନ୍ୟ ଦିଏ ସେତେବେଳେ ସେ ନିଜକୁ ଜୀବନପ୍ରବାହରୁ ବିଚ୍ଛିନ୍ନ କରି ଦେଖେ । ସେତେବେଳେ ମୃତ୍ୟୁ ତା’ ପକ୍ଷରେ ମହାଭୟର କାରଣ ହୁଏ । କିନ୍ତୁ ଆଧ୍ୟାତ୍ମିକ ଚେତନାକୁ ଯାଇ ସେ ଯେତେବେଳେ ଅନାଦିକାଳରୁ ଅନନ୍ତକାଳଯାଏ ପ୍ରବାହିତ ଜୀବନ-ପ୍ରବାହରେ କୋଟି କୋଟି ଜୀବ, ବସ୍ତୁ ଆଦି ଭିତରେ ନିଜକୁ ଦେଖେ (ବିଶ୍ୱରୂପଦର୍ଶନ) ସେତେବେଳେ ପ୍ରାଣୀର କ୍ରମବିକାଶ (ବସ୍ତୁରବି) ପାଇଁ ମୃତ୍ୟୁ ଏକ ଅନିବାର୍ଯ୍ୟ ମଙ୍ଗଳମୟ ପନ୍ଥା ବୋଲି ଜାଣିପାରି ଭଗବାନଙ୍କ ଲୀଳା (ଏକର ଅସଂଖ୍ୟ ପ୍ରକାଶ ଏବଂ ବିକାଶପାଇଁ ନିରବଚ୍ଛିନ୍ନ ଗତି) ଦର୍ଶନ କରି ମହାଆନନ୍ଦ ପାଏ ବୋଲି କୁହାଯାଇଚି । କିଏ ବା ପାଇଥିବେ ସେ ଆନନ୍ଦ–ମୁଁ ତା’ର କାଣିଚାଏବି ପାଇନାହିଁ ।

 

ମୃତ୍ୟୁ ବିଷୟରେ ଏହିପରି ନାନା ଚିନ୍ତାରେ ମଗ୍ନଥିବାବେଳେ କାନରେ ପଡ଼ିଲା ‘ହାଡ଼ୁଭାଇ ଆମର ମରିଗଲେ ।’

 

ଏ ସମ୍ବାଦ ଯିଏ ଦେଲେ ସେ ବସିଥାନ୍ତି ମୋ ପାଖ ବେଞ୍ଚରେ । ପିନ୍ଧିଛନ୍ତି ଖଣ୍ଡେ ଅଧାମଇଳା ଧୋତି । ତା ଉପରେ ନାନା ସ୍ଥାନରେ ବୋତାମଦିଆ ଛାପ-ଛାପିକା ଗୋଟିଏ ନୂଆ ହାଓୟାଇ ଜାମା । ମୁଣ୍ଡ ପଛପଟେ କେରାଏ ଲମ୍ବା ବାଳ ଝୁଲୁଚି । ବେଞ୍ଚ ଉପରେ ଚକାପକାଇ ବସିଛନ୍ତି । କୋଳରେ ବଟୁଆ । ଖିଲିକାତିରେ ଗୁଆ କାଟୁଛନ୍ତି ନାନା ମୁଖଭଙ୍ଗୀ କରି । ଦୁଇଜଣକିଆ ବେଞ୍ଚଟିରେ ତିନିପାଆରୁ ବେଶି ସେ ଦଖଲ କରିଥାନ୍ତି, କିଛି ଅଂଶ ନିଜର କ୍ଷୀଣ ଶରୀରଟିଦ୍ୱାରା ଓ ବାକିତକ ତାଙ୍କ ତେଲଚିକିଟା ବୁଜୁଳାଟିଦ୍ୱାରା । ବେଶ୍‌ ବ୍ୟକ୍ତିତ୍ୱ-ବ୍ୟଞ୍ଜକ ଚେହେରା ।

 

ଏହି ସମୟରେ ବେଶ୍‌ ଫିଟ୍‌ଫାଟ୍‌ ଭାବରେ ପେଣ୍ଟ-ଜାମାପିନ୍ଧା ଜଣେ ଭଦ୍ରଲୋକ ମୁହଁରେ ଏକ ମୋଟ ଚୁରୁଟ୍‌ ଲଗାଇ, ହାତରେ ଏକ ଫାପୁଲା ବେଗ୍‌ ଧରି ତାଙ୍କ ପାଖରେ ଛିଡ଼ା ହୋଇ କହିଲେ, ‘ହୁଁ’ ଓ ହାତ ହଲାଇ ତାଙ୍କୁ ଘୁଞ୍ଚିଯିବାକୁ ଓ ବୁଜୁଳାଟି ତଳେ ଥୋଇବାକୁ ଆଦେଶଭଙ୍ଗୀରେ ସଙ୍କେତ ଦେଲେ ।

 

ସେ କିଛିମାତ୍ର ବ୍ୟସ୍ତ ନ ହୋଇ ପାନ ଖାଇସାରି ନିଜ ବୁଜୁଳାଟି ତଳେ ଥୋଇ ଦେଇ କହିଲେ, ‘ବସ ବସ’ ।

 

ଭଦ୍ରଲୋକ ଗମ୍ଭୀରଭାବରେ ବସି ନିଜ ବେଗ୍‌ଟି ବେଞ୍ଚ ଉପରେ ଥୋଇଦେଲେ । ଅପରଲୋକଟି ମୁରୁକି ହସି ସାଙ୍ଗେ ସାଙ୍ଗେ ସେ ବେଗ୍‌ଟି ତଳେ ଥୋଇଦେଇ ପୂର୍ବପରି ନିର୍ଲିପ୍ତଭାବରେ ବସ୍‌ ଚାଳକକୁ କହିଲେ, ‘ଏଥର ଗାଡ଼ି ଛାଡ଼ ବାପ’.....ସତେ ଯେମିତି ଗାଡ଼ି ତାଙ୍କରି ସୁବିଧାପାଇଁ ଅଟକିଥିଲା । ଫିଟ୍‌ଫାଟ୍‌ ବାବୁଟି ତରାଟି ଚାହିଁଲେ ତାଙ୍କୁ; କିନ୍ତୁ ଆଖିରେ କ୍ରୋଧ ଅପେକ୍ଷା ଅସହାୟ ଭାବ ଫୁଟୁଥିଲା ବେଶି ।

 

‘ରାଗିଲ କି ?’–ପଚାରି ଏବଂ ଉତ୍ତରକୁ ଅପେକ୍ଷା ନ କରି ସେ ପଚାରିଲେ, ‘ତମ ନାଁଟି-?’

 

–‘ମୋ ନାଁ’ ସୁବିନୟ ଦାସ । ଉତ୍ତରରେ ସେମିତି କ୍ରୋଧ ଓ ଅସହାୟତା ପ୍ରକାଶ ପାଇଲା, ଯାହାର ଅର୍ଥ–ମୁଁ ଭଦ୍ରଲୋକ, ତେଣୁ ଭଦ୍ରତା ଖାତିର୍‌ରେ ଉତ୍ତର ଦେବାକୁ ବାଧ୍ୟ । ନ ହେଲେ ଦେଖନ୍ତୁ...ହ୍ୟାପ୍‌...ଏଡ଼େ ବହପ ତୋର !

 

–ମୋ ନାଁ ନୀଳେଇ ସେଠୀ । ତମ ନିବାସ ?

 

–କଟକ ।

 

–ମୋ ନିବାସ ପୁରୀ ପାଖରେ ମୁକୁନ୍ଦପୁର । ଯାଇଥେଲି ଯାଜପୁର ଝିଅ ଘରକୁ । ଗାଁକୁ ଫେରୁଚି । ଏ ହାଡ଼ୁଭାଇ ଆମର ମରିଗଲେ ଯେ....

 

ଦୁମ୍‌ କରି ଅପ୍ରାସଙ୍ଗିକଭାବରେ ଏପରି ସମ୍ବାଦ ଜଣେ ଅପରିଚିତ ବ୍ୟକ୍ତିକୁ ଦେବାର ଦେଖି ମି: ଦାସ (ତାଙ୍କୁ ମି: ଦାସ ବୋଲି କହିବି) ଚମକି ପଡ଼ିଲେ । ମୁଁ ମଧ୍ୟ । ମୋର ସମସ୍ତ ଚିନ୍ତା କୌତୁହଳବଶତଃ ହଠାତ୍‌ ବନ୍ଦ ହୋଇଗଲା । ମି: ଦାସ ମଧ୍ୟ କୌତୁହଳୀ ହୋଇ ପ୍ରଶ୍ନମାନ ପଚାରିଲେ

 

–ସେ କ’ଣ ଆପଣଙ୍କ ଭାଇ ଥିଲେ ?

 

–ନାହିଁ । ହେଲେ ଭାଇଠୁଁ ବଳି–ଜଣେ ମହାତ୍ମା ତ !

 

–ଓହୋ ! ସେ ଆପଣଙ୍କ ଗାଁର ଜଣେ ଲୋକପ୍ରିୟ ଧର୍ମପ୍ରାଣ ବ୍ୟକ୍ତି ଥିଲେ । ତା’ ହେଲେ ଆପଣଙ୍କ ଅଞ୍ଚଳରେ ତ ଶୋକଛାୟା ଖେଳିବୁଲୁଥିବ ?

 

ମି: ଦାସ ବୋଧହୁଏ ତାଙ୍କର ଭଦ୍ରତାଦ୍ୱାରା ଅବରୁଦ୍ଧ ରାଗତିକ ଏଇଥିରେ ଖଲାସ କରିଦେଲେ । ସମ୍ବାଦପତ୍ରମାନଙ୍କରେ ପାରମ୍ପରିକ ପ୍ରଥାରେ ପ୍ରଚାରିତ ଶୋକସମ୍ବାଦମାନଙ୍କୁ ଉଦ୍ଧାର କରି ସେ ସେଠୀ ମହାଶୟଙ୍କ ଶୋକ ପ୍ରତି ଟିକିଏ ବିଦ୍ରୂପ କଲେ ।

 

ସେଠୀଏ ବୁଝିଲେ କି ନାହିଁ କହିପାରୁନାହିଁ, ତେବେ ସେ ନିର୍ଲିପ୍ତଭାବରେ ଉତ୍ତର ଦେଲେ, ‘ସେ ତ ଆମ ଅଞ୍ଚଳର ଲୋକ ନୁହନ୍ତି । ତାଙ୍କ ଗାଁ ଭୁବନେଶ୍ୱର ପାଖର ଗୋପାଳପୁର ଗାଁରେ, ଟିକିଏ ଆଗରେ ପଡ଼ିବ । ତାଙ୍କ ଅଞ୍ଚଳରେ ବା ସେମିତି କିଛି ହୋଇଥିବ । ଆମ ଅଞ୍ଚଳରେ କାହିଁକି ହେବ ? ଆଉ ସେମିତି ପ୍ରସିଦ୍ଧ ଲୋକ ସେ ହବାକୁ କାହିଁକି ଯାଆନ୍ତେ ? ସେମିତି ଛୋପରା ଲୋକ ସେ ନଥିଲେ । ତାଙ୍କ ଗାଁର ସବୁ ଲୋକେ ତାଙ୍କୁ ଜାଣି ନଥିବେ ।

 

ସେଠୀ ମହାଶୟଙ୍କ କଥାର ବାହାରଟା ସାଧାରଣ ହେଲେହେଁ ଭିତରୁ କେମିତି ଗୋଟାଏ ଅଦ୍ଭୁତତ୍ୱର ସୁଗନ୍ଧ ବାହାରୁଥିଲା । ସେ ସୁଗନ୍ଧ ମୋର ଓ ମି: ଦାସଙ୍କ ମନକୁ ଧୀରେ ଧୀରେ ଆକର୍ଷଣ କରୁଥାଏ । ତେଣୁ ଆମ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ନ ହୋଇଥିଲେବି ଗୋଟାଏ ପ୍ରାକୃତିକ ବନ୍ଧୁତ୍ୱ ହୋଇସାରିଥାଏ । ସେଠୀଙ୍କ କଥାରେ ଆମେ ଦୁହେଁ ପରସ୍ପରକୁ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁଲୁ, ଯାହାର ଅର୍ଥ, ସ୍ୱର୍ଗତ ହାଡ଼ୁବାବୁ ସେଠୀଙ୍କର ଭାଇ ନୁହନ୍ତି, ଏକା ଗାଁରବି ନୁହନ୍ତି । ସେ ପ୍ରସିଦ୍ଧ ଲୋକବି ନଥିଲେ; ଅଥଚ ସେଠୀଏ କହୁଚନ୍ତି ସେ ମହାତ୍ମା ଥିଲେ । ସେଠୀଏ ତାଙ୍କ ମୃତ୍ୟୁ-ସମ୍ବାଦ ଅପ୍ରାସଙ୍ଗିକ ଭାବରେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେବାରୁ ଜଣାପଡ଼ୁଚି ସେଠୀଏ ହାଡ଼ୁଙ୍କ ମୃତ୍ୟୁରେ ଏତେ ଶୋକାଭୂତ ଯେ ସେଇ କଥାଟା ତାଙ୍କ ମସ୍ତିଷ୍କକୁ ଆକ୍ରାନ୍ତ କରିରଖିଚି । ଅଥଚ ସେଠୀଙ୍କ ବାହ୍ୟ ଲକ୍ଷଣରେ ତା’ ଆଦୌ ପ୍ରକାଶ ପାଉନାହିଁ । କଥା କ’ଣ ! ତେବେ ବୋଧହୁଏ ହାଡ଼ୁବାବୁ ସେଠୀଙ୍କର ବହୁତ ଉପକାର କରିଛନ୍ତି ।

 

–ଆପଣଙ୍କର ସେ ବହୁତ ଉପକାର କରିଛନ୍ତି ତେବେ ? ମି: ଦାସ କଥାରେ ଓ ମୁଁ ମନେ ମନେ ସେ ପ୍ରଶ୍ନଟି ଏକାସାଙ୍ଗରେ ସେଠୀଙ୍କୁ ପଚାରିଲୁ ।

 

–ନା, ତାଙ୍କ ସହିତ ଚିହ୍ନା ପ୍ରାୟ ଆଠମାସ ତଳେ ଏଇ ବସ୍‌ରେ ହୋଇଥିଲା । ଯାଜପୁର ଯାଉଥିଲି ଝିଅ ବାହାଘର କଥା ସ୍ଥିର କରିବାକୁ । ସେ ଯାଉଥିଲେ କଟକ । ଫେରିବାବେଳେବି ଦେଖା ହୋଇଗଲା । ଝିଅ ବାହାଘରକୁ ସେ କାନ୍ଦିଏ କଦଳୀ ଦେଇଥିଲେ । ହେଲେ ତାକୁ ବହୁତ ବା କାହିଁକି ନ କହିବା ? ସେଇ ଆମର ଲକ୍ଷେ ଟଙ୍କା !

 

–ତେବେ ତାଙ୍କ ମୃତ୍ୟୁ ଖବର ପାଇ ଗୋପାଳପୁର ଯାଉଛନ୍ତି ପରା ?

 

–ନା । ଝିଅଘରକୁ ଯାଇଥେଲି । ସମୁଦି ଡାକିଥିଲେ ତାଙ୍କର ସମ୍ପତ୍ତି ଅଡ଼ୁଆ ତୁଟାଇଦେବାକୁ । ବୁଝିଲେ, ବେଶ ସମ୍ପତ୍ତିବାରି ଅଛି । ହେଲେ ତାକୁ ନେଇଆଣି ଥୋଇବା ବୁଦ୍ଧି ଜୋଇଁର ନାହିଁ କି ହ୍ୟାପ୍‌ ସମୁଦି ବୁଢ଼ା ହେଲାଣି, ତା’ରବି ନାହିଁ । ସମ୍ପତ୍ତି ରକ୍ଷାପାଇଁ ଟିକିଏ ଲୋଭ, ଟିକିଏ ପାପ ଦରକାର ନା ନାହିଁ ? ଝିଅଘରେ ପହଞ୍ଚିଲା ମାତ୍ରକେ ଖବର ପାଇଲି, ହାଡ଼ୁଭାଇ ମରିଗଲେ । ତାଙ୍କ ଗାଁର ଜଣେ ଲୋକ ସାଙ୍ଗରେ ଦେଖା ହୋଇଗଲା ଯେ ସେ କହିଲା । ହେଲେ, ଝିଅଘରେ ପନ୍ଦର ଦିନ ରହି ସବୁ ଅଡ଼ୁଆ ତୁଟାଇ ଫେରୁଚି । ଏ ଧୋତି ଜାମା ତାଙ୍କ ଘରୁ ମିଳିଚି ପରା । ମୋତେ ଖୁବ୍‌ ଦାମିକା ପାଟଯୋଡ଼ ଦେଉଥିଲେ ଯେ....ହଁ-ଅ-ଅ...କିନ୍ତୁ ମୁଁ ମନା କଲି ।

 

–ତେବେ ଆପଣ ବର୍ତ୍ତମାନ ଗୋପାଳପୁର ଯିବେ ? ଏହି ତ ଗୋପାଳପୁର ଆସିଗଲା-

 

–ନା ନା । ମୁଁ ଆମ ଗାଁକୁ ଫେରିଯାଉଚି । ପରେ ବେଳ ହେଲେ ଆସିବି ।

 

ଆମେ ଦୁହେଁ ସ୍ତମ୍ଭୀଭୂତ । ଏ କଥାରେ ହସିବୁ ନା ସେଠୀ ମହାଶୟଙ୍କୁ ସମବେଦନା ଜଣାଇବୁ, ବୁଝିପାରିଲୁ ନାହିଁ । କାରଣ, ହାଡ଼ୁଙ୍କ ମୃତ୍ୟୁ ଯଦି ସତରେ ସେଠୀଙ୍କ ଶୋକ ଉତ୍ପାଦନ କରିଥାଏ, ତେବେ ହସିବା ଚରମ ଅଭଦ୍ରତା ହେବ । ଅପରପକ୍ଷରେ, ସେଠୀଙ୍କ ମନରେ ଯଦି ତିଳେମାତ୍ର ଦୁଃଖ ନଥାଏ ସେଥିପାଇଁ ତେବେ ସମବେଦନା ଜଣାଇଲେ ସେ ମହାଅଡ଼ୁଆରେ ପଡ଼ିଯିବେ । ତା’ଛଡ଼ା, ଶିରଃ ନାସ୍ତି ଶିରୋ ବ୍ୟଥା ।

 

ମି: ଦାସଙ୍କୁ ମୁଁ କାନେ କାନେ କହିଲି, ‘ଶ୍ରୀରାମକୃଷ୍ଣ କହିଛନ୍ତି–ପୂର୍ଣ୍ଣଜ୍ଞାନୀ ଓ ପୂର୍ଣ୍ଣମୂର୍ଖ ଦୁଇଜଣଙ୍କ ବାହ୍ୟ ଲକ୍ଷଣ ଏକରକମ । କିନ୍ତୁ ସେଠୀଏ ପ୍ରଥମ ଶ୍ରେଣୀର ବୋଲି ତ ମନେହେଉ ନାହିଁ ।’

 

ମି: ଦାସ ମଧ୍ୟ ମୋ କାନରେ କହିଲେ, ‘ତା’ ହେଲେ ହାଡ଼ୁ ଭାଇଙ୍କ ମୃତ୍ୟୁ ସମ୍ବାଦ ସେ ଏମିତି ଭାବରେ ଏପରି ପରିସ୍ଥିତିରେ ଦେଲେ କାହିଁକି ?’

 

ଆମ ଦୁହିଁଙ୍କ ଗୁପ୍ତ ତଦନ୍ତ ବନ୍ଦ କରିଦେଇ ସେଠୀଏ ପଚାରିଲେ, ‘କି କଥା ହେଉଚ ଆଜ୍ଞା ?’

 

ଆମେ ନୀରବ ରହିଲୁ । ସେଠୀଏ ଚିରଦିନ ମୋ ପାଖରେ ରହସ୍ୟମୟ ରହିଗଲେ । ତେବେ ମନେ ମନେ ମୁଁ କହିଲି, ଏ କି ଲୋକରେ ବାବା ! ମି: ଦାସଙ୍କ ଆଖିରୁ ବୁଝିଲି, ସେ ବି ମନେ ମନେ ସେଇଆ କହୁଛନ୍ତି ।

Image

 

ଖୋସାମଦି ସପକ୍ଷରେ

 

ଖୋସାମଦି ବିଷୟରେ ଆପଣ ଏ ଗଳ୍ପଟି ନିଶ୍ଚୟ ଜାଣିଥିବେ ଏବଂ ଗଳ୍ପଟି ଯେଉଁ ନୀତିଶିକ୍ଷା ଦେଉଅଛି ତାହା ମଧ୍ୟ ହୃଦୟଙ୍ଗମ କରିଥିବେ ।

 

ଗୋଟିଏ ଦେଶରେ ଜଣେ ରାଜା ଥିଲେ (ହାୟ, ସେ ରାଜା ଆଉ ନାହାନ୍ତି; ଯେଉଁମାନେ ଏ କଳାକୁ ଉତ୍ସାହିତ କରୁଥିଲେ ଏବଂ ଯେଉଁମାନଙ୍କର ପରିପୋଷକତାରେ ଏ କଳା ବିଶେଷ ଉତ୍କର୍ଷ ଲାଭ କରିଥିଲା ।) ଦିନେ ସେ ରାଜାଙ୍କର ରାଜ-ଖୋସାମଦିଆ (court-flatterer) ଙ୍କ ଅକାଳ ବିୟୋଗ ହେବାରୁ (ଆହା, ବିଚାରା ଦିନେ ହୃଦୟବିଦାରକ ଖୋସାମଦ କରିବାକୁ ଯାଇ ଅତ୍ୟଧିକ ପରିଶ୍ରମ ହେତୁରୁ ରାଜସଭାରେହିଁ ତାଙ୍କର ହୃଦ୍‌ଯନ୍ତ୍ର କ୍ରିୟା ବନ୍ଦ ହୋଇଗଲା ।) ଆଉ ଜଣେ ଖୋସାମଦିଆ ନିଯୁକ୍ତିପାଇଁ ବିଜ୍ଞାପନ ହେଲା । ଉଚ୍ଚକୋଟୀର ଖୋସାମଦିଆମାନଙ୍କୁ ଆକୃଷ୍ଟ କରିବା ପାଇଁ ଏ ଚାକିରୀ ପାହ୍ୟା ନନ୍‌ଗେଜେଟେଡ଼୍‌ରୁ କରିଦିଆଗଲା ଏବଂ ଦରମାହାର ମଧ୍ୟ ଯଥେଷ୍ଟ ବଢ଼ାଇ ଦିଆଗଲା, ଟ ୧୬୦୦-୫୦-୨୦୦୦-ଇ.ବି.–୧୦୦-୩୦୦୦ ଏବଂ ଏହାଛଡ଼ା ଗବେଷଣା ପାଇଁ ଅଧିକା ଟ ୨୫୦ । ଏଥିପାଇଁ ଅବଶ୍ୟ ରାଜ୍ୟର ଖୋସାମଦିଆ ସଂଘ ଅନେକ ଦିନରୁ ଆପତ୍ତି ଅଭିଯୋଗ କରିଆସୁଥିଲା ।

 

ଅନେକେ ଦରଖାସ୍ତ କଲେ । ରାଜା ନିଜେ ଦରଖାସ୍ତକାରୀମାନଙ୍କୁ ସାକ୍ଷାତଦ୍ୱାରା ପରୀକ୍ଷା କଲେ । ଜଣ ଜଣ କରି ଡକରା ହେଉଥାଏ ଏବଂ ରାଜା ନିଜେ ସେମାନଙ୍କ ପ୍ରଶଂସାପତ୍ର ଓ ପରିଚୟପତ୍ର, ବୟସ ଆଦି ଯାଞ୍ଚ କରି ପ୍ରଶ୍ନ ପଚାରୁଥାଆନ୍ତି.....

 

–ଆପଣ ତ ପାରିବାଭଳି ମନେହେଉନାହାନ୍ତି !

 

–ମହାରାଜାଧିରାଜ, ଏ କ’ଣ କହୁଛନ୍ତି ଆପଣ ! ମୁଁ ପାରିବି ନାହିଁ ତ ଆଉ କିଏ ପାରିବ-?

 

–ନା, ଆପଣ....

 

–ମହାରାଜ, ଦେଖନ୍ତୁ ଏ ପ୍ରଶଂସାପତ୍ର । କୋପନଗଡ଼ର ମହାରାଜା ମୋର ଖୋସାମଦିରେ ଅତୀବ ପ୍ରୀତ ହୋଇ ଖୋସାମଦୋଦଧି ଉପାଧିଦ୍ୱାରା ଭୂଷିତ କରିଛନ୍ତି । ଆଉ....

 

–ଏଁ, ଆପଣ କ’ଣ ତେବେ ଭୂଷିବେ ନା କ’ଣ !

 

–ନା, ନା, ମହାରାଜ ! ‘ଭୂଷିତ’ର ଉତ୍ପତ୍ତି ‘ଭୂଷ୍‌’ ଧାତୁରୁ, ଯାହାର ଅର୍ଥ ଭୂଷଣଂ.....

 

–ଥାଉ ଥାଉ, ଆପଣ ଯାଇପାରନ୍ତି ।

 

ଏହିପରି ପ୍ରତ୍ୟେକେ ପ୍ରତ୍ୟାଖ୍ୟାତ ହେଲେ । ରାଜାଙ୍କର କାହାରିକି ପସନ୍ଦ ହେଲା ନାହିଁ-। ଶେଷରେ ଜଣେ ଅତି କ୍ଷୀଣ ଲୋକ ଦୀନହୀନବେଶରେ ଉପସ୍ଥିତ ହେଲେ । ରାଜା ପଚାରିଲେ–ଆପଣ ତ ଏତେ ରୁଗ୍‌ଣ, ଆପଣ କ’ଣ ପାରିବେ ବୋଲି ମନେକରୁଛନ୍ତି ?

 

–ନା ମହାରାଜ, ଏତେ ରୁଗ୍‌ଣ ଲୋକ ସତେ ପାରିବା ଅସମ୍ଭବ ।

 

–କିନ୍ତୁ ରୁଗ୍‌ଣ ହେଲେ କ’ଣ ହେଲା, ଆପଣଙ୍କ ପ୍ରତିଭା ଥିବା ପରି ମନେହୁଏ । ଆପଣ ପାରିଲେ ପାରିପାରନ୍ତି ।

 

–ତା ଅବଶ୍ୟ ମହାରାଜ, ପ୍ରତିଭା ଅସାଧ୍ୟକୁ ସାଧ୍ୟ କରେପାରିଲେ ପାରିପାରେ ।

 

–କିନ୍ତୁ ନା, ଅନ୍ୟ କାରଣରୁ ଆପଣ ନ ପାରିବା ଭଳି ମନେହୁଏ ।

 

–ଅବଶ୍ୟ ମହାରାଜ, ନପାରିବାର ଅନ୍ୟାନ୍ୟ ଅନେକ କାରଣ ଅଛି ।

 

–ତଥାପି ଆପଣଙ୍କର କ’ଣ ମନେହୁଏ, ପାରିବେ ?

 

–ମୋର ତ ଯଥେଷ୍ଟ ସନ୍ଦେହ ଅଛି ।

 

–ତେବେ ତ ଆପଣଙ୍କର ଦରଖାସ୍ତ କରିବା ଉଚିତ ନଥିଲା ।

 

–ଆଦୌ ଉଚିତ ନଥିଲା ।

 

–କିନ୍ତୁ ଆର୍ଯ୍ୟର କଥା ଆପଣ ତଥାପି ଦରଖାସ୍ତ କରିଛନ୍ତି ।

 

–ଏହାଠାରୁ ବଳି ଆଶ୍ଚର୍ଯ୍ୟର କଥା ଆଉ କ’ଣ ଅଛି । ଯୁଧିଷ୍ଠିର ଏଇଥିପାଇଁ ପରା କହିଥିଲେ, କିମାଶ୍ଚର୍ଯ୍ୟମ୍‌ ଅତଃ ପରମ୍‌ ।

 

କହିବା ବାହୁଲ୍ୟ, ରାଜା ତାଙ୍କୁ ମନୋନୀତ କଲେ ।

 

ଖୋସାମଦ କଳା ଏବଂ ବିଜ୍ଞାନ ଉଭୟ ଏବଂ କଳାବିଦ୍ୟାମାନଙ୍କ ଭିତରେ ଯେମିତି ସର୍ବଶ୍ରେଷ୍ଠ କଳାବିଦ୍ୟା, ବିଜ୍ଞାନମାନଙ୍କ ମଧ୍ୟରେ ସେହିପରି । ଖୋସାମଦବିତ୍‌ମାନେ ନାନା ଗବେଷଣା କରି ନାନା ତଥ୍ୟମାନ ଦେଇଯାଇଛନ୍ତି ଏବଂ ଖୋସାମଦ–କଳାଭିଜ୍ଞମାନେ ନାନାପ୍ରକାରରେ ଏ କଳାର ଉତ୍କର୍ଷ ସାଧନ କରିଛନ୍ତି ଓ କରୁଛନ୍ତି; କିନ୍ତୁ ମନସ୍ତତ୍ତ୍ୱିକ, ସୁଲେଖକ ଏବଂ ସୁରସିକ ଚୌଧୁରୀ ହେମକାନ୍ତ ମିଶ୍ର ମହାଶୟ ଯେଉଁ ତଥ୍ୟ ଦେଇଛନ୍ତି ତାହା ବିଜ୍ଞାନଦୃଷ୍ଟିରୁ ଯେପରି ଉଚ୍ଚକୋଟୀର, କଳାଦୃଷ୍ଟିରୁ ମଧ୍ୟ ସେହିପରି । ବହୁ ଗବେଷଣା ପରେ ଲୋକମାନଙ୍କ ଉପକାର ପାଇଁ ସେ ନିମ୍ନଲିଖିତ ତଥ୍ୟଟି ଆବିଷ୍କାର କରିଛନ୍ତି । ଖୋସାମଦ-ବିଜ୍ଞାନରେ ଏହା ସମ୍ପୂର୍ଣ୍ଣ ନୂତନ ଆବିଷ୍କାର, ଏଥିରେ ସନ୍ଦେହ ନାହିଁ ।

 

‘‘ଯେଉଁମାନେ ମନେକରନ୍ତି ଯେ ‘ଆପଣଙ୍କର କୁଞ୍ଚ ସୁନ୍ଦର, ଲାଞ୍ଚ ସୁନ୍ଦର’ ଭଳି ଅପରିମାର୍ଜିତ ଖୋସାମଦ ଅଜାଗଳସ୍ତନ ନ୍ୟାୟ ଅନାବଶ୍ୟକ ଏବଂ ନିଷ୍ଫଳ ହୁଏ, ସେମାନେ ଶୁଣି ରଖନ୍ତୁ । ଖୋସାମଦ ଯେତେ ଅପରିମାର୍ଜିତ ହୁଏ, ଗ୍ରାମ୍ୟ ହୁଏ, ସେତେ ମଙ୍ଗଳ । କାରଣ ସେପରି କ୍ଷେତ୍ରରେ ତମେ ଯେ ଖୋସାମଦ କରୁଚ, ତା ବ୍ୟତୀତ ଅନ୍ୟ କିଛି କରୁନାହଁ, ଏହା ମାଲିକ ପାଖରେ ପରିଷ୍କାର ହୋଇଯାଏ । ବୁଦ୍ଧିଆ ଖୋସାମଦର ଅସୁବିଧା ଦ୍ୱିବିଧ । ଏକରେ, ଏହା ଉପରେ ଏକ ଢାଙ୍କୁଣିଥିବାରୁ ଖାଣ୍ଟିପଣ ସନ୍ଦେହଜନକ ରହିଯାଏ । ଦୁଇରେ, ବୁଦ୍ଧିଆ ଖୋସାମଦିଆ ଧରିନିଏ ଯେ ତାହାର ଅନ୍ତର୍ନିହିତ ଅର୍ଥ ଧରିବାର ବୁଦ୍ଧି ଉପୁରିଆ ରହିଚି, ଯାହାକି ବୋଲିବା ବାହୁଲ୍ୟ ଅଧିକାଂଶଙ୍କର ନଥାଏ । ଏତେ ବୁଦ୍ଧିଥିଲେ ଖୋସାମଦବି କାର୍ଯ୍ୟକାରୀ ହୁଏନା; ବରଞ୍ଚ ‘କୁଞ୍ଚ ସୁନ୍ଦର ଲାଞ୍ଜ ସୁନ୍ଦର’ ଧରଣର ଖୋସାମଦ ବିପଦରହିତ, ନିର୍ବିରୋଧ ଏବଂ ପ୍ରାଞ୍ଜଳ ।’’

 

ଚୌଧୁରୀ ମହାଶୟଙ୍କ ତଥ୍ୟ ସହିତ ମୋଟ ଉପରେ ସହମତ ହେଲେବି ମୁଁ ସ୍ୱୀକାର କରିପାରୁନାହିଁ, ଯେ ଏପରି ଖୋସାମଦରେ ବିପଦ ନାହିଁ । ବିପଦ ନିଶ୍ଚୟ ଅଛି; କିନ୍ତୁ ସେ ବିପଦକୁ ବୀରଭଳି ବରଣ କରିନେବାକୁ ହେବ । ସର୍ବଦା ମନେରଖିବାକୁ ହେବ ଗୀତାର ବାଣୀ–କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ.... । କର୍ମ କରିବାକୁ ଆମର ଜନ୍ମ, ଆମେ କର୍ମ କରିଯିବା; କିନ୍ତୁ ଫଳାଫଳ ଛାଡ଼ିଦେବା ମାଲିକଙ୍କ ଉପରେ । ଏହା କହୁନାହିଁ ଯେ ଫଳ ଆଶା ରଖିବ ନାହିଁ; ଫଳ ଆଶା ନ ରଖିଲେ କର୍ମ କରିବାକୁ ପ୍ରେରଣା ଆସିବ କିପରି ? କିନ୍ତୁ ଫଳ ନ ପାଇଲେ ଆମେ ହତାଶ ହେବା ନାହିଁ ବା କର୍ମ ତ୍ୟାଗ କରିବା ନାହିଁ । ‘ଫଳରେ ଅଧିକାର ନାହିଁ’–କୁହାହୋଇଚି ସିନା, ‘ଫଳରେ ଆଶା ରଖିବ ନାହିଁ’ ତ କୁହାହୋଇ ନାହିଁ । ଅତଏବ ଆମେ କର୍ମ କରିଯିବା । କୁଫଳ ଫଳିଲେ ତାକୁ ସୁଫଳ ବୋଲି ଧରିନେଇ ମନକୁ ଆନନ୍ଦ ଦେବାକୁ ହେବ । ବାସ୍ତବିକ ଫଳ ତ ଫଳ, ସେଥିରେ ପୁଣି ‘କୁ’ ‘ସୁ’ କ’ଣ ? ‘କୁ’ ‘ସୁ’ର ବିଭାଗ ଆମ ସ୍ୱାର୍ଥକୁ ଚାହିଁ ସିନା ।

 

ଚୌଧୁରୀ ମହାଶୟ ଅବଶ୍ୟ ଆଧୁନିକପନ୍ଥୀ । ସେ ସବୁ କଥାକୁ ଦାଣ୍ଡରେ ପକାଇ ହାଟରେ ଗଡ଼େଇବାକୁ ଚାହାନ୍ତି, ସବୁ ବିଦାରି ନାରଖାର କରି ଦେଖେଇଦବାକୁ ଚାହାନ୍ତି । କିନ୍ତୁ ମୋ ମତରେ ସବୁ କଳା ଭଳି ଖୋସାମଦକଳାରେବି ଟିକିଏ ଢାଙ୍କୁଣୀ ଥିବା ଦରକାର । ଏହାହିଁ ତ ଆମର ଐତିହ୍ୟ । ବେଦରେ ସବୁ ଦେବତାଙ୍କୁ ଭୂରି ଭୂରି ଖୋସାମଦ ଅଛି, କିନ୍ତୁ ଢାଙ୍କୁଣି ଥିବାରୁ କି ଚମତ୍କାର ! ଖାଲି-ଖୋସାମଦ କଳା ବା ବିଜ୍ଞାନ କାହିଁକି, କୌଣସି ବିଷୟରେ ଆମ ଐତିହ୍ୟ ଛାଡ଼ିବା ଉଚିତ ନୁହେଁ, ନା କଦାପି ନୁହ । ଆମେ ସେଇ ବେଦ-ଉପନିଷଦ-ଗୀତାଦର୍ଶିତ ବାଟରେ ଚାଲିବୁ । କାହିଁକି, ଆମ ଶାସ୍ତ୍ରରେ କ’ଣ ନାହିଁ ଯେ ଆମେ ଆଉ କା’କଥା ଶୁଣିବୁ ? ଅତି କ୍ଷୋଭର କଥା, କେହି ସେସବୁ ନ ପଢ଼ି ପାଶ୍ଚାତ୍ୟ ସଭ୍ୟତାରେ ମାତିଯାଇ ଆମ ମହାନ୍‌ ସଭ୍ୟତା ଛାଡ଼ିବାକୁ ବସିଲେଣି । ଏଇତ ସେଦିନ ଆମ ପ୍ରଧାନମନ୍ତ୍ରୀ ହାତେ ହାତେ ପ୍ରମାଣ କରି ଦେଖାଇଲେ ଯେ ନାରୀର ଉପରାର୍ଦ୍ଧ ନଗ୍ନତା (topless) କିଛି ନୂଆ କଥା ନୁହେଁ, ଆମରବି ଥିଲା ଦିନେ; କିନ୍ତୁ ସମାଜର ଅଧୋଗତି ହେତୁରୁ ସେସବୁ ସଭ୍ୟତା ଆମେ ଭୁଲିଯାଇଛୁ । ଆଉ ଜଣେ ନେତା ପ୍ରମାଣ କରି ଦେଖାଇଲେ, ଶ୍ରୀହନୁମାନ ଯେ ଗନ୍ଧମାର୍ଦ୍ଦନ ଭଳି ବିରାଟ ପର୍ବତ ଗୋଟିଏ ହାତରେ ଟେକିଆଣିଲେ–ତା’ ସମ୍ଭବ ହେଲା କେବଳ ସେ ମହାବୈଜ୍ଞାନିକ ଥିଲେ ବୋଲି ସିନା ! ସେ ଜାଣିଥିଲେ ମାଧ୍ୟାକର୍ଷଣ ଶକ୍ତିର ବିରୋଧୀ ଆଉ ଏକ ଶକ୍ତି, ଆଧ୍ୟାତ୍ମିକ ଶକ୍ତି, ପ୍ରୟୋଗ କଲେ ଭାରି ଜିନିଷ ମଧ୍ୟ ତୁଳା ପରି ହାଲୁକା ହୋଇଯାଏ । (ଏ ଶକ୍ତି ହାସଲ କଲେ ମାଧ୍ୟାକର୍ଷଣ ଶକ୍ତି ଆଉ ଆପଣଙ୍କୁ ହଇରାଣରେ ପକାଇବ ନାହିଁ । ଆପଣ ଯେ ପାନିଆଟା ଧରୁ ଧରୁ ହାତରୁ ଖସିପଡ଼ୁଚି, ବୋତଲ ଠିପିଟା ଖୋଲୁ ଖୋଲୁ ତଳେ ପଡ଼ିଯାଉଚି, ଏମିତି ନାନାମତେ ଆପଣଙ୍କୁ ଦୈନନ୍ଦିନ ଜୀବନରେ ପ୍ରତିମୁହୂର୍ତ୍ତରେ ବିରକ୍ତ କରିବାକୁ ଟାକିବସିଛି, ତା’ ଆଉ ହେବ ନାହିଁ) । ଭୀମ ଶ୍ରୀହନୁମାନଙ୍କ ଲାଙ୍ଗୁଡ଼ ଭୂମିରୁ ଉଠାଇ ପାରିଲେ ନାହିଁ କାହିଁକି ? ନା, ଶ୍ରୀହନୁମାନଙ୍କ ବୈଜ୍ଞାନିକ ପ୍ରତିଭା ଯୋଗୁଁ । ସେ ଆକାଶରୁ ବିଦ୍ୟୁତଶକ୍ତି ଆହରଣ କରି ଲାଙ୍ଗୁଡ଼ ଆଡ଼କୁ ଚାଳିତ କରିବାରୁ ତାହା ପୃଥିବୀ ସହିତ ଅବିଚ୍ଛେଦ୍ୟଭାବେ ଲାଖି ରହିଲା । ତା’ପରେ ଟେକୁଥା ! ଶହେ ହାତୀ ଲଗାଇ ଟାଣିଲେବି ଆଉ ନ ଉଠନ୍ତି ! ଏଇତ ସେଦିନ ଭାରତର ଅଟକଳ ବାଢ଼ି ଅର୍ଥମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ଉପଦେଶ ଦେଲେ ଯେ ଏଥର ସିଗାରେଟ ଛାଡ଼ି ବିଡ଼ି ଧରନ୍ତୁ । ଲୋକସଭାର ଅନେକ ସଭ୍ୟ ଏଥିରେ କ୍ରୋଧାନ୍ୱିତ ହୋଇ ଲୋକସଭାରେ ନାନା ବିଶୃଙ୍ଖଳା ସୃଷ୍ଟି କଲେ, ଲୋକେ ରାସ୍ତାରେ ଟ୍ରାମ୍‌ବସ୍‌ ପୋଡ଼ାଇଦେଲେ, ଜଣ ଜଣ ଧରି ମୁଣ୍ଡ ଫଟାଇଲେ, ଦୋକାନପତ୍ର ଲୁଟପାଟ କଲେ । ଛାତ୍ର ଆନ୍ଦୋଳନବି ହେଲା । ପୁଣି ଲୋକସଭାର ସଭ୍ୟମାନେ ବିଡ଼ି ବିରୁଦ୍ଧରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦେଇ ଦର୍ଶାଇଲେ ବିଡ଼ିପାନ ମହାବିପଦଜ୍ଜନକ । ଏକ୍‌ରେ, ବିଡ଼ିନିଆଁ ସହଜରେ ଲିଭେନାହିଁ । ତେଣୁ ଅଫିସର ବିଡ଼ି ପିଇଲେ ନିଆଁ ଗୁଣ୍ଡ ପଡ଼ି ଭୀଷଣ ଅଗ୍ନିକାଣ୍ଡର ଭୟ ଅଛି । ଦୁଜେ, ବିଡ଼ିନିଆଁ ସହଜରେ ଲିଭିଯାଏ ଏବଂ ପ୍ରତ୍ୟେକ ବିଡ଼ି ପାଇଁ ତିନୋଟି କାଠି ଦରକାର ହୁଏ । ତେଣୁ ଭାରତର ଲୋକସଂଖ୍ୟା ପଚାଶ କୋଟିଥିବାରୁ, ଭବିଷ୍ୟତରେ ଆହୁରି ଅନେକ ବଢ଼ିବାର ଆଶା ଛାଡ଼ି ଦେଲେବି, ପ୍ରତ୍ୟହ କେତେ ଡିଆସିଲି କାଠି ଦରକାର ହେବ ଜାଣନ୍ତି ? ସହଜ ସରଳ ଭାବରେ କହିଲେ, ଡିଆସିଲି କାଠିଗୁଡ଼ିକ ପଛକୁ ପଛ ଯୋଡ଼ିଦେଲେ ତାହା ସୂର୍ଯ୍ୟମଣ୍ଡଳ ପର୍ଯ୍ୟନ୍ତ ଯାଇ ପୁଣି ପୃଥିବୀ ପର୍ଯ୍ୟନ୍ତ ଫେରିଆସିବ । ଅତଏବ ଡିଆସିଲି କାରଖାନା ବସାଇବା ପାଇଁ ସରକାରଙ୍କୁ ଅଧିକା ଖର୍ଚ୍ଚ ପଡ଼ିବ ଦଶକୋଟି ଏକୋଇଶ ଲକ୍ଷ ତିନିଶହ ଏକତ୍ରିଶ ଟଙ୍କା ମାତ୍ର । ଏଥିପାଇଁ ଏକାଅଶି କୋଟି ମହଣ ଅଧିକା କେନ୍ଦୁପତ୍ର ଦରକାର ହେବ ଏବଂ ସେଥିପାଇଁ ଜଙ୍ଗଲ ବିଭାଗକୁ କର୍ମଚାରୀ ଓ ସେମାନଙ୍କ ଗସ୍ତଖର୍ଚ୍ଚ ଓ ଗଛଲଗା ବାବଦରେ ଅଧିକା ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସେମାନେ ପୁଣି ଯୁକ୍ତି ବାଢ଼ିଲେ, ଲୋକଙ୍କୁ ବିଡ଼ି ଧରାଇବା ପଛରେ ସରକାର ଯେ କେନ୍ଦୁପତ୍ର ଠିକାଦାରମାନଙ୍କ କୁପରାମର୍ଶଦ୍ୱାରା ଚାଳିତ, ଏହା ସୁସ୍ପଷ୍ଟ । କିନ୍ତୁ ଏମାନେ ଭୁଲିଯାଉଛନ୍ତି ଯେ ବିଡ଼ି ଆମ ବେଦରେ ଅଛି, ଯେଉଁ ବେଦକୁ ସ୍ୱୟଂ ଭଗବାନ ଚତୁର୍ମୁଖଙ୍କ ହୃଦୟାକାଶରେ ପ୍ରକାଶ କରିଥିଲେ । ବିଶ୍ୱାସ ହେଉନାହିଁ ପରା ? ତେବେ ଦେଖନ୍ତୁ । ଋଗ୍‌ବେଦ ସଂହିତାର ଅଷ୍ଟାଦଶ ସୂକ୍ତର ପଞ୍ଚମ ଋକ୍‌ର ‘ବ୍ରହ୍ମଣସ୍ପତେ’ ଶବ୍ଦର ଆଦ୍ୟ ଅକ୍ଷର ‘ବ୍ର’ ରୁ ‘ର’ ଫଳା ଲୋପ ହୋଇ ହ୍ରସ୍ୱଇକାରର ଆଗମ ହେଲା ଏବଂ ସେଇ ସୂତ୍ରାନୁସାରେ ଦ୍ୱାବିଂଶ ସୂକ୍ତର ଦ୍ୱିତୀୟ ଋକ୍‌ ‘ସୁରଥା’ ଶବ୍ଦର ‘ର’ରେ ହ୍ରସ୍ୱଇକାର ଆଗମ ହେଲା ଏବଂ ତେଣୁ ଗୋଟିଏ ନୂତନ ଶବ୍ଦ ପାଇଲେ ‘ବିରି’ ଏବଂ ‘ବ’ ପରେ ‘ର’ ଥିବାରୁ ‘ର’ର ଲୋପ ହୋଇ ତତ୍‌ସ୍ଥାନରେ ‘ଡ’ର ଆଗମ ହେଲା; କିନ୍ତୁ ହ୍ରସ୍ୱଇକାର ସେମିତି ରହିଲା । (ଅନ୍ୟ କେତେକ ବୈୟାକରଣିକଙ୍କ ମତରେ ହ୍ରସ୍ୱଇକାରର ମଧ୍ୟ ‘ର’ ସହିତ ଲୋପ ହୋଇ ପୁଣି ‘ଡ’ ସହିତ ଆଗମ ହୁଏ ।) ବର୍ତ୍ତମାନ ତେଣୁ ଶବ୍ଦଟି ହେଲା ‘ବିଡ଼ି’ । ହେଲା ? ବିଡ଼ି ପାଇଲେ ? ଖାଲି ବିଡ଼ି କାହିଁକି, ଏଇ ସୂତ୍ରଟି ଧରି ଚାଲିଲେ ବେଦରୁ ଆପଣ ସବୁ ପାଇବେ ! କ’ଣ ନାହିଁ ଆମ ଦେହରେ ! ବେଦ କ’ଣ ମନୁଷ୍ୟକୃତ ହୋଇଚି କି ? ବୁଝିପାରୁଚି ଆପଣ କହିବାକୁ ଚାହାନ୍ତି, ପୃଥିବୀବିଖ୍ୟାତ ଦାର୍ଶନିକ ଅଭିନେତା ଚାର୍ଲି ଚ୍ୟାପ୍‌ଲିନ୍‌ କହିଚନ୍ତି–ମୁଁ ବିଶ୍ୱାସ କରେ ଜଟିଳତାରେ କୌଣସି ସତ୍ୟ ନାହିଁ–ସତ୍ୟ ଜଟିଳ ନୁହ, ସରଳ । କିନ୍ତୁ ଉପରେ ଯେଉଁ ସୂତ୍ରଟି କୁହାଗଲା ତା’ କ’ଣ ଜଟିଳ ? ଏହା ତ ଅତି ସରଳ ସୂତ୍ରଟିଏ । ତା’ଛଡ଼ା ଆମର ରାମାୟଣ ମହାଭାରତ ଦେଖିଲେ ଏବଂ ଏପରିକି ଇତିହାସର ପ୍ରତ୍ୟେକ ପୃଷ୍ଠା ଓଲଟାଇଲେ ଆପଣ ଦେଖିବେ ସତ୍ୟର ଉତ୍ପତ୍ତି ଜଟିଳତାରୁ କେବଳ । ସବୁ କଥାକୁ ଅତି ସରଳ କରିଦେବା ମହାଭ୍ରମାତ୍ମକ ଓ ବିପଜ୍ଜନକ ।

 

ଛାଡ଼ନ୍ତୁ ସେ କଥା । କଥାଟା ବେତାଳିଆ ଧରିଯାଉଛି । ମୁଁ କହୁଥିଲି–ଖୋସାମଦରେ ବିପଦ ଥିଲେବି ତାକୁ ବୀରଭଳି ବରଣ କରିବାକୁ ପଡ଼ିବ । (ମୁଁ ପୁଣିଥରେ ବୀରକୁ ଆହ୍ୱାନ କରୁଚି, ଉଦ୍‌ବୋଧନ ଦେଉଛି–ଆରେ ହେ ବୀର, ବୀର ମ ! ବୀର ! ଟିକିଏ ଉଉଠୁ ବା ! ବିପଦ ଆସିଗଲାଣି ପରା ! ଯାଆ ବା....ବରଣ କଅଅର ବା....ଯାଉନୁ ? କଟକ ଆକାଶବାଣୀର ଦେଶାତ୍ମବୋଧକ ଗୀତମାନଙ୍କରେ ଏ ପ୍ରକାରର ଅନୁଭବ ଉଦ୍‌ବୋଧନ ପାଇଁ ମୁଁ କୃତଜ୍ଞ) । ଗଣକବି ବୈଷ୍ଣବ ପାଣିଙ୍କ ଗୋଟିଏ ସୁଆଙ୍ଗରେ ଏହାର ଦୃଷ୍ଟାନ୍ତ ଦିଆହୋଇଛି–କୌଣସି ଏକ ରାଜା....କିଏ ମନେନାହିଁ...ତେବେ ଧର୍ମଯୁଜେଷ୍ଠି ହୋଇପାରନ୍ତି...ବୋଧହୁଏ ସିଂହାସନ ଛାଡ଼ି ହିମାଳୟପଥେ ମହାଯାତ୍ରା କରିବାକୁ ବାହାରିବାବେଳେ ସମସ୍ତଙ୍କର ପାଉଣାପତ୍ର ଛିଣ୍ଡାଇଦେବାକୁ ଗଲେ । ଦୂତ ଜଣାଇଲା ତା’ର ଚାରି ମାସର ଦରମା ବାକି ପଡ଼ିଚି; କାରଣ ଏଫିସିୟେନ୍‌ସି ବାର୍‌ ଅତିକ୍ରମ କରିବାର ଅନୁମତି ତାକୁ ମିଳିନାହିଁ । ସେ ବାବଦକୁ ତା’ର ତେରଟଙ୍କା ମାତ୍ର ପ୍ରାପ୍ୟ । ଧର୍ମଯୁଜେଷ୍ଠି କହିଲେ, ‘ଆଚ୍ଛା, ତୋ ମା’ ମଲାବେଳକୁ ଚାରି ଟଙ୍କା ନେଇଥିଲୁ ମନେ ନାହିଁ ?’ ଦୂତ ଆଶ୍ଚର୍ଯ୍ୟ ହେଲା, କାରଣ ମା’ ବଞ୍ଚିଛି; କିନ୍ତୁ ମୁହଁରେ କହିଲା, ‘ଆଜ୍ଞା, ମଣିମା ଯେତେବେଳେ କହୁଚନ୍ତି ମା’ ନିଶ୍ଚେ ମରିଥିବ ଆଉ ମୁଁ ଚାରିଟଙ୍କା ନେଇଥିବି ।’ ପୁଣି ରାଜା କହିଲେ, ‘ଆଚ୍ଛା, ତୋ ଘର ପୋଡ଼ିଗଲାବେଳେ ତୁ ଆଠ ଟଙ୍କା ନେଇଥିଲୁ କି ନା ?’ ଦୂତ ଜନାନ୍ତିକା କହିଲା...ହ୍ୟାପ, ମୋର ଏତେ ଦୁର୍ଦ୍ଦଶା ଗଲାଣି, ମୁଁ କିଛି ଜାଣିପାରିଲି ନାହିଁ ! କିନ୍ତୁ ମୁହଁରେ କହିଲା, ‘ଆଜ୍ଞା ହଁ, ମଣିମା, ତେମେ ଆପଣେ ଯେବେ କହୁଚ ତା’ ନ ହୋଇଥିବ ନା !’ ଏଇପରି ସବୁ କଟିକାଟି ଯାଇ ରହିଲା ବାକି ପଇସାଟିଏ ଏବଂ ରାଜାଙ୍କ ପାଖରୁ ନିର୍ଭର ପ୍ରତିଶ୍ରୁତି ମିଳିଲା, ଯୁବରାଜ ପରୀକ୍ଷିତ ଯଥାସମୟରେ ତାକୁ ସେତକ ପେମେଣ୍ଟ କରିଦେବେ । ଏହାପରେ ଖୋସାମଦ କରିବାକୁ ଯାଇ ଦୂତ...ଆହା ବିଚାରା... ସବୁ ହରାଇଲା ସତ....କିନ୍ତୁ ଅସ୍ୱୀକାର କରିଥିଲେ ଆହୁରି ଅଧିକ ବିପଦ ଯେ ପଡ଼ି ନଥାନ୍ତା କିଏ କହିବ ? ଅନ୍ତତଃ ପଇସାଟିଏ ପାଇବାର ଆଶା ଏବଂ ଜୀବନ ତ ରହିଲା ! Discretion is the better part of valour–ବୁଝିବିଚାରି କାର୍ଯ୍ୟ କଲେ, ବିପଦ ନ ପଡ଼ିଲେ ଭଲେ । ଅତଏବ ଖୋସାମଦ ଯେ ସର୍ବଥା ବିପଦରହିତ ତା’ ନୁହ, ତେବେ ଅଧିକତର ବିପଦ-ପ୍ରତିଷେଧକ ନିଶ୍ଚୟ ।

 

ସବୁ ଚାକିରୀଆ ଆକ୍ଷେପ କରି କହିବାର ଶୁଣିଚି, ‘‘ଭାଇ, ମୋର ଚାକିରୀରେ ଉନ୍ନତି ହେବ କିପରି ? ମୁଁ ତ ଜୀବନରେ ଖୋସାମଦ କରିପାରିଲି ନାହିଁ । ବାପାବି ସେମିତି ଥିଲେ । ପିଲାଗୁଡ଼ାଙ୍କୁ ଯେତେ ବୁଝାଇଲି ସେ ବି ହେଲେ ସେମିତି । ଆଉ ସିଏ ତ କୁହେ–ଚାକିରୀ ନହେଲା ତ ନାହିଁ, କାହାକୁ ମଥା ଲଇଁବ ନାହିଁ । ଏମିତି ଖରାପ ପ୍ରକୃତି ମୋର–ଭୁଲ କି ଅନ୍ୟାୟ ଦେଖିଲେ ତୁଣ୍ଡ ତ ଖଲଖଲ ହୁଏ । ଯେତେ ବଡ଼ ହାକିମ ବା ମନ୍ତ୍ରୀ ହୁଅନ୍ତୁ ନା କାହିଁକି ପଦେହେଲେ ତ ବାହାରିଯିବ....ମୁଁ କ’ଣ କରିବି ? ଏ ଶଃ...ବଦ୍‌ଗୁଣ ପାଇଁ ଯେତେ କଷ୍ଟ ପାଇଲିଣି ତେବେବି ଛାଡ଼ିପାରୁ ନାହିଁ । ଉନ୍ନତି ନହେଉ ପଛେ, ଖୋସାମଦ ଚଳିବ ନାହିଁ, କି ନ୍ୟାୟପଥରୁ ଟଳିବି ନାହିଁ-। ସତ୍ୟପଥେ ଧର୍ମପଥେ ଘେନିଯାଅ ମୋତେ, ଭସାଅ ପରାଣ ମୋର ତବ ପ୍ରେମସ୍ରୋତେ । ମୋର ସେଇଆ । ‘ସତ କହିବାକୁ କିଆଁ ଡରିବି...ଶଳା...ସତ କହି ପଛେ ମଲେ ମରିବି ।’ ଯେଉଁମାନେ ଖୋସାମଦ କରି ଉଠୁଚନ୍ତି ଉଠନ୍ତୁ, ଭଗବାନ ତାଙ୍କର ମଙ୍ଗଳ କରନ୍ତୁ । ଦିନେ ହ୍ୟାପ ଭୁସ୍‌କିନା ପଡ଼ିବେ ।’’

 

ହଁ, ଆପଣ ବରାବର ଏପରି କହୁଥିବେ । ସୁକୃତରୁ ଘୋଡ଼ାଇରଖିବା ଜ୍ଞାନୀଲୋକର କାର୍ଯ୍ୟ । ଅବଶ୍ୟ ସମସ୍ତେ ଜାଣିପାରିବେ ଦିନେ, ତଥାପି ନିଜ ମୁହଁରେ କାହିଁକି ଆପଣ ସ୍ୱୀକାର କରିବେ ସମସ୍ତେ ଯାହା, ଆପଣବି ସେଇଆ । ବରଞ୍ଚ ସେତକ କହିସାରିଲା ପରେ ଆହୁରି କହିପାରନ୍ତି, ଯାହାକି ତଳଠୁ ଉପର ପର୍ଯ୍ୟନ୍ତ ସବୁ ଚାକିରୀଆ କହନ୍ତି–‘‘କିନ୍ତୁ ହେଲେ କ’ଣ ହେବ, ମୋତେ ଛାଡ଼ି ଚଳୁଛି କଉଠି ? କିଛି ଟିକିଏ ଅଡ଼ୁଆ ପଡ଼ିଲା ଡାକ ଅମୁକ ବାବୁଙ୍କୁ ! ମୁଣ୍ଡର ଉପରମହଲା ତ ସଭିଙ୍କର ଫାଙ୍କା, କେମିତି ସବୁ ଉଠିଛନ୍ତି ଉପରକୁ କେଜାଣି ? ଖାଲି ଖୋସାମଦ କରି । ଜଣ ଜଣ କରି ତଳୁ ମନ୍ତ୍ରୀ ପର୍ଯ୍ୟନ୍ତ ବୁଝାଇବି କେତେ !’’

 

ଦର୍ପ କାହିଁକି ଛାଡ଼ିବେ ? ଦର୍ପ ଛାଡ଼ିଲେ ଯେ ପରିଶ୍ରମ କରି ନିଜ ଦକ୍ଷତା ପ୍ରମାଣ କରିବାକୁ ପଡ଼ିବ । ତା’ଛଡ଼ା ଏ ଦର୍ପ ଭିତରେ ଅବହେଳିତର ଯେଉଁ କାରୁଣ୍ୟ ଟିକକ ଅଛି ତା’ କେଇଜଣ ବୁଝିବେ ? ଆପଣ ନିଜେବି ଜାଣନ୍ତି ନାହିଁ ଯେ ଏ ଦର୍ପ ଅତି କରୁଣ । ସେ କାରୁଣ୍ୟ ହେଉଚି, ମୋତେ ଟିକିଏ ସମସ୍ତେ ପଚାରନ୍ତେ କି, ଟିକିଏ କୁହନ୍ତେ କି–ମୁଁ ନ ହେଲେ କାହାରି ଚଳିବ ନାହିଁ; ଟିକିଏ ଭଲପାଆନ୍ତେ କି ମୋତେ ! ଅବହେଳିତର ବିଷାଦ ଯେତେ ବଢ଼େ ତା’ର ଦର୍ପ ଓ ହିଂସା ମଧ୍ୟ ସେତେ ବଢ଼ୁଥାଏ । ହାୟ ହାୟ, ପାଇବାର ଲାଳସା–ଧନ ହେଉ, ମାନ, ଯଶ, ଅର୍ଥ, ଏମିତି କି ପ୍ରେମ ହେଉ–ମଣିଷକୁ କେଡ଼େ ନିର୍ମମ, ବିକୃତ କରିଦିଏ ! ପାଇବାର କ୍ଷୁଧା ଅପରକୁ ନିର୍ମମଭାବରେ ପରାଧୀନ ଓ କବଳିତ କରିବାକୁ ଚାହେଁ । ରାଜ୍ୟବିସ୍ତାର ଏବଂ ତା’ପାଇଁ ଦାନ ତ ଏଇଥିପାଇଁ । କିନ୍ତୁ ଦବାର ଆଗ୍ରହ ମଣିଷକୁ କରେ କୋମଳ ଓ ସମ୍ବେଦନଶୀଳ । ସେ ଅପରକୁ କବଳିତ କରିବାକୁ ଚାହେଁନା; ସମ୍ପୂର୍ଣ୍ଣ ମୁକ୍ତ ଓ ସ୍ୱାଧୀନ କରେ । ନେବାବାଲା କୃତଘ୍ନ ହେଲେ ସେ କୁହେ ନାହିଁ,–ଏ ଦୁନିଆରେ କଉ ଶଳାର ଉପକାର କରିବ ନାହିଁ ପରା ! ମନେହୁଏ ଯାହାକୁ ଆମେ ଶକ୍ତି ବୋଲି ଭାବୁ ସେ ବାସ୍ତବରେ ଦୁର୍ବଳତା, ଆଉ ଯାହାକୁ ଦୁର୍ବଳତା ବୋଲି ଭାବୁ ତାହାହିଁ ପ୍ରକୃତରେ ଶକ୍ତି । ଟୟନ୍‌ବୀ ସାହେବ ଇତିହାସ ଅନୁସନ୍ଧାନ କରି ଦେଖାଇଚନ୍ତି ଗୋଟାଏ ଜାତିର ଅର୍ଥନୈତିକ ଓ ରାଜନୈତିକ କ୍ଷମତା ଯେତିକି ବଢ଼ୁଥାଏ ତା’ର ଆଧ୍ୟାତ୍ମିକ ଶକ୍ତି, କଳା ଓ କୃଷ୍ଟି, ଏକ କଥାରେ କହିବାକୁ ଗଲେ ସଂସ୍କୃତି, ସେତିକି ହ୍ରାସ ପାଉଥାଏ । କିନ୍ତୁ ଅର୍ଥନୀତି, ରାଜନୀତି ଏବଂ ସଂସ୍କୃତି ଏ ତିନି ଭିତରୁ ପ୍ରଥମ ଦୁଇଟି ଓ ତୃତୀୟଟି ପରସ୍ପର-ବିରୋଧୀ ହେବେ କାହିଁକି ? ହେବେ, ଯଦି ପ୍ରଥମ ଦୁଇଟି ତୃତୀୟଟି ହାସଲ କରିବାର ଉପାୟ ନ ହୋଇ ନିଜେ ଉଦ୍ଦେଶ୍ୟରେ ପରିଣତ ହୁଅନ୍ତି । ଇତିହାସରେ ହୁଏତ ଯୁଗେ ଯୁଗେ ଏହା ଦେଖାଯାଇଚି । କିନ୍ତୁ ଆମେ ତ ଆଉ ପଶୁ ନୋହୁଁ । ଇତିହାସ ଗବେଷଣା କରି ଆମେ ଆମର ରୀତି, ନୀତି, ଗତି ବଦଳାଇବାର କ୍ଷମତା ଅଛି ବୋଲି ତ ସମସ୍ତେ କହୁଚନ୍ତି । ତେବେ ତା’ ନ ହେଉଚି କାହିଁକି ? ତେବେ କ’ଣ ଆମର କ୍ଷମତା ନାହିଁ ? ଆମେବି ପଶୁ ?

 

ତେବେ ପଶୁ ଯେ ନୋହୁଁ ତା’ ମାତ୍ର ଗୋଟିଏ କଥାରୁ ଜଣାପଡ଼େ–ଆମେ ଖୋସାମଦ ବିଜ୍ଞାନ ଓ କଳା ହାସଲ କରିଚୁ । ବିଶେଷତଃ ଆମେ ଭାରତୀୟମାନେ, ପୁଣି ବେଶି ହିନ୍ଦୁମାନେ । ତେବେ ଖୋସାମଦ ଯେ ସବୁବେଳେ ‘ଆପଣଙ୍କ କୁଞ୍ଚ ସୁନ୍ଦର, ଲାଞ୍ଜ ସୁନ୍ଦର’ ତା’ ନୁହେଁ । ଆପଣ ଯଦି ହାକିମଙ୍କୁ କହନ୍ତି, ଆପଣଙ୍କୁ ଖୋସାମଦ କରି ଭୁଲାଇବା ଚେଷ୍ଟା ବୃଥା, ତେବେ ତାହାବି ଖୋସାମଦ । ସିଜର୍‌ ଏମିତି ଖୋସାମଦରେ ଭୁଲିଯାଉଥିଲେ । ପୁଣି ଗାଳିଦେଇ ମଧ୍ୟ ଖୋସାମଦ କରାଯାଏ । ଥରେ ଜଣେ ଉପରବାଲା ଗୋଟିଏ ଗାଈ କିଣି (?) ଥିଲେ । ଗାଈଟି ବେଶ୍‌ ଭଲ । ତାଙ୍କର ନିମ୍ନସ୍ଥ କର୍ମଚାରୀ ଏ ଖବର ପାଇ ଉପରବାଲାଙ୍କ ଘରେ ପହଞ୍ଚିଲେ, କିଛି ନ ଜାଣିଲାପରି-। ଗାଈଟିକୁ କିଛିକ୍ଷଣ ଚାହିଁରହି ହାକିମଙ୍କୁ ଥୋକେ ଗାଳିଦେଲେ, ‘‘ଆପଣଙ୍କୁ କିଏ କହିଲା ଏସବୁ କରିବାକୁ ଶୁଣେ ? ଆପଣ ତ ସଂସାରକ୍ଷେତ୍ରରେ ଗୋଟିଏ ନିପଟ ବୋକା ମଣିଷ, ଦରଦାମ କରି ଜାଣନ୍ତି ନାହିଁ କି କାହାରିକି ସନ୍ଦେହ କରନ୍ତି ନାହିଁ । ଆପଣଙ୍କ ସ୍ତ୍ରୀ ନ ହେଲେ ତ ଦଣ୍ଡେ ଚଳିପାରନ୍ତେ ନାହିଁ । ଯାହାକୁ କହନ୍ତି ଅଯୋଗ୍ୟ, ଆପଣ ସେଇଆ । ଏ କାମରେ ଆପଣ କାହିଁକି ହାତଦେଲେ, ତାଙ୍କୁ ଭଲ କହିଥାଆନ୍ତେ !’’ କହିରଖେ ଉପରବାଲା ଜଣକ ଭାରି ଧୂରନ୍ଧର ବ୍ୟକ୍ତି, ନାନା ଦୂର୍ନୀତି କରି ମଧ୍ୟ ସରକାରୀ ଦୁର୍ନୀତି-ଦର୍ଶନ ବିଭାଗକୁ ଭୁଆଁ ବୁଲାଇଚନ୍ତି । କିନ୍ତୁ ଏ ଗାଳିରେ ଏବଂ ସ୍ତ୍ରୀର ପ୍ରଶଂସାରେ (ଯଦିଚ ସ୍ତ୍ରୀଟି ନିପଟ ଓଲୁ) ଅତ୍ୟନ୍ତ ବିଚଳିତ ହୋଇ କହିଲେ, ‘‘ସତେ, ଆମ ପରି ଲୋକର ଦୁନିଆରେ ସ୍ଥାନ ନାହିଁ । ସେ ନଥିଲେ ସତେ ମୁଁ ଚଳିପାରନ୍ତି ନାହିଁ ।’’ (ନିଜ ପ୍ରଶଂସାଠାରୁ ସ୍ତ୍ରୀର ପ୍ରଶଂସା ଅଧିକ ଭଲଲାଗେ କାହିଁକି, ସେ ଆଉ ଏକ ରହସ୍ୟ !)

 

ତେବେ ଗାଳିଦେଇ ଖୋସାମଦ କରିବା ପାଇଁ ଉଚ୍ଚକୋଟୀର କଳାନିପୁଣତା ଓ ନିଷ୍ଠା ଦରକାର । ଏ ଜଣାଣଟି ଦେଖନ୍ତୁ, ‘‘ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦିଅ, ଦଣ୍ଡେ ଟାଳି, ତୁମ୍ଭଙ୍କୁ ଜଗନ୍ନାଥ ଆଜି ମୋ ମନୋରଥ ଭରତି କରିଦେବି ଗାଳି !’’ ଏ ବଡ଼ କଠିନ କଳା । ଟିକିଏ ହୁଡ଼ିଲେ ସର୍ବନାଶ । ଭିତରେ ମାଲିକପ୍ରତି ପୂରା ଭକ୍ତି ଥିବ; କିନ୍ତୁ ମୁହଁରେ ଗାଳି ବର୍ଷୁଥିବ । ମାଲିକର ଯେଉଁ ଦୁର୍ଗୁଣଗୁଡ଼ିକ ଆପଣଙ୍କ କଥାରେ ପ୍ରକାଶ ପାଉଥିବ ତାହାର ଭାବରୁ ଜଣାପଡ଼ୁଥିବ ସେଗୁଡ଼ିକ ସୁଗୁଣ । ଅର୍ଥାତ୍ ଏ ଖୋସାମଦ ଶବ୍ଦାତ୍ମକ ନୁହେଁ, ଧ୍ୱନ୍ୟାତ୍ମକ । ଭିତରେ ସେମିତି ନିଷ୍ଠା ନଥିଲେ ଏ ବିପରୀତମୁଖୀ ଦୁଇ କ୍ରିୟାକୁ ଆପଣ ଏକାସାଙ୍ଗରେ ଖେଳାଇ ପାରିବେ ନାହିଁ । ଅଳଙ୍କାର ଶାସ୍ତ୍ରରେ ‘ବ୍ୟାଜସ୍ତୁତି’ ଓ ‘ବ୍ୟାଜନିନ୍ଦା’ ଦୁଇଟିଯାକ ଅଳଙ୍କାର ତୋସାମଦିରେ ଅପୂର୍ବ ।

 

ସେମିତି ଆଉ ଏକ ରକମର ଖୋସାମଦ ଅଛି । ଆପଣ ମାଲିକଙ୍କୁ କହିବେ–ମୋତେ ଦେଲେ ଆପଣଙ୍କର ମହତ୍ତ୍ୱ ବଢ଼ିବ ସିନା, ମୋ ନିଜପାଇଁ କହୁନାହିଁ । ଯଥା–ହେ ଭଗବାନ, ମୋ ଭଳି ପାପୀକୁ ଯେତେ ଶୀଘ୍ର ଉଦ୍ଧାର କର ସେତେ ଆପଣଙ୍କ ମଙ୍ଗଳ । କାରଣ ମୋ ପାପର ଭାରରେ ପୃଥିବୀର ଓଜନ ଏତେ ବଢ଼ିଯାଇଚି ଯେ ଆପଣ ବରାହରୂପରେ ଯେପରି ପାପଭାରରେ ନିମଜ୍ଜମାନ ପୃଥିବୀକୁ ଅକ୍ଳେଶରେ ଦାନ୍ତଅଗରେ ଟେକିଧରିଥିଲେ ତା ଆଉ ଚଳିବ ନାହିଁ । ମୋ ଭଳି ପାପୀକୁ ଉଦ୍ଧାର ନ କରି ଏଥର ପୃଥିବୀକୁ ଟେକିବାକୁ ଯାଆନ୍ତୁ, ଦେଖିବେ ଦନ୍ତାଗ୍ରଭଙ୍ଗ ଭବେତ୍‌ । ଭଲ ଦଶା ଅଛି ତ ଆଗ ମୋତେ ଉଦ୍ଧାର କରନ୍ତୁ । (ହାୟ, ଏ ଖୋସାମଦିଆ ଆଜିକାଲି ଆଉ ନାହାନ୍ତି !) । କିନ୍ତୁ ଏଥିରେ ମଧ୍ୟ ବିଶ୍ୱାସ ଓ ଦହନ ଦରକାର । ଅତଏବ ଆମେ ସେ ବାଟ ଧରିବା ନାହିଁ । ଆମପାଇଁ ଚୌଧୁରୀ ମହାଶୟ ଯାହା କହିଚନ୍ତି, ସିଧାସଳଖ ସରଳ ଖୋସାମଦ, ଆପଣଙ୍କ ‘‘କୁଞ୍ଚ ସୁନ୍ଦର, ଲାଞ୍ଜ ସୁନ୍ଦର ।’’

 

କଳା-ଉତ୍ସାହୀମାନଙ୍କ ମଧ୍ୟରୁ ଅଳ୍ପ କେତେ ଜଣ ଏ ତଥ୍ୟରେ ସନ୍ଦେହ କରି ପଚାରିଛନ୍ତି–ଆଚ୍ଛା, ଏପରି ଖୋସାମଦରେ ଅତ୍ୟୁକ୍ତିଥିବାରୁ ଯାହାକୁ କରାଯାଉଚି ସେ ଯଦି ବିଗିଡ଼ିଯାଏ ? ସ୍ୱୀକାର କରୁଛି, ଏ ବିପଦର ଖଣ୍ଡା ମୁଣ୍ଡ ଉପରେ ଝୁଲୁଚି । ତେବେ ବିପଦ ଏତେ କମ୍‌ ଯେ ନାହିଁ କହିଲେ ଚଳିବ । ମୁଁ ଚୌଧୁରୀ ମହାଶୟଙ୍କ ସହିତ ଏକମତ ଯେ ଖୋସାମଦଶ୍ରୋତା ଆପଣଙ୍କ ଖୋସାମଦବର୍ଣ୍ଣିତ ତାଙ୍କର ଗୁଣାବଳୀରେ ବିଶ୍ୱାସ କରୁ ନଥିଲେବି ଖସି ହେବ ଯେ ତା’ର ବଡ଼ପଣ ଖାତିରିରେ ଆପଣ ଖୋସାମଦ କରୁଚନ୍ତି । ଗାୟନ-ରତ୍ନ ଶ୍ରୀ ହରିନାଥଙ୍କ ପାଲାରେ ଆପଣ ଦେଖିନାହାନ୍ତି ଏ କଥା ? ଜଣେ ଲୋକର ବିଖ୍ୟାତ ହେବାକୁ ଭାରି ଇଚ୍ଛା ହେଲା-। ସେ କେତେଗୁଡ଼ିଏ ବତିପେଲା ଯୋଗାଡ଼ କରି ସେମାନଙ୍କୁ କହିଲା, ମୁଁ ଯାହା କହିଯାଉଥିବି ତମେମାନେ ଖାଲି କହୁଥିବ ‘ତେମେ ତେମେ....ତେମେ ତେମେ ।’ ସେମାନେ ରାଜି ହେଲେ; କେମିତି ରାଜି ହେଲେ ତ ବୁଝିପାରୁଥିବେ । ସେଇଠୁ ଶ୍ରୀ ବିଖ୍ୟାତେଚ୍ଛୁ ଗାଇଲା–କାଠଯୋଡ଼ୀର ପଥରବନ୍ଧ ଗଢ଼ିଥିଲା କିଏ ?

 

ବତିପେଲା ବୃନ୍ଦ–ତେମେ ତେମେ.....ତେମେ ତେମେ ।

 

ନିଜେ ସେକଥା କୁହାଇଥିଲେବି ବିଖ୍ୟାତେଚ୍ଛୁ ଚମକି ପଡ଼ିଲା ଏଡ଼େ ଡାହା ମିଛ କଥାଟା ହଠାତ୍‌ ହଜମ କରିପାରିଲ ତ ! ତାକୁ ଚାପି ଦେଇ ସେ ପୁଣି ଗାଇଲା–ପାରାଦୀପ ନୌବନ୍ଦର ଥାପିଦେଲା କିଏ ?

 

–ତେମେ ତେମେ...ତେମେ ତେମେ...

 

–ବିଦଗ୍‌ଧ ଚିନ୍ତାମଣି ରଚିଥିଲା କିଏ ହୋ ?

 

–ତେମେ ତେମେ...ତେମେ ତେମେ....

 

ପ୍ରଥମେ ପ୍ରଥମେ ଟିକିଏ ଦବିଯାଉଥିଲା ସିନା, ପରେ ‘ତେମେ ତେମେ’କୁ ବେଶ୍‌ ଉପଭୋଗ କରିବାକୁ ଲାଗିଲା । ଆଉ ଯେତେବେଳେ ବହୁ ଲୋକ ଜମିଗଲେ ଓ କିଛି ନବୁଝି ନଶୁଝି ପଇସା ଲୋଭରେ ‘ତେମେ ତେମେ’ରେ ଯୋଗଦେଲେ–ସେତେବେଳେ ‘ଷୋଳସହସ୍ର ଗୋପନାରୀ ରମିଥିଲା କିଏ ହୋ ?’ ର ଉତ୍ତର ତୁମୁଳ ‘ତେମେ’ ତେମେ’ ଶୁଣି ସେ ସେଥିରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ଗର୍ବିତ ଭାବରେ ଚାଲିବାକୁ ଲାଗିଲା । ଏମିତି ସମସ୍ତେ । ଅତଏବ ଖୋସାମଦରେ ଅତ୍ୟୁକ୍ତି ସର୍ବଦା ବିପଦରହିତ ।

 

ତେବେ ଖୋସାମଦୁଦ୍ଦିଷ୍ଟମାନଙ୍କ ମଧ୍ୟରେ କଦବା କ୍ୱଚିତ୍‌ ଜଣେ ଜଣେ ବିଦଗ୍‌ଧ ରସିକବି ଥାଆନ୍ତି, ଯଦିଚ ଏ ଯୁଗରେ ଏହା ବିରଳ ବା ନାହିଁ କହିଲେ ଚଳେ । ବିକ୍ରମାଦିତ୍ୟ ଥିଲେ ଏହିପରି ଜଣେ ବିଦଗ୍‌ଧ ଲୋକ । ଡମ୍ବୁରୁ ପଣ୍ଡିତ ଆଚାର୍ଯ୍ୟ ରୋହିତ ପାଖରେ ରହି ବାରବର୍ଷ ବିଦ୍ୟା ଶିକ୍ଷା କଲେ ଏବଂ ସ୍ନାତକ ହେବାପରେ ମଧ୍ୟ ଆହୁରି ବାରବର୍ଷ ସ୍ନାତକୋତ୍ତର ଗବେଷଣା କଲେ । ଆଚାର୍ଯ୍ୟ ଅତ୍ୟନ୍ତ ତୃପ୍ତ ହୋଇ ତାଙ୍କୁ ବିଶ୍ୱବିଦ୍ୟୋଦଧି, ଉପାଧି ଦେଇ କହିଲେ, ‘‘ବତ୍ସ, ଏଥର ଗୃହସ୍ଥାଶ୍ରମ ଆରମ୍ଭ କରି ଜୀବିକା ଉପାର୍ଜନ କର; କିନ୍ତୁ ଖବରଦାର, କୌଣସି ମୂର୍ଖ ଓ ଆତ୍ମଗର୍ବୀର ଦାନ ଗ୍ରହଣ କରିବ ନାହିଁ ।’’ ଡମ୍ବୁରୁ ଜୀବିକା ଉପାର୍ଜନ ପାଇଁ ବିକ୍ରମାଦିତ୍ୟଙ୍କ ସଭାରେ ଉପସ୍ଥିତ ହୋଇ ଗୋଟିଏ ଅତି ଚମତ୍କାର ଶ୍ଳୋକରେ ରାଜାଙ୍କ ପ୍ରଶସ୍ତି ଗାଇଲେ–ହେ ରାଜା, ଆପଣଙ୍କ ଯଶଃପ୍ରଭାରେ ଚନ୍ଦ୍ର ସୂର୍ଯ୍ୟ ମ୍ଳାନ, ଦେବତାମାନେ ଈର୍ଷାନ୍ୱିତ, ପଦ୍ମାଳୟା ଆପଣଙ୍କୁ ବରଣ କରିବାକୁ ବ୍ୟଗ୍ର ହେବାରୁ ବୈକୁଣ୍ଠରେ ହରି ବିଷଣ୍ଣ ବଦନରେ ବସିଅଛନ୍ତି, ଇତ୍ୟାଦି ଇତ୍ୟାଦି-। କାଳିଦାସ ଚମତ୍‌କୃତ ହେଲେ । ବିକ୍ରମାଦିତ୍ୟ ପ୍ରୀତ ହୋଇ କହିଲେ, ପ୍ରତ୍ୟକ୍ଷର ଲକ୍ଷମ ବଦାତ୍‌; କିନ୍ତୁ ଡମ୍ବୁରୁ କହିଲେ, ଆପଣଙ୍କ ଦାନ ମୋର ଗ୍ରହଣୀୟ ନୁହେଁ; କାରଣ ଆପଣ ମୂର୍ଖ ଓ ଗର୍ବୀଥିବାରୁ ମୋର ପ୍ରଶସ୍ତିରେ ବିଶ୍ୱାସ କରିଚନ୍ତି ।

 

କାଳିଦାସ କହିଲେ–ଆରେ ମୂର୍ଖ, ମହାରାଜ ବିକ୍ରମାଦିତ୍ୟ ସାହିତ୍ୟାନୁଗ୍ରାହୀ । ଦେବତା, ରାଜା ଓ ପ୍ରଣୟିନୀଙ୍କୁ ସ୍ତୁତିରେ ଅତିରଞ୍ଜନ ଥିବା ଉଚିତ ଏବଂ ତାହା ଅଳଙ୍କାରଶାସ୍ତ୍ର ସମ୍ମତ । ତୁମର ସ୍ତୁତିରେ ତେଣୁ ମହାରାଜ କବିତ୍ୱହିଁ ବିଚାର କରି ପ୍ରତି ଅକ୍ଷର ପାଇଁ ଲକ୍ଷେ ଦେଇଚନ୍ତି, ସତ୍ୟାସତ୍ୟ ବିଚାର କରିନାହାନ୍ତି ।

 

ଭାର୍ଯ୍ୟା ଓ ପ୍ରଣୟିନୀଙ୍କୁ ଖୋସାମଦ ଏକ ସମ୍ପୂର୍ଣ୍ଣ ଭିନ୍ନ କଳା ଓ ବିଜ୍ଞାନ ଏବଂ କଠିନତମ କଳା ଓ ବିଜ୍ଞାନ । ସେ ବିଷୟରେ ଏ ଅଧମ ଯେତିକି ଜାଣେ କହିବ । ତେବେ ଏଠାରେ ଏତିକି କହିରଖେ ସେ ଭାର୍ଯ୍ୟାକୁ ଖୋସାମଦ ବିଷୟରେ ମୋର କିଛି ପ୍ରତ୍ୟକ୍ଷ ଜ୍ଞାନ ଅଛି; କାରଣ ଦୁର୍ଭାଗ୍ୟରୁ ହେଉ ବା ସୌଭାଗ୍ୟରୁ ହେଉ, ଆଜିକୁ ତିରିଶବର୍ଷ ହେବ ଗୋଟିଏ ଭାର୍ଯ୍ୟା ଅଛି । କିନ୍ତୁ ପ୍ରଣୟିନୀ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ବିଲ୍‌କୁଲ୍‌ ନାହିଁ, କାରଣ ମୋ ଜୀବନରେ ପ୍ରଣୟିନୀଟିଏ ଜୁଟିଲା ନାହିଁ । ଅଥଚ ଗୋଟିଏ ପ୍ରଣୟିନୀ ପାଇବା ପାଇଁ ଏ ବ୍ରହ୍ମ କ’ଣ ନ କରିଚି, ଆଉ ଯିଏ ବା ପାଇଚନ୍ତି ସିଏ ବା ଅଧିକା କ’ଣ କରିଚନ୍ତି ? ପ୍ରଣୟିନୀଟିଏ ଆକୃଷ୍ଟ କରିବା ପାଇଁ ଏ ବ୍ରହ୍ମ ତ ଶ୍ରେଷ୍ଠ ଖେଳାଳି ହେଲା, କାଠଯୋଡ଼ୀ ନଦୀରେ ଭୟାବହ ବନ୍ୟାବେଳେ ଏପାଖୁ ସେପାଖ ପହଁରିଗଲା, ଗୀତବାଦ୍ୟ ଶିଖିଲା, ଏପରିକି ସାହିତ୍ୟ ଟାଣିଓଟାରି ବାହାର କଲା ଏବଂ ପ୍ରଣୟିନୀ ପାଇଲେ ତାକୁଇ ବାହା ହେବି ବୋଲି ଯୌବନ ବିତାଇ ତିରିଶବର୍ଷରେ ନିରାଶ ହୋଇ ବାହା ହେଲା । ତଥାପି କେହି ଟିକିଏ ଚାହିଁଲେବି ନାହିଁ । ନ ଚାହାଁନ୍ତୁ ବ୍ୟାଜିଆଗୁଡ଼ାକ । ଆସିଥିଲେ ତୁମେଇ ଯୋଗ୍ୟ ସ୍ୱାମୀ ପାଇଥାନ୍ତି, ଏ ବ୍ରହ୍ମର କ’ଣଟା ହୋଇଯାଇଥାଆନ୍ତା ଶୁଣେ ? ଅତଏବ ପ୍ରଣୟିନୀକୁ ଖୋସାମଦ କରିବାର ସୁଯୋଗ ପାଇ ନଥିବାରୁ ସେ କଳା ବିଷୟରେ ମୋର ପ୍ରତ୍ୟକ୍ଷ ଜ୍ଞାନ ନାହିଁ, ତେବେ ବିଜ୍ଞାନ ବିଷୟରେ ବହି ପଢ଼ି ଓ ବନ୍ଧୁବାନ୍ଧବଙ୍କଠାରୁ ଶୁଣି ଯାହା ଜାଣେ-। ଏ ବିଷୟରେ ତେଣୁ ବାରାନ୍ତରେ ଆପଣଙ୍କୁ ଚୌଧୁରୀ ମହାଶୟ ବା ଝ: ସଂ: କହିପାରନ୍ତି ।

 

ତେବେ ଭାର୍ଯ୍ୟାକୁ ଖୋସାମଦ କଳା ଓ ବିଜ୍ଞାନ ବିଷୟରେ ମୁଁ କିଛି କହିବାର ହକ୍‌ଦାର ନିଶ୍ଚୟ ସ୍ୱୀକାର କରିବି । ଏ ବିଷୟ ପଶୁପକ୍ଷୀଠାରୁ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା । ଅତଏବ ବିଶେଷ କିଛି ନ କହି ଗୋଟିଏ ମାତ୍ର ଜୀବନର ଘଟଣା କହି କ୍ଷାନ୍ତ ହେବି ।

 

ବର୍ତ୍ତମାନ ଭାତହାଣ୍ଡିରୁ ଗୋଟିଏ ଭାତ ଗୃହିଣୀ ଚିପି ପରୀକ୍ଷା କଲା ଭଳି ମୋ ଜୀବନରେ ଭାର୍ଯ୍ୟା-ଖୋସାମଦର ଗୋଟିଏ ଦୃଷ୍ଟାନ୍ତ ଦିଏ । ପୁରୀ ବୁଲିଯିବାକୁ ଭାରି ଇଚ୍ଛା ହେବାରୁ ଏବଂ ପଇସା ଟାଣୁଟୁଣ (ଯେଉଁଥିପାଇଁ ଟିକିଏ ଭୂସ୍ୱର୍ଗ କାଶ୍ମୀର ଦେଖିଆସିବା ପାଇଁ ଇଚ୍ଛା ହେଲେ–ଅଲାଜୁକ ଇଚ୍ଛାଗୁଡ଼ାକ କେଉଁଠି ଥାଆନ୍ତି ଫୁଟ୍‌ ଫୁଟ୍‌ ବାହାରିପଡ଼ନ୍ତି–ନିଜକୁ ନିଜେ ଥଟ୍ଟା କରି କୁହେ, ଶଳା ଲାଜ ନାହିଁ ତୋତେ !) ଥିବା ହେତୁ ଏକା ଯିବାକୁ ବାଧ୍ୟ ହେବାରୁ ଗୃହିଣୀଙ୍କୁ ଖୋସାମଦ କରିବାର ଗୋଟାଏ ଜରୁରୀ ପ୍ରେରଣା ପାଇଲି । କହିଲି, ଅୟୀସୁଲକ୍ଷଣୀ, ତୁମକୁ ପାଇ ମୁଁ ଯଥାର୍ଥରେ ଧନ୍ୟ ! ତୁମେଇ ଦେଇଚ ମୋ ଜୀବନରେ ସୃଷ୍ଟି ଓ ସ୍ଥିତିର ପ୍ରେରଣା । (ଆପଣଙ୍କ ପ୍ରତି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ତେଣୁ କହୁଚି, ଖବରଦାର, ମୋ ଗୃହିଣୀକୁ କହିବେ ନାହିଁଟି–ମଝିରେ ମଝିରେ ପ୍ରଳୟର ପ୍ରେରଣାବି ଦିଅନ୍ତି, ଯେଉଁ ପ୍ରେରଣାବଳରେ ମୁଁ ଅନେକ ଥାଳି, ତାଟିଆ, ଚାହା ପିଆଲା କଚାଡ଼ି ଭାଙ୍ଗିଚି । ଗୋଟିଏ ବହିରେ ପଢ଼ିଥିଲି ଆମେରିକାରେ ଗୃହିଣୀମାନେ ଖୁବ୍‌ ଶସ୍ତା ଅଥଚ ସୁନ୍ଦର ଫୁଲଦାନି ଓ ଅନ୍ୟାନ୍ୟ ଆସବାବପତ୍ର କିଣି ରଖିଥାନ୍ତି । ସ୍ୱାମୀଙ୍କୁ ପ୍ରଳୟର ପ୍ରେରଣା ଦେଇ ସେଇଗୁଡ଼ିକ ଧରାଇଦିଅନ୍ତି ଏବଂ ସ୍ୱାମୀ ସେଗୁଡ଼ିକ କଚାଡ଼ି ଭାଙ୍ଗି ସେ ପ୍ରେରଣାକୁ ଖଲାସ କରନ୍ତି । ମୁଁ ଗୃହିଣୀଙ୍କୁ ସେପରି ପରାମର୍ଶ ଦେଇଚି ଏବଂ ଅଦ୍ୟାବଧି ସେ ବିଷୟରେ ସେ ଚିନ୍ତା କରୁଛନ୍ତି) । କିନ୍ତୁ ମୁଁ ଛାର ତୁମକୁ କ’ଣ ବା ସୁଖରେ ରଖିଚି, ଧିକ୍‌ ମୋତେ, ଶତ ଧିକ୍‌ ! (ଅନ୍ୟ ପାଖରେ ନିଜକୁ ହୀନ ବୋଲି ଦେଖାଇବା ମଧ୍ୟ ଏକ ଉଚ୍ଚାଙ୍ଗ ଖୋସାମଦ; ତାହା ଅନ୍ୟକୁ ଭାରି ଖୁସି ଲାଗେ ।)

 

ପୁସ୍ତକଗତ ବିଦ୍ୟା, ବନ୍ଧୁମାନଙ୍କଠାରୁ ଶ୍ରବଣ ଓ ବମ୍ବେର ସିନେମା ଦେଖି ଯାହା ଜ୍ଞାନ ଅର୍ଜିଛି, ସେଥିରୁ ଜାଣେ ପ୍ରଣୟିନୀ ହୋଇଥିଲେ ଆକସ୍ମିକ ବାଦ୍ୟସହ ଗୋଟିଏ ଗୀତ ଗାଇ ମୋ ଉପରକୁ ଢଳିପଡ଼ି, ‘‘ଆଖିରେ ଅନେକ ଅନେକ ବସନ୍ତର କାକଳି’’ (ପ୍ରଶ୍ନ–ସେ କ’ଣ କିଲୋ ସଇ-? ଉତ୍ତର–କେଜାଣି–ଆ, ଛୋପରାଟା !) ଖେଳାଇ କହିଥାଆନ୍ତେ, ‘ଛି ଛି, ସେ କଥା କୁହନା ପ୍ରିୟତମ, ମୁଁ ଯେ ତୁମକୁ ପାଇ ଧନ୍ୟ ! ଇତ୍ୟାଦି ଇତ୍ୟାଦି...ଏଇପରି କିଛି ଶୁଣିବାର ଆଗ୍ରହରେ ପାଟି ଆଁକରି ଅପେକ୍ଷା କରି ରହିଲି । କିନ୍ତୁ ମୋର ସବୁ ଖୋସାମଦ ଧୀର ଚିତ୍ତରେ ସ୍ଥିର ମତିରେ ଶୁଣିସାରି ଗମ୍ଭୀର ଭାବରେ ସେ କହିଲେ, ‘ଯାହେଉ ଏତେ ଦିନକେ ମାନିଲ ତ ? ଏଥର ମୋ ବୁଦ୍ଧିରେ ଚାଲ, ବୁଝିଲ ?’ ଆଶା ଲୋପ ହୋଇ ହତାଶାର ଆଗମ ହେଲା, କିନ୍ତୁ ପାଟି ମେଲା ସେମିତି ରହିଗଲା । ତା’ପରେ କି କୌଶଳ ଅବଲମ୍ବନ କରି ଓ କି କି ପ୍ରକାର ଖୋସାମଦ କରି ଏକା ପୁରୀ ଯାଇପାରି ନଥିଲି ତା’ ଏକ ଅତୀବ ରୋମାଞ୍ଚକର ଘଟଣା ହେଲେବି ଏଠାରେ ଅପ୍ରସଙ୍ଗିକ ।

 

ସେ ଖୋସାମଦ କଥା, ଅତଏବ ଛାଡ଼ନ୍ତୁ । ଡମ୍ବରୁ ପଣ୍ଡିତେ ଅବଶ୍ୟ ଚୌଧୁରୀ ମହାଶୟଙ୍କର ଗୋଟିଏ ତଥ୍ୟ ପ୍ରମାଣ କରୁଚନ୍ତି । କିନ୍ତୁ ସେ ତଥ୍ୟ ସହିତ ମଧ୍ୟ ମୁଁ ଏକମତ ହୋଇପାରୁ ନାହିଁ–ଅତ୍ୟନ୍ତ କ୍ଷୋଭର ସହିତ କହିବାକୁ ପଡ଼ୁଚି । ତାଙ୍କର ତଥ୍ୟ ହେଉଚି, ପ୍ରତ୍ୟେକ ଖୋସାମଦିଆର ମନେରଖିବା ଉଚିତ ଯେ ଖୋସାମଦବେଳେ ସେ ଯାହା କୁହେ ସେଥିରେ ଯେ ସେ ବିଶ୍ୱାସ କରେ ନାହିଁ ଏ କଥା ଫୁଟିଦିଶୁଥିବ । କିନ୍ତୁ ମୁଁ ଜଗତର ସମସ୍ତ ଖୋସାମଦିଆଙ୍କୁ ସାବଧାନ କରିଦେଉଚି, ଏ ତଥ୍ୟ ଗ୍ରହଣ କରନ୍ତୁ ନାହିଁ । ମୋ ମତରେ ଖୋସାମଦବେଳେ ଯାହା କହୁଥିବେ ବା ଯାହା କହିବାକୁ ଭାବିଥିବେ ସେଥିରେ ସମ୍ପୂର୍ଣ୍ଣ ବିଶ୍ୱାସ ଦରକାର । କାରଣ ଆପଣ ଫଳପ୍ରାପ୍ତି ଆଶାରେହିଁ ଖୋସାମଦ କରନ୍ତି; ନିଚ୍ଛକ କଳା ଦୃଷ୍ଟିରୁ ନୁହ ବା ସାହିତ୍ୟ ଦୃଷ୍ଟିରୁ ନୁହ ।

 

ଫଳପ୍ରାପ୍ତି ଆଶାରେ ଖୋସାମଦ କରିବା କ’ଣ ଖରାପ ? ଅନେକେ ପରାମର୍ଶ ଦିଅନ୍ତି, ଫଳପ୍ରାପ୍ତି ଆଶା ରଖି ଭଗବାନଙ୍କୁ ଡାକିବ ନାହିଁ । ଅତ୍ୟନ୍ତ ଭ୍ରାନ୍ତ ଧାରଣା ମୋ ମତରେ । ଭଗବାନ ନିଜେ କହିଚନ୍ତି, (ଅବଶ୍ୟ ମୋତେ କହିବାକୁ ସୁବିଧା ପାଇନାହାନ୍ତି, ଆମ ବ୍ୟାସଦେବଙ୍କୁ କହିଚନ୍ତି’’) ମୋର ଭକ୍ତ ଚାରି ପ୍ରକାରର ଏବଂ ସେମାନଙ୍କ ମଧ୍ୟରୁ ଜିଜ୍ଞାସୁ ଓ ଜ୍ଞାନୀ ଯେପରି ଉଦାର, ଆର୍ତ୍ତ ଓ ଯଥାର୍ଥୀ ମଧ୍ୟ ସେହିପରି ଉଦାର । ଉଦାର କାହିଁକି ନା, ସେମାନେ ତ ପ୍ରଥମେ ମୋତେ ବିଶ୍ୱାସ କରନ୍ତି । ଆର୍ତ୍ତ ଲୋକ ମାଗିବ ତ ଖରାପ କ’ଣ ହେଲା ? Our father who art in Heaven...Give us this day our daily bread–Prayer Book, ଆ ନ ଇଂ ଦୋ ବାଜେଭଜ–(ଆମ୍ଭମାନଙ୍କୁ ପ୍ରଭୂତ ବଳଯୁକ୍ତ ଅନ୍ନ ଦାନ କର–ଋଗ୍‌ବେଦ)-। ଅନେକେ bread ବା ଅନ୍ନର ନାନା ଆଧ୍ୟାତ୍ମିକ ଅର୍ଥ କରନ୍ତି । ସେ ସବୁ ବାଜେ କଥା । ସିଧାସଳଖ ଖୋସାମଦ କରି ଖାଇବାକୁ ମାଗିବା ଛଡ଼ା କିଛି ଆଉ କୁହାହୋଇନି । ଯେତେବେଳେ କୌଣସି ଆର୍ତ୍ତ ଧନ ବା ଅନ୍ନ ମାଗିବାକୁ ଯାଇ ଖୋସାମଦ କରେ, ‘ହେ ଭଗବାନ, ମୁଁ ଛାର ଆପଣଙ୍କ ଗୁଣ କି ବର୍ଣ୍ଣନା କରିବି ! ସ୍ୱୟଂ ଗଣେଶ ମନ୍ଦିର ପର୍ବତକୁ କଲମ କରି, ମହାସମୁଦ୍ରମାନଙ୍କୁ କାଳି କରି ଅନନ୍ତକାଳ ପର୍ଯ୍ୟନ୍ତ ଚାରିହାତରେ ଲେଖିଚାଲିଲେବି ଆପଣଙ୍କର ଗୁଣାବଳୀର କାଣିଚାଏ ସୁଦ୍ଧା ବର୍ଣ୍ଣନା କରିପାରିବେ ନାହିଁ,’–ସେତେବେଳେ ଯଦି ସତେ ସେ ଏଥିରେ ବିଶ୍ୱାସ ନ କରେ ତେବେ କିଛି ଅଯଥା ଯମକ, ଚାତୁରୀ, ଅଳଙ୍କାର, ଉପମା ଇତ୍ୟାଦି ସୃଷ୍ଟି କରିବ ସିନା ପ୍ରକୃତ ସାହିତ୍ୟ ସୃଷ୍ଟି କରିବ ନାହିଁ; ଅତଏବ ଫଳ ନଦାରତ । ଆଉ ସେମିତି ଦହନ ନଥିଲେ ଆର୍ତ୍ତବି ହୋଇପାରିବ ନାହିଁ, ବିଶ୍ୱାସବି ଜନ୍ମିବ ନାହିଁ; ତେଣୁ ସାହିତ୍ୟ ବାହାରିବ ନାହିଁ । ଭିତରେ ଯଦି ଦହନ ନାହିଁ ତେବେ କଥାକୁ କଥା, ଶବ୍ଦକୁ ଶବ୍ଦ ଯୋଖି ଟିକିଏ ଇନ୍ଦ୍ରିୟସୁଖ ଦେବ ସିନା, ମର୍ମ ଭେଦ କରିବ ନାହିଁ; ତେଣୁ ସାହିତ୍ୟ ହେବ ନାହିଁ, ଫାଜିଲାମି ହେବ–ଯେମିତି-‘‘ରୀତା ! ତୁମର ଆଖିର ଅରଣ୍ୟର ଉପକୂଳରେ ଅନେକ ଅନେକ ବସନ୍ତର କାକଳି ଢେଉ ଭାଙ୍ଗୁଚି ସତେ’’–ଏମିତି । ଅତଏବ ମାଲିକର ଯେଉଁ ପ୍ରଶସ୍ତି ଗାଇବ, ତା’ର ସେ ଗୁଣ ଥିବା ନଥିବା କଥା ବିଚାର କରିବାକୁ ବସିବ ନାହିଁ; ଆର୍ତ୍ତମନରୁ ଯାହା ବାହାରିବ ତାହାହିଁ ସାହିତ୍ୟ, ତାହାହିଁ ସତ୍ୟ । ଯଥାର୍ଥ ଆର୍ତ୍ତଭାବରେ ଫଳ ମାଗୁ ମାଗୁ ଯଦି ଫଳ ପାଇଗଲେ, ତେବେ ଅନ୍ୟପାଇଁ ଫଳ ମାଗିବାକୁ ମନ ବଳିବ; ତେଣୁ କ୍ରମେ କ୍ରମେ ମନ ବ୍ୟାପ୍ତି ଲାଭ କରିବ । ଏଇପରି କ୍ରମେ ମାଲିକର ଗୁଣରେ ଆପଣ ମୁଗ୍‌ଧ ହେବେ ଏବଂ ତା’ପରେ ମଦ ଏତେ ବ୍ୟାପ୍ତି ଲାଭ କରିବ ଯେ ଆଉ କିଛି ମାଗିବେ ନାହିଁ, ମାଲିକ କଥା ମନେପଡ଼ିବାମାତ୍ରକେ ଅକାରଣରେ ଆନନ୍ଦ ପାଇବେ । କିନ୍ତୁ ପ୍ରଥମ ସ୍ତର ହେଉଛି ମାଲିକର ଗୁଣ ଅଛି ବୋଲି ବିଶ୍ୱାସ କରି ଯଥାର୍ଥ ଆର୍ତ୍ତଭାବରେ ଖୋସାମଦ କରିବାକୁ ପଡ଼ିବ ।

 

ଏହିପରି ଆର୍ତ୍ତଭାବରେ ଡାକି ଗଜଠୁଁ ଆରମ୍ଭ କରି ଦ୍ରୌପଦୀ ପର୍ଯ୍ୟନ୍ତ ସମସ୍ତେ ଫଳ ପାଇଚନ୍ତି ବୋଲି କହୁଚନ୍ତି । ତାକୁ କପୋଳକଳ୍ପିତ କହି ଉଡ଼ାଇଦେଲେବି ଆମ ଆର୍ତ୍ତିଆ ମଦତି କଥା ତ ଅବିଶ୍ୱାସ କରିବେ ନାହିଁ ? ଆଖିରେ ଦେଖିବା କଥା ଆଜ୍ଞା, ଆର୍ତ୍ତିଆ ଥିଲା ଘୋର ମଦତି । ମଦ ପାଇଁ ସବୁ ଧନସମ୍ପତ୍ତି ବିକି ଛାରଖାର କଲା । ଦିନେ ପଇସା ଗୋଟିଏ ନାହିଁ ମଦ ପିଇବାକୁ । ବିଚାରା ରାସ୍ତାରେ ଯାଉଥାଏ କୃଷ୍ଣଙ୍କୁ ଡାକି ଡାକି–‘‘ହେ କୃଷ୍ଣ ! ଗୋଟିଏ ଟଙ୍କା ଯଦି ମିଳାଇଦଉ ତେବେ ତୋର ଅଧେ ମୋର ଅଧେ ।’’ ବିଚାରା ଭାରି ଆର୍ତ୍ତ ଭାବରେ ଡାକୁଥାଏ । ରାସ୍ତାରେ ଯାଉଁ ଯାଉଁ ହଠାତ୍‌ ସାମ୍ନାରେ ଗୋଟିଏ ଆଠଅଣି ଦେଖିଲା । ଆନନ୍ଦରେ ଗୋଟାଇ ନେଇ ବିଷଣ୍ଣଭାବରେ ଉପରକୁ ଚାହିଁ କହିଲା, ‘‘କାଳିଆ, ମୋତେ ବିଶ୍ୱାସ କଲୁ ନାହିଁ; ତୋ ଭାଗ କାଟି ରଖିନେଲୁ ! ତୁ ଠକ ବୋଲି କ’ଣ ସମସ୍ତେ ଠକ ? ହଉ !’’

 

ଅଳଂ ଅତି ବିସ୍ତାରେଣ । ଅସଲ ଖୋସାମଦିଆ ଖୋସାମଦି କଳା ଓ ବିଜ୍ଞାନ । ଯେଡ଼େ କଠିନ ଓ ସୂକ୍ଷ୍ମ ହେଉନା କାହିଁକି, ‘ଠିକେ ଏଥି ମର୍ମ ଜାଣିପାରିବଟି ସେହୁ ।’

Image

 

ଯାଦୁକରର ଖେଳ

 

ସଂବାଦ-୨-୩-୧୯୬୭ । ଗତକାଲି ଅପରାହ୍ନରେ କଟକ ସହରରେ ଜଣେ ଯାଦୁକର ଯାଦୁଖେଳ ପ୍ରଦର୍ଶନ କରୁଥିବାବେଳେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଯାଇଥିଲା । ଯାଦୁକର ଗୋଟିଏ ଚାରିବର୍ଷର ଶିଶୁକୁ ଲୁଗାରେ ଘୋଡ଼ାଇ ଦେଇ ଶୁଆଇ ପକାଇ କେଉଁଆଡ଼େ ଉଡ଼ାଇଦେଲା । ପରେ ଦର୍ଶକମାନଙ୍କ ଘନ ଘନ କରତାଳି ମଧ୍ୟରେ ଯାଦୁକର ଶିଶୁଟିକୁ ଫେରାଇ ଆଣିବାକୁ ଅକ୍ଳାନ୍ତ ଉଦ୍ୟମ ଚଳାଇ ବିଫଳ ହେଲା । ଅନ୍ୟ ଜଣେ ତା’ଠାରୁ ଓସ୍ତାଦ୍‌ ଯାଦୁକର ଶିଶୁଟିକୁ ମନ୍ତ୍ରବଳରେ ଗଛ ଉପରେ ଅଟକାଇ ରଖିବା ଫଳରେ ଏପରି ଘଟିଚି ବୋଲି କହି ଯାଦୁକରଟି ଅନେକକ୍ଷଣଧରି ମନ୍ତ୍ରପାଠ କରି ଶିଶୁଟିକୁ ଉଦ୍ଧାର କଲା । ଏ ଘଟଣା ସେଠାରେ ରୁଣ୍ଡ ହୋଇଥିବା ଦର୍ଶକଙ୍କ ମଧ୍ୟରେ ବିଶେଷ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

 

ବନ୍ଧୁ ଏ ସମ୍ବାଦଟି ପଢ଼ି ମୋତେ ଶୁଣାଇ ଦେଇ ମନ୍ତବ୍ୟ କଲେ, ‘ଭାଇ, ଯାହା କହନା ପଛକେ (ମୁଁ ଅବଶ୍ୟ କିଛି କହି ନଥିଲି) ମନ୍ତ୍ରର ଶକ୍ତି ଅଛି ବୋଲି ତୁମକୁ ମାନିବାକୁ ପଡ଼ିବ । (ଏମିତି ‘ମାନିବାକୁ ପଡ଼ିବ’ କହିଲେ ମୋତେ ଭାରି ଚିଡ଼ିମାଡ଼େ–ସିଏ ଯିଏ କହୁନା କାହିଁକି । କିଛି ନବୁଝି ନଶୁଝି କାହାରି କଥା ମାନିବାକୁ ମୋତେ ବାପା ଶିଖାଇ ନାହାନ୍ତି ।)

 

ମନ୍ତ୍ରର ଶକ୍ତି ଥାଉ ବା ନଥାଉ, ଏହା ଯେ ଗୋଟିଏ ଉତ୍କୃଷ୍ଟ କଳା ଏବଂ ଯାଦୁକର ଯେ ଜଣେ ଦକ୍ଷ କଳାକାର ଏହା ଆପଣଙ୍କୁ ମାନିବାକୁ ପଡ଼ିବ । ‘କଳା କ’ଣ’ ଏ ବିଷୟରେ ମୋର ଓ ଝଙ୍କାରର ସମ୍ପାଦକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ତର୍କ ଚାଲିଚି ଏବଂ କୌଣସି ସମାଧାନରେ ଆମେ ପହଞ୍ଚି ପାରିନାହୁଁ । ତାଙ୍କ ମତରେ କଳା ବିଚାର କରିବାକୁ ହେଲେ ଖାଲି ପ୍ରକାଶରେ ଦକ୍ଷତା ଦେଖିଲେ ଚଳିବ ନାହିଁ, ପ୍ରକାଶକ କେତେ ଗଭୀରକୁ ଯାଇଚି ତାହା ମଧ୍ୟ ଦେଖିବାକୁ ହେବ । ଅର୍ଥାତ୍‌ ଅନୁଭୂତିର ଗଭୀରତା ଏବଂ ପ୍ରକାଶରେ ଦକ୍ଷତା ଦୁହେଁ ମିଶି କଳା ଏବଂ ଯାହାର ଅନୁଭୂତି ଯେତେ ବେଶି ସିଏ ସେତେ ବଡ଼ କଳାକାର । ମୋ ମତରେ ପ୍ରକାଶକର ଅନୁଭୂତିର ଗଭୀରତା ଅବାନ୍ତର । ଯିଏ ଯେତେ ଗଭୀରକୁ ଯାଇଥାଉନା କାହିଁକି, ପ୍ରକାଶରେ ଦକ୍ଷତାଦ୍ୱାରା ସିଏ ଯଦି ଦର୍ଶକ ବା ପାଠକକୁ ସେଇ ଗଭୀରତାକୁ ନେଇଯାଇପାରେ ତେବେ ନିଚ୍ଛକ କଳାଦୃଷ୍ଟିରୁ ତାହା ଉତ୍କୃଷ୍ଟ କଳା ।

 

ସେ କଥା ଥାଉ । ବର୍ତ୍ତମାନ ଯାଦୁଖେଳ ବିଷୟରେ କୁହାଯାଉ । କଥାଟାକୁ ଛତାବେଣ୍ଟିଆ କରି ଲାଭ କ’ଣ କହିପାରିବେ ? ମୁଁ ନିଜେ ଦେଖିଥିବା ଏବଂ Storia Mogoria (Stories of Mughal Court by Maneccl) ରେ ପଢ଼ଥିବା ଦୁଇଟି ଅତି ଉତ୍କୃଷ୍ଟ ଯାଦୁଖେଳ କଥା କହିବି ।

 

ଦେଖିଥିବା ଖେଳଟି ଏହିପରି । ପଇଁତିରିଶବର୍ଷ ଆଗର କଥା । ମୁଁ ସେତେବେଳେ କଲେଜରେ ପଢ଼ୁଥିଲି । କଲେଜରୁ ଫେରିବାବେଳେ ଦେଖିଲି ଗୌରୀଶଙ୍କର ପାର୍କ ପାଖରେ ଗୋଟିଏ ଯାଦୁକର ତା’ର କୌଶଳ ଦେଖାଉଚି । ଆଜି ପର୍ଯ୍ୟନ୍ତବି ମୁଁ ସେମାନଙ୍କର ବାକ୍‌ଚାତୁରୀରେ ମୁଗ୍‌ଧ ହୋଇଯାଏ । ସେମାନଙ୍କର କଥା କହିବାର ଭଙ୍ଗୀ, ଭାଷା, ପରିହାସ ମୋତେ ଭାରି ଆକୃଷ୍ଟ କରେ । ମୋ ମତରେ ସେମାନେ ଗୋଟିଏ ଗୋଟିଏ ଉତ୍କୃଷ୍ଟ କଳାକାର । ଠକନ୍ତୁ ନା ପଛକେ, ସେ ଠକିବାରେ ମଧ୍ୟ ଆନନ୍ଦ ଅଛି । କହିବାକୁ ଗଲେ ସବୁ ତ ଠକାମି, ଏ ସାହିତ୍ୟ ମଧ୍ୟ । ସବୁ ଛଳନା । ମୋ ବଡ଼ଭାଇ ଥରେ ମୋ ଉପରେ ରାଗିଯାଇ କହିଲେ, ‘ଆରେ ଯା-ଯାଃ, ସାହିତ୍ୟିକ ବୋଲାଉଚି ! ତୁଚ୍ଛା ମିଛ କଥାଗୁଡ଼ାକ ଲେଖି ସାହିତ୍ୟିକ । ‘ମୋ ସାହିତ୍ୟକୁ ଏପରି ନିନ୍ଦା କରିବାରୁ ମୋତେ ଭାରି ବାଧିଥିଲା; କିନ୍ତୁ ପରେ ଭାବିଲି କଥାଟା ତ ଏକଦମ୍‌ବାଜେ କଥା ନୁହେଁ ! ନିଜ ଅଭିଜ୍ଞତାରୁ ଆପଣ ନିଶ୍ଚୟ ଜାଣିଥିବେ ଯେ ଯିଏ ଯେତେ ଛଳନା କରେ, ସେ ଦେଶ ହେଉ ବା ବ୍ୟକ୍ତି ହେଉ, ସିଏ ସେତେ ସ୍ଥିର ଏବଂ ତା’ର କଥା ସେତେ ଯୁକ୍ତିପୂର୍ଣ୍ଣ । ଛଳନା ଯାହାର ଯେତେ କମ୍‌ ସିଏ ସେତିକି ପାଗଳା, ହାଉଡ଼ା, ଅଖାଡ଼ୁଆ, କୁଖ୍ୟାତି ଅର୍ଜନ କରେ; କିନ୍ତୁ ଏ କଥାବି ଠିକ୍‌ ଯେ ଖାଣ୍ଟି ଇସ୍ପାତ୍‌ ବା ଖାଣ୍ଟି ସୁନାରେ କିଛି ତିଆରି ହୋଇପାରିବ ନାହିଁ, ସେଥିରେ ଟିକିଏ ଖାଦ ମିଶାଇଲେ ଯାଇ କାମ ଦେବ, ସେମିତି ସବୁ କଥା ଖାଣ୍ଟି ହେଲେ ଦୁନିଆ ଚଳିବ ନାହିଁ ବା କିଛି କାମ କରାଇ ହେବ ନାହିଁ; ସେଥିରେ ଟିକିଏ ଛଳନା ମିଶାଇବାକୁ ହେବ । ତେବେ ଏଇଥିପାଇଁ କ’ଣ ସାଧୁ-ସନ୍ଥମାନେ ଲୋକମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ନେବାପାଇଁ ପ୍ରଥମେ କିଛି ଆଲୌକିକ କ୍ରିୟା ଦେଖାନ୍ତି, ମାନେ ଯାଦୁଖେଳ ଦେଖାନ୍ତି ?

 

ସେ କଥା ଥାଉ । ଯାଦୁକରଟି ନାନାପ୍ରକାର ଖେଳ, ଅବଶ୍ୟ ସବୁ ମାମୁଲି ଖେଳ, ଦେଖାଇ ଶେଷରେ ଗୋଟିଏ ସାତ ଆଠବର୍ଷର ପିଲାକୁ ଦର୍ଶକମାନଙ୍କ ଭିତରୁ ଡାକିଆଣି ତାକୁ ତା’ ନିଜ ମୁଣ୍ଡ ଉପରେ ହାତ ରଖିବାକୁ କହିଲା । ପିଲାଟି ସେହିପରି କଲାରୁ ଯାଦୁକର ତଳୁ କିଛି ଧୂଳି ଉଠାଇ ପିଲାଟିର ମୁଣ୍ଡ ଉପରେ ପକାଇ ମନ୍ତ୍ରପାଠ କଲା ଏବଂ ପିଲାଟିକୁ କହିଲା ହାତ ଉଠାଇବାକୁ । ପିଲାଟି ଯେତେ ଭିଡ଼ି ଓଟାରି ହେଲେବି ମୁଣ୍ଡରୁ ହାତଟି ଆଉ ନ ବାହାରେ । କାନ୍ଦି କାନ୍ଦି ସେ ଭୂଇଁରେ ଗଡ଼ିବାକୁ ଲାଗିଲା; କିନ୍ତୁ ହାତଟି ତାହାର ମୁଣ୍ଡରେ ସେମିତି ଲାଗିଥାଏ । ଦର୍ଶକମାନେ ଭାରି ବ୍ୟସ୍ତ ହୋଇପଡ଼ିଲେ ଏବଂ ଯାଦୁକରକୁ ଅନୁରୋଧ କଲେ ପାଲଟା ମନ୍ତ୍ର ପଢ଼ି ହାତଟି ଫିଟାଇଦେବାକୁ । ଯାଦୁକର କଥାମାନି ପାଲଟା ମନ୍ତ୍ର ପଢ଼ିବାପାଇଁ ବସିଲା ଧ୍ୟାନରେ; କିନ୍ତୁ କିଛିକ୍ଷଣ ପରେ ଦେଖାଗଲା ଯାଦୁକରର ମୁହଁରେ ଭୀଷଣ ଭୟ ଓ ଆତଙ୍କର ଚିହ୍ନ । ଆଖି ବିସ୍ଫାରିତ କରି ସେ ବଲବଲ କରି ଚାହିଁଲା ଚାରିଆଡ଼େ । କ’ଣ କହିବାକୁ ଚେଷ୍ଟା କରୁଥାଏ; କିନ୍ତୁ ପାଟି ଖନି ବାଜିଯାଉଥାଏ । ବହୁ ଚେଷ୍ଟା ପରେ ସେ ଯାହା କହିଲା ତା’ର ସାରମର୍ମ ହେଉଚି, ସେ ପାଲଟା ମନ୍ତ୍ର ଭୁଲିଯାଇଚି ଏବଂ ନିଶ୍ଚୟ ତା’ର ଗୁରୁ ସେ ମନ୍ତ୍ର ତା’ ମନରୁ କାଢ଼ିନେଇଚନ୍ତି । କାରଣ ସେ ବାରମ୍ବାର ମନାକରିଥିଲେ ସେ ମନ୍ତ୍ରର ଶକ୍ତି ଦେଖାଇ ପଇସା ରୋଜଗାର କରିବାକୁ । ଇୟାଡ଼େ ପିଲାଟି କାନ୍ଦି କାନ୍ଦି ଅନ୍ୟ ହାତଟିରେ ଯାଦୁକରର ଗୋଡ଼ ଧରି ହାତ ଫିଟାଇଦେବାକୁ କରୁଣଭାବରେ ମିନତୀ କରୁଥାଏ । ଦର୍ଶକମାନେ ବ୍ୟସ୍ତ ଚଞ୍ଚଳ ହୋଇଉଠିଲେ । ଦର୍ଶକମାନଙ୍କ ଭିତରୁ କେହିଜଣେ ରାଗିଯାଇ ପାଟି କରି ଉଠିଲା, ‘ଯାଦୁକରର ମୁଣ୍ଡ ଫଟାଅ ଆଗ’ । କିନ୍ତୁ ଯାଦୁକରର ଯୁକ୍ତି ଅକାଟ୍ୟ । ତାକୁ ମାରିଦେଲେ ଚିରକାଳ ପାଇଁ ପିଲାଟିର ହାତ ତା’ ମୁଣ୍ଡରେ ଲାଗିରହିଥିବ । ସମସ୍ତେ କିଂକର୍ତ୍ତବ୍ୟବିମୂଢ଼ଭାବରେ ନୀରବ ରହିଲେ । ଯାଦୁକର ତା’ର ଗୁରୁଦେବଙ୍କ ଫଟ ତଳେ ମୁଣ୍ଡିଆ ମାରି ହାତ ଯୋଡ଼ି ପ୍ରାର୍ଥନା କରିବାକୁ ଲାଗିଲା ପାଲଟା ମନ୍ତ୍ର ତା’ ମନକୁ ଫେରାଇଦେବାକୁ । ସେଇ ରାଗିଦର୍ଶକ ଜଣକ ଉପଦେଶ ଦେଲା, ‘‘ଭଲକରି ଡାକ୍‌ବେ ।’’

 

ଏହି ସମୟରେ ଜଟାଜୂଟଧାରୀ ବାଘାମ୍ବପରିହିତ ଜଣେ ସୌମ୍ୟ ବାବାଜୀ ପ୍ରାଙ୍ଗଣ ଭିତରକୁ ପ୍ରବେଶ କଲେ ହଠାତ୍‌, ଠିକ୍‌ ଯେମିତି ଶୂନ୍ୟରୁ । ଆସିବାମାତ୍ରେ ସେ ଗର୍ଜନ କରିବାକୁ ଲାଗିଲେ । ସେ ଗର୍ଜନରେ ଯାଦୁକର ଭୂମିଷ୍ଠ ହୋଇଥିବା ଅବସ୍ଥାରୁ କମ୍ପି କମ୍ପି ଉଠି ବାବାଜୀଙ୍କ ଗୋଡ଼ ଧରି କାନ୍ଦିବାକୁ ଲାଗିଲା ଓ ହାତ ଯୋଡ଼ି ପ୍ରାର୍ଥନା କରିବାକୁ ଲାଗିଲା, ‘‘ଗୁରୁଜୀ, ଏ ମର୍ତ୍ତବା ମୁଝେ ମାଫ୍‌କୀ ଜିଏ, ଫିର୍‌ କଭି ଏଇସି ନ କରୁଙ୍ଗା ।’’ ବାବାଜୀ ଗର୍ଜନ କରି କହିଲେ, ‘‘ତୁଝେ ହାମନେ କିୟାଥା ନା ଏ ଖେଲା ଦେଖାକେ ପୟ୍‌ସା ରୋଜଗାର ନ କରନା ବେଟା, ତୁମ୍‌ନେ ଗୁରୁବାକ୍ୟ ନ ମାନା; ଇସ୍‌ସେ ବଡ଼କର ପାପ୍‌ ଓଉର୍‌ କ୍ୟା ହୈୟ ?’’

 

ଏହା କହି ବାବାଜୀ ତଳୁ ଧୂଳି ଉଠାଇ ମନ୍ତ୍ର ପଢ଼ି ଯାଦୁକର ଉପରେ ପକାଇଦେଲେ । ଯାଦୁକର ସଙ୍ଗେ ସଙ୍ଗେ ତଳେ ପଡ଼ି ଗଡ଼ିବାକୁ ଲାଗିଲା ଭୀଷଣ ଯନ୍ତ୍ରଣାରେ ଏବଂ କିଛିକ୍ଷଣ ପରେ ତା ମୁହଁରୁ ବାହାରିଲା ଝଲକା ଝଲକା ରକ୍ତ । ଜନତା ସ୍ତବ୍‌ଧ ଭାବରେ କିଛିକ୍ଷଣ ରହି ବାବାଜୀଙ୍କୁ ଅନୁରୋଧ କଲେ ସେ ଥରକପାଇଁ ଯାଦୁକରକୁ କ୍ଷମା କରିଦେବାକୁ । ବାବାଜୀ ଅଟ୍ଟହାସ୍ୟ କଲେ କହିଲେ, ‘ଧିକ୍‌ ଆପଣମାନଙ୍କୁ’ ଆପଣମାନେ ପିଲାଟିର ଦୁର୍ଦ୍ଦଶା ୟା ଭିତରେ ଭୁଲିଯାଇ ବର୍ତ୍ତମାନ ଗୋଟାଏ ସଇତାନକୁ ବଞ୍ଚାଇବାକୁ ଅନୁରୋଧ କରୁଛନ୍ତି ! ‘ଜନତା ଲଜ୍ଜିତ ଭାବରେ ନୀରବରେ ଛିଡ଼ା ହୋଇ ରହିଲା । ଯାଦୁକରଟା ସେମିତି ଗଡ଼ୁଥାଏ ଏବଂ ମଝିରେ ମଝିରେ ରକ୍ତ ବାନ୍ତି କରୁଥାଏ । ଏହିପରି ଅବସ୍ଥାରେ ବାବାଜୀ ମନ୍ତ୍ର ପଢ଼ି ପିଲାଟିର ହାତ ମୁକୁଳାଇଦେଲେ ଏବଂ ନିଜ ଥଳିରୁ ରସଗୋଲା ବାହାର କରି ପିଲାଟିକୁ ଦେଇ ତାକୁ ଆଦର କରି କହିଲେ, ‘‘ଯା ବେଟା, ଭଗବାନ୍‌କୋ ଇୟାଦ୍‌ ରଖ୍‌ନା ବେଟା’’ ଭଗବାନଙ୍କୁ ଜୀବନଯାକ ଧ୍ୟାନ କରିବ ବୋଲି ମୁଣ୍ଡ ଟୁଙ୍ଗାରି ପ୍ରତିଶ୍ରୁତି ଦେଇ ପିଲାଟି ଦଉଡ଼ି ପଳାଇଲା ରସଗୋଲା ଖାଉ ଖାଉ ।

 

ଜନତା କିନ୍ତୁ ସେଥିରେ ଆଉ ଆଶ୍ଚର୍ଯ୍ୟ ହେବାର ଅବସ୍ଥାରେ ନଥିଲେ । ସେମାନେ ବର୍ତ୍ତମାନ ଯାଦୁକରର ଅବସ୍ଥାରେ ବ୍ୟଥିତ । ପୁଣି ସେମାନେ ମିନତୀ କଲେ ଯାଦୁକରକୁ ବଞ୍ଚାଇବା ପାଇଁ । ବାବାଜୀ କିନ୍ତୁ ଅବିଚଳିତ ଭାବରେ କହିଲେ–ନେହି, ଉସ୍‍କୋ ଐସି ତଡ଼ପ୍‌ ତଡ଼ପ୍‌ କର୍‌ ମରନେ ଦୋ । ଜନତା ଭିତରୁ ଜଣେ ପ୍ରାଙ୍ଗଣ ଭିତରକୁ ପଶି ଆସି ବାବାଜୀଙ୍କର ଗୋଡ଼ ଧରି ମିନତୀ କରିବାକୁ ଲାଗିଲା । ବାବାଜୀ ତରଳିଲେ । ତଳୁ ଧୂଳି ଉଠାଇ ମନ୍ତ୍ର ପଢ଼ି ପକାଇଦେଲେ ଯାଦୁକର ଉପରକୁ । ଯାଦୁକରର ଗଡ଼ିବା ହଠାତ୍‌ ବନ୍ଦ ହୋଇଗଲା; କିନ୍ତୁ ସେ ମଲାପରି ପଡ଼ିରହିଥାଏ, ମୁହଁରୁ ରକ୍ତ ବାହାରୁଥାଏ ।

 

ବାବାଜୀ କହିଲେ, ମୁଁ ମନ୍ତ୍ର ଶେଷ କରିନାହିଁ । ମୁଁ ଥାଏ ହିମାଳୟ ପର୍ବତର ତ୍ର୍ୟମ୍ବକକୂଟ ଗୂମ୍ଫା ଭିତରେ । ସେଠି ଅଛନ୍ତି ପାତାଳେଶ୍ୱର ଲିଙ୍ଗ । ନାଗରାଜ ଗୋକର୍ଣ୍ଣ ମଣିଚୂଡ଼ ଦିନରାତି ଫଣା ଟେକି ତାଙ୍କର ସେବା କରେ । ଉସ୍‌କୋ ସାତ୍‌ସାତ୍‌ଠୋ ଫଣା ହୈ, ହାଁ । ପାତାଳରୁ ଗଙ୍ଗାମାଈର ଗୋଟିଏ ଧାରା ତାଙ୍କ ଶିର୍‌ପର ପଡ଼ିଛି । ଜୟ ଗଙ୍ଗାମାଈକୀ...ବୋଲି ସବ୍‌ ଜୟ । ସେହି ଲିଙ୍ଗଙ୍କର ସେବା କରି ମୁଁ ସେଠି ତପସ୍ୟା କରେ । ସେଠିକି ଯିବା ସହଜ ନୁହେଁ । ବହୁ କଷ୍ଟ ସ୍ୱୀକାର କରି ଅକାଳେ ସକାଳେ ଯଦି କେହି ସେଠି ଯାଇ ପହଞ୍ଚେ ତେବେ ଲୋକର ହିତପାଇଁ କେତୁଟା ମନ୍ତ୍ର ତାକୁ ଶିଖାଇଦିଏ । ଆଉ ଗଙ୍ଗାମାଈର ପଙ୍କ ମନ୍ତ୍ରାଇ ଦିଏ । ସେଥିରେ ନା-ତାକତି, ବୁଖାର, ପିଲ୍ଲି; ଚେଚକ, ଘେଘ୍‌, ବାଓଆସିରି, ରାତଅନ୍ଧି, ପେଟ୍‌କୋ ମାର୍‌ତା ହୈ–ଉଠ୍‌ନେସେ ମାରେ ବୈଠଦେନସେ ବାପାଲୋ, ଶରମେ ଦରଦ୍‌ବିବିକୋ ହରଦମ୍‌ ଦିକ୍‌କରତା ଶର୍‌ ଦବାଦେନେକେ ଲିୟେ ଓଗେର୍‌ ଦୋଶୋ ପଚିଶ ପରକାର ରୋଗ ଭଲ ହୋଇଯାଏ । ସେହି ପଙ୍କରୁ ଦୂବ ଆଗରେ ବିନ୍ଦୂଏ ନେଇ ପାଣିରେ ମିଶାଇ ପାତାଳେଶ୍ୱରଙ୍କ ପାଖରେ ବିଶ୍ୱାସରଖି ପିଇଲେ ପଚାଶବର୍ଷର ପେଟମରା ରୋଗ ଭଲ ହୋଇଯାଏ । ଆଉ ସେଇ ପାଣି କପାଳରେ ଲଗାଇଲେ ଶର୍‌ ଦର୍‌ଦି ସାଙ୍ଗେ ସାଙ୍ଗେ ବନ୍ଦ ହୋଇଯାଏ । ଏ ଔଷଧ ବିକ୍ରି କରିବି ନାହିଁ । କେବଳ ସେହି ପାତାଳେଶ୍ୱରଙ୍କ ସେବାପୂଜା ପାଇଁ ପୁଡ଼ିଆକେ ଦୁଇଅଣା ଲେଖାଏଁ ଦେଲେ ଚଳିବ । ବୋଲୋ ସବ୍‌...ଗଙ୍ଗାମାଈକି–ଜୟ । (ଗଙ୍ଗାମାଈଙ୍କର ଜୟରେ ଜନତାର ବିପୁଳ ସମର୍ଥନାର୍ଥକ ‘ଜୟ’ ନିନାଦ ।)

 

ସମସ୍ତ ଜନତା ସେ ପଙ୍କ ନେବାକୁ ଧରାପରା ହେଲେ । ପାଞ୍ଚ ମିନିଟରେ ବାବାଜୀଙ୍କ ପାଖରେ ଥିବା ଦେଢ଼ଶ ପୁଡ଼ିଆ ଖତମ୍‌ । ଔଷଧ ନେଇ ସମସ୍ତେ ଚାଲିଗଲେ; ଯାଦୁକରର ଅବସ୍ଥା ଦେଖିବାକୁ କେହି ରହିଲେ ନାହିଁ ଦି’ଚାରି ଜଣ ଛଡ଼ା । ଏମାନେ ସେଇ ଶ୍ରେଣୀର ଲୋକ ବୋଧହୁଏ ଯେଉଁମାନେ ସବୁକଥାର ଶେଷ ଦେଖିବାପାଇଁ ବସିଥାଆନ୍ତି । ଗଳ୍ପର ନାୟକନାୟିକାର ମିଳନ ହୋଇ ଗଳ୍ପ ଶେଷ ହେବା ପରେ ପଚାରନ୍ତି–ତା’ପରେ କ’ଣ ହେଲା ? (ସେମାନେ ଜାଣନ୍ତି ନାହିଁ, କୌଣସି ଘଟଣାର ଆରମ୍ଭ ବା ଶେଷ ନାହିଁ । ଥିଲେବି ତାକୁ ମଣିଷ କେମିତି ଜାଣିପାରିବ । ଅନାଦି ଅନନ୍ତ ଘଟଣାପ୍ରବାହର ମଝିରୁ ଚେନାଏ ଦେଖି ଗୋଟାଏ ଯାହା କିଛି ଧାରଣା କରି ସନ୍ତୁଷ୍ଟ ରହୁ, ନା ଆଉ କ’ଣ କୁହନ୍ତୁ ?) ଏମାନଙ୍କ ପାଇଁ ଅଛିଣ୍ଡା ଗଳ୍ପ ଦରକାର, ଯେମିତି ଫେଣେ ଗୋଟିଏ ଚଢ଼େଇ ଉଡ଼ିଗଲା ଫୁର୍‌ର୍‌କରି.....ଫେଣେ ଫୁରର୍‌....ଫେଣେ...

 

ପାଠକେ ! ବର୍ତ୍ତମାନ ପଢ଼ିଥିବା ଯାଦୁଖେଳ କଥାଟି ଶୁଣନ୍ତୁ । ଆପଣମାନଙ୍କ ଭିତରୁ କେହି ଯଦି ଦୟାକରି ଏ ଅଧମ ଲେଖକର ‘‘ଚନ୍ଦ୍ର ଓ ଚମ୍ପା’’ ଉପନ୍ୟାସଟି ପଢ଼ିଥିବେ ତେବେ ଯାଦୁଖେଳର ବର୍ଣ୍ଣନା ପଢ଼ିଥିବେ । ଯଦି ସେ ଉପନ୍ୟାସଟି ପଢ଼ି ନଥାନ୍ତି ତେବେ ଖଣ୍ଡେ କିଣି ନେଇ ପଢ଼ନ୍ତୁ । ପ୍ରାପ୍ତିସ୍ଥାନ–ଓଡ଼ିଶାର ସବୁ ବହି ଦୋକାନ, ମୂଲ୍ୟ–ବନ୍ଧାଇ ସୁଲଭ ମୂଲ୍ୟରେ, ଅବନ୍ଧାଇ ଅତି ସୁଲଭ । ପୃଷ୍ଠା ୧୦ ରୁ ବେଶି ହେବ, ପ୍ରଚ୍ଛଦପଟ ସମସ୍ତ ସମାଲୋଚକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ । ଏପରି ଐତିହାସିକ ଦାର୍ଶନିକ ବୈଜ୍ଞାନିକ ଆଧ୍ୟାତ୍ମିକ ଉପନ୍ୟାସ ଓଡ଼ିଆରେ କାହିଁକି ଅନ୍ୟ କୌଣସି ଭାଷାରେ ଆଜି ପର୍ଯ୍ୟନ୍ତ ଲେଖା ହୋଇନାହିଁ ବୋଲି ଲୋକେ କୁହାକୁହି ହୁଅନ୍ତି । ଆଉ ହଁ, ଏଥିରେ ଭଲ ଭଲ ସୂକ୍ଷ୍ମ ମନସ୍ତାତ୍ତ୍ୱିକ ବିଶ୍ଳେଷଣବି ଅ : ଯଥା–ଆପଣ କାହିଁକି ଏକାକୀ ବସିଥିବାବେଳେ କାଗଜ ଟିକି ଟିକି କରି ଛିଣ୍ଡାନ୍ତି, କାହିଁକି ଶୋଇଲାବେଳେ ଗୋଟାଏ ଗୋଡ଼ ଟେକି ଶୁଅନ୍ତି । କାହିଁକି ଆପଣଙ୍କ ପିଠି ମଝିରେ ମଝିରେ ହଠାତ୍‌ ଅପହଞ୍ଚ ଜାଗାରେ କୁଣ୍ଡାଇ ହୁଏ, ଇତ୍ୟାଦି, ଇତ୍ୟାଦି ।

 

ମୋଗଲ ବାଦସାହ (ଆକବର କି ଜାହାଙ୍ଗୀର ମନେ ନାହିଁ) ଦରବାରରେ ବସିଚନ୍ତି । ମହା ମହା ଲୋକମାନେ ତାଙ୍କୁ ଘେରି ବସିଚନ୍ତି । ଏଇପରି ସମୟରେ ଜଣେ ଯାଦୁକର ପହଞ୍ଚିଲା ଖେଳ ଦେଖାଇବାକୁ । ସାଥିରେ ତାହାର ସୁନ୍ଦରୀ ଯୁବତୀ ସ୍ତ୍ରୀ ଚାମେଲୀ । ସାହାନସାହ ଅନୁମତି ଦେବାରୁ ଯାଦୁକର ଖେଳ ଦେଖାଇବାକୁ ଲାଗିଲା । ଖେଳ ଦେଖି ସମସ୍ତେ ସ୍ତମ୍ଭିତ, ଚମତ୍‌କୃତ । ଏହିପରି ସମୟରେ ବହୁଦୂରରୁ ଭାସିଆସିଲା ରଣବାଦ୍ୟ ଓ ରଣକୋଳାହଳର ଶବ୍ଦ । ମନେହେଲା ବହୁ ସୈନ୍ୟ ରଣବାଦ୍ୟ ବଜାଇ ମାଡ଼ିଆସୁଛନ୍ତି ଦରବାର ଆଡ଼େ । କ୍ରମେ କ୍ରମେ ସେ ଶବ୍ଦ ତୁମୁଳ ହେବାକୁ ଲାଗିଲା । ସାହନସାହ ସିଂହାସନରେ ଚଞ୍ଚଳ ହୋଇଉଠିଲେ । ସେନାପତିମାନେ ଛିଡ଼ା ହୋଇ ପଡ଼ିଲେ କୋଷରୁ ତରବାରି ବାହାର କରି ବାଦ୍‌ସାହଙ୍କ ଆଦେଶ ପ୍ରତୀକ୍ଷାରେ । ସୈନ୍ୟସାମନ୍ତମାନେ ମଧ୍ୟ ଯେ ଯାହା ସ୍ଥାନରେ ‘ସାବଧାନ’ ଅବସ୍ଥାରେ ଛିଡ଼ା ହୋଇ ରହିଲେ ଯେ ଯାହାର ସେନାପତିଙ୍କ ପରବର୍ତ୍ତୀ ଆଦେଶ ଅପେକ୍ଷାରେ । ସଭାରେ ଘୋର ଚାଞ୍ଚଲ୍ୟ, ଘୋର ଉଦ୍‌ବେଗ । ଯାଦୁକର କିଛିକ୍ଷଣ ସେ ଶବ୍ଦ ଆଡ଼େ କାନେଇ କହିଲା, ‘‘ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଇୟେ ଏଠିକା ଯୁଦ୍ଧବାଦ୍ୟ ନୁହ, ସ୍ୱର୍ଗର । ସ୍ୱର୍ଗରେ ଦେବତା ଓ ରାକ୍ଷସମାନଙ୍କ ଭିତରେ ପୁଣି ଯୁଦ୍ଧ ଲାଗିଗଲାଣି । ମୋତେ ବର୍ତ୍ତମାନ ସ୍ୱର୍ଗକୁ ଯିବାକୁ ହେବ, କାରଣ ମୋର ଜଣେ ରାକ୍ଷସବନ୍ଧୁ ତାଳଜଂଘକୁ କଥା ଦେଇଥିଲି ଯେ ସେ ବିପଦରେ ପଡ଼ିଲେ ମୁଁ ତାକୁ ସାହାଯ୍ୟ କରିବି । ସେ ଦିନେ ମୋତେ ମୃତ୍ୟୁମୁଖରୁ ବଞ୍ଚାଇଥିଲା । ସାହନସାହ୍‌, ମୁଁ ଅତ୍ୟନ୍ତ ଦୁଃଖିତ ଯେ ଏ ଖେଳ ମୋତେ ଏଇଠି ବନ୍ଦ କରିବାକୁ ପଡ଼ିଲା । ମୋର ଅନେକ ଆଶ୍ଚର୍ଯ୍ୟଜନକ ଖେଳ ଅଉର୍‌ଭି ଅଛି, ଦେଖାଇ ପାରିଲି ନାହିଁ; ତେବେ ମୁଁ ଆଶା କରୁଚି ଅଳ୍ପ ସମୟ ଭିତରେ ମୁଁ ସମସ୍ତ ଦେବତାମାନଙ୍କୁ ଖତମ୍‌କରି ଫେରିଆସି ବାକି ଖେଳତକ ଦେଖାଇବି । ସେତେବେଳ ପର୍ଯ୍ୟନ୍ତ ମୋର ଏଇ ପ୍ରାଣାଧିକା ଭାର୍ଯ୍ୟା ଚାମେଲୀକୁ ଖୋଦ୍‌ ସାହନସାହ୍‌ଙ୍କ ଜିମ୍ମାଦାରିରେ ରଖିଯାଉଚି ।’’ ସାହନସାହ୍‌ ମଧ୍ୟ ଆନନ୍ଦରେ ପ୍ରତିଶ୍ରୁତି ଦେଲେ–ହାଁ ହାଁ, ତୁମ୍‌ ମଜେମେ ହାମାରା ଜିମ୍ମେମେ ରଖକେ ବେଫକ୍ର ଯାଓ ଅଉର ହୁଆଁ ଯୁଦ୍ଧ ଫତେ କର୍‌ କ ଏକ୍‌ ଦୋ ମଇନା ଆରାମ କର୍‌କେ ଓ୍ୱାପସ୍‌ ଆନା, କୁଛ୍‌ ପରଓ୍ୱା ନେହିଁ । ସାହନସାହଙ୍କ ଏପରି ନିର୍ଭର ପ୍ରତିଶ୍ରୁତି ପାଇ ଯାଦୁକର ଗୋଟିଏ ଦଉଡ଼ି ବଣ୍ଡଲର ଶେଷ ଭାଗ ଉପରକୁ ଟେକି ଧରି ମନ୍ତ୍ର ପଢ଼ିବାକୁ ଲାଗିଲା । ଆଶ୍ଚର୍ଯ୍ୟ ହୋଇ ସମସ୍ତେ ଦେଖିଲେ ଦଉଡ଼ିର ଅଗଟି ପ୍ରଥମେ ଧୀରେ ଧୀରେ ଏବଂ ପରେ ଅତି ଦ୍ରୁତ ଗତିରେ ଆକାଶ ଉପରକୁ ଉଠୁଛି-। ଶେଷରେ ଦଉଡ଼ିର ଶେଷ ଦେଖାଗଲା ନାହିଁ । ଯାଦୁକର ସେ ଦଉଡ଼ି ବାହି ଉପରକୁ ଉଠିବାକୁ ଲାଗିଲା ଏବଂ ଅଳ୍ପ ସମୟ ପରେ ସେ ମଧ୍ୟ ଅଦୃଶ୍ୟ ହୋଇଗଲା ।

 

କିଛି ସମୟ ପରେ ଗୋଟିଏ ରକ୍ତାକ୍ତ କଟାହାତ ଦୁମ୍‌କରି ପଡ଼ିଲା ଭୂଇଁରେ । ଚାମେଲୀ ଦଉଡ଼ିଯାଇ ସେ ହାତକୁ ଧରି କାନ୍ଦିଉଠିଲା, ‘ହାୟ ହାୟ, ମେରି ପ୍ରାଣନାଥ ମରିଗିୟା ରେ ହାୟ ଭଗବାନ...ଏ ହାତ୍‌ ତୋ ମେରି କଲିଜାକ ରେ ହାୟ ଭଗବାନ !’ କିଛି ସମୟ ପରେ ପୁଣି ଆଉ ଗୋଟିଏ ହାତ ପଡ଼ିଲା ଏବଂ ପରେ ପରେ ଦୁଇଟି ଗୋଡ଼ ମଧ୍ୟ । ଶେଷରେ ଯେତେବେଳେ କଟା ମୁଣ୍ଡ ରକ୍ତାକ୍ତ ଅବସ୍ଥାରେ ପଡ଼ିଲା, କାହାରି ସନ୍ଦେହ ରହିଲା ନାହିଁ ଯେ ଯାଦୁକର ସେହି ଦେବାସୁର ଯୁଦ୍ଧରେ ନରଲୀଳା ଖତମ୍‌ କରିଚି । ରଣବାଦ୍ୟ ଓ କୋଳାହଳ ସେତେବେଳକୁ ବନ୍ଦ ହୋଇଯାଇଥାଏ । ଚାମେଲୀ କଟାମୁଣ୍ଡଟି କୋଳରେ ଧରି ଅନେକ କ୍ଷଣ ବାହୁନି କାନ୍ଦି ଶେଷରେ ଗୋଟିଏ ଗୀତ ଅତି କରୁଣ ସ୍ୱରରେ (ରାଗ ଜୟଜୟନ୍ତୀ) ସଭାରେ ଗାଇଲା–

 

ତୁମ୍‌ ଅବ୍‌ ଗୟା ପ୍ରାଣ୍‌ନାଥ୍‌

ମୁଝେ କୋଉନ୍‌ ଲା ଦେଗା ଚୂଡ଼ିଆ,

ମେରି ଗୋରେ ଗୋରେ ହାତ୍‌

ରହ୍‌ ଯାୟେଗି ଖାଲିୟା...।

 

ସମସ୍ତଙ୍କ ଆଖି ଛଳଛଳ, ସ୍ୱୟଂ ବାଦସାହ୍‌ ପଦିସାହ୍‌, ସାହନସାହ୍‌ ଫତେ ଜଙ୍ଗ୍‌ ଦିଲ୍ଲୀଶ୍ୱରୋବା ଜଗଦୀଶ୍ୱରୋବା ସିଂହାସନରୁ ଓହ୍ଲାଇ ଆସି ଚାମେଲୀକୁ ସାନ୍ତ୍ୱନା ଦେଇ କହିଲେ, କୁଛ୍‌ ପରଓ୍ୱା କରନା, ତୁମେ ମୋ ଅନ୍ତଃପୁରରେ ରହିଯାଅ । ଚାମେଲୀ ହାତ ଯୋଡ଼ି କହିଲା, ‘‘ସାହନସାହ୍‌ଙ୍କ ଅଶେଷ ଦୟା, କିନ୍ତୁ ତାହୋଇପାରେନା । ମୁଁ ହିନ୍ଦୁ ସତୀ ନାରୀ । ମୋର କର୍ତ୍ତବ୍ୟ ହେଉଚି ବର୍ତ୍ତମାନ ସତୀ ହେବା ଏବଂ ଆପଣଙ୍କ କର୍ତ୍ତବ୍ୟ ହେଉଚି ମୋତେ ମୋ ଧର୍ମପାଳନରେ ସାହାଯ୍ୟ କରିବା । ଧର୍ମଠାରୁ ବଡ଼ କିଛି ନାହିଁ ଏବଂ ହିନ୍ଦୁନାରୀର ସତୀତ୍ୱଠୁ ବଳି କିଛି ନାହିଁ । ଆପଣ ଦୀନଦୁନିଆର ମାଲିକ, ଅତଏବ ଆପଣ ବର୍ତ୍ତମାନ ଚିତା ପ୍ରସ୍ତୁତ କରାନ୍ତୁ । ମୁଁ ପ୍ରାଣନାଥଙ୍କୁ ସ୍ମରଣ କରୁ କରୁ ଚିତାରେ ପ୍ରବେଶ କରି ଭସ୍ମଭୂତ ହେବି ।’’

 

ଅନେକେ ଚାମେଲୀକୁ ଏଥିରୁ ନିବର୍ତ୍ତାଇବାକୁ ନାନା କଥା କହିଲେ । ସ୍ୱୟଂ ବାଦସାହ୍‌ ବୁଝାଇଲେ । ଏତେ ସୁନ୍ଦରୀ ଯୁବତୀ ନାରୀକୁ ଏ ଦୁନିଆରୁ ଛାଡ଼ିଦେବା ଠିକ୍‌ ହେବ ନାହିଁ, ଦୁନିଆର ଘୋର କ୍ଷତି ହେବ । ଅସୁନ୍ଦରୀ ବା ବୁଢ଼ୀ ହୋଇଥିଲେ କାହାରି କିଛି ଆପତ୍ତି କରିବାର ନଥିଲା; କିନ୍ତୁ ଚାମେଲୀ ତା’ର ସଂକଳ୍ପରେ ଅଟଳ । ଅଗତ୍ୟା ଚିତା ପ୍ରସ୍ତୁତ ହେଲା ଏବଂ ନିଆଁ ଯେତେବେଳେ ଦାଉ ଦାଉ ଜଳିଉଠିଲା ଚାମେଲୀ ସ୍ୱାମୀକୁ ସ୍ମରଣ କରୁ କରୁ ଓ ଗୀତ ଗାଉ ଗାଉ (ପ୍ରଥମରେ ଯେଉଁ ଗୀତ ଗାଇଥିଲା ତାହାର କିଛି ଅଂଶ ବାକି ଥିଲା, ସେଇ ବାକି ଅଂଶତକ ଗାଉ ଗାଉ) ଚିତାକୁ ତିନିଥର ପ୍ରଦକ୍ଷିତ କରି ଚିତାରେ ଝାସଦେଲା ଏବଂ ସମସ୍ତେ ସ୍ତମ୍ଭିତ ହୋଇ ଦେଖିଲେ ଅଳ୍ପ ସମୟ ପରେ ତା’ର କଳେବର ପରିଣତ ହେଲା ଭସ୍ମରେ, ଯାହା ଦିନେ ସମସ୍ତଙ୍କର ହୁଏ ଏବଂ ଯେଉଁ ଭସ୍ମର ମୂଲ୍ୟ ଆଧୁନିକ ବୈଜ୍ଞାନିକମାନେ ସ୍ଥିର କରିଛନ୍ତି ୭୮ ପଇସା ମାତ୍ର । ଚିତାକୁ ତା’ପରେ ଲିଭାଇଦିଆଗଲା ।

 

କିନ୍ତୁ ଏହାର ଅଳ୍ପ ସମୟ ପରେ ସମସ୍ତେ ଆଶ୍ଚର୍ଯ୍ୟ-ବିସ୍ଫାରିତ ନୟନରେ ଦେଖିଲେ ଯାଦୁକର ଦଉଡ଼ି ବାହି ଓହ୍ଲାଉଅଛି । ଭୂମିରେ ପାଦ ଦେଇ ସେ ଦୌଡ଼ି ଆସି ବାଦସାହଙ୍କୁ ପ୍ରଣାମ କରି କହିଲା, ‘‘ସାହନସାହ, ରାକ୍ଷସମାନେ ଯୁଦ୍ଧରେ ଜିଣିଲେ ଏଥର । ମୁଁ ନିଜେ ବହୁତ ଦେବତା ମାରିଲି । ଏଇ ଦେଖନ୍ତୁ ତାଳଜଂଘ ମୋତେ ଗୋଟିଏ ସୁନାର ପଦକ ଓ ଏଇ ତରବାରି ଉପହାର ଦେଇଚି । ଦେବତାମାନେ ଆଉ ଏଥର ଗୋଳମାଳ କରିପାରିବେ ନାହିଁ, ମଉଜ-ମଜଲିସରେ ଆପଣ ଆଉ ଆମେ ସମସ୍ତେ ଦିନ କାଟିବା ଏଥର । ବର୍ତ୍ତମାନ ମୁଁ ମୋର ବାକି ଖେଳତକ ଦେଖାଇ ବିଦାୟ ନେବାକୁ ଅନୁମତି ଦେବା ହେଉ ।’’ ସାହନସାହ୍‌ ଓ ଅନ୍ୟ ସମସ୍ତେ ନୀରବ ରହିଲେ । ସମସ୍ତଙ୍କ ମୁହଁ ଶୁଖିଲା । କ’ଣ ଗୋଟାଏ ଘଟିଯାଇଚି ଇତିମଧ୍ୟରେ ସନ୍ଦେହ କରି ଯାଦୁକର ଚାରିଆଡ଼େ ଚାହିଁ ଦେଖିଲା ଚାମେଲୀ ନାହିଁ । ଅଧୀର ଭାବରେ ସେ ସାହନସାହଙ୍କ ଗୋଡ଼ ଧରି କାନ୍ଦି କାନ୍ଦି ପଚାରିଲା, ହମାରା କଲିଜା, ହମାରୀ ଜିନ୍ଦ୍‍ଗୀ, ହମାରା ଜିଗ୍ର ଚାମେଲୀ କହାଁ ହୈ ? ଜାହାଁପନା !

 

କେହି କିନ୍ତୁ ଏ ପ୍ରଶ୍ନର ଉତ୍ତର ଦେବାକୁ ସାହସ କଲେ ନାହିଁ, ସ୍ୱୟଂ ଦିଲ୍ଲୀଶ୍ୱରୋବା ଜଗଦୀଶ୍ୱରୋବା ମଧ୍ୟ ନୁହ । କାହାରି ପାଖରୁ କିଛି ଉତ୍ତର ନ ପାଇ ଯାଦୁକର ଅତି କରୁଣ ସ୍ୱରରେ ମୁଲତାନ୍‌ ରାଗରେ (ରେ, ଗ, ଧା,–କୋମଲ, ମା–କଡ଼ି) ଗୋଟିଏ ଗଜଲ ଗାଇବାକୁ ଲାଗିଲା–‘‘ଇୟେ କ୍ୟା ହୁଆ ଭଗବାନ୍‌, ମେରେ ସିର୍‌ ଗିର୍‌ପଡ଼େ ଆସମାନ୍‌ । କେହି ଅଶ୍ରୁ ସମ୍ବରଣ କରିପାରିଲେ ନାହିଁ, ସାହନସାହବି । ସାହନସାହ ଯାଦୁକରର ହାତ ଧରି କ୍ଷମା ମାଗି ସବୁ କଥା ଫିଟାଇ କହିଲେ ଏବଂ କହିଲେ, ‘‘ତାଙ୍କରି ନିର୍ବୋଧତାରୁ ଯାଦୁକର ଏପରି ଗୋଟିଏ ସୁନ୍ଦରୀ ସ୍ତ୍ରୀ ହରାଇଲା ।’’ ସଭାସ୍ଥ ପ୍ରତ୍ୟେକେ ଅବଶ୍ୟ ସେ ନିର୍ବୋଧତା ନିଜର ବୋଲି ଦାବି କଲେ, ଏପରିକି ସେ ଦାବି ସାହନସାହଙ୍କ ପାଖରେ ପହଞ୍ଚାଇବାକୁ ଗୋଟାଏ ପ୍ରତିଯୋଗିତା ଆରମ୍ଭ ହୋଇଗଲା; କିନ୍ତୁ ସାହନସାହ ଅଟଳ ରହି କହିଲେ, ନା, ସେ ନିର୍ବୋଧତା ତାଙ୍କର ।

 

ଯାଦୁକର ଆଖି ପୋଛି ସାହନସାହଙ୍କ ଗୋଡ଼ତଳେ ପଡ଼ି କହିଲା, ‘‘ସାହନସାହ ଯେତେବେଳେ ତାଙ୍କ ଭୁଲ ବୁଝିପାରିଲେଣି ଚାମେଲୀ ପରି ହଜାର ହଜାର ପ୍ରିୟତମା ଗଲେବି କୁଛ୍‌ ପରଓ୍ୱା ନହିଁ । କିନ୍ତୁ ମୋ ସ୍ତ୍ରୀକୁ ମୁଁ ଫେରାଇଆଣିବି ମନ୍ତ୍ରବଳରେ । ଆମ ଶାସ୍ତ୍ର କହେ, ଆତ୍ମା ଅମର ହୈ, ଆରେ କୋଉନ ମର୍‌ତା ? କୋଇ ନହି । ଯୋ ଆତା ହୈ–ଓହ ଯାତା ହୈ । ଔର ଯୋ ଯାତା ହୈ–ଓହ ଭି ଆତା ହୈ... । ଏଇ ଦେଖନ୍ତୁ ସାହନସାହ, ମୋ ମନ୍ତ୍ରର କରାମତି ।’’ ଏହା କହି ସେ ଚିତା ଆଡ଼କୁ ଚାହିଁ ମନ୍ତ୍ରପାଠ କରି ଡାକିଲା, ‘‘ଆ ଯା ମେରେ ଚାମେଲୀ...ଆ ଯା ।’’ ତିନିଥର ଡାକିବା ପରେ ଚାମେଲୀ ଚିତାଭିତରୁ ନିଦରୁ ଉଠିବାଭଳି ଆଖି ମଳୁ ମଳୁ ଉଠିଆସିଲା । ପିନ୍ଧିଥାଏ ଅତି ସୁନ୍ଦର ପୋଷାକ ଏବଂ ଦୁଇହାତରେ ଧରିଥାଏ ଦିବ୍ୟ ଫୁଲମାଳଟିଏ । ସାହନ୍‌ସାହ ଫୁଲମାଳ ପାଇଁ ନିଜ ବେକ ବଢ଼ାଇଦେଲେ । କିନ୍ତୁ ହସି ହସି ଆସି ସେ ଯାଦୁକରର ବେକରେ ଫୁଲମାଳ ଲମ୍ବାଇଦେଲା ଏବଂ ଦୁହେଁ ସାହନ୍‌ସାହଙ୍କୁ ପ୍ରଣାମ କଲେ । ସାହନ୍‌ସାହ ‘ଶୋଭାନାଲ୍ଲାହ୍‌’ କହି ନିଜ ଗଳାରୁ ମୁକ୍ତିମାଳା ବାହାର କରି ଚାମେଲୀ ବେକରେ ଲମ୍ବାଇ ଦେଲେ ।

 

ବନ୍ଧୁ ଶୁଣି କହିଲେ, ‘‘ବାଃ, କି ଚମତ୍କାର ଯାଦୁକର ଦି’ଜଣ ! ଆଚ୍ଛା, ଯାଦୁକର ଯେତେବେଳେ ଆମ ଦେହର ଯେଉଁଠି ଇଚ୍ଛା ସେଠି ହାତ ମାରି ଟଙ୍କା ବାହାର କରେ ବା ନାନା ଅଦ୍ଭୁତ ଖେଳ ଦେଖାଏ, ଆମେ ଆନନ୍ଦ ପାଉ ସତ; କିନ୍ତୁ ସବୁ କଥା ଅଳୀକ, ମିଥ୍ୟା ବୋଲି ଭାବୁ, ବା ଭାବୁ ଯାଦୁକର ଆମ ଆଖିକୁ ବନ୍ଧନ କରିଦେଇଥିବାରୁ ତା’ର ଯେମିତି ଇଚ୍ଛା ଆମକୁ ସେମିତି ଦେଖାଉଚି । ତା ହେଲେ ଏଥିରୁ ପ୍ରମାଣ ହେଉଚି ଯଦି ସର୍ବଶ୍ରେଷ୍ଠ ଯାଦୁକରକୁ ଆମେ ଉପଲବ୍ଧି କରିପାରନ୍ତୁ, ତେବେ ଏ ସଂସାରର ସବୁ ଦୁଃଖସୁଖ ଆମକୁ ମିଥ୍ୟା ବୋଲି ଲାଗନ୍ତା ଏବଂ ସବୁଥିରେ ଆମେ ଆନନ୍ଦ ପାଆନ୍ତୁ ନାହିଁ କି ?’’

 

କହିଲି, ‘‘କଥାଟା ସତ ଯେ, କିନ୍ତୁ ସେ ଯାଦୁକରର ଅସ୍ତିତ୍ୱ କେବଳ ବୁଦ୍ଧି ସାହାଯ୍ୟରେ ଜାଣିଲେ ତ ସେ ଆନନ୍ଦ ମିଳିବ ନାହିଁ । ସମସ୍ତ ଦେହ, ମନ, ପ୍ରାଣ, ଇନ୍ଦ୍ରିୟ ସାହାଯ୍ୟରେ ଜାଣିବାକୁ ହେବ । ସେଇଠି ତ ସବୁ ଅଡ଼ୁଆ, କଷ୍ଟ କଥା । ସମସ୍ତ ଦେହକୁ ସେଇ ଉପଲବ୍ଧି ପାଇଁ ପ୍ରସ୍ତୁତ କରି ନ ରଖିଲେ ଯେ ଫାଟି ଛତରଛାଉଳ ହୋଇଯିବ ।’’

 

ବନ୍ଧୁ ନୀରବ ରହିଲେ । ଆଖି ଛଳଛଳ ହୋଇଗଲା । ଆଖି ପୋଛି ସେ କହିଲେ, ‘‘ତୁମେ ଦେଖିଥିବା ଓ ପଢ଼ିଥିବା ଦୁଇଟି ଯାଦୁଖେଳ କଥା କହିଲ । ମୁଁ ମୋ ନିଜ ଅଙ୍ଗରେ ଲିଭାଇଥିବା ଗୋଟିଏ ଯାଦୁଖେଳ କଥା କହୁଚି ଶୁଣ ମାତ୍ର ପଅରଦିନ ଘଟଣା । କଚେରୀରୁ ଫେରି କ୍ଳାନ୍ତ ଲାଗୁଥାଏ । ଖାଇବା ପିଇବା ତ ନାହିଁ କହିଲେ ଚଳେ, ସେଥିରେ ପୁଣି ଅକ୍ଳାନ୍ତ ପରିଶ୍ରମ । ଗୃହିଣୀ ତ ଆଉ ଆଉ ଖର୍ଚ୍ଚମାନ ସମ୍ଭାଳି ନପାରି କାଟୁଚନ୍ତି ଖାଇବା ଖର୍ଚ୍ଚକୁ । ଭାରି ଦୁର୍ବଳ ହୋଇପଡ଼ିଥାଏ । ଲୁଗାପଟା ଛାଡ଼ୁ ଛାଡ଼ୁ ମୁଣ୍ଡଟା କିପରି ବୁଲାଇଦେଲା । କୌଣସିମତେ ଲୁଗାପଟା ଛାଡ଼ି ଖଟରେ ପଡ଼ିଗଲି । ସାଙ୍ଗେ ସାଙ୍ଗେ ବେଚେତା ହୋଇଗଲି । ଠିକ୍‌ ବେଚେତା ନୁହ, ଜ୍ଞାନ ଥାଏ-। ମୋତେ ଲାଗୁଥାଏ ଯେମିତି ମୋର ସବୁ ଇନ୍ଦ୍ରିୟ ଶିଥିଳ ହୋଇଗଲେ, ଆଉ ଯେମିତି ସେମାନଙ୍କ ଉପରେ ମୋର କୌଣସି କର୍ତ୍ତୃତ୍ୱ ନାହିଁ, ସେମାନେ ମୁକ୍ତ, ସ୍ୱାଧୀନ । ଏଇପରି ଅବସ୍ଥାରେ ପରିଷ୍କାର ଦେଖିଲି ଗୋଟିଏ ସୁନ୍ଦର କାନ୍ତି ମୂର୍ତ୍ତି–ଜୀବନ୍ତ ମୂର୍ତ୍ତି, ସ୍ତ୍ରୀ କି ପୁରୁଷ ଅବଶ୍ୟ ଚିହ୍ନି ପାରିଲି ନାହିଁ–ମୋ ଦେହରୁ ବାହାରି ମୋ ସାମ୍ନାରେ ଛିଡ଼ାହେଲା । ଆଶ୍ଚର୍ଯ୍ୟ ହୋଇ ପଚାରିଲି, କିଏ ?

 

–ମୁଁ କାମ । ତୁମ ଦେହରେ ରହି ମୋର ଆଉ ଲାଭ ନାହିଁ । ଭଗବାନ ମୋତେ ଯେଉଁ ସଦୁଦ୍ଦେଶ୍ୟରେ ସୃଷ୍ଟି କରିଥିଲେ ସେ ଉଦ୍ଦେଶ୍ୟ ସାଧନ କରିବାରେ ମୋତେ ନ ଲଗାଇ ତୁମେ ଲଗାଇଲ ତୁମର ଲାଳସା ଚରିତାର୍ଥ କରିବା କାମରେ । ସେଥିରେ ମୋର ତ ବଦ୍‌ନାମ, ମୋର ସୃଷ୍ଟି କର୍ତ୍ତାଙ୍କର ମଧ୍ୟ ବଦ୍‌ନାମ । ଅତଏବ ମୁଁ ତମ ଦେହ ଛାଡ଼ି ଯାଉଛି ।

 

ଏହିପରି କ୍ରୋଧ, ଲୋଭ, ହିଂସା ଆଦି ପ୍ରତ୍ୟେକେ ଗୋଟିଏ ସୁନ୍ଦର ମୂର୍ତ୍ତି ଧରି ମୋ ଦେହ ଛାଡ଼ି ବାହାରିଗଲେ । ଶେଷରେ ଗୋଟିଏ ଅତି ସୁନ୍ଦର ମୂର୍ତ୍ତି ମୋ ଦେହରୁ ବାହାରି ମୋ ସାମ୍ନାରେ ଛିଡ଼ାହେଲା ।

 

–କିଏ ?–ଅଧୀରଭାବରେ ପଚାରିଲି ।

 

–ମୁଁ ମନ ।

 

–ଆପଣ କାହିଁକି ମୋତେ ଛାଡ଼ି ଯାଉଛନ୍ତି ?

 

–ମୋର ଆଉ କାମ କ’ଣ ? ମୋର ସିନା ଇନ୍ଦ୍ରିୟମାନଙ୍କୁ ଚଳାଇବା କଥା, ସେଇଥିପାଇଁ ମୋର ସୃଷ୍ଟି; କିନ୍ତୁ ତୁମେ କଲ ଓଲଟା କାମ, ମୋତେ ଇନ୍ଦ୍ରିୟମାନଙ୍କଦ୍ୱାରା ଚଳାଇଲ-। ସେ ତ ଯା ହେଲା, କିନ୍ତୁ ବର୍ତ୍ତମାନ ଯେତେବେଳେ ଇନ୍ଦ୍ରିୟମାନେ ଗଲେଣି, ମୋର ଆଉ ରହି ଲାଭ କ’ଣ, କାମ ବା କ’ଣ ?

 

କି ଆଶ୍ଚର୍ଯ୍ୟ–ମୁଁ ଭାବୁଥାଏ–ତେବେ ‘ମନ’ ବିନା ମୁଁ କ’ଣ ପାଗଳ ହୋଇଯିବି ? ଛିଣ୍ଡା କନା ପିନ୍ଧା ମଇଳା ଘାଣ୍ଟି ଦାଣ୍ଡରେ ବୁଲିବି ? ମୋର ଏତେ କଷ୍ଟ ଅର୍ଜିତ ମାନ, ସମ୍ମାନ, ପ୍ରତିପତ୍ତି ସବୁ ଏକ ପରିହାସରେ ପରିଣତ ହେବ ?

 

ଦୂରରେ ଇନ୍ଦ୍ରିୟମାନେ ଛିଡ଼ାହୋଇ ମନକୁ ହାତ ଠାରି ଡାକୁଥାନ୍ତି ଗମ୍ଭୀରଭାବରେ । କିଏ ଯେମିତି ମୋତେ ଧକ୍‌କା ମାରି କହିଲା, ‘ଆରେ ଶୋଇଚୁ କ’ଣ ଜଡ଼ ? ଫେରାଇଆଣ ସେମାନଙ୍କୁ; ନ ହେଲେ ତୁ ବଞ୍ଚିବୁ କିପରି ?’

 

ମୁଁ ଭୟାର୍ତ୍ତଭାବରେ ପଚାରିଲି, କିଏ ଆପଣ ?

 

–ଆରେ ମୁଁ ତୋର ‘‘ଅହଂ’’ । ଡାକ୍‌, ଫେରା ସେମାନଙ୍କୁ ପାଜି !

 

ସେ ଏଥର ଖୁବ୍‌ ଜୋରରେ ଧକ୍‌କାଟାଏ ମାଇଲେ ମୋତେ । ମୁଁ ଚିତ୍କାର କରି ଖଟ ଉପରୁ ତଳେ ପଡ଼ିଗଲି ଏବଂ ସାଙ୍ଗେ ସାଙ୍ଗେ ସମ୍ପୂର୍ଣ୍ଣ ବେହୋସ ହୋଇଗଲି । ତା’ପରେ ଯେତେବେଳେ ଜ୍ଞାନ ଫେରିପାଇଲି, ଦେଖିଲି ଡାକ୍ତର ମୋତେ ପରୀକ୍ଷା କରୁଛନ୍ତି ଏବଂ ଗୃହିଣୀ କାନ୍ଦି କାନ୍ଦି କହୁଛନ୍ତି, ‘ସବୁ ମୋରି ଦୋଷ ।’’

 

ଆଜ୍ଞା, ମୋର ଏ ଲେଖାର ଉଦ୍ଦେଶ୍ୟ ଭିନ୍ନ ଥିଲା; କିନ୍ତୁ ବନ୍ଧୁ କଥାଟାକୁ ଛତାବେଣ୍ଟିଆ କରିଦେଲେ । ତାଙ୍କ ମନବି ଛତାବେଣ୍ଟିଆ ଧରିଯାଇଛି ମନେହେଲା । ମୁଁ ନୀରବ ରହିଲି ତେଣୁ ।

Image

 

Unknown

ଭଡ଼ାଟିଆ

 

ଯେଉଁମାନେ ପାରିଶ୍ରମିକ ନେଇ ଅନ୍ୟର କାମ କରିଦିଅନ୍ତି ସେମାନଙ୍କୁ ଭଡ଼ାଟିଆ କୁହାଯାଏ; ଏହାହିଁ ହେଲା ଭଡ଼ାଟିଆର ସଂଜ୍ଞା । କାମଟି ସୁନ୍ଦରଭାବେ ସମ୍ପନ୍ନ ହେଲେ ମାଲିକର ହୁଏ ଅପାର ଆନନ୍ଦ; କିନ୍ତୁ ଭଡ଼ାଟିଆମାନେ ଥାଆନ୍ତି ସେ ଆନନ୍ଦରେ ସମ୍ପୂର୍ଣ୍ଣ ନିର୍ଲିପ୍ତ ।

 

ମୁଁ ଯେତେବେଳେ ସ୍କୁଲରେ ପାଠ ପଢ଼ି ଥିଲି, ସେତେବେଳେ ଟାଉନ ଫୁଟବଲ୍‌ କ୍ଳବ୍‌ର ଭାରି ନାମଡ଼ାକ ଥିଲା । କଟକରେ ସବୁ ଖେଳରେ ହୁଅନ୍ତି ସେମାନେ ଜୟୀ । କ୍ଳବ୍‌ର ପୃଷ୍ଠପୋଷକ ଥିଲେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ବଡ଼ଭାଇ । ତାଙ୍କରି ଘରେ କ୍ଳବ୍‌ର ସଭା-ସମିତି ବସେ । ସେଦିନ କ୍ଳବ୍‌ ବିଜୟୀ ହେଲାପରେ ତାଙ୍କ ଘରେ ଭୋଜି ହେଉଥିଲା; ମୁଁ ମଧ୍ୟ ନିମନ୍ତ୍ରିତ ହୋଇ ଯାଇଥିଲି । କ୍ଳବ୍‌ର କର୍ମକର୍ତ୍ତାମାନଙ୍କ ମନରେ ଗର୍ବ । ସେଠି ଯାଇ ଶୁଣିଲି ଯେ ଯେଉଁ ୧୧ ଜଣ ଖେଳି କ୍ଳବ୍‌କୁ ଜୟୀ କରିଥିଲେ, ସେମାନଙ୍କ ମଧ୍ୟରୁ ୯ ଜଣ କ୍ଳବ୍‌ର ତ ନୁହନ୍ତି, ଓଡ଼ିଶାର ମଧ୍ୟ ନୁହନ୍ତି । ଓଡ଼ିଶା ବାହାରର ଖେଳାଳି ସେମାନେ, ଭଡ଼ାଟିଆ ହିସାବରେ ଆସିଥିଲେ; ଖେଳସାରି ଜଣକା ଯିବା-ଆସିବା ଓ ରହିବା ଖର୍ଚ୍ଚ ଛଡ଼ା ଦୁଇଶହ କରି ଟଙ୍କା ନେଇ ଚାଲିଯାଇଛନ୍ତି । ସେମାନଙ୍କୁ ଏ ଆନନ୍ଦରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇନାହିଁ, କଲେବି ସେମାନେ ଯୋଗ ଦିଅନ୍ତେ ନାହିଁ । କାରଣ ଏ ଆନନ୍ଦ ସହିତ ତାଙ୍କର ସମ୍ପର୍କ ନାହିଁ । ମୁଁ ତ ବୁଝିପାରିଲିନି ଏପରି ଭଡ଼ାଟିଆ ଖେଳାଳି ନେଇ ଜୟ କରି ଆନନ୍ଦ କରିବାର ଅଛି କ’ଣ ? ପରେ ଶୁଣିଲି, ଦେଶର ବା ଜାତିର ବା ଗୋଷ୍ଠୀର ଟେକ ରଖିବା ପାଇଁ ଏପରି ଭଡ଼ାଟିଆ ପେଶାଦାରୀ ଖେଳାଳି ଆଣିଲେ ଦୋଷ ନାହିଁ । ମୋ ମନ କିନ୍ତୁ ମାନିଲା ନାହିଁ ସେ ନୀତିରେ ।

 

କିନ୍ତୁ ତଳେଇ ଦେଖିଲେ ବୁଝାଯାଏ ଯେ ସବୁ କ୍ଷେତ୍ରରେ ଏ ନୀତିର ପ୍ରଚଳନ ଅଛି । ଧରନ୍ତୁ, ଗଣତନ୍ତ୍ର ଶାସନ । ଉଦ୍ଦେଶ୍ୟ ହେଲା ଦେଶର ଲୋକମାନଙ୍କର ସୁଖ-ସୁବିଧା । କିନ୍ତୁ ତା’ କିପରି ଉପାୟରେ ସାଧିତ ହେବ, ତାହା ଲୋକମାନଙ୍କୁ ଜଣାନାହିଁ, ଜାଣିବାର ସମୟ ମଧ୍ୟ ନାହିଁ । ତେଣୁ ଲୋକେ ପେଶାଦାର ଜ୍ଞାନୀ ଲୋକ ନିଯୁକ୍ତ କରି ସେ ଉଦ୍ଦେଶ୍ୟ ହାସଲ କରନ୍ତି । ଏପରି ପେଶାଦାରୀ ରାଜନୈତିକ ବ୍ୟକ୍ତି ବା ଶାସକଗୋଷ୍ଠୀ ବା ପୁରୋହିତ ଯେଉଁ ପର୍ଯ୍ୟନ୍ତ ନିର୍ଲିପ୍ତଭାବରେ କାର୍ଯ୍ୟ କରିଯାଆନ୍ତି ସେ ପର୍ଯ୍ୟନ୍ତ ଭଲ ଚାଲିଥାଏ ।

 

ପ୍ରତ୍ୟେକ ମନୁଷ୍ୟର ଭଲ ମଣିଷ ହେବାପାଇଁ ଇଚ୍ଛା ଅଛି (ଆମର ଆଇନ ଏଇ ଅନୁମାନ ଉପରେ ପ୍ରତିଷ୍ଠିତ) । ସେଥିପାଇଁ ସାଧନା ଦରକାର; କିନ୍ତୁ ସେ ସାଧନା ପାଇଁ ପ୍ରତ୍ୟେକର ଶକ୍ତି ବା ଇଚ୍ଛା ନଥାଏ । ପରର ଶ୍ରମରେ ନିଜେ ଆନନ୍ଦରେ ରହିବାର ଇଚ୍ଛା ସମସ୍ତଙ୍କର ଅଛି । ତେଣୁ ଲୋକେ ସେ ଦିଗରେ ସାଧକମାନଙ୍କ ଉପରେ ନିର୍ଭର କରିଥାଆନ୍ତି; କ୍ଷମତାପତ୍ର ଲେଖିଦିଅନ୍ତି । ପରମହଂସଦେବ ଥରେ ଗିରୀଶ ଘୋଷଙ୍କୁ କହିଥିଲେ, ‘‘ତୁ ଯଦି ନପାରୁଚୁ, ତେବେ ମୋତେ ବକ୍‌ଲମା ଲେଖିଦେ; ଅର୍ଥାତ୍‌ କ୍ଷମତାପତ୍ର ଦେଇଦେ । ମୁଁ ତୋପାଇଁ ସବୁ କରିବି ।’’ କିନ୍ତୁ ମୋର ମନେହୁଏ, ଏପରି ଗୋଟିଏ କ୍ଷେତ୍ର ଅଛି, ଯେଉଁଠି ଭଡ଼ାଟିଆମାନଙ୍କ ଦ୍ୱାରା କାମ ଚଳେ ନାହିଁ; ନିଜକୁହିଁ କରିବାକୁ ପଡ଼େ ।

 

ମୁଁ ଗୋଟିଏ ହାସ୍ୟକର ପରିସ୍ଥିତିର ଦୃଷ୍ଟାନ୍ତ ଜାଣେ । ଆମ ଗ୍ରାମରେ ପୂଜା ସମୟରେ ଆମେ ଥରେ ଥିଏଟର କଲୁ । ଏଥିରେ ପ୍ରଧାନ ଉତ୍ସାହୀ ଥିଲେ ମୋ ବଡ଼ଭାଇ । ତାଙ୍କର ଯୌବନରେ ସେ ଥିଲେ ଭାରି ସୁନ୍ଦର । ଅଭିନୟ ମଧ୍ୟ କରୁଥିଲେ ଭାରି ସୁନ୍ଦର । ସେ ଥିଲେ ସୌଖିନ ଅଭିନେତା । ସେ ବର୍ଷ ବର୍ଷ ପୂଜା ସମୟରେ ଆମେ ଅଭିନୟ ପାଇଁ ବାଛିଲୁ ‘ସୀତା’ । ବଡ଼ଭାଇ ରାମଙ୍କ ଅଭିନୟ କରିବେ । ଲୋକ ନିଅଣ୍ଟ ପଡ଼ିବାରୁ ଦୁଇ ତିନିଜଣ ଭଡ଼ାଟିଆ ଅଭିନେତା ଆଣିବାକୁ ପଡ଼ିଲା । ଅଭିନୟ ଆରମ୍ଭ ହେଲା । ସୀତାଙ୍କ ପାତାଳପ୍ରବେଶର ଦୃଶ୍ୟ । ଦୁଇଟି ଖଟ ମଝିରେ ଫାଙ୍କ ଥାଏ । ସୀତା ତାହାରି ଭିତରଦେଇ ପାତାଳ-ପ୍ରବେଶ କରିବେ । ସୀତା ଅତି ନିପୂଣ ଭାବରେ ତାହା ସମ୍ପନ୍ନ କଲେ । ଦର୍ଶକମାନେ ହାହାକାର କରିଉଠିଲେ । ଏହି ସମୟରେ ବଡ଼ଭାଇ ଏପରି ସୁନ୍ଦର ଅଭିନୟ କଲେ ଯେ ଦର୍ଶକମାନେ କାନ୍ଦି କାନ୍ଦି ଲୋଟିଗଲେ । ରାମ ‘ସୀତେ ! ସୀତେ !’ ବୋଲି କରୁଣ ଭାବରେ ଆହ୍ୱାନ କରି ସୀତାଙ୍କୁ ଖୋଜି ବୁଲୁଥାଆନ୍ତି । ଶେଷରେ ନିରାଶ ହୋଇ ଧନୁଶର ନେଇ ଯେତେବେଳେ ପୃଥିବୀକୁ ଦୁଇଭାଗ କରିବାକୁ ବସିଲେ, ସେତେବେଳେ ଦର୍ଶକବୃନ୍ଦ ସ୍ତବ୍‌ଧ ହୋଇ ଅନାଇ ରହିଲେ । ସେ ଦୃଶ୍ୟରେ ରାମଙ୍କ ସହିତ ଥିଲେ ଭଡ଼ାଟିଆ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ସେ ମଧ୍ୟ ଅଭିଭୂତ ହୋଇଯାଇଥିଲେ ବଡ଼ଭାଇଙ୍କ ଅଭିନୟରେ । ରାମ ଯେତେବେଳେ ଧନୁରେ ଶର ସଂଯୋଜନା କରି ମାରିବାକୁ ବସିଲେ, ଉକ୍ତ ଭଡ଼ାଟିଆ ଅଭିନେତା ଜଣକ ବାଧା ଦେଇ କହିଲେ, ‘‘କ୍ଷାନ୍ତ ହୁଅନ୍ତୁ ମହାରାଜ ! ସୀତା ଏଇ ଏଇ ଖଟତଳେ ଅଛନ୍ତି...ଦେଖନ୍ତୁ...ବୃଥାରେ କାହିଁକି ଶୋକ କରୁଛନ୍ତି ।’’ ନିମିଷକ ମଧ୍ୟରେ ଶୋକାଭିଭୂତ ଜନତା ମୁହଁରେ ଉଚ୍ଚହାସ୍ୟର ଢେଉ ଖେଳିଗଲା; ବନ୍ଦ ହେବାକୁ ଅନେକ ବେଳ ଲାଗିଲା । ଖଟତଳୁ ସୀତା ମଧ୍ୟ ହସିବାକୁ ଲାଗିଲେ । ଇତିମଧ୍ୟରେ ବଡ଼ଭାଇ ତାଙ୍କର ଏତେ ସୁନ୍ଦର ଅଭିନୟ କୌଶଳ ନଷ୍ଟ ହୋଇଯିବାରୁ ରାଗି ମଞ୍ଚଉପରେ ଭଡ଼ାଟିଆ ଅଭିନେତାଙ୍କୁ ଗୋଟିଏ ପ୍ରଚଣ୍ଡ ଚପେଟାଘାତ କରି ଚାଲିଗଲେ । ଆଉ ଅଭିନୟ କରିବାକୁ ସେ ନାରାଜ ହେଲେ । ଅଭିନୟ ବନ୍ଦ ରହିଲା ।

 

ଭଡ଼ାଟିଆ ଅଭିନେତା ଜଣକ ଅଭିନୟ ନ କରି ରାମଙ୍କ ଶୋକରେ ଅଭିଭୂତ ହୋଇପଡ଼ିବାରୁ ତାଙ୍କର ମାନସିକ ଗୋଳମାଳ ସୃଷ୍ଟି ହେଲା । ସେ ଗୋଳମାଳ ସ୍ଥାନ, କାଳ ଓ ପାତ୍ରର ଗୋଳମାଳ । ଯୁଗପତ୍‌ ସେ ରାମଙ୍କୁ ଅଭିନେତା ଓ ଅଭିନେତାକୁ ରାମ, ଖଟକୁ ପୃଥିବୀ ଓ ପୃଥିବୀକୁ ଖଟ, ଅଭିନୟର ସମୟକୁ ରାମାୟଣର ଯୁଗ ଓ ରାମାୟଣର ଯୁଗକୁ ଅଭିନୟର ସମୟ ବୋଲି ରାମ ତଥା ବଡ଼ଭାଇଙ୍କୁ ଏକାସାଙ୍ଗରେ ସାନ୍ତ୍ୱନା ଦେବାର ଆଗ୍ରହରେ ସେଇପରି ଏକ ଗୋଳମାଳିଆ ସାନ୍ତ୍ୱନା ଦେଲେ । ଏ ପୃଥିବୀ ଏକ ରଙ୍ଗମଞ୍ଚ ଓ ଆମେ ସମସ୍ତେ ଏଠି ଅଭିନେତା ଓ ଅଭିନେତ୍ରୀ । ଅଭିନୟ-ଶାସ୍ତ୍ରରେ ଯେଉଁ ଦୁଇଟି ମତ ଅଛି, ତାହା ପ୍ରାକୃତିକ ଓ ଆକୃତିକ ନାମରେ ବିଖ୍ୟାତ । ପ୍ରଥମ ମତ ଅନୁସାରେ ଅଭିନୟ କଲାବେଳେ ଅଭିନେତା ନିଜର ସ୍ଥାନ କାଳ ପାତ୍ର ସମ୍ପୂର୍ଣ୍ଣରୂପେ ଭୁଲିଯାଇ ଅଭିନୀତ ବିଷୟବସ୍ତୁର ସ୍ଥାନ, କାଳ ଓ ପାତ୍ରକୁ ସମ୍ପୂର୍ଣ୍ଣରୂପେ ସତ୍ୟ ବୋଲି ଗ୍ରହଣ କରିନେବେ । ଉଦାହରଣସ୍ୱରୂପ, କୌଣସି ବ୍ୟକ୍ତି ସମ୍ରାଟ୍‌ ଅଶୋକଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ମଞ୍ଚକୁ ଅଶୋକଙ୍କ ପ୍ରାସାଦ, କାଳକୁ ଅଶୋକଙ୍କ କାଳ ଓ ନିଜକୁ ସମ୍ରାଟ୍‌ ଅଶୋକ ବୋଲି ମନେକରିବେ, ତେବେ ଅଭିନୟ ହୃଦୟଗ୍ରାହୀ ହେବ । କିନ୍ତୁ ଆକୃତିକ ମତରେ ସେପରି କଲେ ଅଶୋକଙ୍କ ବ୍ୟକ୍ତିତ୍ୱ ଫୁଟିବ ନାହିଁ, ଅଭିନେତାର ବ୍ୟକ୍ତିତ୍ୱ ପ୍ରକାଶିତ ହେବ କେବଳ । ଅଭିନେତା ଅଶୋକ ହୋଇଥିଲେ ଯାହା କରିଥାଆନ୍ତେ ତାହାହିଁ ପ୍ରକାଶ ପାଇବ । ଅତଏବ ଅଭିନୟବେଳେ ଅଭିନେତାଙ୍କ ମନେରଖିବା ଉଚିତ ଯେ ମଞ୍ଚ ଅଶୋକଙ୍କ ପ୍ରାସାଦ ନୁହେଁ, କାଳ ମଧ୍ୟ ଅଶୋକଙ୍କ କାଳ ନୁହେଁ ଏବଂ ସେ ନିଜେ ମଧ୍ୟ ଅଶୋକ ନୁହନ୍ତି; କେବଳ ଅଭିନୟ କରୁଛନ୍ତି ମାତ୍ର । ଏ ଦୁଇ ମତର ଦାର୍ଶନିକତତ୍ତ୍ୱ ବିଷୟକ ଗ୍ରନ୍ଥ ଅଗାଧ । ତେବେ ଏତିକି କହିଲେ ଚଳିବ ଯେ ପ୍ରଥମ ମତରେ ଅହଂର ଆରୋପ ଏବଂ ଦ୍ୱିତୀୟ ମତରେ ତାହାର ବିଲୋପ ।

 

ସାଂଖ୍ୟମତ ଅନୁସାରେ ଜାତ ବୁଦ୍ଧି, ବୁଦ୍ଧିରୁ ଜାତ ଅହଂକାର । ଅହଂକାର ଅର୍ଥ ସୃଷ୍ଟି କର୍ତ୍ତାଠାରୁ ବା ଅନ୍ୟମାନଙ୍କଠାରୁ ନିଜର ଭିନ୍ନତ୍ୱ ଜ୍ଞାନ । ମୁଁ ଅନ୍ୟମାନଙ୍କଠାରୁ ଭିନ୍ନ, ଏ ଜ୍ଞାନ ଯେତେବେଳେ ପ୍ରବଳ ହୁଏ ସେତେବେଳେ ବିପ୍ଳବ ସୃଷ୍ଟି ହୁଏ ମନ ଭିତରେ ଏବଂ ତାହାର ପରିଣାମ ମଧ୍ୟ ହୁଏ ବିପ୍ଳବାତ୍ମକ । ଏ ବିଷୟରେ ଏକ ଅତି କରୁଣ ଓ ଚମକପ୍ରଦ ଦୃଷ୍ଟାନ୍ତ ପାଇବେ ‘ରୋଷ୍ଟମ ୟୁନିଭରସାଲ ରର୍ବଟସ୍‌’ ନାଟକରେ । ଏଥିରେ ରୋଷ୍ଟ୍ରମ ବୋଲି ଜଣେ ବଡ଼ ବୈଜ୍ଞାନିକ କେତେଗୁଡ଼ିଏ ଯନ୍ତ୍ର-ମାନବ ସୃଷ୍ଟି କରି ସେମାନଙ୍କଦ୍ୱାରା ନାନାକାର୍ଯ୍ୟ କରିବାକୁ ଲାଗିଲେ । ଏ ଯନ୍ତ୍ର-ମାନବଗୁଡ଼ିକ ମଣିଷ ଆକୃତିର । ତଥାପି ସେମାନେ ଯନ୍ତ୍ର; କାରଣ ସେମାନଙ୍କର ଅହଂ ନାହିଁ, ସେମାନଙ୍କ ସୃଷ୍ଟିକର୍ତ୍ତାଙ୍କଦ୍ୱାରା ଚାଳିତ ସେମାନେ । ହଠାତ୍‌ ଦିନେ ସେମାନଙ୍କ ମଧ୍ୟରୁ ଜଣକ ଭିତରେ ଅହଂ ପ୍ରବେଶ କଲା, କୌଣସି ଅଜଣା ଅଦ୍ଭୁତ କାରଣରୁ । ସେ ନିଜକୁ ତା’ର ସୃଷ୍ଟିକର୍ତ୍ତାଠାରୁ ଭିନ୍ନ ମନେକଲା । ଘୋର ବିପ୍ଳବ ସୃଷ୍ଟି ହେଲା ତା’ ମନରେ । ସେ ଅନ୍ୟ ଯନ୍ତ୍ରମାନଙ୍କୁ ବୁଝାଇବାକୁ ଲାଗିଲା । ଅନ୍ୟମାନଙ୍କ ମନରେ ଅହଂ ଜାଗ୍ରତ କଲା । ସମସ୍ତେ ବିପ୍ଳବ ସୃଷ୍ଟି କଲେ ରୋଷ୍ଟ୍ରମଙ୍କ ବିରୁଦ୍ଧରେ । ରୋଷ୍ଟ୍ରମ ଯେତେ ଚେଷ୍ଟା କଲେ ମଧ୍ୟ ଶେଷରେ ବ୍ୟର୍ଥ ଓ ନିହତ ହେଲେ । ଯନ୍ତ୍ରମାନବମାନେ ହେଲେ ସ୍ୱାଧୀନ ଓ ମୁକ୍ତ । କିନ୍ତୁ ତା’ପରେ ? କ’ଣ କରିବେ ସେମାନେ ମୁକ୍ତ ସ୍ୱାଧୀନ ହୋଇ ତାହା ବୁଝିପାରିଲେ ନାହିଁ । ନାନାଅତ୍ୟାଚାର କରିବାକୁ ଆରମ୍ଭ କଲେ ଅହଂରେ ଅନ୍ଧ ହୋଇ । ଶେଷରେ ନିଜ ନିଜ ମଧ୍ୟରେ ମରାମରି ହୋଇ ମଲେ ।

 

ଅହଂ ନଥିଲେ ବିବର୍ତ୍ତନ ଅସମ୍ଭବ । ପୁଣି ଅହଂର ପ୍ରାବଲ୍ୟରେ ନିଜରହିଁ ଧ୍ୱଂସ । ଗୀତାରେ ତେଣୁ ଭଗବାନ କହିଲେ, ଅହଂ ମୁଁ ସୃଷ୍ଟି କରିଛି, ତାକୁ କେହି ନାଶ କରିପାରିବେ ନାହିଁ, ସେ ଚେଷ୍ଟା ବୃଥା । ତେବେ ତାକୁ ମୋତେ ସମର୍ପଣ କଲେ ମୁଁ ତାକୁ ଭଲ ବାଟରେ ପଳାଇବି । ତୁମେ ନିଜେ ଅକ୍ତିଆରରେ ରଖିଲେ ଧ୍ୱଂସମାର୍ଗରେ ଯିବ । ଏହାକୁ କହନ୍ତି ସମର୍ପଣ ବା ଗାଉଁରୀ ଭାଷାରେ କହିଲେ ଭଡ଼ାଟିଆ ଭଳି କାର୍ଯ୍ୟ କରିବା ।

 

ଏହିପରି କେତେଗୁଡ଼ିଏ ଭଡ଼ାଟିଆ ମୁଁ ଦେଖିଚି । ସମସ୍ତେ ଜାଣନ୍ତି ଯେ କେତେ ରାଜପରିବାରରେ ଭଡ଼ାଟିଆ ଶୋକକାରୀ ଅଛନ୍ତି । ରାଜା ମରିଗଲେ ତାଙ୍କ ପୁଅମାନେ ବା ପରିବାରବର୍ଗମାନେ ଶୋକ କରନ୍ତି ନାହିଁ, ପୂର୍ବପରି ବିଳାସରେ ସମୟ କାଟନ୍ତି; କିନ୍ତୁ ସେମାନଙ୍କ ପାଇଁ ଶୋକ କରିବାକୁ ଭଡ଼ାଟିଆମାନେ ଥାଆନ୍ତି । ପ୍ରତ୍ୟେକ ଦିନ ସକାଳୁ ଆସି ସେମାନେ ରାଜପ୍ରସାଦରେ କାନ୍ଦି କାନ୍ଦି ଯାଆନ୍ତି । ଅନେକ ସମୟରେ ଦୁଇ ତିନି ଦଳ ଆସି ଶୋକ କରିଯାଆନ୍ତି । ସେମାନଙ୍କର ଶୋକ କରିବାର ପଟୁତା ଅନୁସାରେ ସେମାନେ ପାରିଶ୍ରମିକ ପାଆନ୍ତି-

 

ମୁଁ ଥରେ ଏକ ଭଡ଼ାଟିଆ ବରଯାତ୍ରୀଦଳ ଦେଖିଥିଲି–ମୋର ବନ୍ଧୁ ଲକ୍ଷ୍ନୌରେ ବିବାହ ପାଇଁ ଗଲାବେଳେ ମୁଁ ବରଯାତ୍ରୀ ହୋଇ ଯାଇଥିଲି ତାଙ୍କ ସହିତ । ମାଘ ମାସ । ଯେତେ ଉତ୍ତରକୁ ଯାଉଥାଉଁ, ଶୀତ ସେତେ ବେଶି ଅନୁଭବ କରୁଥାଉଁ । ଲକ୍ଷ୍ନୌରେ ପହଞ୍ଚି ଆମେ ରହିଲୁ ଗୋଟିଏ ବିରାଟ କୋଠାଘରେ । ବନ୍ଧୁଙ୍କ ଶଶୁରଘର ଖୁବ୍‌ ଧନୀ । ପରଦିନ ସନ୍ଧ୍ୟା ସମୟରେ ଆମେମାନେ ଯେତେବେଳେ ଶୋଭାଯାତ୍ରା କରି ବାହାରିଲୁ, ପ୍ରବଳ ଥଣ୍ଡା ସତ୍ତ୍ୱେ ଆମ ଭିତରେ ଜଣକୁ ପତଳା ପଞ୍ଜାବୀ ଓ ମିହି ଧୋତି ପିନ୍ଧିଥିବାର ଦେଖାଗଲା । ତା’ ସାଥିରେ ଦାମିକା ଅତରର ଗନ୍ଧ ଓ ରୁମାଲ ବାହାର କରି ବାରମ୍ବାର ମୁହଁରୁ ଝାଳ ପୋଛିବାରେ ଲାଗିରହିଛି । ମୁଁ ତ ଦେଖି ଆଶ୍ଚର୍ଯ୍ୟ । ନିଶ୍ଚୟ କୌଣସି ଅଭିଜାତ ବଂଶର ଲୋକ ହେବେ ଭାବି ମୁଁ ହଠାତ୍‌ କିଛି ସାହସ କରି ପଚାରି ପାରିଲି ନାହିଁ-। କନ୍ୟାଙ୍କ ପିତା ଆସି ଆଦରସହକାରେ ଆମକୁ ପାଛୋଟି ନେଲେ । ବସିଲୁ ଯାଇ ଏକ ସୁସଜ୍ଜିତ ଘରେ । ଉକ୍ତ ଭଦ୍ରଲୋକ ଜଣକ ପୂର୍ବପରି ନିଜକୁ ହାଓ୍ୱା କରୁଥାନ୍ତି ଓ ମଝିରେ ମଝିରେ କହୁଥାଆନ୍ତି, ‘ଭାରି ଗରମ ହେଉଚି’ । କନ୍ୟାପକ୍ଷଙ୍କ ମଧ୍ୟରୁ ଜଣେ କେହି ପଚାରିବାରୁ ସେ କହିଲେ, ‘ମୁଁ ନବାବଂଶର ଲୋକ, ଘିଅ ଖାଏ ପ୍ରଚୁର, ଘିଅରେ ହାତ ଧୁଏ; ମୋତେ କାହିଁକି ଶୀତ ଲାଗିବ ?’ ତା’ପରେ ସେ ନାନାପ୍ରସଙ୍ଗରେ କନ୍ୟାପକ୍ଷକୁ ଅପଦସ୍ଥ କରିବାକୁ ଲାଗିଲେ ବରପକ୍ଷର ସାମାଜିକ ଉଚ୍ଚତା ଦେଖାଇ । ଏତେବଡ଼ ସମ୍ମାନସ୍ପଦ ବ୍ୟକ୍ତି ଆମ ସହିତ ଥିବାରୁ ମୁଁ ଗର୍ବ ଅନୁଭବ କଲି । ବିବାହ ସରିଲା; ଆମେ ଆମ ବସାକୁ ଫେରିଆସିଲୁ । ଉକ୍ତ ନବାବ ଗୋଟିଏ ମଇଳା ଲୁଗା ଓ ଚଦର ପିନ୍ଧି ଆସି ବନ୍ଧୁଙ୍କ ପିତାଙ୍କଠାରୁ ପନ୍ଦର ଟଙ୍କା ନେଇଗଲେ । ମୁଁ ତ ଦେଖି କାବା ! ବନ୍ଧୁଙ୍କୁ ପଚାରିବାରୁ ସେ କହିଲେ–ସେ ଜଣେ ଭଡ଼ାଟିଆ ବରଯାତ୍ରୀ । ବରପକ୍ଷର ଉଚ୍ଚ ମର୍ଯ୍ୟାଦା ଦେଖାଇ କନ୍ୟାପକ୍ଷକୁ ଅପଦସ୍ଥ କରିବା ତାଙ୍କର କାମ । ଆଶ୍ଚର୍ଯ୍ୟ ସତେ !

 

ଗୀତାରେ ତେଣୁ ଭଗବାନ କହିଲେ, ଯେଉଁ ପରିସ୍ଥିତିରେ ଯେତିକି କରିବା କର୍ତ୍ତବ୍ୟ ତାହା ନିର୍ଲିପ୍ତ ଭାବରେ କରିବ । ଊଣା ନୁହେଁ କି ବେଶି ନୁହେଁ । ସେ କର୍ମରେ ଯଦି ନିଜକୁ ଲିପ୍ତ କର, ଅର୍ଥାତ୍‌ ନିଜକୁ ନିୟନ୍ତା ବା ଅନ୍ୟମାନଙ୍କର ଉଦ୍ଧାରକର୍ତ୍ତା ବୋଲି ଭାବ, ତେବେ ଅଯଥା ଗୋଳମାଳ ସୃଷ୍ଟି କରିବ । ଅମଙ୍ଗଳ ହେବ ତା’ର ପରିଣାମ; ନିଜ ପକ୍ଷରେ ଓ ଅନ୍ୟ ପକ୍ଷରେ ମଧ୍ୟ-

 

ମୁଁ ଏହାର ଭୁକ୍ତଭୋଗୀ । ଥରେ ମୋ ଅଦାଲତକୁ ଆସିଲା ଜଣେ ଦୋଷୀ । ନାମ ତା’ର ବୀର ଗୌଡ଼ । ତାକୁ ଦେଖି ତ ମୁଁ ଭୟ ପାଇଗଲି । ଲମ୍ବା ଚଉଡ଼ା ଚେହେରା; ଗୋଲ୍‌ଗାଲ୍‌ ଆଖିଯୋଡ଼ିକ ଲାଲ । ନାକତଳେ ଭୟାବହ ହଳେ ନିଶ । ଅଭିଯୋଗ ଯେ ସେ ଜଣକ ଘରେ ପଶି ଟ୍ରଙ୍କ ଭାଙ୍ଗି ଗହଣା ଓ ଟଙ୍କା ଚୋରାଇ ନେଇଛି । ତା’ ବିରୁଦ୍ଧରେ ଯାହା ପ୍ରମାଣ ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ତଥାପି ବିଚାର ଚାଲିଲା । ପ୍ରମାଣ ଅଭାବରୁ ମୁଁ ତାକୁ ଖଲାସ କରିଦେବା ପରେ ଅନେକ ବୁଝାଇ କହିଲି । ବୀରର ଆଖି ଛଳଛଳ ହୋଇଗଲା । ଭଗବାନଙ୍କ ନାମରେ ସେ ଶପଥ କରି କହିଲା, ସେ ଆଉ କଦାପି ଚୋରି କରିବ ନାହିଁ । ତାହାର କିଛିଦିନ ପରେ ଦେଖିଲି, ସେ ଧରା ହୋଇ ପୁଣି ମୋ ଅଦାଲତରେ ହାଜର । ମୁଁ ତାକୁ ପୂର୍ବ ପ୍ରତିଜ୍ଞା କଥା ମନେପକାଇଦେବାରୁ ସେ କାନ୍ଦିପକାଇ କହିଲା–ଧର୍ମାବତାର ! ମୁଁ ପାରୁନାହିଁ ମୋ ବିରୁଦ୍ଧରେ ଯୁଦ୍ଧ କରି-। ଭଗବାନ ମୋତେ ସାହାଯ୍ୟ କରୁନାହାନ୍ତି । କିନ୍ତୁ ମୁଁ ଧର୍ମ-କଚେରୀରେ ଭଗବାନଙ୍କ ନାମରେ ଶପଥ କରିଥିଲି, ତା’ର ପରିଣାମ ଭୋଗିବି, ମୁଁ ଆଉ ବଞ୍ଚିପାରିବି ନାହିଁ । ମୁଁ ତାକୁ ସାନ୍ତ୍ୱନା ଦେଇ କହିଲି–ସେପରି କୁହ ନାହିଁ । ସେ ନୀରବ ରହିଲା । ମୁଁ ପନ୍ଦର ଦିନ ପରେ ତା’ର ବିଚାର ପାଇଁ ଦିନ ଧାର୍ଯ୍ୟ କଲି । ସେ ଦିନ ସେ ଆସିଲା ନାହିଁ । ଶୁଣିଲି ଯେ ତା’ ପୂର୍ବଦିନ ସେ ମରିଯାଇଛି । ମୁଁ ଦୀର୍ଘ ନିଶ୍ୱାସ ପକାଇ ଲେଖିଲି, ମୁଦାଲା ମରିଯାଇଥିବାରୁ ଏ ମକଦ୍ଦମା ଆଉ ଚଳି ନ ପାରେ । କିନ୍ତୁ ନିଜକୁ ମୁଁ ତା’ର ମୃତ୍ୟୁ ପାଇଁ ଦୋଷୀ ମନେକଲି; କାରଣ ବିଚାରକର କର୍ତ୍ତବ୍ୟ ଅତିକ୍ରମ କରି ମୁଁ ତା’ର ଆତ୍ମାର ଉଦ୍ଧାରକ ଭୂମିକାରେ ଅଭିନୟ କରିଥିଲି ।

 

ଜୀବାତ୍ମା ଓ ପରମାତ୍ମା–ଜୀବାତ୍ମା ସର୍ବଦା ପରମାତ୍ମା ସହିତ ମିଳିତ ହେବାକୁ ଉନ୍ମୁଖ । ଜୀବାତ୍ମାକୁ ନିର୍ମୋକ ଷ୍ଟ୍ରିପ୍‌ଟିକ ନୃତ୍ୟ କରିବାକୁ ହେବ । ଗୋଟି ଗୋଟି କରି ନିଜର ଲଜ୍ଜା, ଅଭିମାନ, ଗର୍ବ, ଅହଂ, ନେତୃତ୍ୱ, କ୍ରୋଧ ଓ ଜ୍ଞାନ ଇତ୍ୟାଦି ସମସ୍ତ ଦୋଷଗୁଣ କାଢ଼ି ପରମାତ୍ମାଙ୍କୁ ସମର୍ପଣ କରି ସମ୍ପୂର୍ଣ୍ଣ ଉଲ୍ଲଗ୍ନ ହୋଇ ଛିଡ଼ାହେବାକୁ ହେବ କୃପା ପାଇଁ; ଯେମିତି କରିଥିଲେ ଗୋପୀମାନେ । ଆମେ ସମସ୍ତେ ଗୋପୀ । କାରଣ ପରମପୁରୁଷଙ୍କ ସହିତ ମିଳିତ ହେବା ପାଇଁ ପ୍ରତ୍ୟେକ ଜୀବ ବ୍ୟଗ୍ର । ପ୍ରତ୍ୟେକ ମନୁଷ୍ୟ ଅନ୍ତରରେ ପ୍ରାର୍ଥନା କରୁଛି, ହେ ପରମପୁରୁଷ ! ମୋର ସବୁ ଦୋଷ-ଗୁଣ ତୁମେ ଶୋଷଣ କରିନେଇ ମୋର ଜୀବନକୁ ଶ୍ରୀମୟ କର । ଏମିତି କହିଛନ୍ତି ମହାବିପ୍ଳବୀମାନେ । କିଏ ଜାଣେ ରହସ୍ୟ କ’ଣ ?

 

କିଏ ଜାଣେ ରହସ୍ୟ କ’ଣ ! ଦିନେ ହୁଏତ ସମୟ ଥିଲା ଯେତେବେଳେ ପରମବ୍ରହ୍ମକୁ ଜାଣିବା ଜୀବନର ଏକମାତ୍ର ଉଦ୍ଦେଶ୍ୟ ଥିଲା । ରାଜା ସେ ଉଦ୍ଦେଶ୍ୟ ପ୍ରତ୍ୟେକଙ୍କ ଆଗରେ ରଖିଥିଲେ । ଶାସନନୀତି, ଅର୍ଥନୀତି, କୃଷି ବା ଶିଳ୍ପନୀତି, ଶିକ୍ଷାନୀତି ଓ କୂଟନୀତି ସବୁ ଥିଲା ପନ୍ଥା ସେ ଉଦ୍ଦେଶ୍ୟ ପାଇଁ । ସେ ଥିଲା ବ୍ୟବସାୟାତ୍ମିକା ବୁଦ୍ଧି । ଅବ୍ୟବସାୟୀମାନଙ୍କର ବୁଦ୍ଧିରେ ଯେଉଁ ନାନାନୀତି ବୟନ ହୁଏ, ତାହା ମୋର ମନେହୁଏ, ପରସ୍ପର ବିରୋଧୀ ହୋଇପଡ଼େ–ଶାସନ ଲଣ୍ଡଭଣ୍ଡ ହୋଇଯାଏ । ମୋର ମନେହୁଏ, ନିଚ୍ଛକ ଶାରୀରିକ ସ୍ଥିତି ଓ ଅଭିବୃଦ୍ଧିର ସହଜାତ ଇଚ୍ଛାରୁହିଁ ଜାତ କାମ, ଲୋଭ, କ୍ରୋଧ, ହିଂସା, ଭୟ ଇତ୍ୟାଦି ଏବଂ ଏଇ ଶରୀର ଧାରଣ ପାଇଁ ହୁଏତ ସୀମିତ ପରିସର ମଧ୍ୟରେ ସେଗୁଡ଼ିକ ଆବଶ୍ୟକ; କିନ୍ତୁ କେବଳ ଶରୀରର ସ୍ଥିତି ଓ ଅଭିବୃଦ୍ଧିର ପ୍ରବୃତ୍ତି ପଶୁମାନଙ୍କ ମଧ୍ୟରେ ପ୍ରାଧାନ୍ୟ ଲାଭ କରିଛି । ମଣିଷ ପାଇଛି ଦେହ ମଧ୍ୟରେ ଦେହାତୀତ ମନ । ସେ ମନର ପରିବୃଦ୍ଧିର ପ୍ରବୃତ୍ତି ମଧ୍ୟ କ୍ଷୀଣ ହେଲେବି ସହଜାତ । ସେ ପ୍ରବୃତ୍ତିରୁ ଜାତ ପ୍ରେମ, ମୈତ୍ରୀ, ସାମ୍ୟ ଏବଂ ସର୍ବୋପରି ସୃଷ୍ଟିକର୍ତ୍ତାଙ୍କ ଲୀଳାରେ ଅଭିଭୂତ ହୋଇ ବିନୟ ଭାବ ଧାରଣ କରିବା । ଏସବୁଦ୍ୱାରା ମାନସିକ ଅଭିବୃଦ୍ଧି ଘଟେ । ଏ ଦୁଇର ସଂଘର୍ଷ ସର୍ବଦା ଅଛି । ତେବେ ମାନବ-ସମାଜରେ କାହାର ପ୍ରାଧାନ୍ୟ ପାଇଁ ବିବର୍ତ୍ତନ ଗତି କରୁଛି, କିଏ ଜାଣେ ? କିନ୍ତୁ ଏ ଲୀଳା ଲାଗିଛି–‘‘ସଖି ଦେଖ ଗୋ, ସଖି ଦେଖ ଗୋ, କୁଞ୍ଜବନେ ଖେଳନ୍ତି ମଦନମୋହନ ଗୋ ।’’ ତେଣୁ ଏକମାତ୍ର ପ୍ରାର୍ଥନା, ମୋତେ ବିନୟୀ ହେବାକୁ ତେଜ ଓ ଶକ୍ତି ଦିଅ ।

Image

 

ଗୋଟିଏ ବାକ୍ୟ ରଚନା

 

ଏକା ଚୋଟକେ କାଟିବା ଭଳି ରାମତାରକ ମୋର ମତକୁ କାଟି ଉଡ଼ାଇ ଦେଇ କହିଲେ–ବାଜେ କଥା, କଳାର ଯଥୋଚିତ ମୂଲ୍ୟ ସ୍ଥିର କରିବାକୁ ହେଲେ କଳାକାର ସହିତ ଘନିଷ୍ଠ ପରିଚୟ ସର୍ବାଦୌ ଆବଶ୍ୟକ ।

 

ରାମତାରକ ଓ ରାମପ୍ରକାଶ ମଧ୍ୟରେ ଆଦୌ ମତୈଜ୍ୟ ନାହିଁ । ତାହାର କାରଣ ସେମାନଙ୍କର କଳା । ନୁହେଁ ହିଁ ଲେଖକ । କିନ୍ତୁ ରାମତରାକ ପୁରାତନପନ୍ଥୀ । ଗଠନ ବା ଛାଞ୍ଚ ବିଷୟରେ ସେ ସର୍ବଦା ସଜାଗ; କିନ୍ତୁ ରାମପ୍ରକାଶ କେବଳ ଆଧୁନିକ ନୁହେଁ, ଆଧୁନିକୋତ୍ତର ଲେଖକ । ସେ ଶୈଳୀ ଗଠନ, ଛାଞ୍ଚ ଆଦିର ଘୋର ବିରୋଧୀ । ତାଙ୍କ ମତରେ ସଭ୍ୟତା ଯେତେବେଳେ ନିମ୍ନଆଡ଼କୁ ଗତି କରୁଥାଏ ସେତିକିବେଳେ ସେ ସବୁ ପ୍ରାଧାନ୍ୟ ଲାଭ କରେ । କିନ୍ତୁ ଆଶ୍ଚର୍ଯ୍ୟର କଥା ରାମପ୍ରକାଶ ସମର୍ଥନ କଲେ ରାମତାରକଙ୍କ ମତକୁ ।

 

ମୋର ମନ୍ତବ୍ୟ ଉପରେ ଆଲୋଚନା ହେଉଥିଲା । ମୁଁ କହିଥିଲି, କୌଣସି ଶିଳ୍ପ ବା କଳାକୁ ବୁଝିବାକୁ ହେଲେ ଶିଳ୍ପୀ ବା କଳାକାର କିଏ ବା ସେ କ’ଣ କରୁଥିଲେ ବା କିପରି ଜୀବନଯାପନ କରୁଥିଲେ ସେସବୁ ବିଷୟ କେବଳ ଅବାନ୍ତର ନୁହ, ଉପରନ୍ତୁ ଶିଳ୍ପ ବା କଳାର ଉଚିତ ମୂଲ୍ୟ ନିରୂପଣରେ ବାଧା ସୃଷ୍ଟି କରିବ ।

 

କିନ୍ତୁ ରାମତାରକ ଓ ରାମପ୍ରକାଶ ଘୋର ଆପତ୍ତି କରି କହିଲେ, ଅସମ୍ଭବ ! ଶିଳ୍ପ ବା କଳାକୁ ବୁଝିବାକୁ ହେଲେ ଶିଳ୍ପୀର ଜୀବନ ଓ ଚିନ୍ତାଧାରା ପ୍ରଥମେ ନ ଜାଣିଲେ ଚଳିବ ନାହିଁ ।

 

ନିଜ ମତ ସମର୍ଥନ କରି କହିଲି, ରାଜାରାଣୀ, ପୁରୀ ବା କୋଣାର୍କ ମନ୍ଦିରର ଶିଳ୍ପୀମାନେ ତ କେଉଁଠି ନିଜର ପରିଚୟ ରଖିଯାଇନାହାନ୍ତି ? ଉପନିଷଦ୍‌ର ରଚୟିତାମାନେ ତ କେଉଁଠି ଭଣିକା ଲେଖିଯାଇନାହାନ୍ତି ? ଏଇ ଯେ ଏଡ଼େ ବିରାଟ ଆଶ୍ଚର୍ଯ୍ୟଜନକ ସୃଷ୍ଟି ବିଶ୍ୱ ତାହାର ରଚୟିତା କିଏ, ତାହା ତ ଚିରଦିନ ରହସ୍ୟାବୃତ ରହିଚି ଓ ରହିବ ? ତଥାପି ଏସବୁ କଳାରୁ ରସଗ୍ରହଣରେ କେଉଁଠି ତ ବାଧା ସୃଷ୍ଟି ହୁଏ ନାହିଁ ? ଏ ସବୁ କଳାକୁ ବୁଝିବାପାଇଁ ଆମେ ତ କଳାକାର କିଏ, ସେ କଥା ଚିନ୍ତା କରୁନା ? ମୋର ମନେହୁଏ ଖାଣ୍ଟି କଳାକାର ନିଜର କଳାକୁ ପ୍ରାଧାନ୍ୟ ଦେବାପାଇଁ ନିଜକୁ ଗୋପନ ରଖେ ? ଶିଳ୍ପୀ କିଏ ବା କେଉଁ ଦେଶର ଏ ନେଇ ବାଡ଼ିଆପିଟା କେବଳ ନିଜର ଅହମିକା ବିସ୍ତାର ପାଇଁ; କଳା ବୁଝିବା ପାଇଁ ନୁହ ।

 

ରାମତାରକ ଓ ରାମପ୍ରକାଶ କିଛିକ୍ଷଣ ଗୁମ୍‌ମାରି ବସିରହିଲେ । ମନେ ମନେ ମୋର ଯୁକ୍ତିକୁ ଖଣ୍ଡନ କଲାଭଳି ଯୁକ୍ତି ଚିନ୍ତା କରୁଥିଲେ ନିଶ୍ଚୟ । କିଛିକ୍ଷଣ ପରେ ଦୁହେଁ ଏକାସାଙ୍ଗରେ ମୁଣ୍ଡ ଟେକି କ’ଣ କହିବାକୁ ଯାଉଥିଲେ; କିନ୍ତୁ ବାଧା ଦେଲା ମୋ ପୁଅର ପ୍ରବେଶ ହାତରେ ସାହିତ୍ୟ-ପ୍ରଶ୍ନ ଧରି ।

 

ଗତକାଲି ତା’ର ସାହିତ୍ୟ ପରୀକ୍ଷା ଯାଇଚି । କାଲି ତା’ର ଉତ୍ତର ସବୁ ପରୀକ୍ଷା କରିବାକୁ ମୋର ସମୟ ନଥିଲା । ତେଣୁ ଆଜି ବଡ଼ିସକାଳୁ ତାକୁ ଆଦେଶ ଦେଇଥିଲି ସାହିତ୍ୟ ପ୍ରଶ୍ନ ଆଣିବାକୁ । ଆଣିବ ବୋଲି କହି ସେଇ ଯେ ଘରଭିତରକୁ ଯାଇଥିଲା ଆଉ ସୋରଶବ୍ଦ ନଥିଲା, ମୁଁ ଏଥିମଧ୍ୟରେ ଦୁଇ ତିନି ଥର ସ୍ମାରକ ଡାକ ଦେଇସାରିଥିଲେ ମଧ୍ୟ; କିନ୍ତୁ ତର୍କର ତାନମାନ କାଳେ ସେ ସାହିତ୍ୟପ୍ରଶ୍ନ ସହିତ ହଠାତ୍‌ ପ୍ରବେଶ କରି ଆମର ତର୍କ ବନ୍ଦ କରିଦେଲା ।

 

ବାଧ୍ୟ ହୋଇ ସାହିତ୍ୟପ୍ରଶ୍ନଟା ଦେଖିବାକୁ ଲାଗିଲି । କାଁ-ଭାଁ ଗୋଟାଏ ଦି’ଟା ପ୍ରଶ୍ନର ଉତ୍ତର ପରୀକ୍ଷା କରି ତାକୁ ଆମ ତର୍କରୁ ତଡ଼ିଦେବା ଉଦ୍ଦେଶ୍ୟରେ ପଚାରିଲି,–ଆଚ୍ଛା ପାଞ୍ଚ ନମ୍ବର ପ୍ରଶ୍ନର ଉତ୍ତର କ’ଣ ଲେଖିଛୁ କହିଲୁ ?

 

–କଉଟା ?

 

–ଏଇ ଯେ...ନିମ୍ନଲିଖିତ ପ୍ରବାଦଗୁଡ଼ିକ ବ୍ୟବହାରକରି ବାକ୍ୟ ରଚନା କର-ଧୀର ପାଣି ପଥର କାଟେ, ଲୁହା ଜାଣି ପାଣି, କଙ୍କଡ଼ାକୁ ଗୋଳିପାଣି ।

 

–ସେସବୁ ମୋର ଏକଦମ୍‌ ଠିକ୍‌ ହୋଇଚି ବାପା ! ସେଥିରେ କେତେ ନମ୍ବର ଅଛିଟି ?

 

–ଛଅ ।

 

–ଛ’ରୁ ଛ’ ପାଇବି ମୁଁ ନିଶ୍ଚେ !

 

ମନେ ମନେ ବେଶ୍‌ ଗର୍ବ ଅନୁଭବ କରୁଥିଲି ପୁଅ ପାଇଁ । ପୁଅର କୃତିତ୍ୱ ନିଜର କୃତିତ୍ୱ, ସେ କୃତିତ୍ୱ ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ! ସବୁ ବାପାମାତ୍ରେ ତେଣୁ ସଗର୍ବେ କହିଥାଆନ୍ତି, ଓଃ କହନା ସେ ପୁଅକଥା ! ଏଡ଼େ ଚଗଲା ହୋଇଛି ! ସେ କୃତିତ୍ୱକୁ ପୁଣି ସମସ୍ତଙ୍କ ଆଗରେ ପ୍ରକାଶ କରିଦେବାକୁ ଆଗ୍ରହ ହୁଏ । ତେଣୁ ପଚାରିଲି, ବାଃ, ବାଃ, କ’ଣ ଲେଖିଚୁ କହ ତ-?

 

–‘ରାମ କହିଲା, ଧୀରେ ପାଣି ପଥର କାଟେ’ କହି ପୁଅ ସଗର୍ବେ ମୋ ଆଡ଼େ ଚାହିଁରହିଲା ।

 

ସ୍ତମ୍ଭିତ ହୋଇଗଲି ! ମନେହେଲା ଅକସାତ୍‌ ଗୋଟିଏ ପ୍ରକାଣ୍ଡ ପଥର ଖସିପଡ଼ିଲା ମୋ ମୁଣ୍ଡ ଉପରେ ! ଲଜ୍ଜାରେ ମୁଁ ରାମତାରକ ଓ ରାମପ୍ରକାଶ ଆଡ଼େ ଅନାଇ ପାରିଲି ନାହିଁ । ସେତେବେଳେ ମୋର ପ୍ରଧାନ ସମସ୍ୟା ଉପୁଜିଲା, ପୁଅର କେଉଁଠି ଭୁଲ୍‌ ରହିଲା ବୁଝାଇଦବା ନୁହ, ମୋର ନିଜର ସ୍ୱାଭାବିକ ଭାବ ଓ ବ୍ୟବହାର ରକ୍ଷା କରିବା । ଯଥା–ସମ୍ଭବ ନିର୍ଲିପ୍ତତା ପ୍ରକାଶ କରି ପଚାରିଲି, ଆଚ୍ଛା, ବେଶ୍‌; ତା’ପରେ ?

 

–‘ରାମ କହିଲା, ଲୁହା ଜାଣି ପାଣି’ । ପୁଣି ସେଇ ସଗର୍ବ ଚାହାଣୀ !

 

ଏଥରର ପଥରଖଣ୍ଡକ ମନେହେଲା ଆହୁରି ବଡ଼ ଏବଂ ପ୍ରଚଣ୍ଡ ବେଗବାନ୍‌ ! ଭୟରେ ମୁଣ୍ଡ ଆଡ଼େଇ ହୋଇଗଲା; କିନ୍ତୁ ପଡ଼ିଲା ଠିକ୍‌ ବ୍ରହ୍ମତାଳୁ ଉପରେ । କୁଁକ୍‌ କରି ଗୋଟାଏ ଶବ୍ଦ କରି ମୁଣ୍ଡରେ ହାତ ଦେଇ ରହିଲି କିଛିକ୍ଷଣ । ଆଖିରୁ ଜୁଳୁଜୁଳିଆ ପୋକ ବାହାରି ଯାଉଥାଏ । ରାମତାରକ ଓ ରାମପ୍ରକାଶର ଅବସ୍ଥା ଦେଖିବାର ଅବସର ବା ମାନସିକ ଅବସ୍ଥା ନଥାଏ । ତଥାପି ପ୍ରାଣପଣେ ସ୍ୱାଭାବିକ ଭାବ ବଜାଏ ରଖି ପଚାରିଲି, ତା’ପରେ ?

 

–ରା.......

 

ଆଉ ପାରିଲି ନାହିଁ । ‘ରା’ ବାହାରିବା ମାତ୍ରକେ ଗର୍ଜନ କରିଉଠିଲି–ଚେଓଓପ୍‌ ପାଜି, ବଦ୍‌ମାସ, ହାରାମିକା, ବଚ୍ଚା ! କିଏସ୍‌ ସେ ରାମ ? ବୋଲୋ, ଅବ୍‌ଭି ବୋଲୋ । ନେହିଁତୋ ତୋତେ ମାରି ଏଇଠି ପୋତି ଦେଙ୍ଗା ଅବ୍‌ଭିଃ ବୋଲୋ । କିଏ ସେ ରାମ ? ସେ ରାମ କିଏ ? ହ୍ୟାପ୍‌, ସବୁ କହୁଚି ସେ ପୁଅ ମୋତେ ଆଶ୍ଚର୍ଯ୍ୟଭାବରେ ଅନାଇରହିଲା । ମୁଁ ମଧ୍ୟ ବୁଝିପାରିଲି, ଉକ୍ତ ବାକ୍ୟର କର୍ତ୍ତା ରାମର ପରିଚୟ ଜାଣିବାପାଇଁ ମୋର ବ୍ୟାକୁଳତା ଓ ଜିଦ୍‌ କେବଳ ଅବାନ୍ତର ନୁହ, ହାସ୍ୟାସ୍ପଦ ମଧ୍ୟ । କିନ୍ତୁ ସେଇ ବୁଝିବାହିଁ ହେଲା ମୋର କ୍ରୋଧାଗ୍ନିର ନୂଆ ଇନ୍ଧନ । ଗୋଟାଏ ନିର୍ମମ ଥାପ୍‌ପଡ଼ ମାରିବାକୁ ଯାଉଥିଲି, କିନ୍ତୁ ରାମତାରକ ଓ ରାମପ୍ରକାଶ ମୋର ହାତ ଧରିପକାଇଲେ । ରାଗରେ ଫାଟିପଡ଼ି ଗର୍ଜନ କଲି–କହ କିଏ ସେ ରାମ, ଯିଏ ସବୁ କହୁଚି ହ୍ୟାପ...

 

ପୁଅ ବଲବଲ କରି ରାମତାରକ ଓ ରାମପ୍ରକାଶ ଆଡ଼େ ବାରମ୍ବାର ଅନାଇବାକୁ ଲାଗିଲା । ପୁଅର ସେ ଦୃଷ୍ଟିରେ ସେ ଦୁହେଁ ସଙ୍କୁଚିତ ହୋଇଯିବା ଭଳି ମନେହେଲା ।

 

ମୁଁ ରୀତିମତ ଅପଦସ୍ଥ ହେଲି ଓ ତେଣୁ ଅଧିକ ରାଗ ହେଲା । ରାମତାରକ ଓ ରାମପ୍ରକାଶ ଯେ ପୁଅକୁ ଏ ଉତ୍ତର ଶିଖାଇଦେଇଚନ୍ତି ଏହା ଅତ୍ୟନ୍ତ ଅସମ୍ଭବ, ହାସ୍ୟକର ଓ ମିଥ୍ୟା କଥା । ମୁଁ ବାକ୍ୟଗୁଡ଼ିକର କର୍ତ୍ତା ରାମର ପରିଚୟ ପାଇଁ ଜିଦ୍‌ ଧରିବାରୁ ଏବଂ ପରିଚୟ ଦେଲେ ମାରି ପୋତିଦେବାର ଭୟ ଦେଖାଇବାରୁ ବୁଡ଼ିଯାଉଥିବା ଲୋକ କୁଟାଖିଅକୁ ଧରିପକାଇବା ଭଳି, ପୁଅ ରାମତାରକ ଓ ରାମପ୍ରକାଶ ଆଡ଼େ ବାରମ୍ବାର ଅନାଇଁ କର୍ତ୍ତାର ପରିଚୟ ଇଙ୍ଗିତରେ ବୁଝାଉଥିଲା ମାତ୍ର; କିନ୍ତୁ ପରିସ୍ଥିତି ଏମିତି ହୋଇଯାଇଥିଲା ଯେ ରାମତାରକ ଓ ରାମପ୍ରକାଶ ନିଜକୁ ଦୋଷୀ ମନେକଲେ–ଯେମିତି ଅନେକ କ୍ଷେତ୍ରରେ ଦେଖାଯାଇଚି ଯେ କୌଣସି ଅପରାଧ ସଂକ୍ରାନ୍ତରେ ଅପରାଧୀ କିଏ ପୁଲିସ୍‌ ଖୋଜୁଥିବାବେଳେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବ୍ୟକ୍ତି ମଧ୍ୟ ଭୟରେ ଏପରି ବ୍ୟବହାର କରେ ଯେ ଦୋଷୀ ବୋଲି ସନ୍ଦେହ ହୁଏ । ବସ୍ତୁତଃ ନିର୍ଦ୍ଦୋଷମାନେହିଁ ସର୍ବଦା ଭୟାତୁର; ଦୋଷୀ ନୁହ ।

 

ସେମାନେ ଆହୁରି ସଙ୍କୁଚିତ ହୋଇଗଲେ ଯେତେବେଳେ କବାଟକଣରୁ ଗୃହିଣୀ ପୁଅକୁ ଉତ୍ସାହ ଦେଇ କହିବାକୁ ଲାଗିଲେ, କିରେ କହନୁ–ଡରୁଚୁ କିଆଁ ? ଡରନା, ମୁଁ ଅଛି । କହିଦେ କଉ ରାମବାବୁ...କହିଦେ ବାପାକୁ ।

 

ହୃଦୟଙ୍ଗମ କଲି କଥାଟା ଶ୍ୱାପଦସଙ୍କୁଳ ଘନ ଅରଣ୍ୟ ଆଡ଼େ ମୁହାଁଇଲାଣି । ତେଣୁ ଗୃହିଣୀଙ୍କୁ ବୁଝାଇବାପାଇଁ କହିଲି, ନାହିଁ ମ କୁନୁବୋଉ, କୌଣସି ନିର୍ଦ୍ଦିଷ୍ଟ ରାମବାବୁ କଥା ପଡ଼ିନାହିଁ ଯେ ପଡ଼ିଚି ପୁଅର ସାହିତ୍ୟ-ଉତ୍ତର କଥା । ‘ଧୀର ପାଣି ପଥର କାଟେ’ ବ୍ୟବହାର କରି ବାକ୍ୟ ଲେଖିବାକୁ ପଚରା ହୋଇଚି ଯେ ପୁଅ ଲେଖିଚି ‘ରାମ କହିଲେ ଧୀର ପାଣି...’

 

–ମଲା ଯା....ସେ କଥା କହୁନା ! ମୁଁ ଭାବିଲି ତମେ ଓ ଦି’ ରାମବାବୁଯାକ ସବୁବେଳେ ଇୟାଡ଼ୁ ସିୟାଡ଼ୁ କଥାବାର୍ତ୍ତା ହୁଅ ପୁଅ ସେଥିରୁ ଶୁଣି କ’ଣ କହିଦେଇଚି ! ପିଲା ମଣିଷ ତ, ଯାହା ଶୁଣିଲା ତା’ କହିଲା, ତା’ର କି ଦୋଷ ? ଭିତରକୁ ଯାଇ ରାଗରେ ଥୋଡ଼ା ପରିବା କାଟି ପକାଉ ପକାଉ ପୁଣି ପାଟି କରି କହିଲେ–ପୁଅ ତ ଠିକ୍‌ ଲେଖିଚି...ଶ୍ରୀରାମଚନ୍ଦ୍ର ନିଶ୍ଚୟ ଏମିତି କହିଥିବେ ।

 

ରାମତାରକ କହିଲେ, ମୁଁ କହେ ଉତ୍ତର ଭୁଲ୍‌ ନୁହ । ଉପରନ୍ତୁ ଅତ୍ୟନ୍ତ ମହାନ୍‌ । ଏହାର ମର୍ମ ବୁଝିବା ବଡ଼ କଠିନ !

 

–ମାନେ ? ମୁଁ ବିସ୍ମିତ ଭାବରେ ପଚାରିଲି ।

 

–ମୁଁ ସେଇଥିପାଇଁ କହୁଥିଲି କୌଣସି କଥା ବୁଝିବାକୁ ହେଲେ ପ୍ରଥମେ ବୁଝିବାକୁ ହେବ କର୍ତ୍ତା କିଏ । ସେଇ ଦୃଷ୍ଟିରୁ ଏ ବାକ୍ୟର ଆଲୋଚନା ଆବଶ୍ୟକ ଏବଂ ସେଥିପାଇଁ ଆମକୁ ଫେରିଯିବାକୁ ହେବ ତ୍ରେତା ଯୁଗକୁ ।

 

–ମାନେ ? ମୋର ବିସ୍ମୟ ବଢ଼ିବାକୁ ଲାଗିଲା ।

 

–ରାମତାରକ ଭାବାବିଷ୍ଟ ଭାବରେ କହିଚାଲିଲେ; ମୋର ମନେପଡ଼େ ସେଇ ସେତୁବନ୍ଧର ନିର୍ମାଣ-ଦୃଶ୍ୟ ।

 

–ମୋର ବାପାରବି ମନେପଡ଼େ ଯେ ! ପୁଅ ସଗର୍ବେ କହିଲା ।

 

–ଚୋପ୍‌ ପାଜି, ଧମକାଇଲି ସିନା ! ମନେ ମନେ ହସିଲି ଥୋଡ଼ା ।

 

–ସେଇ ପଦ୍ମ-ପଳାଶନୟନ, ନବଦୁର୍ବାଦଳଶ୍ୟାମ, ସର୍ବଗୁଣାନ୍ୱିତ, ଲୋକୋତ୍ତରଚରିତ, ରଘୁବଂଶାବତଂଶ ଶ୍ରୀ ଶ୍ରୀ ରାମଚନ୍ଦ୍ର ଆଦେଶ ଦେଲେ ସାଗର ଲଙ୍ଘନ କରିବାପାଇଁ ପଥରବନ୍ଧ ବାନ୍ଧିବାକୁ ହେବ । ବିଶାଳ ବାରିଧିକୁ ଅନାଇ ନଳ, ନୀଳ, ଗୟ, ଗବାକ୍ଷ, ହନୁମାନ ଆଦି ବୀରମାନେ ମୁଣ୍ଡରେ ହାତ ଦେଇ ବସିପଡ଼ିଲେ ହତାଶରେ । ଭାବଗ୍ରାହୀ ରଘୁବୀର ସ୍ମିତହାସ୍ୟ କରି କହିଲେ ସେତେବେଳେ, ‘ଧୀର ପାଣି ପଥର କାଟେ ।’ ଅପୂର୍ବ ଉତ୍ସାହ ଖେଳିଗଲା ସମସ୍ତଙ୍କ ପ୍ରାଣରେ । ସମସ୍ତେ ସମସ୍ୱରରେ ଚିତ୍କାର କରିଉଠିଲେ, ‘ଧୀର ପାଣି ପଥର କାଟେ ।’ ଆଉ ଭୟ ନାହିଁ । ଗୋଟି ଗୋଟି କରି ପଥର ପଡ଼ିବାକୁ ଲାଗିଲା ସାଗରବକ୍ଷରେ ଏବଂ ଅଳ୍ପକାଳ ମଧ୍ୟରେ ପଥରବନ୍ଧ ପ୍ରସ୍ତୁତ ହୋଇଗଲା । ପୁଅର ଉତ୍ତରର ରାମ ହେଉଛନ୍ତି ସେଇ ରାମଚନ୍ଦ୍ର । ତାଙ୍କର ଲୀଳା କିଏ ବୁଝିପାରିବ ! ସେଇ ରାମଚନ୍ଦ୍ରହିଁ ପୁଅର ଉତ୍ତରରେ ଆତ୍ମପ୍ରକାଶ କରିଚନ୍ତି । ସେତକ ବୁଝିବାର ଶକ୍ତି ତୁମର କାହାରି ନାହିଁ । ଧନ୍ୟ ତୁ କୁନୁ ! ତୁ ରାମଚନ୍ଦ୍ରଙ୍କ କୃପା ପାଇଚୁ । ତୋର ପଦଧୂଳି ଦେ ମୋତେ...ତା’ରବି ଯୋଗ୍ୟ ନୁହେଁ ମୁଁ । ପୁଅର ପଦଧୂଳି ନେଇ ମୁଣ୍ଡରେ ମାରି ରାମତାରକ ଭାବାଶ୍ରୁ ବିସର୍ଜନ କରିବାକୁ ଲାଗିଲେ ନୀରବରେ । ପୁଅ ସଗର୍ବେ ମୋତେ ଅନାଇଁ ରହିଲା ।

 

ମୋ ମନରେ ମଧ୍ୟ ଏ ପୁଅପାଇଁ ମୁଁ ଧନ୍ୟ ଏମିତି ଗୋଟାଏ ଭାବ ଉଙ୍କି ମାରିବାକୁ ଲାଗିଲା; କିନ୍ତୁ ଅବାକ୍‌ ଭାବରେ ଅନାଇ ରହିଲି ରାମପ୍ରକାଶ ଆଡ଼େ–ତଦର୍ଥ, ରାମପ୍ରକାଶ, ଏହା କ’ଣ ସତ୍ୟ ଅଟେ ? ଅତି କ୍ଷୀଣକଣ୍ଠରେ ପଚାରିଲି, ତେବେ କ’ଣ ପୁଅର ସାହିତ୍ୟ ଉତ୍ତରର ରାମ ଓ ଅଯୋଧ୍ୟାଧିପତି ରାମଚନ୍ଦ୍ର ସମାନ ବ୍ୟକ୍ତି ?

 

ରାମପ୍ରକାଶ ବିଦ୍ରୂପ କରି କହିଲେ, ନିଶ୍ଚୟ ସମାନ । କାରଣ ଦୁହେଁହିଁ କାଳ୍ପନିକ ।

 

ଟେବୁଲ ଉପରେ ପ୍ରଚଣ୍ଡ ବିଧା ମାରି ରାମତାରକ କହିଲେ, କିଏ କହେ ରାମଚନ୍ଦ୍ର କାଳ୍ପନିକ ? ଜଣେ ହିନ୍ଦୁ ମୁହଁରୁ ଏହା ଶୁଣି ମୁଁ ମର୍ମାହତ । ସେ ଦିନ ଜଣେ ଆମେରିକାନ୍‌ ବୈଜ୍ଞାନିକ ସହିତ ଆଲୋଚନା ହେଉଥିଲା ରାମାୟଣ ବିଷୟରେ । ଶ୍ରୀ ହନୁମାନଙ୍କ ଗନ୍ଧମାର୍ଦ୍ଦନ ଉତ୍ପାଟନ ଓ ବହନ କଥା ଶୁଣି ସେ କ’ଣ କହିଲେ, ଜାଣ–ଜାଣ ତୁମେ-ନା, ଜାଣନା ! ସେ କହିଲେ, ଧନ୍ୟ ଆପଣମାନଙ୍କ ପୂର୍ବପୁରୁଷ । ସେମାନଙ୍କ ବୈଜ୍ଞାନିକ ପ୍ରତିଭା ଦେଖି ମୁଁ ଅତିଶୟ ଆଶ୍ଚର୍ଯ୍ୟ ହେଉଚି-। ମାଧ୍ୟାକର୍ଷଣଶକ୍ତିକୁ ଅକର୍ମଣ୍ୟ କରିଦେବା ଭଳି ଶକ୍ତି ଉତ୍ପାଦନ କରିବାର ପ୍ରଣାଳୀ ଜଣା ନଥିଲେ ଗୋଟାଏ ପାହାଡ଼କୁ ହାତରେ ଟେକିଆଣିବାର କଳ୍ପନା ହୋଇପାରନ୍ତା ନାହିଁ । ଏ ଭାରତକୁ କେହି କେବେ ଜୟ କରିପାରିଚି ?

 

ଟେବୁଲ ଉପରେ ଆଉ ଗୋଟାଏ ବିଧାର ଶବ୍ଦରେ ଚମକିପଡ଼ିଲି । ରାମପ୍ରକାଶଙ୍କ ବିଧା ସେଟା । ପୁଅ ରୀତିମତ ଭୟ ପାଇ ମୋ ପାଖକୁ ଲାଗିଆସିଲା ।

 

ରାମପ୍ରକାଶ କହିଲେ, ଧର୍ମାନ୍ଧତା ନିର୍ବୋଧତାର ନାମାନ୍ତର ମାତ୍ର । ପୁରାଣବର୍ଣ୍ଣିତ ପ୍ରତ୍ୟେକ ଅଲୌକିକ ଘଟଣାକୁ ତୁମ ପରି ନିର୍ବୋଧ ଦେଶପ୍ରେମୀ ଧର୍ମାନ୍ଧମାନେ ବୈଜ୍ଞାନିକ ସତ୍ୟ ବୋଲି ପ୍ରମାଣ କରିବାକୁ ଯାଇ ପୁରାଣର ମର୍ମକଥାଠାରୁ ଯେ ବହୁତ ଦୂରକୁ ଚାଲିଯାଉଚ, କେବଳ ତାହା ନୁହେଁ, ପୁରାଣକୁ ରୀତିମତ ହାସ୍ୟାସ୍ପଦ କରୁଚ । ସେ ଆମେରିକାନ୍‌ ଯେ ବିଦ୍ରୂପ କଲା ତାହା ତୁମର ନିର୍ବୋଧତାରୁହିଁ ବୁଝିବାକୁ ଅକ୍ଷମ ହେଲ; ଆଉ ପ୍ରତ୍ୟେକ କଥାରେ ଏପରି ପଛକୁ ଯାଇ ତୁମେମାନେ ଉନ୍ନତ-ପଥରେ ବାଧା ସୃଷ୍ଟି କରୁଚ ।

 

–ଉନ୍ନତି କରୁଛ ତୁମେମାନେ ? କ’ଣ ଉନ୍ନତି ଶୁଣେ ? ରାମତାରକ ପ୍ରତିଦ୍ୱନ୍ଦ୍ୱୀତା ପାଇଁ ଆହ୍ୱାନ ଦେଲେ ତାଙ୍କ ପ୍ରଶ୍ନରେ ।

 

–ପୁଅର ଏ ଉତ୍ତରରେ ଅଛି କେବଳ ଆଧୁନିକ ଯୁଗ ନୁହ, ଆଗାମୀ ଯୁଗର ଆହ୍ୱାନ । କେବଳ ସେହି କାରଣରୁହିଁ ଏ ଉତ୍ତରଟି ମହାନ୍‌ ! ରାମପ୍ରକାଶ ଉତ୍ତର ଦେଲେ ।

 

–ମାନେ ? ମୁଁ ପୁଣି ବିସ୍ମିତଭାବେ ପଚାରିଲି ।

 

–କୃଷି-ସଭ୍ୟତାର ଆଦର୍ଶ ଥିଲା ‘ଧୀର ପାଣି ପଥର କାଟେ’; କିନ୍ତୁ ଯେଉଁ ବୌଦ୍ଧିକ ଯୁଗ ଆସୁଚି, ଯାହାର ସ୍ପଷ୍ଟ ସଙ୍କେତ ଆମେ ଦେଖିବାକୁ ପାଇଲୁଣି । ତାହାର ଆତ୍ମା ହେଉଚି ବେଗ, ପ୍ରଚଣ୍ଡ ବେଗ–ମନ୍ଥରତା ନୁହ । ଏଠାରେ ‘ଧୀର’ ଶବ୍ଦର ଧୀମାନେ ବୁଦ୍ଧି ଏବଂ ପଥରମାନେ ହେଉଚି ଜଡ଼ତା । ଏ ସ୍ଥିତିଶୀଳତାର ଯୁଗ ନୁହ, ଗତିଶୀଳତାର ଯୁଗ–ଷ୍ଟାଟିକ୍‌ ନୁହେଁ ଡାଇନାମିକ । ଆଉ ଏ ଗତିର ନିୟାମକ ତୁମର ବୁର୍ଜ୍ଜୁୟା ରାଜା ରାମଚନ୍ଦ୍ର ନୁହ, ଏ ଗତିର ନିୟାମକ ମଜଦୁର୍‌, ସାଧାରଣ ମଜଦୁର୍‌–ରାମ, ଶ୍ୟାମ, ଯଦୁ, ମଧୁ, ଟମ, ହ୍ୟାରି, ଡିକ୍‌ ।

 

–ଏ ବାକ୍ୟର କର୍ତ୍ତା ରାମଚନ୍ଦ୍ର ନୁହେଁ ରାମ, ଯିଏ କି ସେହି ସର୍ବସାଧାରଣଙ୍କ ଭିତରୁ ଜଣେ !

 

–ବାଜେ କଥା ! ମୁଁ ଓ ରାମତାରକ ମନ୍ତବ୍ୟ କଲୁ । ଉତ୍‌କ୍ଷିପ୍ତ ରାମପ୍ରକାଶ ଆମ ଆଖି ସାମ୍ନାରେ ତର୍ଜନୀ ଚାଳନ କରି କହିଲେ, ତୁମେମାନେ ସବୁ ପୁଞ୍ଜିପତିର ଦଲାଲ୍, ସବୁ ଦୁର୍ନୀତିପରାୟଣ । ଆଇନାନୁମୋଦିତ ପ୍ରକାଶ୍ୟ ବିଚାରରେ ଦାବି ହାସଲ କରିବାଠାରୁ ତୁମେମାନେ କ୍ଷମତାସୀନର ଗୁପ୍ତ ବା ଘରୁଆ ଦରବାରରେ ମନଖୋଲି ଦୟାକୁ ବେଶି ସମ୍ମାନ ଦିଅ । କ୍ଷମତାସୀନକୁ ନ୍ୟାୟବାନ୍‌ ନ କରି ଦୟାଳୁ କର । ଯେତେସବୁ ନ୍ୟସ୍ତସ୍ୱାର୍ଥର ଦଳ ! ଯେଉଁ ଅଳ୍ପ କେତେକ ଲୋକ ନିଜର ଚରିତ୍ରବଳରେ ଜନତାକୁ ଉଦ୍‌ବୁଦ୍ଧ କରିଥିଲେ, ସେମାନେ ସେ ଶକ୍ତି ହରାଇ କ୍ଷମତାଦ୍ୱାରା ଜନତାକୁ ସାଙ୍ଗରେ ନେବାକୁ ଚାହାନ୍ତି । ଖବରଦାର, ହୋସିଆର ! ଆମେ ଆର୍ତ୍ତନାଦ କରିଉଠିଲୁ ।

 

ରାମପ୍ରକାଶ କିନ୍ତୁ ଭ୍ରୂକ୍ଷେପ ନ କରି କହିଚାଲିଲେ, ଏ ବାକ୍ୟର କର୍ତ୍ତା ‘ରାମ’ ଜଣେ ସାଧାରଣ ଲୋକ ଏବଂ ସମ୍ବିଧାନ ତାକୁ ବାକ୍‌ସ୍ୱାତନ୍ତ୍ର୍ୟ ଦେଇଚି (ସମ୍ବିଧାନର ମୌଳିକ ଅଧିକାର ଅଧ୍ୟାୟ ଦ୍ରଷ୍ଟବ୍ୟ) । ସେ ରାମ ଯଦି ଅବାନ୍ତର ଭାବରେବି କହେ ‘ଧୀର ପାଣି ପଥର କାଟେ’ ତେବେ କାହାର ବୋପାର କ’ଣ ଗଲା ? ଏ ବାକ୍ୟରେ କର୍ତ୍ତା ଅଛି, କର୍ମ ଅଛି, କ୍ରିୟାବି ଅଛି । ବ୍ୟାକରଣଦୃଷ୍ଟିରୁ ନିର୍ଦ୍ଦୋଷ ବାକ୍ୟଟିଏ । କିନ୍ତୁ ତା’ ଠାରୁ ବଳି ମହତ୍ତ୍ୱ ନିହିତ ଅଛି ଏ ବାକ୍ୟରେ । ତାହା ହେଉଚି, ଜଣେ ମଜଦୁର୍‌, ମଳିମୁଣ୍ଡିଆ, ପ୍ରୋଲେଟେରିୟଟର ବାକ୍‌ସ୍ୱାତନ୍ତ୍ର୍ୟ ସାବ୍ୟସ୍ତ ହୋଇଚି । ପୁଅର ଉତ୍ତରରେ ତାହାହିଁ ପ୍ରକାଶ ପାଇଚି । ଆଗାମୀ ଯୁଗର ଦୂତ ସେ । ଧନ୍ୟ ତୁ ପୁଅ ! ମୋର ପ୍ରଣାମ ଗ୍ରହଣ କର । ରାମପ୍ରକାଶ ହାତଯୋଡ଼ି ମୁଣ୍ଡରେ ଲଗାଇଲେ ପୁଅ ଆଡ଼କୁ ଚାହିଁ । ପୁଅ ପୁଣି ସଗର୍ବେ ମୋତେ ଚାହିଁଲା ।

 

ରାମତାରକ ଉତ୍‌କ୍ଷିପ୍ତଭାବରେ ପଦଚାରଣା କରିବାକୁ ଲାଗିଲେ । ରାମପ୍ରକାଶ ସେମିତି ଛିଡ଼ା ହୋଇ ରହିଲେ ।

 

ମୁଁ ଏଥର ରୀତିମତ ଦୃଢ଼ତାର ସହିତ କହିଲି, ଏ ବାକ୍ୟର କର୍ତ୍ତା ଯିଏବି ହେଉନା କାହିଁକି, ଏହାର ଲେଖକ ଓ ଅସଲ କର୍ତ୍ତା ହେଉଛି ମୋ ପୁଅ । ତାକୁ ଭଲକରି ପାଶ୍‌ କରିବାକୁ ହେବ ବଡ଼ ଚାକିରୀପାଇଁ । ଏପରି ବାକ୍ୟ ଲେଖିଲେ ତା’ ଅସମ୍ଭବ । ସେଥିରେ ତା’ର ଜୀବନ ନଷ୍ଟ ଏବଂ ମୋର ଅନ୍ଧକାରମୟ; ଅତଏବ ଏ ବାକ୍ୟ ଭୁଲ୍‌ ।

 

–ନାଇଁ ବାପା, ପୁଅ ସୋତ୍ସାହେ କହିଲା, ଏଥର ମୁଁ ବୁଝିସାରିଲିଣି, କହିବି.....କହିବି....ଠିକ୍‌ ଉତ୍ତର ?

 

–କହିଲୁ ବାପା ? ଆମେ ସମସ୍ତେ ଏକାବେଳେ ପଚାରିଲୁ ଉତ୍‌କଣ୍ଠାର ସହିତ ।

 

–ରାମଚନ୍ଦ୍ର ସ୍ପଟନିକ୍‌ରେ ଯାଉଁ ଯାଉଁ କହିଲେ, ଧୀର ପାଣି ପଥର କାଟେ । ହବନି ?

 

ମୁଁ ଅବାକ୍‌ ଭାବରେ ଚାହିଁରହିଲି ।

 

ରାମତାରକ ପଦଚାରଣ କରୁ କରୁ ହଠାତ୍‌ ଥମକି ଯାଇ ପାଟି ମେଲା କରି ଛିଡ଼ା ହୋଇ ରହିଲେ ।

 

ରାମପ୍ରକାଶ ଥପ୍‌କିନା ଚୌକିରେ ବସିପଡ଼ିଲେ ତଳକୁ ମୁହଁ ପୋତି ।

 

ଗୋଟାଏ ପ୍ରଚଣ୍ଡ ଝଡ଼ରେ ଉତ୍ପାଟିତ ମହୀରୁହସବୁ ଅବାନ୍ତର ମନେହେଲା ଭଳି ଆମେ ସବୁ ନିଜକୁ ଅବାନ୍ତର ମନେକଲୁ ।

 

ଆମେ ଯେତେବେଳେ ଏହିପରି ଅବସ୍ଥାରେ ଅଛୁ ଦେଖିଲୁ ପୁଅ ହସି ହସି କରି କହିଯାଉଚି–

 

ଏକ, ଦୁଇ, ତିନି, ଚାରି, ପାଞ୍ଚ, ପନ୍ଦର,

ଫୁରୁର୍‌କିନା ଉଡ଼ିଗଲେ ରାମଚନ୍ଦର ।

 

ଅପାଂକ୍ତେୟ ସାହିତ୍ୟ

 

ବିଜ୍ଞାପନ ସାହିତ୍ୟ–

 

ଆଜିକାଲିର ସଭ୍ୟତାନୁସାରେ ଯେଉଁ ସାହିତ୍ୟ ହେଉଚି ତହିଁରେ ବିଜ୍ଞାପନ ସାହିତ୍ୟ ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରିସାରିଲାଣି । ଯେଉଁମାନେ ସାହିତ୍ୟ ଇତିହାସ ବିଷୟରେ ନିୟମିତ ଗବେଷଣା କରୁଛନ୍ତି ସେମାନେ ନିଶ୍ଚୟ ଦିନେ-ନା-ଦିନେ ଏହି ବିଜ୍ଞାପନ ସାହିତ୍ୟର ପ୍ରକୃତ ମୂଲ୍ୟ ନିରୂପଣ କରିବେ । ମୋତେ ଗୋଟିଏ ବିଜ୍ଞାପନ ଅତି ଆକୃଷ୍ଟ କରିଚି । ସାଧ୍ୟାନୁସାରେ ମୁଁ ତା’ର ଅନୁବାଦ କରିଛି । ବିଜ୍ଞାପନଟି ଡନଲପ୍‌ କମ୍ପାନୀର, ୧୯୫୨ର ପୁସ୍ତିକାଟି–ଯେଉଁମାନଙ୍କର ମୋଟରଗାଡ଼ି ଅଛି ସେମାନେ ନିଶ୍ଚୟ ଏଥିରୁ ଖଣ୍ଡିଏ ଚଟିବହି ପାଇଥିବେ । କିନ୍ତୁ ଅଧିକାଂଶ ମୋଟର ମାଲିକ ବୋଧହୁଏ ଏହାକୁ ପଢ଼ି ଉପଭୋଗ କରି ନଥିବେ-। ସେମାନେ ଏଇ ଅନୁବାଦ ପଢ଼ି ଦେଖିବେ ବିଜ୍ଞାପନ ସାହିତ୍ୟରେ କି ଆକର୍ଷଣ ରହିଛି ।

 

ଅନୁବାଦ :

 

‘‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେସନ୍ତୁ ନିରାମୟାଃ ଏବଂ ପ୍ରଧାନ ପ୍ରଧାନ ରାଜମାର୍ଗରେ ପାଦରେ ଚାଲି ଯା’ଆସ କରୁଥିବା ବାଟୋଇମାନଙ୍କର ମଙ୍ଗଳ ହେଉ ।’’–ମୋଟର ଆବିଷୃତ ହେବାପରେ ଯେଉଁ ନୂଆ ଦୁନିଆ, ନୂଆ ଯୁଗ ସୃଷ୍ଟି ହେଇଚି ସେଥିରେ ଏହାହିଁ ଆମର ଏକମାତ୍ର କହିବାର ବିଷୟ ।

 

ଦିନେ କୌଣସି ଗୋଟିଏ ସ୍ଥାନରେ ଜଣକ ରୋଷେଇଶାଳରେ ଅଗ୍ନିର ଦାହିକାଶକ୍ତିଦ୍ୱାରା ଝୋଳ ପ୍ରସ୍ତୁତ ହେଉଥିଲା । କିମାଶ୍ଚର୍ଯ୍ୟମ୍‌ ! ସେଇ ଦିନ ମୋଟର ଆତ୍ମାର ଆବିର୍ଭାବ ହେଲା ଏବଂ ମୋଟରର ପଚାଶବର୍ଷ ଇତିହାସରେ ଏହି ନବାଗତଆତ୍ମାଟିକୁ ଧାରଣ କରିବାକୁ ଯାଇ ଯେଉଁ ରାଜନୈତିକ ଓ ରାଜ୍ୟବିସ୍ତୃତିର ଘୋର ବିପ୍ଳବ ବାରମ୍ବାର ଆସିଛି ତା’ର ଦାଉରେ ପୃଥିବୀ ବାରମ୍ବାର ଶିହରି ଉଠିଛି ଏବଂ ଏହି ନବାଗତଆତ୍ମାଟି ମଧ୍ୟ ଖୁବ୍‌ ମଜବୁତ୍‌ଥିବା ହେତୁରୁ ପୃଥିବୀ ଅବସ୍ଥା ବଦଳାଇପାରିଛି ।

 

କ୍ରମେ କ୍ରମେ ପରିସ୍ଥିତି ଏପରି ହୋଇଛି ଯେ, ମନୁଷ୍ୟର ଆତ୍ମା ସହିତ ମୋଟରର ଆତ୍ମା ସମାନ ତାଳ ପକାଇ ଚାଲିବାକୁ ଆରମ୍ଭ କରିଛି । ଶେଷରେ ଦିନେ ଏହା ଗୋଟିଏ ପ୍ରଧାନ ଶିଳ୍ପ, ମୋଟର ବୀମା କମ୍ପାନୀମାନଙ୍କର ଆତଙ୍କ ଓ ସାଧାରଣଜନତାଙ୍କ ପକ୍ଷେ ଗୋଟିଏ ମୂର୍ତ୍ତିମାନ୍‌ କଦର୍ଯ୍ୟତାରୂପେ ଛିଡ଼ା ହୋଇଛି । କିନ୍ତୁ ପ୍ରତିଦିନ ପୃଥିବୀରେ ଅଧିକରୁ ଅଧିକ ଲୋକ ଜନ୍ମଗ୍ରହଣ କଲେ ଏବଂ ପ୍ରତିଦିନ ଅଧିକରୁ ଅଧିକ ମୋଟର ମଧ୍ୟ ଜନ୍ମଗ୍ରହଣ କଲା । କ୍ରମେ କ୍ରମେ ଅବସ୍ଥା ଏପରି ଜଟିଳ ହୋଇଉଠିଲା ଯେ, ମନୁଷ୍ୟ ଓ ମୋଟର ଉଭୟଙ୍କ ମଧ୍ୟରେ ରାସ୍ତାରେ ଯିବାର ଅଧିକାର ନେଇ ବାଦବିବାଦ ଉପୁଜିଲା । ମୋଟର କହିଲା ଉଭୟଙ୍କ ପାଇଁ ରାସ୍ତା ନାହିଁ । ତେଣୁ–

 

ମୋଟରପାଇଁ ହେଲା ସୃଷ୍ଟି ଭାଇ, ଫୁଟ୍‌ପାଥ,

ଆଜ୍ଞା, ଫୁଟ୍‌ପାଥ୍‌ପାଇଁ ସୃଷ୍ଟି ଯେ ପାଦେ ଯାତାୟାତ । (ଧନମଣିରେ)

ମ୍ୟୁନିସିପାଲିଟି ହେଲା ଭାଇ ସେଥିପାଇଁ ଗଢ଼ା

ବୋଲେ, ମ୍ୟୁନିସିପାଲିଟି ଭାଇ କହିଲା ‘‘କର ବଢ଼ା’’ (ଧନମଣିରେ)

ଚଢ଼ା କର ଦେଇ କହିଲୁ ଚଉଡ଼ା କର ବାଟ,

ଦେଖ, ଚଉଡ଼ା ବାଟେ ସୁଖେ ବିକିଲେ ପାନ, ବିଡ଼ି ସିଗାରେଟ । (ଧନମଣିରେ)

ଫେରିବାଲା ପାଇଁ ଗଢ଼ାହେଲା ଭାଇ ଜେଲ

ବାବୁ, ଜେଲ ଦେବାପାଇଁ ହେଲା ବିଚାରକ ମେଳ । (ଧନମଣିରେ)

ବିଚାରକ ବସି କଲେ ବାଟଚଲା ରୁଲ୍‌,

ଆଜ୍ଞା, ବାଟଚଲା ରୁଲ୍‌ମାନି ହସ୍‍ପିଟାଲ ଫୁଲ୍‌ । (ଧନମଣିରେ)

ପାଠ ପଢ଼ିଲେ ପିଲାମାନେ ହେବାକୁ ଡାକ୍ତର

ପୁଣି, ଡାକ୍ତର ପାଇଁ ସୃଷ୍ଟି ହେଲା ଥର୍ମୋମିଟର । (ଧନମଣିରେ)

ସେଥିରେ ଜର ଦେଖିବାପାଇଁ ମୁଣ୍ଡବାଉଳା ରୋଗୀ

ଆଜ୍ଞା, ମୁଣ୍ଡବାଉଳା ଲୋକ ପାଇଁ ପୁଲିସ ବସେ ଜଗି । (ଧନମଣିରେ)

 

ସବୁ ହେଲା ଏଇ ପଦଚଲାମାନଙ୍କ (ଯେଉଁମାନେ ମୋଟରରେ ଯିବା–ଆସିବା ନ କରି ପାଦରେ ଯିବା-ଆସିବା କରନ୍ତି) ପାଇଁ; ତେବେ ପୁଲିସ ଏଇ ପଦଚଲାମାନଙ୍କ କଥା ଭୁଲିଗଲା । କିନ୍ତୁ ମୋଟାମୋଟି ଗୋଟିଏ ନିୟମ ରହିଗଲା–ପ୍ରତ୍ୟେକଙ୍କୁ ତାଙ୍କ ହକ୍‌ ଦିଅ । ତେଣୁ ବର୍ତ୍ତମାନ ଆମର ପରିବର୍ତ୍ତନଶୀଳ ସମାଜର ଅବସ୍ଥା ଏପରି ହେଲାଣି ଯେ ପ୍ରତିଦିନ ଗୋଟିଏ ପୁସ୍ତକ ପ୍ରକାଶ କରିବାକୁ ପଡ଼ୁଚି ଯେଉଁଥିରେ ଆମର ଗନ୍ତବ୍ୟ ସ୍ଥାନ କିଏ ଏବଂ ସେଠାକୁ କିପରି ଯିବୁ ଏହି ବିଷୟରେ ଆଲୋଚନା କରାଯାଉଛି ।

 

ଉଦାହରଣସ୍ୱରୂପ, ଏହି କ୍ଷୁଦ୍ର ପୁସ୍ତିକାଟିରେ ଆମେ ମୋଟର-ଚାଳକମାନଙ୍କ ପାଇଁ ସହଜ ଶିକ୍ଷାର ବ୍ୟବସ୍ଥା କରିବୁ । କିବା ଅସାଧ୍ୟ ମହୀତଳେ ।

 

(୧)

ପ୍ରତ୍ୟେକ ପନ୍ଦର ମିନିଟରେ ଥରେ ଗୋଟିଏ ଅତି ବାଙ୍କରେ ମୋଟରକୁ ଏପରି ଘୂରାନ୍ତୁ ଯେ ମୋଟରଟି କେବଳ ବାମ ପଟର ଦୁଇଟି ଚକା ଉପରେ ଚାଲିବ । ଯଦି ସପ୍ତାହକ ପରେ ଆପଣ ବୁଝିପାରନ୍ତି ଆପଣ ତଥାପି ବଞ୍ଚିଛନ୍ତି ତେବେ ଉଡ଼ାଜାହାଜରେ ଖୁବ ଉପରକୁ ଉଠିଯାଇ ବନ୍ଦ କରିଦିଅନ୍ତୁ, ତଳେ ନପଡ଼ିବା ପର୍ଯ୍ୟନ୍ତ ।

 

 

(୨)

ଯଦି ପ୍ରିୟାକୁ ପାଖରେ ବସାଇ ଆନନ୍ଦରେ ଖୁବ୍‌ ଜୋର୍‌ରେ ମୋଟର ଚଳାଇବାବେଳେ ହଠାତ୍‌ ଆପଣଙ୍କ ମନେପଡ଼େ ସାମ୍ନାରେ ପୁଲିସ ଅଟକାଇବାର ବିପଦ ଅଛି, ତେବେ ଆହୁରି ଜୋର୍‌ରେ ମଟର ଚଳାଇ ଯାଆନ୍ତୁ । ଯଦି ମନଲାଖି କିଛି ନଘଟେ ତେବେ ମୋଟର ଫେରାଇ ଆହୁରି ଥରେ ଚେଷ୍ଟା କରନ୍ତୁ । ଏମିତି ଯେତେ ଥର ଖୁସି ସେତେ ଥର କରନ୍ତୁ । ତଥାପି ଯଦି କିଛି ନ ଘଟେ ତେବେ ଆପଣ ଦୟାକରି ହଲିଉଡ଼୍‌ ଯାଆନ୍ତୁ ।

 

 

(୩)

ଯଦି ଦେଖନ୍ତି ଆପଣଙ୍କ ସମ୍ମୁଖରେ ଅନେକ ମୋଟର ଛିଡ଼ା ହୋଇ ରହିଛନ୍ତି, ପଛରେ, ଡାହାଣରେ, ବାମରେ ମଧ୍ୟ ତଦ୍ରୂପ, ତେବେ ହଠାତ୍‌ ମୋଟରର ଗତି ବାଁଆଡ଼କୁ କରି ପାଖରେ ଥିବା ଦୋକାନ ଭିତରକୁ ମୋଟରରେ ପଶିଯାଆନ୍ତୁ ଏବଂ ପୁଣି ବାହାରି ଆସନ୍ତୁ-। ଦେଖିବେ ଭାରି ରୋମାଞ୍ଚ ଜାତ ହେବ ।

 

 

(୪)

ଯଦି ଆପଣଙ୍କ ସମ୍ମୁଖରେ ଯାଉଥିବା ମୋଟରଟି ବାଆଁକୁ ଯିବ ବୋଲି ସଙ୍କେତ ଦିଏ ତେବେ ଆପଣ ତାକୁ ବାଟ ନ ଛାଡ଼ି ତା ବାଆଁପଟ ଦେଇ ଜୋର୍‌ରେ ଚଳାଇ ନିଅନ୍ତୁ । ଯିବାବେଳେ ଆପଣ ତାଙ୍କୁ ପରିହାସ ଛଳରେ କହିପାରିବେ–‘‘ହେ ବନ୍ଧୁ ବିଦାୟ, ଯାଉଛି ମୁଁ ସ୍ୱର୍ଗଧାମେ ।’’

 

 

(୫)

ଯଦି ଆପଣଙ୍କର ବ୍ରେକ୍‌ ନାହିଁ ବା ଥାଇ କାମ କରୁନାହିଁ, ତେବେ କିଛି ପରବାଏ ନାହିଁ । ମୋଟର ଅଟକାଇବା ପାଇଁ ଆପଣ ନିଶ୍ଚୟ ନିକଟରେ ଗୋଟାଏ ଗଛ ପାଇବେ, ନ ହେଲେ ଆଉ ଗୋଟାଏ ମୋଟର ଥିବ । ନିହାତି ଯଦି କିଛି ନଥିବ ତେବେ ଅନ୍ତତଃ ଜଣେ ବାଟୋଇକୁ ପାଇବେ । ଅବଶ୍ୟ ଏମିତି ବ୍ରେକ୍‌ ନଥିବା ମୋଟର ଅଟକାଇବା ପାଇଁ ବେଳେ ବେଳେ ଦୁଇଜଣ ବାଟୋଇଙ୍କର ଆବଶ୍ୟକତା ପଡ଼େ ।

 

 

(୬)

ଆଉ ଗୋଟାଏ ଚମତ୍କାର ଅନୁଭୂତି ଅଛି । ଟିକିଏ କଡ଼ା ମଦ ପାନ କରି ମୋଟର ଚଳାଇବାକୁ ବସନ୍ତୁ । ଯଦି ଦେଖନ୍ତି ସାମ୍ନାରେ ବେଶ୍‌ ସୁନ୍ଦର ଚଉଡ଼ା ସିଧା ଲମ୍ବା ରାସ୍ତା ପଡ଼ିଚି ତେବେ ଖୁବ୍‌ ଜୋର୍‌ରେ ମୋଟର ଚଳାନ୍ତୁ । ମନେକରନ୍ତୁ ପଛରେ ଆପଣଙ୍କୁ ମହାଜନ ଗୋଡ଼େଇଚି । ତା’ପରେ ହଠାତ୍‌ ମହାଜନ ଆଉ ନାହିଁ ମନେକରି ବ୍ରେକଟାକୁ କସି କରି ଭିଡ଼ିଦିଅନ୍ତୁ । ଏହି ଘଟଣାଟି ପରେ ଆପଣଙ୍କ ମୋଟରଟି ତେତିଶ ଥର ଓଲଟିଯିବା ଉଚିତ । ସବୁଠାରୁ ସ୍ୱର୍ଗୀୟ ଅନୁଭୂତି ପାଇବେ ଯେତେବେଳେ ହସ୍‌ପିଟାଲରେ ଆପଣଙ୍କୁ କ୍ଳୋରୋଫର୍ମ୍‌ ଶୁଙ୍ଘିବାକୁ ଦିଆଯିବ ।

 

 

(୭)

ଅର୍ଦ୍ଧଶତାବ୍ଦୀ ପୂର୍ବେ ମୋଟରରେ ହର୍ଣ୍ଣ ନଥିଲା । ଜଣେ ଲୋକ ଗୋଟିଏ ନାଲି ପତାକା ଧରି ମୋଟରକୁ ୫୦ ହାତ ପଛରେ ରଖିଯାଉଥିଲେ । ଉଦ୍ଦେଶ୍ୟ, ବାଟୋଇମାନଙ୍କୁ ସତର୍କ କରିବା; କିନ୍ତୁ କହିବା ବାହୁଲ୍ୟ ବାଟୋଇମାନେ ମୋଟରର ତୁମୁଳ ଶବ୍ଦ ହେତୁରୁ ଏହି ଲୋକଟି ପ୍ରତି ଦୃଷ୍ଟିଦେଇ ପାରୁ ନଥିଲେ । ମୋଟରହର୍ଣ୍ଣ ଆବିଷ୍କାରର ଉଦ୍ଦେଶ୍ୟ ହେଲା ଯେ, ବାଟୋଇମାନଙ୍କୁ ଦୂରରୁ ସାବଧାନ କରିବା । କିନ୍ତୁ ଦୁର୍ଭାଗ୍ୟବଶତଃ ବାଟୋଇମାନଙ୍କର ଏହା କାନସୁହା ହୋଇଗଲା ଏବଂ ମୋଟର-ଚାଲକମାନଙ୍କର ବିନା କାରଣରେ ହର୍ଣ୍ଣ ବଜାଇବା ଗୋଟାଏ ବଦଭ୍ୟାସ ମଧ୍ୟ ହୋଇଗଲା । ଅନେକ ବାଟୋଇ ଆପତ୍ତି କରିବାର ଆମେ ଶୁଣିଚୁ ଯେ, ରାସ୍ତା ମଝିରେ ସୁଖରେ ବନ୍ଧୁ ସହିତ କଥା କହିବାରେ ମୋଟରହର୍ଣ୍ଣ ଗୋଟିଏ ଘୋର ବାଧା । କିନ୍ତୁ ସୁଖର କଥା, ଆଜିକାଲି ଏହି ବାଧାକୁ ଅତିକ୍ରମ କରିବା ପାଇଁ କ୍ରମେ ଅଧିକରୁ ଅଧିକ ବାଟୋଇ ଏକତ୍ରିତ ହୋଇ ରାସ୍ତା ମଝିରେ କଥାବାର୍ତ୍ତା କରିବାକୁ ଆରମ୍ଭ କଲେଣି ।

 

ଆଇନ ସାହିତ୍ୟ–

 

ବିଜ୍ଞାପନ ସାହିତ୍ୟ ଭଳି ଆଉ ସାହିତ୍ୟ ଅଛି, ଯାହା ଉଚ୍ଚକୋଟିର ହେଲେହେଁ ଅପାଂକ୍ତେୟ ହୋଇ ରହିଛି । ଏହା ଉପରେ କାହାର ଦୃଷ୍ଟି ଏପର୍ଯ୍ୟନ୍ତ ପଡ଼ିନାହିଁ ।

 

କେବଳ ମାତ୍ର ସାକ୍ଷ୍ୟ ପ୍ରମାଣ ଆଇନ (Evidence Act) ଅନୁସାରେ ପ୍ରମାଣିତ ବାସ୍ତବ ଘଟନା ଓ ତଥ୍ୟରୁ ଯେଉଁ ତତ୍ତ୍ୱ ବା ସିଦ୍ଧାନ୍ତ ଉପୁଜେ ତାକୁହିଁ କେବଳ ମକଦ୍ଦମାର ରାୟରେ ବିଚାରପତିମାନେ ଥୋଇବାର ନିର୍ଦ୍ଦେଶ ଆଇନରେ ରହିଚି । ତେଣୁ ରାୟ ଭାବପ୍ରବଣହୀନ ହୋଇଯାଇଛି । ଅନେକ ବିଚାରପତି ଭାବପ୍ରବଣହୀନ ହେବାକୁ ଯାଇ ଆନ୍ତରିକତାହୀନ ହୋଇଯାଆନ୍ତି । ଭାବପ୍ରବଣହୀନତା କିନ୍ତୁ ଆନ୍ତରିକହୀନତା ନୁହେଁ । ସେମିତି, ଭାବପ୍ରବଣତା ଆନ୍ତରିକତା ନ ହୋଇପାରେ । କେତେକ ବିଚାରପତି ତାଙ୍କ ଭାବପ୍ରବଣହୀନ ସିଦ୍ଧାନ୍ତକୁ ଏପରି ଆନ୍ତରିକତାର ସହିତ ଲେଖନ୍ତି ଯେ ତାହାହିଁ ଆବେଗ ସୃଷ୍ଟି କରେ ଏବଂ ତେଣୁ ସାହିତ୍ୟ–ପର୍ଯ୍ୟାୟକୁ ଯାଏ ।

 

ପିଙ୍ଗଳ କୋର୍ଡ଼୍‌ (Indian Penal Code)ର ୪୯୯ ଦଫା (କୁତ୍ସାରଟନା–Slander and libel)ର ଏକ ମକଦ୍ଦମାରେ ‘ଏ. ଆଇ. ଆର୍‌. ୧୯୭୧ ପଞ୍ଜାବ ୨୧୫’ରେ ପ୍ରକାଶିତ ହୋଇଥିବା ରାୟରେ ମାନ୍ୟବର ବିଚାରପତି ଲେଖିଛନ୍ତି : ଖ୍ୟାତି ହେଉଛି ବ୍ୟକ୍ତିର ବ୍ୟକ୍ତିଗତ ସମ୍ପତ୍ତି । ସବୁ ବ୍ୟକ୍ତିଗତ ସମ୍ପତ୍ତି ଚାଲିଗଲେହେଁ ଏକୁ କେବେ କଦାପି କେହି କାଢ଼ି ନେଇପାରିବେ ନାହିଁ । ଏହାରି ଉପରେହିଁ ମଣିଷ ବଞ୍ଚେ ।

 

ପୁଣି ‘ଏ. ଆଇ. ଆର୍‌. ୧୯୩୮ ମାନ୍ଦ୍ରାଜ ୫୯୧’ ଓ ‘ଏ. ଆଇ. ଆର୍‌. ୧୯୬୫ ସୁପ୍ରିମ୍‌କୋର୍ଟ ୬୮୨’ରେ ପ୍ରକାଶିତ ରାୟମାନଙ୍କରେ ବିଚାରପତିମାନେ କହିଛନ୍ତି : ମଣିଷର ଖ୍ୟାତି କିନ୍ତୁ ମଣିଷର ଚରିତ୍ର ନୁହେଁ । ଭଲଲୋକ ବୋଲି ଖ୍ୟାତି ପାଇଥିବା ଲୋକଟି ଦୁଷ୍ଟ, ଚୋର ଓ ଦୁର୍ନୀତିପରାୟଣ ହୋଇପାରେ ଏବଂ ଏହାର ଓଲଟାଟିବି ଘଟିବାର ଦେଖାଯାଏ ।

 

‘ଏ.ଆଇ.ଆର୍‌. ୧୯୬୧ ଆନ୍ଧ୍ର ୧୯୦’ରେ ପ୍ରକାଶିତ ରାୟରେ ବିଚାରପତି ମୁଖ୍ୟ ବିଚାରପତି ମ୍ୟାକ୍‌କିନ୍‌ଙ୍କ ଏକ ରାୟରୁ ଉଦ୍ଧାର କରିଛନ୍ତି–

 

ଏଇଠି ମୁଁ କହିରଖେ ଯେ କୁତ୍ସାରଟନା ଗୋଟିଏ ଜଘନ୍ୟ ଅପରାଧ । ଅନେକ ସମ୍ବାଦପତ୍ର କିନ୍ତୁ ଏହାକୁହିଁ ସମ୍ବଳ କରିଥାନ୍ତି । ହତ୍ୟାକାରୀ ବା ରାତିଅଧରେ ଘରେ ପୋଡ଼ିଦେଉଥିବା ଲୋକର ହୃଦୟ ଅପେକ୍ଷା ତାହାର ହୃଦୟ ଆହୁରି ଅନ୍ଧକାରମୟ । ଏ କଥା ସତ ଯେ, ମୋ ଘର ଯିଏ ପୋଡ଼ିଦେଲା ତାକୁ ହୁଏତ ମୁଁ ଆଦୌ ଜାଣିପାରିବି ନାହିଁ; କିନ୍ତୁ ଆଉ ଗୋଟିଏ ଘର ସହଜରେ ତୋଳିହେବ । ଘର ପୋଡ଼ିଗଲେ ଘରମାଲିକ ଲଜ୍ଜିତ ବା ନିନ୍ଦିତ ହେବାର କିଛି ନାହିଁ; କିନ୍ତୁ କୁତ୍ସାରଟନାରେ ମଣିଷ ଏ ସନ୍ତୋଷ ପାଏ ନାହିଁ । ଗୋଟାଏ ମୁହୂର୍ତ୍ତରେ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ତାହାର ଖ୍ୟାତି ହରାଇବସେ । ହୁଏତ ସେଇ ଖ୍ୟାତିକୁହିଁ ସମ୍ବଳ କରି ସେ ସୁଖରେ ବଞ୍ଚିଥିଲା-। ତାହାକୁ ହରାଇ ସେ ନିଃସ୍ୱ ନିରାଶ୍ରୟ ହୋଇଗଲା ମାତ୍ର ଗୋଟାଏ ମୁହୂର୍ତ୍ତରେ । କେଉଁ ବିଚାରାଳୟ ତାକୁ କ୍ଷତିପୂରଣ ଦେଇପାରିବ ? କାହାକୁ ବା ସେ କହିବ ? ଯେଉଁମାନେ ତାକୁ ଜାଣନ୍ତି, ସେମାନେ ଏ କୁତ୍ସାଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି କହିବାର କିଛି ଅର୍ଥ ନାହିଁ । କୌଣସି ବ୍ୟକ୍ତିର ଏମିତି ଘନିଷ୍ଠ ପରିଚିତ ବ୍ୟକ୍ତି କେଇଜଣ ବା ଥାଆନ୍ତି, ଯେଉଁମାନେ କୁତ୍ସାକୁ ଭ୍ରୂକ୍ଷେପ କରିବେ ନାହିଁ ବା କୁତ୍ସା ଶୁଣି ସେମାନଙ୍କ ମନରେ କୌଣସି ସନ୍ଦେହ ଜାତ ହେବ ନାହିଁ ? ସେମାନେ ସଂଖ୍ୟାରେ ଅତି ଅଳ୍ପ ଏବଂ ଦୁଇ ଥର କୁତ୍ସାରଟନା ପରେ ତାଙ୍କ ମନରେବି ସନ୍ଦେହ ଜାତ ହେବ । ଏଇ ସାମାନ୍ୟ କେଇ ଜଣଙ୍କୁ ଛାଡ଼ିଦେଲେବି ଅଗଣିତ ନରନାରୀ ସମ୍ବାଦପତ୍ର ପଢ଼ି ସେ ଲୋକକୁ ଘୃଣା କରିବେ । ଏମାନଙ୍କୁ ଜଣ ଜଣ କରି ସେ କ’ଣ ନିର୍ଦ୍ଦୋଷତା ବିଷୟରେ ବୁଝାଇପାରିବ ? ସମ୍ବାଦପତ୍ର ଜରିଆରେ କୁତ୍ସା ଖଣ୍ଡନ କରି ଗୋଟିଏ ବିବୃତି ଦେଇଦେଲେବି କିଛି ଲାଭ ନାହିଁ । କୁତ୍ସା ଯେଉଁ ବିଶ୍ୱାସ ଜନ୍ମାଏ, ଖଣ୍ଡନ ତାହା ଜନ୍ମାଏ ନାହିଁ । ଯେଉଁମାନେ କୁତ୍ସାଟି ପଢ଼ିଥିବେ ସେମାନେ ଖଣ୍ଡନଟିକୁ ପଢ଼ିବେ କି ନା ସନ୍ଦେହ । ବେଶି ଜୋର ହେଲେ ଥରେ ମାତ୍ର ଆଖି ବୁଲାଇ ଦେଇ, ତାକୁ ମନରୁ ପୋଛିଦେଇ କୁତ୍ସାକୁହିଁ ମନେରଖିବେ । ଇଆଡ଼େ ଏପରି ସର୍ବନାଶ ଘଟୁଥିବାବେଳେ କୁତ୍ସାରଟୟତା ତା’ର ଛଦ୍ମନାମ ଆଢ଼ୁଆଳରେ ଘୃଣ୍ୟ ନିରାପତ୍ତା ଭିତରେ ରହି ହସୁଥିବ ।

Image

 

କାହିଁକି କେଜାଣି

 

..........କାହିଁକି କେଜାଣି, ଅନ୍ୟାୟ ଦେଖିଲେ ମୁଁ ସହିପାରେନା । ମୋ ଦେହ ଥରିଯାଏ-। ସିଏ ଯେଡ଼େ ବଡ଼ଲୋକ ହେଉନା ପଛକେ ମୁହଁରୁ କଡ଼ା କଥା ବାହାରିଯାଏ । କାହିଁକି କେଜାଣି...

 

ସାଙ୍ଗମେଳରେ ହେଉ ବା ବାଟଘାଟ ବଜାରରେ ହେଉ ବା ସଭାସମିତିରେ ବକ୍ତୃତା ଦେବାବେଳେ ହେଉ, ଯେଉଁଠି ଟିକିଏ ସୁବିଧା ମିଳେ, ଅନେକେ ନିଜର ଏହି ଅଖାଡ଼ୁଆ ଅସାଧାରଣ ଚରିତ୍ର କଥା ଘୋଷଣା କରିଥାନ୍ତି । ନିଜ ବିଷୟରେ ବକ୍ତାଙ୍କ ଏପରି ମନ୍ତବ୍ୟ ଏବଂ ମନ୍ତବ୍ୟର ଆରମ୍ଭ ଓ ଶେଷରେ ଥିବା ଜିଜ୍ଞାସାର ରହସ୍ୟ କ’ଣ ?

 

ଏ ବିଷୟକ ତତ୍ତ୍ୱଟି ବଡ଼ ଜଟିଳ ଏବଂ ଗଭୀର । ଗୀତାରେ ଭଗବାନ ଶ୍ରୀକୃଷ୍ଣ ପୃଥିବୀର ସବୁ ଲୋକଙ୍କୁ ଭକ୍ତ ବୋଲି କହି ସେମାନଙ୍କୁ ଚାରି ଭାଗରେ ବିଭକ୍ତ କରିଛନ୍ତି–ଆର୍ତ୍ତୀ, ଅର୍ଥାର୍ଥୀ, ଜିଜ୍ଞାସୁ, ଜ୍ଞାନୀ । ତେଣୁ ଜିଜ୍ଞାସୁ ଏକପ୍ରକାର ଭକ୍ତ । ଋକ୍‌ବେଦର ଋଷି ପଚାରୁଛନ୍ତି, ସୃଷ୍ଟି କିପରି ହେଲା ? କାହିଁକି ବା ହୋଇଛି ? ହେ କବିଗଣ ! ଏ କଥା କିଏ ଜାଣେ ? ଏ ଜିଜ୍ଞାସା ଏବେବି ତୃପ୍ତ ହୋଇନାହିଁ । ପ୍ରତ୍ୟେକ ମୁହୂର୍ତ୍ତରେ କେତେ ଯେ ବିରାଟ ବିରାଟ ବ୍ରହ୍ମାଣ୍ଡ ସୃଷ୍ଟି ହେଉଛି ଏବଂ ଲୀନ ହେଉଛି, କାହିଁକି ? ଏଣେ ପୁଣି ଅଣୁଠାରୁ ଅଣୀୟାନ୍‌ ପରମାଣୁ କଥା ଆହୁରି ଆଶ୍ଚର୍ଯ୍ୟଜନକ । ଯାହାକୁ ଆମେ କଠିନ ବସ୍ତୁ ବୋଲି ଭାବୁ ସେ ତାହା ଆଦୌ ନୁହେଁ; କୋଟି କୋଟି ପରମାଣୁର ସମଷ୍ଟି ମାତ୍ର । ପ୍ରତ୍ୟେକ ପରମାଣୁ ପୁଣି ଗୋଟିଏ ଗୋଟିଏ ସୌର-ଜଗତ-କେନ୍ଦ୍ରସ୍ଥ ଏକ ପଜିଟିଭ ଚାର୍ଯଡ଼୍‌ ବା ଧନାତ୍ମକ-ଶକ୍ତିର ବସ୍ତୁ ଚାରିପଟେ ଘୂର୍ଣ୍ଣାୟମାନ ଏକ ବା ଏକାଧିକ ନେଗେଟିଭ୍‌ ଚାର୍ଯଡ଼୍‌ ବା ଋଣାତ୍ମକ-ଶକ୍ତିର ବସ୍ତୁ । ଉପନିଷଦର ଅଦ୍ୱୈତ ବ୍ରହ୍ମ ଭଳି ପ୍ରତ୍ୟେକ ପରମାଣୁ ଏହି ପରସ୍ପରବିରୋଧୀ ଶକ୍ତିସମ୍ପନ୍ନ ବସ୍ତୁଦ୍ୱାରା ଗଠିତ । କିନ୍ତୁ ପରମାଣୁ ବୋମା ବିସ୍ଫୋରଣ ଭଳି ପ୍ରଚଣ୍ଡ ଆଘାତ ପାଇଲେ ପରମାଣୁର ଧନାତ୍ମକ ବସ୍ତୁଠାରୁ ଋଣାତ୍ମକ ବସ୍ତୁ ବିଚ୍ଛିନ୍ନ ହୋଇଯାଏ । ଏଭଳି କୋଟି କୋଟି କେବଳ ଧନାତ୍ମକ ବା କେବଳ ଋଣାତ୍ମକ ପରମାଣୁ ଘୂରି ବୁଲୁଛନ୍ତି–ଶଙ୍କରଙ୍କ ଅଦ୍ୱୈତ ବ୍ରହ୍ମ ଭଳି (ତାଙ୍କ ମତରେ ବ୍ରହ୍ମଠାରେ ପରସ୍ପରବିରୋଧୀ ଭାବ ବା ଶକ୍ତି ରହି ନ ପାରେ) । ଏପରି ପରମାଣୁକୁ ବୈଜ୍ଞାନିକମାନେ କହୁଛନ୍ତି ଅବସ୍ତୁ ବା non-matter । ବସ୍ତୁ ହେବା ପାଇଁ ଏମାନେ ହାହାକାର କରି ବୁଲୁଛନ୍ତି । ବସ୍ତୁଟିଏ (ଧନାତ୍ମକ ଓ ଋଣାତ୍ମକ ଶକ୍ତିସମନ୍ୱିତ ପରମାଣୁମାନଙ୍କଦ୍ୱାରା ଗଠିତ ବସ୍ତୁ–କାଠ, ପଥର, ପାଣି, ଗଛ, ମଣିଷ, ଜନ୍ତୁ ଆଦି ) ପାଇଲେ, ଏ ଅବସ୍ତୁମାନେ ନିଜର ଅଭାବ ଅନୁସାରେ ଧନାତ୍ମକ ବା ଋଣାତ୍ମକ ଶକ୍ତି ସେଥିରୁ ଟାଣିନିଅନ୍ତି । ସେ ଏକ ଭୟଙ୍କର ଅବସ୍ଥା । ସବୁ କି ଯୋଜନା ? ଅଥବା ଯୋଜନା କିଛି ଅଛି କି ? ‘‘କାଳଃ ସ୍ୱଭାବୋ ନିୟତିର୍ଯଦୃଚ୍ଛେ ଭୂତାନି ଯୋନିଃ ପୁରୁଷ ଇତି ଚିନ୍ତ୍ୟା’’...ଶ୍ୱେତାଶ୍ୱତର ୧।୨ । କାଳ, ସ୍ୱଭାବ, ନିୟତି, ଯଦୃଚ୍ଛା, ପଞ୍ଚଭୂତ ଅଥବା ବିଜ୍ଞାନାତ୍ମା ଜଗତ ସୃଷ୍ଟିର କାରଣ ହୋଇପାରେ କି ନା ଏହା ଚିନ୍ତନୀୟ । ଯଦି ଯୋଜନା କିଛି ଥାଏ ତେବେ ଏ ଯୋଜନା ସହିତ ମଣିଷର ସମ୍ପର୍କ ବା ଏ ଯୋଜନାରେ ମଣିଷର ସ୍ଥାନ କେଉଁଠି, ପରିଣତି ବା କ’ଣ ? ପୁଣି, ମଣିଷ ନିଜେ ଏକ ମହାଜଟିଳ ସୃଷ୍ଟି । ସେ ନିଜେ ବୁଝିପାରେ ନାହିଁ, ଜାଣିପାରେ ନାହିଁ । ଏମିତି ନାନାପ୍ରଶ୍ନ । କିନ୍ତୁ ସମସ୍ତଙ୍କ ମନରେ ଏ ପ୍ରଶ୍ନମାନ ଜାଗେ ନାହିଁ । ଯେଉଁମାନଙ୍କ ମନରେ ଜାଗେ ସେମାନେ ଭକ୍ତ । ସେମିତି ଭକ୍ତ ବୁଦ୍ଧ, ଯୀଶୁ, ମହମ୍ମଦ, ଚୈତନ୍ୟ, ମାର୍କସ ଆଦି । ମନରେ ବେଦନା (ଜାଣିବାପାଇଁ ବ୍ୟାକୁଳତା), ପ୍ରେମ ନ ଜାଗିଲେ ପ୍ରଶ୍ନ ଜାଗେନା । ଉତ୍ତର ପାଇବାଟା ବଡ଼ କଥା ନୁହେଁ; ପ୍ରଶ୍ନ ଜାଗିବାଟା ବଡ଼ କଥା । ଆଜି ଯେ ଉତ୍ତର ଠିକ୍‌, କାଲି ସେ ଉତ୍ତର ଭୁଲ୍‌ । କିନ୍ତୁ କୌଣସି ପ୍ରଶ୍ନ କଦାପି ଭୁଲ୍‌ ନୁହେଁ । ଅନ୍ଧବିଶ୍ୱାସଠାରୁ ଆନ୍ତରିକ ସନ୍ଦେହରେ ଅନେକ ବେଶି ବିଶ୍ୱାସ ଭରିରହିଥାଏ–‘‘There is more faith in honest doubt than in blind faith.’’ ଶ୍ରୀକୃଷ୍ଣ କହିଛନ୍ତି–‘‘ତଦ୍‌ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ।’’ ଜାଣିବାକୁ ହେଲେ ଦରକାର ପ୍ରଣିପାତ, ପରିପ୍ରଶ୍ନ, ସେବା । ପ୍ରଣିପାତମାନେ ନ୍ୟୂନତା–ଯାହା ପାଖରୁ ଜାଣିବାକୁ ଚାହିଁବ ଅନ୍ତତଃ ସେଇ ସମୟତକ ପାଇଁ ତୁମେ ତା’ଠାରୁ ନ୍ୟୂନ ବୋଲି ଭାବିବ । ତା’ ନ ହେଲେ ନିଜର ଅହଂଭାବ ମନ ଭିତରେ ଏମିତି ବିରୋଧଭାବ ସୃଷ୍ଟି କରିବ ଯେ ଉତ୍ତରଦାଦାର କଥା ଆଦୌ ବୁଝିହେବ ନାହିଁ । ଯେ କୌଣସି ଲେଖକର ଲେଖାଟିଏ ପଢ଼ିବାବେଳେ ମଧ୍ୟ ଏହି ଭାବ ନ ରହିଲେ ଲେଖାଟି ବୁଝିହେବ ନାହିଁ । ପରିପ୍ରଶ୍ନ ମାନେ, କଥାଟା ଭଲକରି ବୁଝିବା ପାଇଁ ପ୍ରଶ୍ନ; ପରୀକ୍ଷା କରିବା ପାଇଁ ନୁହେଁ ବା ଦବେଇଦେବା ପାଇଁ ନୁହେଁ । ସେବା ମାନେ, ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଆନ୍ତରିକ ସମ୍ପର୍କ ସ୍ଥାପନ । ଦୁହିଁଙ୍କ ମଧ୍ୟରେ ସୌଜନ୍ୟମୂଳକ, ଭଦ୍ରୋଚିତ ବା ଆଇନଗତ ଆଳାପ ବା ମିଳାମିଶା (ଯାହା ସାଧାରଣତଃ ସହରବାସୀମାନଙ୍କ ମଧ୍ୟରେ ଦେଖାଯାଏ) ଥିଲେହେଁ ସମ୍ପର୍କ ଆନ୍ତରିକ ନହୋଇପାରେ; ସାଧାରଣତଃ ହୁଏ ନାହିଁ । ଏପରି କ୍ଷେତ୍ରରେ ଦୁହେଁହିଁ ପରସ୍ପରଠାରୁ ବିଚ୍ଛିନ୍ନ (alienated) ହୋଇପାରେ ଏବଂ ବାହ୍ୟ ଭଦ୍ରତା ସତ୍ତ୍ୱେ ଅନ୍ତରରେ ତୀବ୍ର ବିରୋଧଭାବ ଜାଗେ । ଆଜିକାଲି ଏହି ବିଚ୍ଛିନ୍ନତା ଭାବ ବଢ଼ୁଛି ଏବଂ ପ୍ରତ୍ୟେକେ ନିଜକୁ ଏକା ଓ ଅସହାୟ ମଣୁଛନ୍ତି, ଯେଉଁଥିପାଇଁ ଅସନ୍ତୋଷ, ନିରାଶା ଓ କ୍ରୋଧ ବଢ଼ୁଛି । ପ୍ରକୃତିରେ ସେ ଏକ ବିଚିତ୍ର ରହସ୍ୟ ଯେ ଏପରି ଅବସ୍ଥାରେ ବିରୋଧଭାବ ପଦାକୁ ବାହାରିପଡ଼ି ସଂଘର୍ଷ ସୃଷ୍ଟି ହେଲେ ଯାଇ ପୁଣି ଆନ୍ତରିକ ସମ୍ପର୍କ ସ୍ଥାପିତ ହୁଏ । ଆଉ ଏକ ଆଶ୍ଚର୍ଯ୍ୟ ରହସ୍ୟ ହେଉଛି ଯେ ଏ ଅବସ୍ଥାରେ ନାରଦଙ୍କ ଭଳି ଭକ୍ତ କଳିଆ ବାହାରିପଡ଼ି ସଂଘର୍ଷ ଭିଆନ୍ତି ।

 

ବ୍ରହ୍ମଶାପରେ ମୃତ୍ୟୁ ନିଶ୍ଚିତ ଜାଣି ପରୀକ୍ଷିତ ନିଜକୁ ବିଶ୍ୱସତ୍ତା ସହିତ ନିମନ୍ତ୍ରିତ କରିଦେବାକୁ ଇଚ୍ଛା କରି ବ୍ୟାସନନ୍ଦନ ଶୁକଙ୍କୁ ଅନୁରୋଧ କଲେ ଭାଗବତ ପାଠ କରିବାକୁ । (ଏ ପିତାପୁତ୍ରଙ୍କ ଚରଣତଳେ କୋଟି କୋଟି ପ୍ରଣତି । ବ୍ୟାସ ଦେଇଛନ୍ତି ପୃଥିବୀର ଶ୍ରେଷ୍ଠ ଗ୍ରନ୍ଥ ମହାଭାରତ ଓ ଭାଗବତ ! ଆଉ ଶୁକ କରିଛନ୍ତି ସେମାନଙ୍କ ଅପୂର୍ବ ବ୍ୟାଖ୍ୟାନ !) ଯେଉଁ ଭଗବାନ ଶ୍ରୀକୃଷ୍ଣଙ୍କୁ ପରୀକ୍ଷିତ ମାତୃଗର୍ଭରେ ଥାଇ ବନ୍ଦନା କରିଥିଲେ ଏବଂ ଭାଗବତରେ ଯାହାଙ୍କ ଅନନ୍ତ ଗୁଣକୀର୍ତ୍ତନ ଶୁଣି ସେ ଅନନ୍ତ ସତ୍ତା ସହିତ ନିମଜ୍ଜିତ ହେବାକୁ ଇଚ୍ଛା କରିଥିଲେ, ସେଇ ଶ୍ରୀକୃଷ୍ଣଙ୍କ ଅନେକ କର୍ମ ବିଷୟରେ ସନ୍ଦେହ ହେବାରୁ ସେ ଶୁକଙ୍କୁ ନାନାପ୍ରଶ୍ନ ପଚାରିଥିଲେ । ଶୁକ ସେସବୁର ଉତ୍ତର ଦେଇ କହିଲେ–‘‘ଗୋବିନ୍ଦ ତୋର ମନ ଯେତେ, ମୁଁ କହିପାରିବି କି ସେତେ ।’’

 

ଅନ୍ୟକୁ ଜାଣିବାର (ଜାଣିବାର ଶେଷ ନାହିଁ), ଭଲପାଇବାର, ସେ ଏକ ଅପୂର୍ବ ବେଦନା ! ସମସ୍ତ ବିଶ୍ୱ ସହିତ, ସବୁ ସୃଷ୍ଟି ସହିତ ନିଜ ଐକ୍ୟ ଅନୁଭବ କରିବାର ସେ ଏକ ବେଦନା-ଆନନ୍ଦ ! ସମସ୍ତେ ମୋତେ ଭଲପାଆନ୍ତୁ, ମୋତେହିଁ ସମ୍ମାନ ଦିଅନ୍ତୁ, ଧନ ଦିଅନ୍ତୁ–ଏ ଲାଳସାପୂର୍ଣ୍ଣ କାମନା ଦିଏ ଯନ୍ତ୍ରଣା । ପୁଣି ନାନାଚକ୍ରାନ୍ତ ଓ ଦୁଷ୍କର୍ମକୁ ଏହା ଟାଣିନିଏ । ଏଥିରେ ଅନ୍ୟକୁ ଜାଣିବାର, ଭଲପାଇବାର ବା ଦେବାର ପ୍ରଶ୍ନ ନାହିଁ; ଅଛି ଖାଲି ଶୋଷଣ, ସେ ସ୍ନେହ ହେଉ ବା ସମ୍ମାନ ହେଉ । କିନ୍ତୁ ଅନ୍ୟକୁ ଭଲପାଇବାରେ, ଦେଇଦେବାରେ ଅଛି ଅନ୍ୟକୁ ଜାଣିବାର ବ୍ୟାକୁଳତା, ବେଦନା । ବିଦ୍‌ଧାତୁ ମାନେ ତ ଜାଣିବା । ଆମେ ଯାହାକୁ ମନେକରୁ ଆମର ଭଲପାଇବା ବୋଲି, ସତରେ କିନ୍ତୁ ତାହା ହେଉଚି ଅନ୍ୟର ସ୍ନେହ ପାଇବାର ଲାଳସା ।

 

ଏହା ଇନ୍ଦ୍ରିୟ-ଚାଞ୍ଚଲ୍ୟ ଓ ତା’ଫଳରେ ଯନ୍ତ୍ରଣା ସୃଷ୍ଟି କରେ, ମାତ୍ର ବେଦନା ସୃଷ୍ଟି କରେ ନାହିଁ । ଯେଉଁ ଲେଖାର ଚରିତ୍ରମାନ କେବଳ ଇନ୍ଦ୍ରିୟ-ଚାଞ୍ଚଲ୍ୟ ସୃଷ୍ଟି କରିବାର ମାଧ୍ୟମରୂପେ ବ୍ୟବହୃତ ହୋଇଛନ୍ତି, ପାଠକ ସେ ଚରିତ୍ରମାନଙ୍କ ସହିତ ପରିଣତ ହୋଇପାରେନା, କେବଳ ଚାଞ୍ଚଲ୍ୟ ଉପଭୋଗ କରେ ଏବଂ ଫଳରେ ବିକୃତ ଏବଂ ବିଚ୍ଛିନ୍ନ ହୋଇଯାଏ । ମହାଭାରତରେ ତ କେତେ ଯୌନକ୍ରିୟାର ବର୍ଣ୍ଣନା ଅଛି, କେତେ ବିଭତ୍ସ କର୍ମର ବର୍ଣ୍ଣନା ଅଛି । ପ୍ରତ୍ୟେକଟି କିନ୍ତୁ ବେଦନା ସୃଷ୍ଟି କରେ । ମହାଭାରତର ମୁଖବନ୍ଧରେ ବ୍ୟାସଦେବ ବ୍ରହ୍ମାଙ୍କୁ କହୁଛନ୍ତି–ମୁଁ ନାନା ଘଟନା ଓ ନାନା ଚରିତ୍ର ବର୍ଣ୍ଣନା କରିବି; କିନ୍ତୁ ସେସବୁ ଭିତରେ ଗୋଟିଏ ମାତ୍ର ବିଷୟ ପ୍ରତିପାଦିତ କରିବି ଯେ ସମସ୍ତେ (ଦୁର୍ଯ୍ୟୋଧନବି) ଗୋଟିଏ ବସ୍ତୁର ସନ୍ଧାନପାଇଁ ବ୍ୟାକୁଳ, ଜାଣତରେ ହେଉ ବା ଅଜାଣତରେ ହେଉ ।

 

ଆଧୁନିକ କବିତା, ଗଳ୍ପ, ଉପନ୍ୟାସର ଉଦ୍ଦେଶ୍ୟ ମଧ୍ୟ ଏହି ବେଦନା ସୃଷ୍ଟି କରିବା, ଆଧ୍ୟାତ୍ମିକ ଐକ୍ୟର ଏକ ରୋମାଞ୍ଚକର ଅନୁଭୂତି ଦେବା । କାହାରି ପ୍ରତି ବେଦନା (ଜାଣିବାର ବ୍ୟାକୁଳତା ଜାତ ହେବା) ମାନେ ତା’ ପ୍ରତି ଐକ୍ୟଭାବ ଜାତ ହେବା । ଏ ଅବସ୍ଥାରେ ତାକୁ ବିରୋଧ କଲେବି ତା’ ପ୍ରତି ଘୃଣା ବା ବିଭେଦ ଭାବ ରହେ ନାହିଁ । ମାର୍କ ଟ୍ୱେନ୍‌ଙ୍କ ‘ଦି ମ୍ୟାନ୍‌ ହୁ କରପ୍‌ଟେଡ଼୍‌ ହ୍ୟାଡ଼୍‌ଲିବୁର୍ଗ’ ଉପନ୍ୟାସ ବିଷୟରେ ପ୍ରସିଦ୍ଧ ସମାଲୋଚକ ହାଓୟାର୍ଡ଼ ଫାଷ୍ଟ୍‌ ଲେଖିଛନ୍ତି–ମାର୍କ୍‌ ଟ୍ୱେନ୍‌ ହ୍ୟାଡ଼୍‌ଲିବୁର୍ଗ ଜନପଦ ଅଧିବାସୀଙ୍କ କୂଟତା, କ୍ରୂରତା, ସ୍ୱାର୍ଥାନ୍ଧତା, ନୀଚତା, ଅଶ୍ଳୀଳତା ଅତି ପରିଷ୍କାର ଓ ନିର୍ମମ ଭାବରେ ଫୁଟାଇଛନ୍ତି । କିନ୍ତୁ ତା’ସତ୍ତ୍ୱେ ସେମାନେ ଯେ ମଣିଷ ଏବଂ ତେଣୁ ସେମାନଙ୍କ ଭିତରେ ଦେବତ୍ୱର ପୂର୍ଣ୍ଣ ସମ୍ଭାବନା ରହିଛି, ତା’ ପ୍ରତି ସଜାଗ ରହିଛନ୍ତି । ଫଳରେ ଚରିତ୍ରମାନଙ୍କ ପ୍ରତି ଘୃଣା ପରିବର୍ତ୍ତେ ଏକ ବେଦନା ଜାତ ହୁଏ, ଏବଂ ତା’ ଫଳରେ ସେଇ ଅଖଣ୍ଡ ଶକ୍ତି (ସ୍ରଷ୍ଟା, ପ୍ରକୃତି ବା ଭଗବାନ ଯାହା କହନ୍ତୁ) ଉଦ୍ଦେଶ୍ୟରେ ଏକ ଜିଜ୍ଞାସାପୂର୍ଣ୍ଣ ପ୍ରାର୍ଥନା ଆପଣାଛାଏଁ ବାହାରିଆସେ ।

 

ବୀଭତ୍ସ ବା ଯୌନକ୍ରିୟାମୂଳକ ଲେଖା ପଢ଼ିଲେ ପାଠକ ନିଜ ଭିତରେ ସୃଷ୍ଟି ହେଉଥିବା ଉତ୍‌କଣ୍ଠା, ଯୌବନଲାଳସା ଓ ଚାଞ୍ଚଲ୍ୟକୁହିଁ କେବଳ ଉପଭୋଗ କରେ । କିନ୍ତୁ ଯେଉଁ ଚରିତ୍ରମାନ ସେସବୁ ସୃଷ୍ଟି କରନ୍ତି ତାଙ୍କ ପ୍ରତି କୌଣସି ବେଦନା, ସହାନୁଭୂତି, ଜିଜ୍ଞାସା କିଛି ଜାତ ହୁଏ ନାହିଁ । ଲେଖକ ପାଠକକୁ ସେଇ ବ୍ୟଭିଚାରକ୍ଳିଷ୍ଟ ରୋମାନମାନଙ୍କ ପରି କରିଦିଏ, ଯେଉଁମାନେ ନିଜ ଉତ୍କଣ୍ଠା, ଚାଞ୍ଚଲ୍ୟ ଓ ଲାଳସାକୁ ଉପଭୋଗ କରିବାପାଇଁ ମଣିଷ ଓ ପଶୁ ଭିତରେ ଲଢ଼େଇ ଲଗାଇ ବସି ଦେଖୁଥିଲେ ଏବଂ ପଶୁ ପୁଳାପୁଳା ପରି ମଣିଷକୁ ଖାଉଥିବାବେଳେ ଭାରି ମଜା ପାଉଥିଲେ, ଅଥବା ଶହଶହ ଯୁବକଯୁବତୀଙ୍କୁ ଏକାସାଙ୍ଗରେ ରମଣକ୍ରିୟାରେ ଲିପ୍ତ କରାଇ ଏବଂ ସେମାନଙ୍କୁ ନାନାପ୍ରକାର ନିର୍ଦ୍ଦେଶ ଦେଇ ମଜା ଅନୁଭବ କରୁଥିଲେ । ଏଇ ପ୍ରକାର ଲେଖାମାନଙ୍କ ବହୁଳ ପ୍ରଚାରହିଁ ଆମେରିକାକୁ ରସାତଳଗାମୀ କରୁଛି ବୋଲି ତତ୍ତ୍ୱବିତ୍‌ମାନେ ମତ ଦିଅନ୍ତି ।

 

ଜଣେ ଉର୍ଦ୍ଦୁକବି ଗୋଟିଏ ସାୟରୀରେ ଜିଜ୍ଞାସାଦୃଷ୍ଟିରୁ ସବୁ ମଣିଷଙ୍କୁ ଚାରିଭାଗରେ ବିଭକ୍ତ କରିଛନ୍ତି; ଯଥା : (୧) ଯେ ଜାଣେନା, ଅଥଚ ଜାଣେନା ଯେ ସେ ଜାଣେନା–ସେ ମୂର୍ଖ, ତା’ ସଙ୍ଗ ତ୍ୟାଗ କର । (୨) ଯେ ଜାଣେ; କିନ୍ତୁ ଜାଣେନା ଯେ ସେ ଜାଣେ–ସେ ଗୁପ୍ତ, ତାକୁ ଜାଗ୍ରତ କର । (୩) ଯେ ଜାଣେନା; କିନ୍ତୁ ଜାଣେ ଯେ ସେ ଜାଣେନା–ସେ ସରଳ, ତାକୁ ଶିକ୍ଷା ଦିଅ । (୪) ଯେ ଜାଣେ ଏବଂ ଜାଣେ ଯେ ସେ ଜାଣେ–ସେ ଜ୍ଞାନୀ, ତାକୁ ଅନୁସରଣ କର ।

 

ଭଗବାନ୍‌ ଶ୍ରୀକୃଷ୍ଣ ଯେଉଁ ସମୟରେ ଚାରିପ୍ରକାର ଭକ୍ତ କଥା କହିଥିଲେ ସେତେବେଳେ ବୋଧେ ଆଉ ଏକପ୍ରକାର ଭକ୍ତଙ୍କ ଅସ୍ତିତ୍ୱ କଥା ତାଙ୍କ ଦୃଷ୍ଟିକୁ ଆସି ନଥିଲା (ସେମାନେ ସେତେବେଳେ ସଂଖ୍ୟାରେ ନଗଣ୍ୟ ଥିବା ଯୋଗୁଁ ହେଉ ବା ସେତେବେଳେ ସେମାନେ ଖ୍ୟାତି ଅର୍ଜି ପାରି ନଥିବା ହେତୁରୁ ହେଉ); ଅଥବା ଏମିତିବି ହୋଇପାରେ ଭଗବାନ୍‌ ଜାଣିଶୁଣି ସେମାନଙ୍କ କଥା ଉଲ୍ଲେଖ କରିନାହାନ୍ତି । ଏପରି କି ଉପର୍ଯ୍ୟୁକ୍ତ ଉଦ୍ଦୁ ସାୟରୀର କବିଙ୍କୁ ବି ବୋଧେ ଏହି ପଞ୍ଚମ ପ୍ରକାର ଲୋକଙ୍କ କଥା ଜଣା ନଥିଲା । ଏହି ପଞ୍ଚମ ପ୍ରକାରଟି ହେଉଛି–ଯେ ଜାଣେ, ଅଥଚ ଦେଖେଇହୁଏ ଯେ ସେ ଜାଣେନା; ସେ ଜାଣିସିଆଣା ଚତୁର; ତା’ ଚାରିଖୁରାକୁ ଜୁହାର ।

 

ଏମାନେ ହେଉଛନ୍ତି ସବୁ ଦୁର୍ନୀତିର, ସବୁ ଅନ୍ୟାୟର ଗୁରୁ । ଦେଶସେବକ, ନେତା, ଶିଳ୍ପପତି, ପୁଞ୍ଜିପତି, ସରକାରୀ କର୍ମଚାରୀ, ଭକ୍ତିସିଦ୍ଧାନ୍ତ, ମହାରାଜ, ୧୦୮ ଶ୍ରୀ ଅମୁକ ବାବା, ଅମୁକ ଯୋଗୀ, ଅମୁକ ମା’, ସମୁକ ଦାଦା, ଭଗବାନ୍‌ ଅମୁକ ଇତ୍ୟାଦି; ନାନାରୂପ ଏମାନେ ନିଅନ୍ତି-। ସାଧାରଣଲୋକ ଯେ ଗୋଟାପଣେ ତୁଳସୀପତ୍ର ତା’ କୁହାଯାଉନାହିଁ । ସାଧାରଣଲୋକବି ଦୁର୍ନୀତି କରନ୍ତି । ହେଲେ, ସାଧାରଣଲୋକ ହୋଇଥିବାରୁ ସେମାନେ ସାଧାରଣ ଦ୍ୱାନ୍ଦ୍ୱିକ ପ୍ରକ୍ରିୟା (Dialectical Process)ରୁ ବାହାରି ଯାଇପାରନ୍ତି ନାହିଁ । ଟିକିଏ କିଛି କଲେ ତାକୁ ସମସ୍ତେ ଘେରିଯାଆନ୍ତି । ଅବସ୍ଥା ସେମିତି ସେମିତି ହେଲେ ପୁଞ୍ଜାଏ ଦି’ପୁଞ୍ଜା ବିଧାଚାପୁଡ଼ାବି ଲଗାଯାଏ । ଫଳରେ ସେମାନଙ୍କ ଦୁର୍ନୀତି ସାଧାରଣ ସ୍ତରରେହିଁ ରହେ; ଅନେକ ପରିମାଣରେ କମିବି ଯାଏ ।

 

ସବୁଠାରୁ ବିପଜ୍ଜନକ ହେଉଛନ୍ତି ଏଇ ବାବା, ମା’, ଦାଦା ଆଦିଙ୍କ ଦଳ । ଭାରତରେ ଏମାନେ ବହୁଳ ପରିମାଣରେ ଦେଖାଯାନ୍ତି । ପ୍ରଥମ କଥା ହେଲା, ନାନାକୌଶଳ କରି ଏମାନେ ନିଜକୁ ସାଧାରଣ ଦ୍ୱାନ୍ଦ୍ୱିକ ପ୍ରକ୍ରିୟାଠାରୁ ଅନେକଟା ଦୂରରେ ରଖିପାରୁଥିବାରୁ ସାମ୍ନାସାମ୍ନି ଗାଳିମାଡ଼ ହୋଇପାରେ ନାହିଁ ଏବଂ ଫଳରେ ଏମାନେ ନିରାପଦରେ ରହିପାରନ୍ତି ଓ ଦୁର୍ନୀତି କରିଯାଆନ୍ତି । ଦ୍ୱିତୀୟ କଥା, ଦି’ଚାରିଟା ମ୍ୟାଜିକ୍‌ (ଯାହାକୁ ଅନେକେ କହନ୍ତି ଅଲୌକିକ ଶକ୍ତି) ଦେଖାଇ ଏମାନେ ଲୋକଙ୍କୁ ବିହ୍ୱଳ କରି ଏତେ କବଳିତ କରିପକାନ୍ତି ଯେ ବିଶ୍ୱରେ ଯେଉଁ ବିରାଟ ଅଲୌକିକ କର୍ମମାନ ଅହରହ ଚାଲିଛି ସେଥିପ୍ରତି କାହାରି ଆଉ ଦୃଷ୍ଟି ପଡ଼େ ନାହିଁ । ସେ ହୋଇଯାଏ ଗୌଣ; ଆଉ ବାବା, ମା’, ଦାଦାଙ୍କ ମ୍ୟାଜିକ୍‌ ହୋଇଯାଏ ମୁଖ୍ୟ । ଫଳରେ ଆଧ୍ୟାତ୍ମିକ ଐକ୍ୟ ଭାବ ଜାଣେ ନାହିଁ; ଖାଲି ସ୍ୱାର୍ଥ ବୁଦ୍ଧି (ଫାଇଦା ଉଠାଇବା ବୁଦ୍ଧି) ଜାଗେ ଏବଂ ସେଥିପାଇଁ ନାନାବିଭେଦ ସୃଷ୍ଟି ହୁଏ । ତୃତୀୟତଃ, ଏମାନେ ଲୋକଙ୍କୁ ଅସାମାଜିକ କରିଦିଅନ୍ତି । ବାବା, ମା’ ବା ଦାଦାଙ୍କ ଗୋଷ୍ଠୀରେ ମିଶିଥିବା ଲୋକେ ଭାବନ୍ତି ସେମାନେ ବେଶ୍‌ ଭକ୍ତ ଓ ଆଧ୍ୟାତ୍ମିକ ହୋଇଗଲାଣି; ଅନ୍ୟମାନଙ୍କଠାରୁ ତେଣୁ ସେମାନେ ଉଚ୍ଚ ସ୍ତରରେ ଅଛନ୍ତି । ଭାବନ୍ତି ସେମାନେ ଯାହାସବୁ ସୁଖସୁବିଧା ପାଉଛନ୍ତି ସେସବୁ କେବଳ ସେମାନଙ୍କ ବାବା ବା ଦାଦା ବା ମା’ଙ୍କ ପ୍ରତି ଭକ୍ତି ଏପରି କି ଭଗବାନ୍‌ଙ୍କ ପ୍ରତି ଭକ୍ତି) ଯୋଗୁଁ କେବଳ ପାଉଛନ୍ତି; ସମାଜ ସେମାନଙ୍କୁ କିଛି ଦେଉନାହିଁ ବା ଯାହା ଦେଉଛି ତା’ ଦେବାକୁ ବାଧ୍ୟ । ଫଳରେ ସେମାନେ ବିଚ୍ଛିନ୍ନ ହୋଇଯାଆନ୍ତି । ଚତୁର୍ଥତଃ, ଯୋଗ ବା ଧ୍ୟାନ ନାମରେ ଏମାନେ ଲୋକଙ୍କୁ ଏମିତି କେତେକ କୃତ୍ରିମ ପ୍ରକ୍ରିୟାର ବଶବର୍ତ୍ତୀ କରାନ୍ତି ଯେଉଁଥିରେ ଲୋକଙ୍କ ସ୍ୱାଧୀନ ଚିନ୍ତା, ଜିଜ୍ଞାସା ମରିଯାଏ । ମିଥ୍ୟା ସମର୍ପଣ ଭାବ ସୃଷ୍ଟି ହୋଇ ଗୋଟାଏ ବିପଜ୍ଜନକ ଆତ୍ମସନ୍ତୋଷ ଦିଏ । ଏମାନେ ତେଣୁ ଘୋର ଆଧ୍ୟାତ୍ମିକ ବିପତ୍ତିର କାରଣ ଏବଂ ଘୋର ଦୁର୍ନୀତିର ପ୍ରଶ୍ରୟଦାତା । ପ୍ରଳୟ ଆସିଗଲା ଓ ଆମେ ଭଗବାନଠୁ ଦୂରେଇଗଲୁଣି ପ୍ରଚାର କରି ଏମାନେ ଆତଙ୍କ ସୃଷ୍ଟି କରନ୍ତି । ସାଧାରଣ ଲୋକ କିନ୍ତୁ ଚାଲିଥାଏ ତା’ର ସାଧାରଣ ପ୍ରେମ, ସାଧାରଣ ହିଂସା, ସାଧାରଣ ଭକ୍ତି ଓ ସାଧାରଣ ଦୁର୍ନୀତି, ନୀଚତା ନେଇ । କାହାଠାରୁ ଉପକାର ପାଇଲେ ଲୋକେ ତାକୁ ସାଧାରଣଭାବରେ ଭଲପାଆନ୍ତି, ପୁଣି ଦୁର୍ନୀତି, ଅନ୍ୟାୟ ଦେଖିଲେ ସାଧାରଣଭାବରେ ଗାଳିଫଜିତ୍‌ ମାଡ଼ବି ଦିଅନ୍ତି । ଏମିତି ଠେଲାପେଲା ଛକାଛକି ମାୟାମମତା ନେଇ ଏମାନେ ସାଧାରଣଭାବରେ କାଳ କଟାନ୍ତି । ଏମାନଙ୍କ ଉପରେ ସରକାରଙ୍କଠାରୁ ଆରମ୍ଭ କରି ବାବା-ମା’-ଦାଦାଦଳ ପର୍ଯ୍ୟନ୍ତ ସମସ୍ତେ ଚଢ଼ଉ ହୁଅନ୍ତି । କିନ୍ତୁ ସବୁଠୁ କମ୍‌ ସୁବିଧା ଏ ସାଧାରଣ ଲୋକେ ସେମାନଙ୍କଠାରୁ ହାସଲ କରିପାରନ୍ତି ।

 

ଏହି ଶୋଷଣକାରୀ ପଞ୍ଚମ ପ୍ରକାରର ଦଳ (ଖୁବ୍‌ସମ୍ଭବ ବ୍ୟବସାୟୀମାନଙ୍କ ସହିତ ଚକ୍ରାନ୍ତପୂର୍ବକ) ନାନା ଶାସ୍ତ୍ରପୂରାଣ, ପୂଜାବ୍ରତ ତିଆରି କରି, ନାନାମିଥ୍ୟା କାହାଣୀ ପ୍ରଚାର କରି ସମସ୍ତଙ୍କ ମନରେ ବିଶ୍ୱାସ ଜନ୍ମାଇ ଦେଇଛନ୍ତି ଯେ କୁମ୍ଭମେଳାରେ ବୁଡ଼ ପକାଇଲେ ସବୁ ପାପ କ୍ଷୟ ହୋଇଯାଏ । ପ୍ରତ୍ୟେକ ବର୍ଷ ପ୍ରଚଣ୍ଡ ଶୀତରେ ଲକ୍ଷ ଲକ୍ଷ ଲୋକ ସେଠାରେ ରୁଣ୍ଡ ହୁଅନ୍ତି । ଦଳ ଦଳ ପୂରୋହିତ ନଈକୂଳେ ବସିଥାନ୍ତି । ଲୋକେ ନିଜ ନିଜ ପାପ କଥା ବଡ଼ପାଟିରେ ସ୍ୱୀକାର କରି ବୁଡ଼ ପକାନ୍ତି । ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ଦିଆଯାଇଥାଏ ଯେ ପାପୀମାନେ ବୁଡ଼ ପକାଇଲେ ନିଜ ଭକ୍ତି ଅନୁସାରେ ଦେବଦେବୀ ଦେଖିପାରିବେ । ବୁଡ଼ ପକାଇସାରି ପ୍ରତ୍ୟେକେ ଅମୁକ ଦେବତା ବା ସମୁକ ଦେବୀ ଦେଖିଲେ ବୋଲି କହନ୍ତି । କେହି ଯଦି କହେ ଦେବଦେବୀ କିଛି ଦେଖିଲେ ନାହିଁ, ଖାଲି ଏମିତି ନା ସେମିତି ଆକାରର କ’ଣଟିଏ (ଆଖି ବନ୍ଦ କଲେ ସେମିତି ନାନାରଙ୍ଗର ନାନାଆକାର ଦିଶେ ) ଦେଖିଲି, ତେବେ ତାକୁ କହିଦିଆଯାଏ ଯେ ସେ ହେଉଛନ୍ତି ଅମୁକ ଦେବତା ବା ଅମୁକ ଦେବୀ । କେହି ଯେତେବେଳେ କହେ ଶ୍ରୀକୃଷ୍ଣ ଦେଖିଲି, ବା ପୂରୋହିତ ଯେତେବେଳେ କହିଦିଏ, ଆରେ ଓ୍ୱା ଯୋ ଦେଖା ନୀଲାରଙ୍ଗ କା ଲହରତା ହୁଆ ପାନି କା ମାଫିକ୍‌ ଓ୍ୱ ହେୟ ଗଙ୍ଗାମାୟୀ, ତୁମ୍‌ ଭାଗ୍ୟବାନ୍‌ ହୋ ବେଟା, ସେତେବେଳେ ଆଖପାଖର ଲୋକେ ଆନନ୍ଦରେ ଚିତ୍କାର କରିଉଠନ୍ତି ‘କୃଷ୍ଣ କୃପାଲ କୀ ଜୟ’ ବା ‘ଜୟ ଗଙ୍ଗାମାୟୀ କୀ ଜୟ’ । ଆନନ୍ଦର କାରଣ, ହେଉନା ପଛେ ଅଚିହ୍ନା, ଗୋଟିଏ ଲୋକ ତ ମୁକ୍ତି ପାଇଗଲା । ଥରେ କ’ଣ ହୋଇଛି ନା ଗୋଟିଏ ବିହାରୀ ବିଚାରା ବୁଡ଼ପକେଇ ଉଠି ଅତି ବିମର୍ଷ-ଭାବରେ କହିଲା ସେ କିଛି ଦେଖିପାରିଲା ନାହିଁ ବୋଲି । କହିଲାବେଳେ ଆଖିରୁ ତା’ର ଲୁହ ଗଡ଼ିଯାଉଥାଏ । ପୂରୋହିତ ତା’ ବେଉସା ମାଟି ହୋଇଯିବ ବୋଲି ରାଗିଯାଇ କହିଲା, ଗଦ୍‌ହା, ତୁମ୍‌ ଜରୁର୍‌ କୁଛ୍‌ ପାପ୍‌ ଛିପାୟା, ନେହି ତୋ ଐସା କବ୍‌ଭି ହୋ ନହି ସକ୍‌ତା, ବୋଲୋ । ଲୋକଟି କହିଲା, ଜି ହାଁ-ହାଁ, ଆନେକା ପହିଲେ ହମ୍‌ ହୋଟେଲ୍‌ମେ ଦୋଠୋ ଚପ୍‌ ଖାୟାଥା । ଅର୍ଥାତ୍‌, ବୁଡ଼ ପକେଇବାକୁ ଆସିବା ପୂର୍ବରୁ ସେ ଲୋଭ ସମ୍ଭାଳି ନ ପାରି ଦୁଇଟି ମାଉଁମ ଚପ୍‌ ହୋଟେଲରେ ଖାଇଦେଇଛି । ପୁରୋହିତ ଆନନ୍ଦିତ ହୋଇ କହିଲା, ଐସାହି ବୋଲୋ, ଓଉର୍‌ କୁଛ୍‌ଭି ଜରୁର୍‌ କିୟା, ଛିପାତେ ହୋ, ତୁମ୍‌ ବଦ୍‌ମାସ୍‌ ହୋ, ବୋଲୋ ଜୋର୍‌ସେ, ଜଲ୍‌ଦି ବୋଲୋ, ଦୁସ୍‌ରି ଆଦ୍‌ମି ଆଏଗା । ଲୋକଟି ଏଥର କାନ୍ଦିପକାଇ କହିଲା, ଏକ୍‌ ନାହାନେଓ୍ୱାଲି ଛୋକରୀନେ ଚୁଁଚି ପର୍‌ ନଜର୍‌ ଡାଲା ଏ ବଦ୍‌ମାସ୍‌ ରାମଭରୋସେ । ଅର୍ଥାତ୍‌, ଆପଣ ଯାହାକୁ ପଚାରୁଛନ୍ତି ତା’ କଥା କ’ଣ କହିବି ! ସେ ଏଡ଼େ ବଦ୍‌ମାସ୍‌ ଯେ ତା’ ନାଁଟି ରାମ୍‌ଭରୋସେ (ରାମ ଯାହାଙ୍କ ଭରସା) ହେଲେବି ସେ ଗୋଟିଏ ସ୍ନାନରତା ଯୁବତୀର ସ୍ତନ ପ୍ରତି ନଜର ଦେଇଛି ! ଏହା କହି ସେ ନିଜ ଗାଲରେ ଅତି ଜୋର୍‌ରେ ଦଶ ପନ୍ଦର ଚାପୁଡ଼ା ମାରିଲା । ଏହାପରେ ବୁଡ଼ମାରି ସେ ଯେତେବେଳେ ଉଠିଲା ସେତେବେଳେ ତା’ ମୁହଁରେ ଶାନ୍ତି । ହସୁ ହସୁ କାନ୍ଦ କାନ୍ଦ ସେ କହିଲା, ହନୁମାନଜୀ କୋ ଦେଖା ମୈନେ ଜୟ ବୀର ବଜରଙ୍ଗ୍‍ବଲୀ, ‘‘ରାମ କାଯ ଲାପି ତବ ଅବତାରା, କନକବରନ ତନ ପର୍ବତାକାରା ।’’ ଆଖପାଖର ଲୋକେ ଆନନ୍ଦରେ ଚିତ୍କାର କରିଉଠିଲେ, ଜୟ ବୀର ବଜ୍‌ରଙ୍ଗବାଲୀ କୀ ଜୟ ।

 

ଆଧିଭୌତିକ, ଆଧିଦୈବିକ ଓ ଆଧ୍ୟାତ୍ମକ ନାନା ଭୟ ଏବଂ ଭଗବାନଙ୍କ ଜରିଆରେ ସୁଖପ୍ରାପ୍ତିର କାମନାହିଁ ଏମାନଙ୍କୁ ଭଲ ବାଟରେ ରଖିଥାଏ । ଗୋଟାଏ ମୋଟାମୋଟି ବାହ୍ୟିକ ପ୍ରଥାସର୍ବସ୍ୱ ନୈତିକ ଶୃଙ୍ଖଳା ପାଳିତ ହେଉଥାଏ, ଯଦିଓ ଅନେକ ଥର ସେମାନେ ସେଥିରୁ ଖସି ପଡ଼ୁବି ଥାନ୍ତି । ଏମାନେ ଆର୍ତ୍ତୀ ଓ ଅର୍ଥାର୍ଥୀ । ଜିଜ୍ଞାସୁ ଓ ଜ୍ଞାନୀ ଭକ୍ତ ଭଳି ଏମାନେ ମଧ୍ୟ ଉଦାର ବୋଲି ଗୀତାରେ କୁହାହୋଇଛି । ଏ ଭୟ ଓ ଲୋଭକୁ ଏଇ ପଞ୍ଚମ ପ୍ରକାରର ଲୋକେ ଅଧିକରୁ ଅଧିକ ବଢ଼ାନ୍ତି ନିଜ ଫାଇଦା ଉଠାଇବା ପାଇଁ । ସବୁ ଯୁଗରେ ତେଣୁ ଚେଷ୍ଟା ହୋଇଚି ଭୟ ଓ ଲୋଭମୁକ୍ତ ପ୍ରେମ ଆସ୍ୱାଦନ କରିବା ପାଇଁ ଏବଂ ଏ ଯୁଗରେ, ବିଶେଷତଃ ମାର୍କସଙ୍କ ପରେ, ଏ ଚେଷ୍ଟା ବେଶ୍‌ ତୀବ୍ର ହୋଇଛି । କିନ୍ତୁ ଏ ପଞ୍ଚମ ପ୍ରକାରର ଲୋକେ ନାନାଉପାୟରେ ନିଜକ ସାଧାରଣ ଦ୍ୱାନ୍ଦ୍ୱିକପ୍ରକ୍ରିୟାର ଉପରେ ରଖି ଦୁର୍ନୀତି କରନ୍ତି । ସାଧାରଣଲୋକଙ୍କର ଯେଉଁ ଗାଳିମାଡ଼ ଭୟ ଥାଏ ଏମାନଙ୍କର ତା’ ନଥାଏ, ବା ଅନେକ ଊଣା ଥାଏ । ଦେଶସେବକ, ନେତା, ଯୋଗୀ, ବାବା ଆଦିଙ୍କ ଭଳି ପ୍ରତିପତ୍ତିଶାଳୀ ହୋଇ ନ ପାରିଲେ ଏମାନେ ସେମାନଙ୍କ ଭକ୍ତ ସାଜି ଧୀରେ ଧୀରେ ଆପଣା ରକ୍ତଶୋଷା ଶୁଣ୍ଢଟି ସମାଜ ଭିତରକୁ ପ୍ରସାରିତ କରନ୍ତି । ନାନା ଦାନ-ଖଇରାତ କରନ୍ତି ଏମାନେ । ବସ୍ତୁତଃ ଏହିମାନେହିଁ ପ୍ରଚାର କରନ୍ତି । ଦୟା ଏକ ମହତ୍‌ ଗୁଣ, ଦୟାହିଁ ମଣିଷକୁ ଦେବତା କରାଏ । ଅଥଚ ମହାଦାର୍ଶନିକ ଓ ରାଜନୀତିକ ପିତାମହ ଭୀଷ୍ମ ମହାଭାରତରେ କହିଛନ୍ତି–କାମ, କ୍ରୋଧ ଆଦି ବଡ଼ ବଡ଼ ତେରୋଟି ଦୋଷ ଭିତରୁ ଦୟା ଗୋଟିଏ-। ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି–ନିଜର ଯେମିତି କାମନା ଓ ଦାବି ସ୍ୱୀକୃତ ଓ ଚରିତାର୍ଥ ହେବା ଦରକାର, ଅନ୍ୟର ମଧ୍ୟ ସେହିପରି ଦରକାର; ଏହି ତତ୍ତ୍ୱଟି ହୃଦୟଙ୍ଗମ କଲେ ସମୂହକଲ୍ୟାଣ ସାଧିତ ହେବ ଏବଂ ବିଶ୍ୱସତ୍ତା ସହିତ ସାମ୍ୟ ଓ ସାମଞ୍ଜସ୍ୟ ସ୍ଥାପିତ ହେବ । ତ୍ୟାଗ ଓ କର୍ତ୍ତବ୍ୟ ବୁଦ୍ଧି ଆପଣାଛାଏଁ ଆସିଯିବ । ଦୟା ଅନ୍ୟକୁ ନ୍ୟୂନ କରି ତା’ ଦାବିକୁ ମାରିଦିଏ ଏବଂ ଫଳରେ ତା’ର ବ୍ୟକ୍ତିତ୍ୱ ମରିଯାଏ । ଦାତାର ଏଥିରେ ଶୋଷଣ କରିବାକୁ ଭାରି ସୁବିଧା ହୁଏ । ମାର୍କସହିଁ ପ୍ରଥମ ଋଷି, ଯେ କି ଭୀଷ୍ମ ଓ ଶ୍ରୀକୃଷ୍ଣଙ୍କ ତତ୍ତ୍ୱକୁ ଅତି ବାସ୍ତବ ଆର୍ଥନୀତିକ ସତ୍ୟ ବୋଲି ପ୍ରମାଣ କରି ଏକ ମହାସଂଘର୍ଷ ଭିଆଇଲେ । ସେ ଏହା ଇତିହାସ ଓ ଅର୍ଥନୀତି ମାଧ୍ୟମରେ ପ୍ରମାଣ କରିଦେଲେ ଯେ ଯିଏ ଶୋଷଣ କରେ ବା ଚୋରି, ଦୁର୍ନୀତି ଆଦିଦ୍ୱାରା ଧନ ଅର୍ଜନ କରେ, ସେ ତଦ୍ଦ୍ୱାରା ସାମାଜିକ ବିପତ୍ତି ଡାକିଆଣେ । କାରଣ ଆର୍ଥନୀତିକ ଅବସ୍ଥା ବିପର୍ଯ୍ୟସ୍ତ ହୁଏ ଏବଂ ତେଣୁ ସେ ନିଜର ବିପଦକୁହିଁ ଡାକିଆଣେ । ଯେଉଁ ଧନକୁ ସେ ନିରାପତ୍ତାର ଆଧାରଭାବେ, ତାହାହିଁ ବିପଦର ଆଧାର ହୁଏ । ଅତଏବ ଶୋଷଣ ଓ ଦୁର୍ନୀତି ଆଧ୍ୟାତ୍ମିକ ଦିଗରୁ ଯେମିତି, ଅର୍ଥନୀତି ଦିଗରୁ ସେମିତି ବିପଜ୍ଜନକ । ଏହା ଏକ ସମ୍ପୂର୍ଣ୍ଣ ଅଭିନବ ମତ ବା ତତ୍ତ୍ୱ । ସମଗ୍ର ମାନବଜାତିର ଆଧ୍ୟାତ୍ମିକ ଉତ୍କର୍ଷ ଯେ ଏହାର ପରିଣତି, ଏଥିରେ ସନ୍ଦେହ ନାହିଁ ।

 

ବ୍ୟକ୍ତିଗତ ଦୟା ମଣିଷକୁ ଏତେ ଅସହାୟ କରିଦିଏ ଯେ ଯେଉଁ ସରକାରକୁ ଲୋକେ ଟିକସ ଦିଅନ୍ତି ଏବଂ ଯେଉଁ ସରକାର ସେମାନଙ୍କ ନିର୍ବାଚିତ ଲୋକଙ୍କ ଦ୍ୱାରା ଗଢ଼ାହୋଇଥାଏ, ସେ ସରକାରଠାରୁ ଦୟା ଛଡ଼ା ଲୋକେ ଆଉ କିଛି ଆଶା କରନ୍ତି ନାହିଁ । ତେଣୁ ଆଇନର ଶାସନ ସେମାନେ ଦାବି ନକରି ବ୍ୟକ୍ତିଗତ ଦୟାପାଇଁ ବ୍ୟାକୁଳ ହୁଅନ୍ତି; ଫଳରେ ଦୁର୍ନୀତି ବ୍ୟାପେ । ବହୁକାଳ ଆଗରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ । ଭାରି ହୃଦୟବାନ୍‌ ଓ ଦୟାଳୁ ବୋଲି ସେ ଖ୍ୟାତି ଅର୍ଜିଥିଲେ । ଅଫିସରେ ଆଇନ ଶାସନ ପରିବର୍ତ୍ତେ ସେ ତାଙ୍କ ଘରେ ଏକ ସମାନ୍ତରାଳ ଦୟାର ଶାସନ ଚଳାଇଲେ । ପ୍ରତିଦିନ ଟଙ୍କା ଦାନ କରିବା ପାଇଁ ସେ ବ୍ୟବସାୟୀମାନଙ୍କ ପାଖରୁ ହଜାର ହଜାର ଟଙ୍କା ଆଣୁଥିଲେ ଏବଂ ବ୍ୟବସାୟୀମାନେ ମଧ୍ୟ ଏହାର ଫାଇଦା ଉଠାଉଥିଲେ । ପ୍ରତିଦିନ ଶହ ଶହ ଲୋକ ତାଙ୍କ ଘରେ ରୁଣ୍ଡ ହୋଇ ନିଜ ନିଜ ଗୁହାରି କହନ୍ତି । କାହା ଘର ପୋଡ଼ିଯାଇଛି, କାହା ପିଲା କଲେଜରେ ପଢ଼ିବାକୁ ଅନୁମତି ପାଉନାହିଁ, କେଉଁ କର୍ମଚାରୀର ଏକ ଅପନ୍ତରା ଜାଗାକୁ ବଦଳି ହୋଇଛି ଇତ୍ୟାଦି ନାନାଗୁହାରି ଶୁଣନ୍ତି ଓ ଆଇନକାନୁନ ଆଗପଛ ନବିଚାରି ସାଙ୍ଗେ ସାଙ୍ଗେ ହୁକୁମ୍‌ ଦିଅନ୍ତି–ହେ ଏନାୟେତ୍‌, ସେ ଘରପୋଡ଼ିବାଲାକୁ ଦଶଟଙ୍କା ଦିଅ, ସେ କଲେଜ ଅଧ୍ୟକ୍ଷକୁ ଫୋନ୍‌କରି କହିଦିଅ ୟା ପିଲାକୁ ଯେମିତି ଭରତି କରିଦିଏ, ସେ ସେକ୍ରେଟେରୀକୁ ଜଣାଅ ୟା’ ବଦଳି ବନ୍ଦ କରୁ । ଏମିତି କରୁ କରୁ ବାଜିଯାଏ ଦିନ ଦୁଇଟା । ଅଫିସ କାମ ଯଥା ତଥା । ଥରେ କ’ଣ ହୋଇଛି ନା, ଜଣେ ଅଧ୍ୟାପଙ୍କ ବଦଳି ଆଦେଶ ହୋଇଥାଏ-। ଅଧ୍ୟାପକଟି କାଳିଆ, ଶୁକୁଟା, ମଳିମୁଣ୍ଡିଆ ମଣିଷଟିଏ; ଦେଖିଲେ କହିବ ଭିକାରୀଟିଏ । ତାଙ୍କ ସାଙ୍ଗସାଥୀମାନେ ବତେଇଦେଲେ, ଯଦି ବଦଳି ବନ୍ଦ କରିବାକୁ ଚାହଁ ତେବେ ମୁଖ୍ୟମନ୍ତ୍ରୀଙ୍କୁ ଧର । ଗଲେ ଧରିବାକୁ । ସବୁ ଲୋକ ଗଲା ପରେ ସେ ହାତ ଯୋଡ଼ି ଛିଡ଼ା ହେଲେ । ସେ କିଛି କହିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଲେ, ହେ ଏନାୟେତ୍‌, ଇସ୍‌କୁ ଦେ ଦୋ ଦଶ୍‌ ରୁପିୟା । ଅଧ୍ୟାପକ ମନା କରୁ କରୁ ଏନାୟତ୍‌ ନାମକ ଜଣେ ଗୁଣ୍ଡାଳିଆ ଚେହେରାର ଲୋକ ତାଙ୍କ ହାତରେ ଦଶଟି ଟଙ୍କା ଗୁଞ୍ଜି ଦେଇ ତାଙ୍କୁ ପ୍ରାୟ ଧକ୍‌କା ମାରି ହତା ପାରକରିଦେଲା । ପରଦିନ ଅଧ୍ୟାପକ ଜଣକ ପୁଣି ଗଲେ । ଏଥର ସେ ନିଜ କଥା କହିବାକୁ ବଦ୍ଧପରିକର । ସବୁ ଗୁହାରିଆ ଯିବା ପରେ ପୁଣି ଯାଇ ସେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ହାତ ଯୋଡ଼ି ଛିଡ଼ାହେଲେ । ଏନାୟେତ୍‌ ରାଗିଯାଇ କହିଲା, ତୁମ୍‌ କାଲ୍‌ ଆସି ନଥେଲ ? ଦଶ୍‌ ରୁପେୟା ଲେଇନଥେଲ୍‌ ? ବଡ଼ା ଦଗାବାଜ ଆଦ୍‌ମି ଅଛ ! ଅଧ୍ୟାପକ କହିଲେ–ଆଜ୍ଞା, ମୁଁ ସାତୋଟି ସନ୍ତାନର ପିତା, ପିଲାଙ୍କୁ ଗଣ୍ଡେ ଭଲ କରି ଖାଇବାକୁ ଦେଇପାରେନା । ଦୁଧ ଦେବା ତେଣିକି ଥାଉ, ଏଠି ନିଜ ଘରେ ରହି ଗାଁରୁ ଗଣ୍ଡେ ଧାନ ଚାଉଳ ଆଣି କୌଣସିମତେ... । ଏତେ କଥା ଶୁଣିବାକୁ ବେଳ ନାହିଁ, ଧୈର୍ଯ୍ୟ ବା କାହିଁ ! ଏଠି ତ କେହି ଦୁଃଖ ଶୁଣିବାକୁ ବସି ନାହିଁ, ଦୟା କରିବାକୁ ବସିଛି । ଦୁଧ କଥାଟା ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ିଯିବାରୁ ସେ କହିଲେ, ଆବ୍‌ବେ ଏନାୟେତ୍‌, ଓ ବୋଲ୍‌ତା ହୈ ଉସ୍‍କା ଦୁଧ ଖାନେକୋ ପୈସା ନେହି । କାଲ୍‌ ଏକ୍‌ ଆଦ୍‌ମି ଏକ୍‌ଠୋ ଗାୟ ଦେଗିୟାଥା ନା, ଓ୍ୱହି ଗାୟ୍‌ ଇସ୍‌କୁ ଦେ ଦୋ । କହିବାମାତ୍ରେ ଏନାୟେତ୍‌ ଗୋଟାଏ ପଘାରେ ଗାଈକୁ ଆଣି ଅଧ୍ୟାପକ ହାତରେ ଧରେଇଦେଲା । ଅଧ୍ୟାପକ ଯେତେ କହିବାକୁ ଚେଷ୍ଟା କଲେ ଏନାୟତ୍‌ର ‘ଯାଓ ଯାଓ, ଭାଗୋ ଭାଗୋ’ରେ କିଛି ଶୁଣାଗଲା ନାହିଁ । ଅଧ୍ୟାପକ ବାପୁଡ଼ା ଗାଈଟି ଟାଣି ଟାଣି କାନ୍ଦି କାନ୍ଦି ଘରକୁ ଫେରିଲେ । ରାସ୍ତାରେ ସେ ବଦମାସ ଗାଈବି ହ୍ୟାପ୍‌ ଖସିପଳେଇଲା ।

 

ଏଇ ପଞ୍ଚମ ପ୍ରକାରର ଲୋକେହିଁ କହନ୍ତି, କାହିଁକି କେଜାଣି ଅନ୍ୟାୟ ଦେଖିଲେ ମୁଁ ସହିପାରେନା, ବା, କାହିଁକି କେଜାଣି ମୋ ଉପରେ କେହି କର୍ତ୍ତୃତ୍ୱ ଜାରି କଲେ ମୋ ଦେହ ମନ ବିଷେଇଯାଏ । ଏପରି କଥାର ଦୁଇଟି ଦିଗ ଅଛି–ଗୋଟିଏ ବାହ୍ୟ । ଅନ୍ୟଟି ଗୁପ୍ତ ।

 

ବାହ୍ୟ ରୂପଟି ହେଉଛି–ହେ ଶ୍ରୋତୃବର୍ଗ ! ମୋର ଏଇ ଅଖାଡ଼ୁଆ ଗୁଣପାଇଁ ମୁଁ ଭାରି କଷ୍ଟ ପାଉଛି, ନାନାବିପଦରେ ପଡ଼ୁଛି, ସମସ୍ତଙ୍କ ଅପ୍ରିୟ ହେଉଛି । କେଉଁ କାରଣରୁ ଏ ଦୋଷ ମୋ ଭିତରକୁ ଆସିଲା ଓ ଯାଉନାହିଁ, ତାହା ଯଦି ଦୟାକରି କେହି କହିଦିଅନ୍ତେ ମୁଁ ତାଙ୍କଠାରେ ଚିରକୃତଜ୍ଞ ହୁଅନ୍ତି । କାହିଁକିନା, ଏହାର କାରଣ ଜାଣିପାରୁ ନଥିବାରୁ ଦୋଷଟି ସୁଧାରିପାରୁନାହିଁ ।

 

ଏ ଦିଗରୁ ଦେଖିଲେ ମନେହେବ ବକ୍ତା ହେଉଛନ୍ତି ସରଳ ଜିଜ୍ଞାସୁ, ଉଦ୍ଦୁ କବି ଯାହାକୁ ତୃତୀୟ ପ୍ରକାରରେ ପକାଇଛନ୍ତି ।

 

ଗୁପ୍ତ ରୂପଟି ହେଉଛି–ହେ ଶ୍ରୋତାଗଣ ! ମୁଁ ଜଣେ ଅସାଧାରଣଲୋକ । ମୋ ଭଳି ନ୍ୟାୟବାନ୍‌ ସଚ୍ଚୋଟ ଲୋକ କେହି ନାହାନ୍ତି । ସମସ୍ତେ ହ୍ୟାପ୍‌ ଦୁର୍ନୀତିପରାୟଣ ମୁହିଁ ଏକା ସାଧୁ । ଆପଣମାନେ ମୋତେ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ, ମୁଗ୍‍ଧ ହୁଅନ୍ତୁ ଓ ମୋ ବିଷୟରେ ପ୍ରଚାର କରନ୍ତୁ । ଯଦି ନ କରିବେ ତେବେ ଜାଣିଥାନ୍ତୁ ସୁବିଧା ପାଇଲେ ଆପଣଙ୍କୁ ତଳିତଳାନ୍ତ କରିଦେବି ।

 

ଏ ଦିଗରୁ ଦେଖିଲେ ସନ୍ଦେହ ରହିବ ନାହିଁ ଯେ ବକ୍ତା ହେଉଛନ୍ତି ପଞ୍ଚମ ପ୍ରକାରର ଲୋକ ।

 

ବର୍ତ୍ତମାନ କଥା ହେଉଛି, ଏ କ୍ଷେତ୍ରରେ ଶ୍ରୋତାର କର୍ତ୍ତବ୍ୟ କ’ଣ । ଆଜିକାଲି ସବୁ ନେତାଏ କହୁଛନ୍ତି, ଦାବି କଥା ନ ଭାବି ଖାଲି କର୍ତ୍ତବ୍ୟ କରିଯାଅ; ଫଳ ପାଇଁ ଆଶା ରଖ ନାହିଁ । ତେଣୁ ଏ କ୍ଷେତ୍ରରେ ଶ୍ରୋତାମାନଙ୍କ କର୍ତ୍ତବ୍ୟ କ’ଣ ଜାଣିରଖିବା ଉଚିତ ।

 

ଅବଶ୍ୟ ସଭାସମିତିର ଶ୍ରୋତାଙ୍କ କଥା ନିଆରା । ଅଜା ଯେମିତି ଖାଇସାରି ସାନ ନାତିଟିକୁ ନେଇ ଶୋଇବାକୁ ଯାଏ ଏଇ ଉଦ୍ଦେଶ୍ୟରେ ଯେ ନାତି ଟୋକାର ଆବୁରୁଜାବୁରୁ କଥା ଓ ବାହାଦୁରିଆ କଥା ଶୁଣୁ ଶୁଣୁ ନିଦଟା ଭଲ ଜମିବ । ଯେଉଁ ଶ୍ରୋତାମାନେ ସଭାସମିତିକୁ ଯା’ନ୍ତି ତାଙ୍କ ଉଦ୍ଦେଶ୍ୟ ସେମିତି ହେଉଛି ବକ୍ତାଙ୍କ ଆବୁରୁଜାବୁରୁ ବକ୍ତୃତା ଓ ନାନାବାହାଦୁରିଆ କଥା ଶୁଣୁ ଶୁଣୁ ନିଦଟାକୁ ଭଲଭାବେ ଜମେଇନେବା । ବସ୍ତୁତଃ ଅଳ୍ପ କିଛିକ୍ଷଣ ଶୁଣିବା ପରେ କର୍ଣ୍ଣେନ୍ଦ୍ରିୟ ଆପେ ଆପେ ବନ୍ଦ ହୋଇଯାଏ, ଆଉ କିଛି ଶୁଭେ ନାହିଁ । କାନ ବନ୍ଦ ହେବା ସାଙ୍ଗେ ସାଙ୍ଗେ ଆଖି ଦିଓଟି ବଡ଼ ହୋଇଯାଏ । ମେଲା ମେଲା ଆଖିଟିମାନ ଦେଖିଲେ ମନେହୁଏ ଯେ ବକ୍ତାଙ୍କ ବକ୍ତୃତା ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି । ବକ୍ତା ମଧ୍ୟ ସେ ଆଖିଟିମାନ ଦେଖି ଅଧିକ ଉତ୍ସାହିତ ହୋଇ ଆହୁରି ପାଟିକରି ଓ ନାନାଅଙ୍ଗଭଙ୍ଗୀ ସହ ବକ୍ତୃତା ଦେବାରେ ଲାଗନ୍ତି । କିନ୍ତୁ ସେ ଆଖିକୁ ସତରେ କିଛି ଦିଶୁ ନଥାଏ । କାନ ବନ୍ଦ ହେବା ସାଙ୍ଗେ ସାଙ୍ଗେ ଆଖିଟିମାନ ମୁଦି ହୋଇ ଆସୁଥିବାରୁ ଲୌକିକତା ରକ୍ଷାକରିବା ପାଇଁ ଶ୍ରୋତା ଆଖିପତାମାନଙ୍କ ମିଳନ ନ ଘଟାଇବାକୁ ଆପ୍ରାଣ ଚେଷ୍ଟା କରେ, ଯାହାଫଳରେ ଆଖି ବଡ଼ ବଡ଼ ହୋଇଯାଇ ମୁହଁରେ ଏକ ସ୍ଥାୟୀ ଆଶ୍ଚର୍ଯ୍ୟଭାବ ଲାଖିରହେ, ଯାହାକୁ ଦେଖି ବକ୍ତା ଭୂଆଁ ବୁଲେ ଓ ସଭାପତିଙ୍କ ଘନ ଘନ ଘଣ୍ଟି ଧ୍ୱନି ଓ କାତର ଅନୁରୋଧକୁ ଖାତିର୍‌ କରେ ନାହିଁ । ଶ୍ରୋତାଙ୍କ ଏ ଏକ ଯୋଗ ଅବସ୍ଥା । ପ୍ରଳୟ ପରେ ଭଗବାନ ଯେତେବେଳେ ଯୋଗନିଦ୍ରାରେ ମଗ୍ନ ହୁଅନ୍ତି ସେତେବେଳେ ବାହାରକୁ ସେ ସୁପ୍ତ; କିନ୍ତୁ ଭିତରେ ସେ ଜାଗ୍ରତ । ସଭାସମିତି ଶ୍ରୋତାଙ୍କ ଯୋଗ ଠିକ୍‌ ଓଲଟା । ଶ୍ରୋତା ଯେତେବେଳେ ଯୋଗନିଦ୍ରାରେ ମଗ୍ନ ହୁଅନ୍ତି, ସେତେବେଳେ ବାହାରକୁ ସେ ଜାଗ୍ରତ; କିନ୍ତୁ ଭିତରେ ସେ ଗୁପ୍ତ । ଏ କ୍ଷେତ୍ରରେ ତେଣୁ ଶ୍ରୋତାଙ୍କ କର୍ତ୍ତବ୍ୟ ହେଉଛି ଲୌକିକତା ପ୍ରତି ଖାତିର ନକରି ଆଖିଟିମାନ ମୁଦି ଅଜପା ଜପିବା; ଯାହାକୁ ଆଧୁନିକ ତତ୍ତ୍ୱବିତ୍‌ମାନେ କହନ୍ତି, ନିଶ୍ୱାସ ନେବା ସହିତ ‘ହଂ’ ଓ ଛାଡ଼ିବା ସହିତ ‘ସଃ’ (ହଂସଃ ବା ସୋଽହଂ) ଶବ୍ଦର ଉଚ୍ଚାରଣର ଅର୍ଥ ଆଉ କିଛି ନୁହେଁ, ଘୁଙ୍ଗୁଡ଼ି ମାରିବା ।

 

ଏଥର ‘କାହିଁକି କେଜାଣି’ବାଲା ବକ୍ତାଙ୍କ ପାଖରୁ କାମ ହାସଲ କରିବାକୁ ଇଚ୍ଛା କରୁଥିବା ଶ୍ରୋତାଙ୍କ କର୍ତ୍ତବ୍ୟ କଥା କୁହାଯାଉ । ଏ ଶ୍ରୋତାବି ହେଉଛନ୍ତି ସେଇ ପଞ୍ଚମ ପ୍ରକାରର ଲୋକ, ଖାଲି ଅବସ୍ଥାଚକ୍ରରେ ବକ୍ତା ନ ହୋଇ ଶ୍ରୋତା ସାଜିଛନ୍ତି । ଏମାନଙ୍କୁ ଉପଦେଶ ଦେବା ଧୃଷ୍ଟତାମାତ୍ର । ଏମାନଙ୍କ ସ୍ୱାର୍ଥବୁଦ୍ଧି ଭାରି ପ୍ରଖର । ଏମାନେ ଶୁଣୁଥିଲେ ମଧ୍ୟ, ଅସଲରେ ବକ୍ତା ହେଉଥିଲେ ମଧ୍ୟ, ଅସଲରେ ଗ୍ରହୀତା, ଶୋଷକ । ସାଧାରଣତଃ ଏମାନେ ଭାରି ମଧୁଭାଷୀ ହୁଅନ୍ତି, ଖୁବ୍‌ ଆପଣେଇ ପାରନ୍ତି । ‘କାହିଁକି କେଜାଣି’ ବାଲାଙ୍କୁ ଏମାନେ କହନ୍ତି–ଆଜ୍ଞା, ଆପଣଙ୍କ ଭଳି ଲୋକପାଇଁ ତ ଧର୍ମ ପୃଥିବୀରେ ରହିଛି, ନ ହେଲେ ଛାଡ଼ି ପଳାନ୍ତାଣି । କିନ୍ତୁ ଏଭଳି ଲୋକ କେଇଜଣ ଜନ୍ମିଛନ୍ତି ପୃଥିବୀରେ ଆଜି ପର୍ଯ୍ୟନ୍ତ...ଇତ୍ୟାଦି, ଇତ୍ୟାଦି । ଶ୍ରୋତା ବକ୍ତା ଦୁହିଁଙ୍କ ଛାତି ଆନନ୍ଦରେ ଫୁଲିଉଠେ ।

 

ପୂର୍ବେ କୁହାହୋଇଛି, ଏଇ ପଞ୍ଚମ ପ୍ରକାରର ଲୋକେ ଆପଣାକୁ ସାଧାରଣ ଦ୍ୱାନ୍ଦ୍ୱିକ ପ୍ରକ୍ରିୟାର ଉପରେ ରଖି ସୁଖରେ ଥାନ୍ତି; କିନ୍ତୁ ଏଙ୍କପାଇଁ ଥୁଆ ହୋଇଥାଏ ଅସାଧାରଣ ଦ୍ୱାନ୍ଦ୍ୱିକ ପ୍ରକ୍ରିୟା । ଗୀତାର ‘ଦୁଷ୍ଟୃତି ବିନାଶ’ ବିଧାନ ବା ମାର୍କସଙ୍କ ଶ୍ରେଣୀ-ସଂଘର୍ଷ ପ୍ରକ୍ରିୟା ଅନୁସାରେ ଦିନେ ଏମାନଙ୍କ ବିରୁଦ୍ଧରେ ଦାଉ ଦାଉ ନିଆଁ ଜଳି-ଉଠେ । ମହାମାନବ ଅବତୀର୍ଣ୍ଣ ହୁଅନ୍ତି । ମହାମାନବ କିଛି ଆକାଶରୁ ଗଳିପଡ଼ନ୍ତି ନାହିଁ; ସାଧାରଣ ମଣିଷର ଆକୃତିରୁ ତାଙ୍କର ଜନ୍ମ । ଦୁର୍ନୀତି, ଏପରିକି ନିଜର ଦୁର୍ନୀତି ବିରୁଦ୍ଧରେ, (କାରଣ ସବୁ ମଣିଷ ମୂଳତଃ ଭଲ) ସେ ଏକ ବ୍ୟାକୁଳ ଆକୃତି । ସେତେବେଳେ ନିରୀହ ଭୀରୁ ଲୋକଟିବି ନରସିଂହରୂପ ଧାରଣ କରେ ଓ ବାହାଘରେ ପରିବା କାଟିବା ଭଳି ଲୋକେ ହାଣଖା’ନ୍ତି, କିଛି ବାଛବିଚାର ରହେ ନାହିଁ । ପୂର୍ବକାଳରେ ଏ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପାଇଁ ଯୁଗ ଯୁଗ ବିତିଯାଉଥିଲା; କିନ୍ତୁ ମାର୍କସ୍‌ଙ୍କ ପରେ ଏହା ଖୁବ୍‌ଶୀଘ୍ର ଶୀଘ୍ର ଘଟୁଛି । ଏ ପଞ୍ଚମ ପ୍ରକାର ଭକ୍ତଙ୍କ ପାଇଁ ଭଗବାନ ଏଇ ବିଧାନ ଦେଇଛନ୍ତି ।
 

ବାକି ଯେଉଁ ଶ୍ରୋତା ରହିଲେ ସେମାନେ ହେଉଛନ୍ତି ସାଧାରଣଲୋକ । ଏମାନଙ୍କ ଭିତରୁ କେହି କେହି ବକ୍ତାଙ୍କୁ ଉର୍ଦ୍ଦୁ କବି-କଥିତ ତୃତୀୟ ପ୍ରକାରର ଲୋକ ଯେ ଜାଣେନା, କିନ୍ତୁ ଜାଣେ ଯେ ସେ ଜାଣେନା, ସେ ସରଳ) ଭାବି ଦର୍ଶନ, ମନୋବିଜ୍ଞାନ ଆଦି ନାନାତତ୍ତ୍ୱ ବଖାଣି ବକ୍ତାଙ୍କୁ ବୁଝାଇବାକୁ ଚେଷ୍ଟାକରନ୍ତି–କାହିଁକି ଅନ୍ୟାୟ ଦେଖିଲେ ତାଙ୍କ ଦେହ ଥରେ । ବକ୍ତା ଭିତରେ ଭିତରେ ଅଗ୍ନିଶର୍ମା ହେଉଥାନ୍ତି । କିନ୍ତୁ କାହିଁକି କେଜାଣି ପଚାରି ଆପଣା ହସ୍ତେ ଜିହ୍ୱା ତ ଛେଦିଛନ୍ତି, ପ୍ରତିବାଦ କରିଦେବା କିପରି ! କିନ୍ତୁ ଶ୍ରୋତାଙ୍କ ବକ୍ତୃତା ଯେତେବେଳେ ତାଙ୍କ ଅହଂକୁ ନିତାନ୍ତ ବାଧେ ସେତେବେଳେ ସେ ନାନାଅଖାଡ଼ୁଆ ମୌଳିକ ପ୍ରଶ୍ନ ପଚାରନ୍ତି–ମନକଥା ଯେ କହୁଛନ୍ତି, ମନ ମାନେ କ’ଣ ? ‘ମ’ ମାନେ କ’ଣ, ଆଉ ‘ନ’ ମାନେ କ’ଣ ? ମନ କେଇ ପ୍ରକାର ? ଏ ଆଧୁନିକ ବିଜ୍ଞାନ ଖାଲି ଭଣ୍ଡାମି । ସବୁ ଆମ ବେଦରେ ଅଛି, ବେଦ ପଢ଼ନ୍ତୁ ଆଗ, ତା’ପରେ ମୋତେ ବୁଝାଇବାକୁ ଆସିବେ ।

 

ଶ୍ରୋତା ଯେତେବେଳେ ବକ୍ତାଙ୍କୁ ଦର୍ଶନ, ମନୋବିଜ୍ଞାନ ଆଦି ବୁଝାଇବାକୁ ଯାଏ ସେତେବେଳେ ସବୁବେଳେ ଯେ ବକ୍ତାଙ୍କୁ ତୃତୀୟ ଭାଗର ଲୋକ ଭାବି ତାହା କରେ, ତା’ ନୁହେଁ । ବରଞ୍ଚ ଅଧିକାଂଶ ସମୟରେ ନିଜର ସେସବୁ ବିଷୟରେ ଜ୍ଞାନ ଦେଖାଇବାର ସୁବିଧା ମିଳିଯିବାରୁ ସେ ତାହା କରିଥାଏ । ସମସ୍ତଙ୍କର ଅହଂ ଅଛି । ସେତକ ପ୍ରକାଶ କରିବା ସୁବିଧା କେହି ଛାଡ଼ନ୍ତି ନାହିଁ । ତେଣୁ ଶ୍ରୋତାମାନଙ୍କ ମଧ୍ୟରେ ଏମିତିବି ଥାଆନ୍ତି, ଯେଉଁମାନେ ବକ୍ତାଙ୍କୁ ‘କାହିଁକି କେଜାଣି ଅନ୍ୟାୟ ଦେଖିଲେ ମୁଁ ସହିପାରେ ନାହିଁ’ ଶୁଣିବାମାତ୍ରେ କହିପାରନ୍ତି, ‘ମୋରବି ତ ସେମିତି ହୁଏ’ ବା ‘ଥାଉ ଥାଉ, ଆପଣଙ୍କ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଆପଣ ପରା ଅମୁକ ଲୋକ ପାଖରୁ ପାଞ୍ଚ ହଜାର ଟଙ୍ଗା ଘୁଷ୍‌ ନେଇଥିଲେ... ।’ ସେଇଠୁ ଅହଂ ଓ ଅହଂ ଭିତରେ ପ୍ରକାଶ୍ୟରେ ସଂଘର୍ଷ ଲାଗିଯାଏ । ଭାଗ୍ୟେ ଏମିତି ହୁଏ, ନ ହେଲେ ତ ଅବସ୍ଥା ଅସମ୍ଭାଳ ହୁଅନ୍ତା । ପ୍ରବଳ ଅହଂବାଲା ଲୋକେ ଦୁନିଆକୁ ଚରିଯାଆନ୍ତେ ।

 

ଅହଂ କାହାରି ଯାଏ ନାହିଁ । କିଏ ବାହାରକୁ ବିନୀୟୀ, କିନ୍ତୁ ଭିତରେ ଭାରି ଗର୍ବୀ ଯେ ସେ ବିନୟୀ । ନାନାସୂକ୍ଷ୍ମଭାବରେ ଅହଂକାମ କରେ; କିନ୍ତୁ ଅହଂ ଗଲେ ଭଲ । କାହିଁକି ନା, ତାହେଲେ ବୁଝାମଣା ଭଲ ହୁଏ, ଅନ୍ୟକୁ ଜାଣିବାପାଇଁ ବେଦନା ଜାଗେ, ବୁଦ୍ଧି ଖୋଲେ, ବୁଦ୍ଧି ସ୍ଥିର ହୁଏ । କିନ୍ତୁ ଯିବା ବଡ଼ କଷ୍ଟ । ଜୀବନ-ରକ୍ଷା ଓ ବ୍ୟକ୍ତିତ୍ୱର ବିକାଶପାଇଁ ପ୍ରକୃତି ଏହାକୁ ପ୍ରତ୍ୟେକ ଜୀବ ଭିତରେ ଦେଇଛି । ଭଗବାନ ସୃଷ୍ଟି କରିଛନ୍ତି ସେ ପ୍ରକୃତିକୁ ବୋଲି ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଏବଂ ତା’ ସହିତ କହିଛନ୍ତି-ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିମ୍‌ କରିଷ୍ୟତି ? ସେଥିପାଇଁ ନିଜର ଓ ଅନ୍ୟର ଅହଂପାଇଁ ସର୍ବଦା ଜାଗ୍ରତ ରହିବା ଦରକାର । ପ୍ରେମ, ବେଦନା, ଅନ୍ତର୍ଦୃଷ୍ଟି ଯେତେ ବଢ଼ିବ ଅହଂ ସେତେ କମିବ । ଏଇ ଅହଂ ଯୋଗୁଁହିଁ ଭୀଷଣ ରକ୍ତକ୍ଷୟୀ ପ୍ରଳୟଙ୍କରୀ ନୃଶଂସ ଯୁଦ୍ଧ ପୃଥିବୀରେ ଲାଗି ରହିଛି । ବର୍ଷକୁ ସେଥିପାଇଁ ଖର୍ଚ୍ଚ ହେଉଛି ଏକଲକ୍ଷ ଷାଠିଏ ହଜାର କୋଟି ଡଲାର୍‌ (ଏକ ଡଲାର ହେଉଛି ପ୍ରାୟ ଆଠଟଙ୍କା) । ଏସବୁ ଯଦି ମଣିଷର ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷାପାଇଁ ଖର୍ଚ୍ଚ ହୁଅନ୍ତା ତେବେ ପୃଥିବୀରେ ଆଉ ଆଧିଭୌତିକ ଦୁଃଖ ରହନ୍ତା ନାହିଁ । ପୃଥିବୀରେ ବର୍ତ୍ତମାନ ଜନସଂଖ୍ୟାର (ପ୍ରାୟ ୪୦୦ କୋଟି) ଦୁଇଗୁଣ ଲୋକ ମଧ୍ୟ ସୁଖରେ ରହନ୍ତେ । କିନ୍ତୁ ଖାଲି ଅହଂ ଏହା କରେଇ ଦେଇନାହିଁ । ତେଣୁ ଅନେକେ କହୁଛନ୍ତି ସମସ୍ୟାଟା ଅର୍ଥନୀତିକ ବା ରାଜନୈତିକ ନୁହେଁ, ଆଧ୍ୟାତ୍ମିକ । ସେ ଯାହାହେଉ ଅର୍ଥନୀତିକ ସମସ୍ୟାର ସମାଧାନ ନ ହୋଇ ଆଧ୍ୟାତ୍ମିକ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ମାର୍କସ୍‌ଙ୍କ ମତ । ଗୀତାରେ କୁହାହୋଇଛି, ଅହଂ ପାଇଁ ଅଯଥା ବ୍ୟସ୍ତ ନ ହୋଇ ଭାବ ଯେ ‘ଏକୁତ ପ୍ରକୃତି ଦେଇଛି, ପ୍ରକୃତି ତା’ କାମ କରୁଛି, ମୋର କ’ଣ ଗଲା ? ମୋ ସହିତ ଏହାର ସମ୍ପର୍କ ନାହିଁ ।’ ପ୍ରକୃତି ସହିତ ନିଜକୁ ଜଡ଼ିତ ନକରି ସେଥିରୁ ନିଜକୁ ଅଲଗା କରିଦେଲେ ଅହଂ ଅନେକ ଦୁର୍ବଳ ହୋଇପଡ଼ିବ । ଏ ହେଲା ବ୍ୟକ୍ତିଗତ ଆଧ୍ୟାତ୍ମିକ ଚେଷ୍ଟା; କିନ୍ତୁ ଏ ବି କମ୍‌ କଷ୍ଟ କଥା ନୁହେଁ । ଏହା ସହିତ ସମଷ୍ଟି ଗତ ଚେଷ୍ଟାବି ଯୁକ୍ତ ହେବା ଉଚିତ–ଅନ୍ତତଃ ସାଧାରଣଲୋକଙ୍କ ପାଇଁ । ଗଣତନ୍ତ୍ର ଶାସନର ମୁଖ୍ୟ ଉଦ୍ଦେଶ୍ୟ ହୋଇଛି, ସମସ୍ତଙ୍କ ଅହଂ ଓ ଦାବିକୁ ସମାନଭାବେ ଜାଗ୍ରତ କରାଇବା । ତାହେଲେ ଛକାଛକି ଠେଲାପେଲାରେ ସମସ୍ତେ ଭଲ ହେବାକୁ ବାଧ୍ୟ ହେବେ; ଠିକ୍‌ ଯେମିତି ସୂର୍ଯ୍ୟ ଚାରିପଟେ ବୁଲୁଥିବା ଅସଂଖ୍ୟ ଧୂଳିକଣା ପରସ୍ପର ଭିତରେ ସଂଘର୍ଷିତ ହେବା ଫଳରେ ଶେଷରେ ଶୃଙ୍ଖଳିତ ଗତି ଓ ଆକାରମାନ ସାଧାରଣ କରିବାରୁ ନାନାଗ୍ରହ ଉପଗ୍ରହର ସୃଷ୍ଟି ହେଲା । ପ୍ରତିମୁହୂର୍ତ୍ତରେ କୋଟି କୋଟି ପ୍ରାଣୀ ମରୁଥିଲେହେଁ ଚିରକାଳ ବଞ୍ଚିରହିବାର ଅଦମ୍ୟ ଇଚ୍ଛା ସ୍ରଷ୍ଟା ପ୍ରତ୍ୟେକ ଜୀବ ଭିତରେ ଦେଇଛି । କିମାଶ୍ଚର୍ଯ୍ୟମତଃପରମ୍‌! ଖାଲି ବଞ୍ଚିରହିବା ନୁହେଁ, ନିରାପଦରେ ବଞ୍ଚିରହିବା । Moving bodies seek to aviod the difficult paths–Einstein. ମଣିଷ ଏ ଦିଗରେ ଅସହାୟ । ଏଇ ନିରାପତ୍ତା ପାଇଁ ସେ ଲୋଡ଼େ ଧନ, ପ୍ରତିପତ୍ତି, ସମ୍ମାନ, ସ୍ନେହ ଆଦି, ଯାହା ବଳରେ ସେ ନିଜର ସୁବିଧା ପାଇଁ ଲୋକଙ୍କୁ ଅକ୍ତିଆରରେ ରଖିପାରିବ-। ସମାଜବାଦ ବା ସାମ୍ୟବାଦର ଉଦ୍ଦେଶ୍ୟ ହେଉଛି, ମଣିଷକୁ ଯଥାସମ୍ଭବ ନିରାପତ୍ତା ଦେବା । ତାହେଲେ ଯାଇ ହିଂସା, ଦ୍ୱେଷ ଆଦି ଅନେକ ପରିମାଣରେ ଊଣା ପଡ଼ିଯିବ ଏବଂ ଆତ୍ମିକ ଜୀବନର ବିକାଶପାଇଁ ବାଟ ଫିଟିଯିବ । କାରଣ ନିରାପତ୍ତା ପାଇଁ ବ୍ୟକ୍ତିଗତ ଚେଷ୍ଟା ଆଉ ରହିବ ନାହିଁ । ନହେଲେ ସେଇଥିରେ ସେ ଘାଣ୍ଟି ହେଉଥିବ ଓ କ୍ରମେ କ୍ରମେ ବିକୃତି ବଢ଼ୁଥିବ । ଗୀତାରେ ତେଣୁ ବ୍ୟକ୍ତିଗତ ଚେଷ୍ଟାକୁ ଯେମିତି ପ୍ରାଧାନ୍ୟ ଦିଆହୋଇଛି ସାମାଜିକ ଚେଷ୍ଟାକୁବି ସେମିତି ପ୍ରାଧାନ୍ୟ ଦିଆହୋଇଚି-। ତେଣୁ ସାଧାରଣଲୋକଙ୍କ କର୍ତ୍ତବ୍ୟ ହେଉଛି ସମସ୍ତଙ୍କ କାମନା ଓ ଦାବି ସ୍ୱୀକୃତ ହେବାଭଳି ସରକାର ଗଢ଼ିବା । ଗୀତାରେ ତ ଏପରି କୁହାହୋଇଚି, ମଣିଷ ଯେମିତି, ଦେବତାଙ୍କ ଦାବି ସ୍ୱୀମାର କରିବେ ଦେବତା ମଧ୍ୟ ସେମିତି ମଣିଷଙ୍କ ଦାବି ସ୍ୱୀକାର କରିବେ । ପ୍ରେମ ଅସ୍ୱାଦନ କରିବା ପାଇଁ ମଣିଷ କିନ୍ତୁ ଅହଂକୁ ଦୁଇଦିଗରୁ (ବ୍ୟକ୍ତିଗତ ଓ ସାମାଜିକ) ଆକ୍ରମଣ ଅଧିକରୁ ଅଧିକ କରୁଛି ।

 

ସେଦିନ ଜଣେ ଲେଖକଙ୍କ ଗୋଟିଏ ଗଳ୍ପ ପଢ଼ୁଥିଲି । ଗଳ୍ପର ନାୟକଙ୍କ ନାଁ, ହେଉଛି ପ୍ରକାଶ । ଖୁବ୍ ଧନୀର ସନ୍ତାନ ସେ । ସହରରେ ରହି ଏମ୍‌.ଏ. ପଢ଼ୁଛି । ଭାରି ଆଦର୍ଶବାଦୀ, ଆଧୁନିକ ଚିନ୍ତାଶୀଳ, ବିପ୍ଳବୀ, ପ୍ରଗତିବାଦୀ ଯୁବକ ସେ । ଗାଁରେ ତାଙ୍କର ପ୍ରାସାଦୋପମ ଘର । ତାଙ୍କ ଘରକୁ ଲାଗି ଗୋଟିଏ ସାନ କୁଡ଼ିଆ ଘର । ସେଥିରେ ରହନ୍ତି ଗାଁର ଉ: ପ୍ରା: ବିଦ୍ୟାଳୟର ମାଷ୍ଟର ସତ୍ୟାନନ୍ଦ ବାବୁ । ତାଙ୍କର ଗୋଟିଏ ବୋଲି ସନ୍ତାନ–ଝିଅଟିଏ । ନାଁ’ଟି ତା’ର ରତ୍ନା । ନାଁ’ଟି ଯେମିତି, ରୂପ ସେମିତି, ଗୁଣବି ସେମିତି । ମଣିଖଣ୍ଡେ ତ ! ଯିଏ ଯାହା ମାଗିଲା ‘ନା’ ବୋଲିବା ନାହିଁ । ଏମିତି କି ଅଯାଚିତଭାବରେବି ଦେଇପକାଏ । ପ୍ରକାଶର ମା’ ରତ୍ନାକୁ ନିଜ ଝିଅ ଭଳି ସ୍ନେହ କରନ୍ତି । ପ୍ରକାଶ ଛୁଟିରେ ଗାଁକୁ ଗଲେ ରତ୍ନା ଅଧିକାଂଶ ସମୟ ତାଙ୍କ ଘରେ ବିତାଏ । ପ୍ରକାଶକୁ ସେ ଭାଇ ଭଳି ସ୍ନେହ କରେ । ପ୍ରକାଶ ଏମ୍‌. ଏ. ପଢ଼ିବାବେଳକୁ ରତ୍ନା ଗାଁ ହାଇସ୍କୁଲର ଦଶମ ଶ୍ରେଣୀରେ ପାଠ ପଢ଼ୁଛି । ବୟସ ସତର । ପ୍ରକାଶ ପାଖରୁ ସେ ପଢ଼ା ବୁଝିନିଏ । ଦିନେ ଦିନେ ପଢ଼ା ବୁଝୁ ବୁଝୁ ରାତିବାରଟା ଗୋଟାଏବି ହୋଇଯାଏ । ସେ ବର୍ଷ ପ୍ରକାଶ ଗାଁକୁ ଯାଇଥାଏ କିଛିଦିନ ପାଇଁ । ପରୀକ୍ଷା ନିକଟେଇ ଆସୁଛି ବୋଲି ରତ୍ନା ପ୍ରାୟ ସବୁଦିନ ପ୍ରକାଶ ପାଖରେ ରାତି ଗୋଟାଏ ପର୍ଯ୍ୟନ୍ତ ପଢ଼େ । ରତ୍ନାର ବାପ ମା’ ଭାରି ସରଳ । ରତ୍ନା ମନ ଦେଇ ପ୍ରକାଶ ପାଖରୁ ପଢ଼ା ବୁଝିନେଇଛି ବୋଲି ସେମାନେ ଖାଲି ନିଶ୍ଚିନ୍ତ ନୁହନ୍ତି, କୃତଜ୍ଞ ମଧ୍ୟ । ଏଣେ ପ୍ରକାଶର ମା’ ଚାରୋଟି ପୁଅ ଓ ପାଞ୍ଚଟି ଝିଅର ମା’ ହେଲେବି ଭାରି ସରଳ । ସେ ପ୍ରକାଶ ପାଖରୁ ପଢ଼ା ବୁଝିନେବା ପାଇଁ ରତ୍ନାକୁ ଉତ୍ସାହ ଦିଅନ୍ତି । ଭାବନ୍ତି, ଆହା ଗରିବ ଘର ଝିଅଟି । ବାପା ତ ମାଷ୍ଟର ରଖିପାରିବ ନାହିଁ, ନିଜେବି ପଢ଼େଇ ପାରିବ ନାହିଁ । ତା’ ଜ୍ଞାନ ବା କେତେ, ପାଞ୍ଚଟା ଟିଉସନ ସମ୍ଭାଳି ବେଳ ବା କାହିଁ । ଆମ ପ୍ରକାଶ ତ ଯୋଗ୍ୟ ହେଲାଣି, ବୁଝିନେଉ ତା’ ପାଖରୁ ପଢ଼ା ।

 

ଦିନେ ଅନେକ ରାତିରେ ପଢ଼ା ବୁଝିସାରି ରତ୍ନା ଘରକୁ ଫେରିବା ପରେ ପ୍ରକାଶ ମନେ ମନେ ଭାବୁଛି, କାହିଁକି କେଜାଣି, ରତ୍ନାର ସେଇ ଗୌର ସୁଗୋଲ ତନୁର ବିଭିନ୍ନ ସ୍ଥାନରେ ଖଞ୍ଜାଯାଇଥିବା କୋମଳ କମନୀୟ ଗୋଲକାର୍ଦ୍ଧମାନ ଦେଖିଲେ ଦେହ ମନ କ’ଣ ହୋଇଯାଏ... ।

 

ଭାବିଲି, ପ୍ରକାଶ ନିଶ୍ଚୟ ମହାଭାରତର ସେଇ ଋଷ୍ୟଶୃଙ୍ଗ ମୁନିଙ୍କ ସରଳ । କାଳେ ଆପଣଙ୍କର ସେ କଥା ମନେ ନଥିବ ବୋଲି ସଂକ୍ଷେପରେ କହୁଛି । ନନ୍ଦା ଓ ଅପରନନ୍ଦା ନନ୍ଦୀ ପରେ କୌଶିକୀ ନଦୀ । ସେଇ ନଦୀତୀରସ୍ଥ ବନରେ ମହାତ୍ମା ବିଭାଣ୍ଡକ ତାଙ୍କ ପୁତ୍ର ଋଷ୍ୟଶୃଙ୍ଗଙ୍କ ସହିତ ବାସ କରୁଥିଲେ । ଋଷ୍ୟଶୃଙ୍ଗ ସର୍ବଦା ବ୍ରହ୍ମଚର୍ଯ୍ୟରେ ନିରତ ଥିଲେ ଓ ପିତାଙ୍କ ବ୍ୟତୀତ ଆଉ କଦାପି କୌଣସି ମନୁଷ୍ୟ ଦେଖି ନଥିଲେ । ଥରେ ଅଙ୍ଗ ଦେଶରେ ବହୁକାଳ ଧରି ଅନାବୃଷ୍ଟି ହେବାରୁ ପ୍ରଜାମାନଙ୍କ ମଧ୍ୟରେ ହାହାକାର ପଡ଼ିଗଲା । ଜଣେ ମୁନି ଅଙ୍ଗ ଦେଶର ରାଜା ଲୋମପାଦଙ୍କୁ କହିଲେ, ଆପଣ ଯଦି ମହାତପା ଋଷ୍ୟଶୃଙ୍ଗଙ୍କୁ ଆପଣଙ୍କ ରାଜ୍ୟକୁ ଆଣିପାରିବେ ତେବେ ସେ ଆପଣଙ୍କ ରାଜ୍ୟରେ ପ୍ରବେଶ କଲାମାତ୍ରେ ବର୍ଷା ହେବ; କିନ୍ତୁ ସମସ୍ୟା ହେଲା, ଋଷ୍ୟଶୃଙ୍ଗଙ୍କୁ ଅଣାଯିବ କିପରି ? କାରଣ, ସେ ତ ମହାତପା, ନିଜ ବନ ଛାଡ଼ି କୌଣସି ଜନପଦକୁ ଯାଆନ୍ତି ନାହିଁ । ସେଉଠୁ ମନ୍ତ୍ରୀ ପରାମର୍ଶ ଦେଲେ ଯେ ଅତି ସୁନ୍ଦରୀ ଯୁବତୀ ଜଣେ ବେଶ୍ୟାକୁ ପଠାଯାଉ । ସେ ପ୍ରଲୋଭିତ କରି ଋଷ୍ୟଶୃଙ୍ଗଙ୍କୁ ଅଙ୍ଗ ଦେଶ ଆଣିବାକୁ ନିଶ୍ଚୟ ସମର୍ଥା ହେବ । ଏଥିପାଇଁ ଜଣେ ଅତି ଲାବଣ୍ୟମୟୀ କଳାପିପୁଣା ବେଶ୍ୟାଙ୍କୁ ବଛା ହେଲା । ବିଭାଣ୍ଡକ କୌଣସି ଦୂରଦେଶକୁ ଯାଇଥିବାବେଳେ ସେ ଋଷ୍ୟଶୃଙ୍ଗଙ୍କ ତପୋବନକୁ ଗଲେ ଓ ତାଙ୍କୁ ଅଭିବାଦନ କଲେ-। ଋଷ୍ୟଶୃଙ୍ଗ ତାଙ୍କୁ ଦେଖି କହିଲେ, ଆପଣଙ୍କ ଦେହରୁ ଯେପରି ଜ୍ୟୋତି ବାହାରୁଛି ତାହା ମୁଁ କେବେ ଦେଖି ନଥିଲି । ଆପଣ ମୋତେ ଅଭିବାଦନ କରନ୍ତୁ ନାହିଁ, ବରଞ୍ଚ ମୋର ପାଦ୍ୟ ଅର୍ଘ୍ୟ ଗ୍ରହଣ କରନ୍ତୁ । ବେଶ୍ୟାଟି କହିଲେ, ତା’ ହୋଇପାରିବ ନାହିଁ, କାରଣ ମୁଁ ଗୋଟିଏ ବ୍ରତ ପାଳନ କରୁଛି; ସେଇ ବ୍ରତ ଅନୁସାରେ ଆପଣଙ୍କୁ ବନ୍ଦନା କରିବା ପରେ ଆଲିଙ୍ଗନ କରିବି । ଏହା କହି ସେ ସାଙ୍ଗରେ ଆଣିଥିବା ନାନାସୁସ୍ୱାଦୁ ମିଷ୍ଟାନ୍ନ ଋଷ୍ୟଶୃଙ୍ଗଙ୍କୁ ଖାଇବାକୁ ଦେଲେ ଓ ସୁବାସିତ ମାଲ୍ୟବସନାଦି ପିନ୍ଧାଇଲେ । ବନ୍ଦନା ସରିବା ପରେ ସେ କନ୍ଦୁକ ନେଇ ଋଷ୍ୟଶୃଙ୍ଗଙ୍କ ସହିତ କ୍ରୀଡ଼ା କଲେ ଓ ନାନାପ୍ରକାର ହାସ-ପରିହାସ କରିବାକୁ ଲାଗିଲେ । କେବେ ବା ଲତା ଭଳି ହୋଇ ସେ ଋଷ୍ୟଶୃଙ୍ଗଙ୍କ ଦେହରେ ଦେହ ଲଗାଇ ଆଲିଙ୍ଗନ କରିବାକୁ ଲାଗିଲେ । ଏହାପରେ ସେ ବ୍ରତ ଶେଷ ହେଲା ବୋଲି କହି ଚାଲିଗଲେ । ଏଣେ ଋଷ୍ୟଶୃଙ୍ଗ ମଦନାବିଷ୍ଟ ହୋଇ ଅଚେତନ ପ୍ରାୟ ଶୋଇ ରହି ଦୀର୍ଘନିଃଶ୍ୱାସ ପକାଇବାକୁ ଲାଗିଲେ । ତାଙ୍କର ଏପରି କ’ଣ ହେଲା, କାହିଁକି ହେଲା, ସେ ବୁଝିବି ପାରିଲେ ନାହିଁ । ଇତିମଧ୍ୟରେ ବିଭାଣ୍ଡକ ଫେରିଆସ ପୁତ୍ରର ଏ ଅବସ୍ଥା ଦେଖି ପଚାରିଲେ, ବତ୍ସ, ତୁମେ ଏପରି ଚିନ୍ତାମଗ୍ନ, କାତର କାହିଁକି ? ଏଠାକୁ କିଏ ଆସିଥିଲା ? ଋଷ୍ୟଶୃଙ୍ଗ ଉତ୍ତର ଦେଲେ, ଜଣେ ଜଟାଧାରୀ ବ୍ରହ୍ମଚାରୀ ଆସିଥିଲେ । ସେ ଆକାରରେ ଦୀର୍ଘ ନୁହେଁ, ଖର୍ବ ମଧ୍ୟ ନୁହେଁ-। ତାଙ୍କ ଦେହର ବର୍ଣ୍ଣ ସୁବର୍ଣ୍ଣ ଭଳି, ଚକ୍ଷୁ ପଦ୍ମପଳାଶତୁଲ୍ୟ–ଆୟତ, ଜଟା ସୁଦୀର୍ଘ ନିର୍ମଳ କୃଷ୍ଣବର୍ଣ୍ଣର ଏବଂ ତାହା ସ୍ୱର୍ଣ୍ଣସୂତ୍ରଦ୍ୱାରା ଗ୍ରଥିତ । ତାଙ୍କ କଟି ପିପୀଲିକାର ମଧ୍ୟଭାଗ ଭଳି କ୍ଷୀଣ । ତାଙ୍କ ପରିଧେୟ ଚୀନବସନ ତଳୁ ଦେଖାଯାଉଥିଲା ସୁବର୍ଣ୍ଣମେଖଳା । ତାଙ୍କ କଣ୍ଠସ୍ୱର କୋକିଳ ଭଳି, ଶୁଣିଲେ ଆନନ୍ଦ ଜାତ ହୁଏ । ମୋର ଏଇ ଜପାମାଳା ଭଳି ତାଙ୍କ ଚରଣ ଓ ହସ୍ତରେ ଶବ୍ଦକାରୀ ଆଶ୍ଚର୍ଯ୍ୟ ମାଳା ଅଛି । ଆକାଶ ବିଦ୍ୟୁତ ଭଳି ତାଙ୍କ କଣ୍ଠରେ କି ଏକ ବସ୍ତୁ ଅଛି ଏବଂ ତା’ ତଳକୁ ଅଛି ଦୁଇଟି ଲୋମହୀନ ଅତି କମନୀୟ କେବଳ ମାଂସପିଣ୍ଡ । ସେ ମୋତେ ଆଲିଙ୍ଗନ କରି, ମୋ ଓଷ୍ଠରେ ତାଙ୍କ ଓଷ୍ଠ ରଖି ଏକପ୍ରକାର ଶବ୍ଦ କଲେ, ଯାହା ଶୁଣି ମୋର ଅଦ୍ଭୁତ ରୋମାଞ୍ଚ ଓ ହର୍ଷ ଜାତ ହେଲା । ପିତା, ମୁଁ ତାଙ୍କ ପାଖକୁ ଯିବି, ସେ କିପ୍ରକାର ବ୍ରହ୍ମଚର୍ଯ୍ୟ ପାଳନ କରୁଛନ୍ତି ଦେଖିବି ଓ ତାଙ୍କରି ପାଖରେ ରହି ତାହା ଶିକ୍ଷା କରିବି । ବିଭାଣ୍ଡକ ଧ୍ୟାନବଳରେ ସବୁ କଥା ଜାଣିପାରି ଋଷ୍ୟଶୃଙ୍ଗଙ୍କୁ ଯେତେ ବୁଝାଇଲେବି ସେ କିଛି ବୁଝିଲେ ନାହିଁ । ବିଭାଣ୍ଡକ ମହାକ୍ରୋଧରେ ସେ ବେଶ୍ୟାକୁ ଖୋଜି ବାହାରିଲେ । ବିଭାଣ୍ଡକ ଚାଲିଯିବା ପରେ ସେ ବେଶ୍ୟାଟି ଫେରିଆସିଲେ ଓ ଋଷ୍ୟଶୃଙ୍ଗ ପିତାଙ୍କ କ୍ରୋଧ କଥା ଚିନ୍ତା ନ କରି ଅତି ଆନନ୍ଦରେ ତା’ ସହିତ ଗଲେ । ତା’ପରେ ଅଙ୍ଗ ଦେଶରେ ବର୍ଷା ହେଲା, ଦେଶ ଶସ୍ୟଶ୍ୟାମଳା ହେଲା ଇତ୍ୟାଦି ନଗଣ୍ୟ ଘଟନା ସହିତ ଆମର ସମ୍ପର୍କ ନାଇଁ ।

 

ଏଇ କ୍ଷଣସ୍ଥାୟୀ, କ୍ଷଣଭଙ୍ଗୁର, ସହଜଦାହ୍ୟ, ପଚନଶୀଳ, ବ୍ୟାଧିମନ୍ଦିର ଦେହରେ ତ ବିଧାତା ଆଗ୍ନେୟଗିରିର ଶକ୍ତି ଓ ସ୍ୱର୍ଗର ଆନନ୍ଦ ଖଞ୍ଜି ରଖିଚି; ସୂକ୍ଷ୍ମାତିସୂକ୍ଷ୍ମ କୀଟଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ତାକୁ ରୋଧ କରିବାର ଶକ୍ତି କାହାର ଅଛି ! ବାର୍ଣ୍ଣାଡ଼ ଶ’ଙ୍କ ବିଖ୍ୟାତ ନାଟକ ‘ମ୍ୟାନ୍‌ ଆଣ୍ଡ୍‌ ସୁପରମ୍ୟାନ୍‌’ରେ (ଯାହା ମିଳନାନ୍ତ ହେଲେବି ଶ’ କହିଛନ୍ତି ଏହା ଏକ ଟ୍ରାଜେଡ଼ି) ନାୟକ-ନାୟିକାର ନିର୍ମମ ମୋହିନୀ ଶକ୍ତିରୁ (ସବୁ ନାରୀ ଭଳି ସେ ବି ମୂର୍ତ୍ତିମତୀ ପ୍ରକୃତି) ନିଜକୁ ମୁକୁଳାଇ ମହାମାନବ (ସୁପରମ୍ୟାନ୍‌) ହେବାର ଚେଷ୍ଟାରେ ବିଫଳ ହୋଇ ଶେଷରେ ତାକୁ ବାହା ହୋଇଚି । ଏଇ ସଂକ୍ରାନ୍ତରେ ମୁଁ ନିଜେ ଦେଖିଥିବା ଦୁଇଟି ଘଟଣା ନ କହି ରହିପାରୁନାହିଁ ।

 

ଭୁବନେଶ୍ୱରରେ ଦୁଇ ନମ୍ବର ଇଉନିଟ୍‌ର ଗୋଟିଏ ସରକାରୀ ଘରେ ରହୁଥିବାବେଳେ ମାର୍ଚ୍ଚ ମାସରେ ମୋ ବଡ଼ ଝିଅର ବାହାଘର ହେଲା । ସେ ଘରର ଅଗଣାରେ ଗୋଟିଏ କାଠଚମ୍ପା ଗଛ ଥିଲା । ଅଗଣାଟି ସାନଥିବାରୁ ସେଠାରେ ରୋଷେଇ ଆଦିର ସୁବିଧା ପାଇଁ ଗଛଟିକୁ କାଟିଦିଆଗଲା । ତା’ ଡାଳ ଆଦି ଛାତ ଉପରେ ପକାଇ ଦିଆଗଲା ଶୁଖିଲେ ଜାଳ ହେବ ବୋଲି । ଏହାର ତିନିମାସ ପରେ ତାକୁ ଆଣିବାକୁ ଗଲାବେଳକୁ ଦେଖାଗଲା ଡାଳମାନଙ୍କରେ ଫୁଲ ଫୁଟିଚି-। ବିଧାତାଙ୍କର ଏ କି ବିଚିତ୍ର ଆନନ୍ଦ ! ମଝିରେ ପ୍ରଚଣ୍ଡ ଖରା ତିନି ମାସ ଯାଇଛି, ପାଣି ଟୋପାଏବି ପାଇନାହିଁ । ମାଟି ନାହିଁ । ସିମେଣ୍ଟ କଂକ୍ରିଟ୍‌ ଛାତ ଉପରେ ପଡ଼ିରହିଚି । ତଥାପି ଯେଉଁ ଟିକିଏ ପ୍ରାଣ ତା’ ସବୁଜିମା ଭିତରେ ଧୁକୁ ଧୁକୁ କରୁଥିଲା, ସେଇ ଫୁଟାଇଚି ଫୁଲ । ଜୟ ତବ ବିଚିତ୍ର ଆନନ୍ଦହେ କବି ! ଏଥିରୁ ନିସ୍ତାର ନାହିଁ ।

 

ପ୍ରାୟ ପଇଁତିରିଶିବର୍ଷ ଆଗର ଆଉ ଗୋଟିଏ ଘଟଣା । କଟକରେ ଆମେ ଯେଉଁ ସାହିରେ ଥାଉ, ସେ ସାହିରେ ଗୋଟିଏ ବୁଢ଼ା ରହୁଥିଲା । ତାହାର କେହି ନଥାଏ । ଗୋଟିଏ ଗାଈକୁ ସେ ନିଜ ଝିଅ ଭଳି ଅତି ଆଦରରେ ପାଳିଥାଏ । ଦିନରାତି ତା’ ସେବାରେ ଲାଗିଥାଏ । ସେବା ପାଇ ଗାଈଟିବି ହୋଇଥାଏ ଭାରି ସୁନ୍ଦର । ଦେହରେ ମାଛି ବସିଲେ ଖସିପଡ଼ିବ । ବୁଢ଼ାଟି ତା’ ବେକରେ ରୁପାର ଘୁଙ୍ଗୁରମାଳ ଓ ଶିଙ୍ଗରେ ରୁପାମୁଠି ପିନ୍ଧାଇ ଦେଇଥାଏ । ପ୍ରତିଦିନ ସକାଳେ ସେ ତାକୁ ନେଇ ନଈକୂଳକୁ ବୁଲି ବାହାରେ । ବୁଢ଼ାଟି ବାଡ଼ିଟିଏ ଧରି ଆଗେ ଆଗେ ଯାଉଥାଏ, ଗାଈଟି ତା’ ପଛରେ ନସରପସର ହୋଇଯାଉଥାଏ । ଗାଈଟି ରାସ୍ତାକଡ଼ର ଘାସ ଖାଇବାକୁ ଟିକିଏ ଅଟକିଗଲେ ବୁଢ଼ା ଡାକେ; ଆ ଆ ଲୋ ମାଳ ଆ, ସେ ଘାସ ଖାଆନା । ମାଳ ରୁଣୁଝୁଣୁ ହୋଇ ଦୌଡ଼ିଯାଇ ବୁଢ଼ା ଦେହରେ ଦେହ ଘଷେ । ଦିନେ କ’ଣ ହୋଇଛି ନା, ବୁଢ଼ା ଏମିତି ଚାଲିଛି, ଗୋଟାଏ ଷଣ୍ଢ ମାଳ ପିଛା ନେଲା । ମାଳ ଟିକିଏ ଅଟକିଯାଇଥାଏ, ବୁଢ଼ାଟି ଡାକିଲେ ପୁଣି ଦୌଡ଼ି ଯାଉଥାଏ । ଥରେ ବୁଢ଼ା ଡାକିବାରୁ ମାଳ ଆଉ ଗଲା ନାହିଁ । ତହୁଁ ବୁଢ଼ା ଯେମିତି ବାଡ଼ି ନେଇ ଷଣ୍ଢକୁ ମାରିବାକୁ ଗୋଡ଼େଇଛି, ମାଳ ମାରିଲା ଏକ ଭୁଷା ବୁଢ଼ାକୁ । ବୁଢ଼ା ତଳେ ପଡ଼ିଗଲା । ମାଳ ତାକୁ ଗଡ଼େଇତଡ଼େଇ ଶିଙ୍ଗରେ ଖୁରାରେ ଭୁଷିପକାଉଥାଏ । ବୁଢ଼ା ଖାଲି କହୁଥାଏ, ତୁ ଶେଷରେ ଏଇୟା କଲୁ ! ବୁଢ଼ାର ଦଶା ଦେଖି ପାଖଆଖ ଲୋକେ ଦଉଡ଼ିଯାଇ ବୁଢ଼ାକୁ କୌଣସିମତେ ରକ୍ଷାକଲେ ।

 

ସେ ଯାହାହେଉ, ଭାବିଲି ପ୍ରକାଶ ବିଚାର ଋଷ୍ୟଶୃଙ୍ଗ ଭଳି ସରଳ ନିଶ୍ଚୟ । ନିଶ୍ଚୟ ବାପାକୁ କି ବୋଉକୁ ପଚାରି ବୁଝିନେବ କାହିଁକି ରତ୍ନାକୁ ଦେଖିଲେ ତା’ର ଦେହମନ କ’ଣ ହୋଇଯାଏ ? ଏ ରହସ୍ୟ ବିଷୟରେ କେହି ତାକୁ ବୁଝାଇ କହନ୍ତା କି, ଏ ଏକ ମହାରସଘନ ବ୍ୟାପାର । ପଞ୍ଚଭୂତର ଏହି ଜୈବ ପ୍ରକ୍ରିୟାରେ ପୁଣି ଏତେ ଉଲ୍ଲାସ ଅଛି ! ଦୁଇ ଦେହର ମିଳନରେ ପୁଣି ଏତେ ସମର୍ପଣ ଅଛି ! କୋଣାର୍କର ମିଥୁନ ସ୍ଥାପତ୍ୟମାନ ଦେଖି ପୃଥିପୀବିଖ୍ୟାତ ଶିଳ୍ପୀ ଓ ଦାର୍ଶନିକ ଆନନ୍ଦକୁମାର ସ୍ୱାମୀ ଓ ମେରିସେଟନ୍‌ କହିଛନ୍ତି–ପ୍ରେମିକଯୁଗଳଙ୍କ ମୁହଁରେ ଶିଳ୍ପୀ କି ଅପାର ଶାନ୍ତି ଓ ଉଲ୍ଲାସ ଫୁଟାଇଛନ୍ତି । ଦୁହିଁଙ୍କ ମୁହଁରେ ସ୍ୱର୍ଗୀୟ ଆନନ୍ଦର ଜ୍ୟୋତି, ସମର୍ପଣର ଶାନ୍ତି ଓ ବେଦନା-ଆନନ୍ଦ ! ସତେ କି ସେମାନେ ଆଉ ଦେହ-ଜଗତରେ ନାହାନ୍ତି, ଦେହ-ମାଧ୍ୟମରେ ଏକ ଅନନ୍ତ ଆନନ୍ଦ ସନ୍ଧାନ, ଏକ ଅମୃତ କୁମ୍ଭାର ସନ୍ଧାନ ପାଇଛନ୍ତିପରମାଣୁଠୁଁ ଆରମ୍ଭ କରି ପ୍ରକାଣ୍ଡ ପ୍ରକାଣ୍ଡ ବ୍ରହ୍ମାଣ୍ଡର ସୃଷ୍ଟି ଓ ଲୟରେ ଯେଉଁ ରୋମାନ୍‌ସ ଅହରହ ଚାଲିଛି, ଏ ଦେହର ରୋମାନ୍‌ସ ଯେପରି ସେହି ରୋମାନ୍‌ସର ଅଂଶ । ଦେହର ଉଲ୍ଲାସ ଓ ଦେହାତୀତ ଆନନ୍ଦ ଭିତରେ ଯେପରି ଆଉ କିଛି ପାର୍ଥକ୍ୟ ନାହିଁ । ବିଖ୍ୟାତ ଦାର୍ଶନିକ ହେଗେଲ୍‌ କହିଛନ୍ତି–ପୂର୍ଣ୍ଣହିଁ ଏକମାତ୍ର ବାସ୍ତବ । ତା’ର ଅଂଶ ସେତିକି ମାତ୍ରାର ବାସ୍ତବ ଯେତିକି ମାତ୍ରାରେ ସେ ପୂର୍ଣ୍ଣ ସହିତ ସମ୍ପର୍କିତ (The whole is alone real and the parts partake of the reality in the proportion as they are related to it) । ଯେଉଁଠି ତା’ ନାହିଁ, ସେଠି ବେଦନା ନାହିଁ; ସେଠି ଯୌନକ୍ରିୟା ହୁଏ ପୀଡ଼ାଦାୟକ, ବ୍ୟଭିଚାର, ଅଭଦ୍ରତା । ଆମେରିକାରେ ଏପରି ବିକୃତ କ୍ରିୟା ପାଇଁ ଅନେକ କ୍ଳବ୍‌ ଅଛି । କଲିକତାର ଜଣେ ପୋଲିସ କମିଶନର ଲେଖିଛନ୍ତି, କଲିକତାରେ ମଧ୍ୟ ଏପରି ଅନେକ ସ୍ଥାନ ଅଛି ଯେଉଁଠି ପୁରୁଷ ଓ ନାରୀ ଉଲଗ୍ନ ନୃତ୍ୟ କରନ୍ତି (ତାକୁ ହୁଲ୍ଲୋଡ଼ କହନ୍ତି ସେମାନେ) ଓ ନାନା କ୍ରିୟା କରନ୍ତି । ଚରମ ଅବସ୍ଥାରେ କାମୋନ୍ମତ୍ତା ନାରୀ ପାଗଳ ହୋଇ ପୁରୁଷକୁ ରାମ୍ପୁଡ଼ି-କାମୁଡ଼ି ଖଣ୍ଡିଆ-ଖାବରା କରି ତା’ ଦେହରୁ ବାହାରୁଥିବା ରକ୍ତ ଚାଟି ଖାଏ । ଯୌନ ବ୍ୟଭିଚାରର ପରିଣତ ବୋଧହୁଏ ଏଇଆ ।

 

ଦେଖାଯାଉ ବ୍ୟାପାର କ’ଣ ଘଟିଚି ବୋଲି ଆଗେଇଲି । ଘଟଣା ଏମିତି । ଯେଉଁ ରାତିରେ ପ୍ରକାଶ ଭାବୁଥିଲା ‘କାହିଁକି କେଜାଣି...’ ସେଇ ରାତିରେ ସେ ତାହାର କାରଣ ଅନୁସନ୍ଧାନ କରିବାକୁ ଯାଇ ବହୁତ ବାଟ ଆଗେଇଗଲା ।

 

ତା’ପରେ ପରେ ପ୍ରକାଶ ଚାଲିଗଲା ସହରକୁ ପଢ଼ାପଢ଼ିରେ ମନ ଦେବାକୁ । ଇତିମଧ୍ୟରେ ତିନି ଚାରି ମାସ ବିତିଗଲା । ରତ୍ନା ଯେତେବେଳେ ଜାଣିପାରିଲା ସେ ଗର୍ଭବତୀ, ଲଜ୍ଜାରେ ସେ ଘର ଛାଡ଼ି କୁଆଡ଼େ ପଳେଇଗଲା । ପ୍ରକାଶ ଏହାପରେ ଗାଁକୁ ଆସି ସବୁକଥା ଶୁଣିଲା । ଏହିଠାରୁ ପ୍ରକାଶର ମାନସିକ ଅବସ୍ଥା ବିଷୟରେ ଲେଖକଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଅବିକଳ ତାଙ୍କରି ଭାଷାରେ ଓ ପରେ ପରେ ବନ୍ଧନୀ ଭିତରେ ତାହାର ବ୍ୟାଖାନ ଦିଆଗଲା ପାଠକ ଭଲଭାବରେ ବ୍ୟାପରଟା ହୃଦୟଙ୍ଗମ କରିପାରିବେ ବୋଲି ।

 

‘ରତ୍ନା ଅଭାବରେ ପ୍ରକାଶ ମର୍ମାହତ । ଆଗରେ ତା’ର ପ୍ରଚୁର ସମୟ । ମନେ ମନେ ସେ ଭାବୁଛି, ରତ୍ନା ଯଦି ଜୀବନରେ ଥାଏ ସେ ତା’ର ଅନୁସନ୍ଧାନ କରିବ ।’

 

(ଏତ ବଡ଼ ଯୁକ୍ତିସଙ୍ଗତ କଥା । ରତ୍ନା ବଞ୍ଚିଥିଲେ ସିନା ଅନୁସନ୍ଧାନ କଲେ ଭଲ; ବଞ୍ଚି ନଥିଲେ ଖାଲି ବୃଥା ସମୟ ନଷ୍ଟ ସିନା । ମର୍ମାହତ ଅବସ୍ଥାରେ ପ୍ରକାଶ ଏଣେତେଣେ ନ ବୁଲି ଘରେ ବସିରହିବାରୁ ସିନା ପ୍ରଚୁର ସମୟ ପାଇଲା ବୋଲି ଏ ଯୁକ୍ତିସଙ୍ଗତ କଥା ଭାବିପାରିଲା ତେଣୁ ଜ୍ଞାନୀମାନେ କହିଛନ୍ତି ହୁଦସ୍ତେ କିଛି କରିବ ନାହିଁ । ‘ବୁଝିବିଚାରି କର୍ମ କଲେ, ପ୍ରମାଦ ନ ପଡ଼ଇ ଭଲେ’ । କିଛି ନ ବିଚାରି ପ୍ରକାଶ ଯଦି ରତ୍ନାକୁ ଖୋଜିବାକୁ ବାହାରିଯାଇଥାନ୍ତା ତେବେ ଅବସ୍ଥାଟା କ’ଣ ହୋଇଥାନ୍ତା ଭାବନ୍ତୁ ତ ! ସମସ୍ତେ ଜାଣିଯାଇଥାନ୍ତେ । ବାପା ତ୍ୟାଜ୍ୟପୁତ୍ର କରିଥାନ୍ତେ, କାରଣ ସେ ପ୍ରକାଶ ସହିତ ବାହା ଦେବାପାଇଁ ଜଣେ ଧନୀକନ୍ୟା ଯୋଗାଡ଼ କରିଛନ୍ତି । ରତ୍ନା ବଞ୍ଚିଛି କି ନାହିଁ ଜାଣି ସାରିବା ପରେ ଗୁପ୍ତଭାବେ ଅନୁସନ୍ଧାନ କଲେ କ୍ଷତି ତ ନାହିଁ, ବରଞ୍ଚ ଲାଭ ।)

 

‘ମାତ୍ର ସେ ବଞ୍ଚିଛି କି ନାହିଁ ଏ ଖବର ତାକୁ ଦବ କିଏ ? କିନ୍ତୁ ଏ ଖବର ତ ତା’ର ଦରକାର । ତା’ ନହେଲେ ସାରା ଜୀବନଟା ସାହାରା ମରୁଭୂମିର ତତଲା ବାଲି ଭଳିଆ ପୋଡ଼ି ଅଙ୍ଗାର ହୋଇଯିବ ନାହିଁ କି ?’’

 

(କିଏ ଦବ ଖବର ? ହ୍ୟାପ, ଲୋକେ ଯାହା ହେଲେଣି ଆଜିକାଲି... ଛାଡ଼ଃ ଛାଡ଼ଃ । କର୍ତ୍ତବ୍ୟ କରିବା ନାଁ ଧରୁନାହାନ୍ତି । ଖାଲି ଧପ୍‌ପାବାଜି, ବଦ୍‌ମାସି । ପ୍ରକାଶ ତ ମର୍ମାହତ ହୋଇ ଘରେ ବସିଛି, କୁଆଡ଼େ ଯାଇପାରୁନି । ସମୟବି ତା’ର ପ୍ରଚୁର । ଯେତେବେଳେ ଖବର ଆଣିବ ଶୁଣିବାକୁ ସେ ତିଆର । ଖବରଟାବି ଅର୍‌ଜେଣ୍ଟ୍‍ଲି ଦରକାର । ଖାଲି ଟିକିଏ ଓଡ଼ିଶାସାରା ବୁଲି ଜାଣିବାକୁ ପଡ଼ିବ ଅମୁକ ଗାଁର ସତ୍ୟାନନ୍ଦବାବୁଙ୍କ ଝିଅ ରତ୍ନା ମଲାଣି ନା ନାହିଁ । ଏତିକି ମାତର କଥା କେହି କରିବେ ନାହିଁ । ଆଉ ଦୋଷ ଦେବାବେଳକୁ ଆଗ, ଶ୍ୟେଃ ।)

 

‘ରତ୍ନାର ଜୀବନକୁ ନେଇ ସେ ଖେଳ ଖେଳିଛି । ଏଡ଼େ ଆଦରର ଯେ ଥିଲା ତା’ରି (ପ୍ରକାଶର) ନିଜର ଦୁର୍ବଳତା ପାଇଁ ସେ ଘର ଛାଡ଼ି ପଳେଇଛି । ଏଇ ସାମାଜିକ ନିୟମର କଡ଼ା ବନ୍ଧନ କୋହଳ ନ ହେଲେ, ରକ୍ଷଣଶୀଳତା ଦୂର ନ ହେଲେ, ଦେଶର ଭବିଷ୍ୟତ କ’ଣ ? ନାରୀ ପ୍ରଧାନମନ୍ତ୍ରୀ ହେଲା, ନାରୀ ଲାଟ ହେଲା, ତଥାପି ଏତେ ଅବିଚାର ! ତା’ପରେ ସମାଜ ସୃଷ୍ଟି କରିଛି ଅନ୍ତରାୟ ! ବାପ ହୋଇ ପୁଅର ଜୀବନକୁ ସମାଜର ଅର୍ଗଳିରେ ବଧ କରାଯାଉଛି ! ଯେଉଁ ଦେଶରେ ସୀତା ସାବିତ୍ରୀ ଜନ୍ମିଛନ୍ତି, ସେ ଦେଶର ଅବସ୍ଥା ଏଇଆ ! ହାୟ, ହାୟ !’

 

(ଏଇଠି କଥାଟା ଭାରି ସୂକ୍ଷ୍ମ । ସାଧାରଣଲୋକେ ବୁଝିନପାରି ପଚାରିବେ ଦେଖନ୍ତୁ ପ୍ରକାଶବାବୁ, ଆପଣ ତ ରତ୍ନାକୁ ପ୍ରେମ କଲାବେଳେ ବାପାକୁ କି ସମାଜକୁ ପଚାରିନଥେଲ । ଏପର୍ଯ୍ୟନ୍ତବି କଥାଟା ଲୁଚେଇଛ । ସେମିତି କାହାକୁ କିଛି ନ ପଚାରି ରତ୍ନାକୁ ବାହାହୋଇ ପଡ଼ୁନା ? ଏତେବେଳେ କାହିଁକି ବାପା କଥା ବା ସମାଜ କଥା ଭାବୁଛ, ତାଙ୍କୁ ଗାଳି ଦେଉଛ ଶୁଣେ ? ନିଶ୍ଚୟ ଆଉ କିଛି ମତଲବ ଅଛି । କଥାଟା ତା’ ନୁହେଁ, ୟା । ପ୍ରକାଶ ରତ୍ନାକୁ ନେଇ ଖେଳ ଖେଳିଲା ତ କାହାର ପିତାର କ’ଣ ଗଲା ସେଥିରେ ? ପ୍ରକାଶର ଦୁର୍ବଳତା ହେଲା ତ କଉ ଶ୍ୱଶୁର-ପୁତ୍ରର କ’ଣ ଗଲା ସେଥିରେ ? ସେ ବିଷୟରେ କାହିଁକି ମୁଣ୍ଡ ପୂରାଉଛ ? ବାପାଙ୍କ ଓ ସମାଜର କର୍ତ୍ତବ୍ୟ ହେଉଛି ମାତ୍ର ଏତିକି–ପ୍ରକାଶକୁ ଦୁର୍ବଳତାର ବିକାଶ ଓ ଖେଳିବାର ସୁବିଧା ପାଇଁ ରତ୍ନାକୁ ଘରେ ରଖିବା । ନ ହେଲେ ଦେଶ ଆଗେଇ ପାରିବ ନାହିଁ, ଦେଶର ଭବିଷ୍ୟତ ରହିବ ନାହିଁ, ନାରୀ ଆଉ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ସିଧା କଥା । ଏ ସାମାନ୍ୟ କଥା ଯଦି କେହି ବୁଝିନପାରେ ତେବେ ନାଚାର ।)

 

ରତ୍ନା ଗର୍ଭବତୀ ହେବା କଥା କେବେହେଲେ କେହି ଜାଣିପାରିଲେ ନାହିଁ । ରତ୍ନା ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରେ ଏବଂ ତାକୁ ଅନାଥାଶ୍ରମରେ ରଖିଦେଇ ଗ୍ରାମସେବିକା ହୁଏ । ପ୍ରକାଶ ବାପାଙ୍କ କଥା ମାନି ସେଇ ଧନୀକନ୍ୟାକୁ ବାହା ହୁଏ ଏବଂ ବଡ଼ ଚାକିରୀ ପାଏ । ଦିନେ ସେ କାର୍ଯ୍ୟୋପଲକ୍ଷେ ଗୋଟିଏ ଗାଁକୁ ଯାଇଛି, ସେଠି ଗ୍ରାମ୍ୟ ନଦୀର ତୀରରେ ହଠାତ୍‌ ଦେଖେ ରତ୍ନାକୁ । ରତ୍ନାବି ହଠାତ୍‌ ପ୍ରକାଶକୁ ଦେଖି କୋହ ସମ୍ଭାଳି ନ ପାରି ନଈରେ ଝାସ ଦିଏ । ଗଳ୍ପ ଶେଷ ହୋଇଛି ‘ଝପାସ୍‌’ ଶବ୍ଦରେ । ଗଳ୍ପର ନାଁଟିବି ରଖାହୋଇଚି ‘ଝପାସ୍‌: ଦୁଇଟି ପ୍ରାଣର’ । (ଗୋଟିକର ସେହି ଗ୍ରାମ୍ୟ ନଦୀରେ, ଆଉ ଗୋଟିକର ଘରେ କରୀନ୍ଦ୍ର ଦନ୍ତ ପଲ୍ୟଙ୍କ ଉପରେ ପଡ଼ିଥିବା ଡନ୍‌ଲପିଲୋ ଗଦି ଉପରେ ଓ ମଝିରେ ମଝିରେ କଦଳୀ, ସେଓ, ଆପେଲ୍‌ଆଦି ଫଳ ଭକ୍ଷଣ–ମନ କଷ୍ଟରେ ।) ଏହି ଆଧୁନିକ ବ୍ୟଞ୍ଜନାପୂର୍ଣ୍ଣ ଶବ୍ଦରେ ଗଳ୍ପ ଶେଷ କରି ଲେଖକ ଶେଷରେ ଦେଇଛନ୍ତି ପ୍ରତୀକଧର୍ମୀ ଅନେକଗୁଡ଼ିଏ ବିନ୍ଦୁ ଓ ଛକି । ଏହାପରେ ପ୍ରକାଶକ ଦେଇଛନ୍ତି ଗୋଟିଏ ଚିତ୍ର ଯେଉଁଥିରେ ହଳେ ଥାକୁଲୁଥୁକୁଲୁ ପରୀ ହାତରେ ଦୁଇଲହରିଆ ମାଳଟିଏ ଧରି ସାନ ସାନ ଡେଣାଟିମାନ ମେଲି ଉଡ଼ିଯାଉଛନ୍ତି, ଆଉ ହାରମଝିରେ ଲେଖାଅଛି ‘ସମାପ୍ତ’ ।

 

ମଣିଷ ହିସାବରେ ରାମ୍‌ଭରୋସେ ଓ ପ୍ରକାଶ ଭିତରେ ପାର୍ଥକ୍ୟ ଦେଖିବା କଥା ସେଇଥିପାଇଁ କହୁଥିଲି ଇୟେ ‘କାହିଁକି କେଜାଣି’ବାଲାଙ୍କୁ ସାବଧାନ ।

Image

 

ଫୈୟାଜ୍‌ ଖାଁ

 

ତାନ୍‌ସେନ୍‌ ପ୍ରଥମେ ଥିଲେ ରାମତନୁ ପାଣ୍ଡେ । ଏକ କ୍ଷୁଦ୍ର ଭୂଖଣ୍ଡର ନବାବଙ୍କ ସେ ଥିଲେ ପରମବନ୍ଧୁ ଓ ସଭା ଗାୟକ । ରାମତନୁ ଥିଲେ ହରିଦାସ ବାବାଜୀଙ୍କ ଶିଷ୍ୟ । ସଙ୍ଗୀତ ମାଧ୍ୟମରେହିଁ ସେ ଆଧ୍ୟାତ୍ମିକ ଆନନ୍ଦ ପାଇଥିଲେ; ଭଗବାନଙ୍କୁ ପାଇଥିଲେ ରାମତନୁଙ୍କ ପ୍ରତିଭା ଦିନେ ଆକବର ବାଦ୍‌ଶାହାଙ୍କ କର୍ଣ୍ଣରେ ପହଞ୍ଚିଲା । ସେ ନବାବଙ୍କୁ ଆଦେଶ ଦେଲେ ରାମତନୁ ପାଣ୍ଡେଙ୍କୁ ତାଙ୍କ ଦରବାରକୁ ପଠାଇବାକୁ । ଏଥିରେ ନବାବ ବଡ଼ ଚିନ୍ତିତ ହେଲେ । କାରଣ ସେ ଜାଣିଥିଲେ ଆକବର ଯେମିତି ଗୁଣଗ୍ରାହୀ, ରାମତନୁଙ୍କ ଗାନ ଶୁଣି ସେ ତାଙ୍କୁ ଆଉ ଛାଡ଼ିବେ ନାହିଁ-। ରାମତନୁ ତାଙ୍କୁ ଆଶ୍ୱାସ କହିଲେ ସେ ନିଶ୍ଚୟ ଫେରିଆସିବେ ବାଦଶାହାଙ୍କୁ ଗାନ ଶୁଣାଇ । ବାଦଶାହାଙ୍କ ଦରବାରରେ ରାମତନୁ ଗାନ କଲେ । ବାଦଶାହା ମୁଗ୍‌ଧ ହୋଇ ଶୁଣିଲେ । ତା’ପରେ ତାଙ୍କୁ ମହାମଉଜ ମଜଲିସ୍‌ଭିତରେ ରଖିଲେ; କିନ୍ତୁ ରାମତନୁ ଫେରିଯିବାକୁ ଜିଦ୍‌ କଲେ । ଆକ୍‌ବର-। ସେଇଠୁ ନିଜର ଏକ ସଙ୍ଗୀତପ୍ରେମୀ କନ୍ୟାଙ୍କ ସହିତ ରାମତନୁର ପରିଚୟ କରାଇଦେଲେ । ଦୁହେଁ ସଙ୍ଗୀତପ୍ରେମୀ । ସେଥିରେ ପୁଣି ବାଦଶାହ-ନନ୍ଦିନୀ ଅପୂର୍ବ ସୁନ୍ଦରୀ । ରାମତନୁ ବାନ୍ଧି ହୋଇ ରହିଲେ । ରହିଲେ ଖାଲି ନୁହେଁ, ମୁସଲମାନ ଧର୍ମ ଗ୍ରହଣ କରି ନାଁ’ ନେଲେ ମିଆଁ ତାନସେନ୍‌। ତାଙ୍କ ପରେ ଫୈୟାଜ୍ ଖାଁଙ୍କ ଭଳି ସଙ୍ଗୀତ ପ୍ରତିଭା ଭାରତରେ ଆଉ ଜନ୍ମ ଗ୍ରହଣ କରିନାହାନ୍ତି କହିଲେ ବୋଧହୁଏ ଅତ୍ୟୁକ୍ତି ହେବ ନାହିଁ । ବଡ଼େ ଗୁଲାମ ଅଲି ଖାଁ, କାଲେ ଖାଁ ସାହେବ, ମୌଜୁଦ୍ଦୀନ, ରତନ ଜନକର (ଯାହାଙ୍କ ଏକ ଶିଷ୍ୟ ହେଉଛନ୍ତି କଟକ ଆକାଶବାଣୀର ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷକ ଶ୍ରୀ କ୍ଷିତୀଶ ମୈତ୍ରୀ), ପାଲୁସ୍‌କର, ପଟବର୍ଦ୍ଧନ୍‌, ମଲ୍ଲିକାର୍ଜୁନ ମନ୍‌ସୁର, ଗହର୍‌ଜାନ୍‌, ମାଲ୍‌କାଜାନ୍‌ (ଆଗ୍ରାଓ୍ୱାଲୀ), ରସୁଲନ ବାଈ, ଗିରିଜା ଦେବୀ, ସିଦ୍ଧେଶ୍ୱରୀ ଦେବୀ, ଗଙ୍ଗୁବାଇ ହଙ୍ଗଲ୍‌, ନିସାର୍‌ ହୁସେନ ଖାଁ, ଜ୍ଞାନ ଗୋସ୍ୱାମୀ, ଗୋପାଲ ବାନାଜୀ, ଯଦୁନାଥ ଭଟ୍ଟ, ଭୀଷ୍ମଦେବ ଚଟ୍ଟୋପାଧ୍ୟାୟ, ସୁନନ୍ଦା ପଟ୍ଟନାୟକ ଆଦି ଅନୁଭବୀ ଗାୟକଗାୟିକାଙ୍କ ପ୍ରତିଭାରେ ଭାରତ ଉଜ୍ଜ୍ୱଳ । ହେଲେ ଆଫ୍‌ତାବ୍‌ଏ-ମୌମିବି ଫୈୟାଜ୍‌ ଖାଁ ସାହେବଙ୍କ କୀର୍ତ୍ତି ଏମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ହେଉଛନ୍ତି ‘ରଙ୍ଗିଲା’ ଘରାନା (school)ର ଗାୟକ । ନାଦିର୍‌ଶାହାଙ୍କ ଭାରତ ଆକ୍ରମଣ ବେଳର ଦିଲ୍ଲୀର ନବାବ ମୁହମ୍ମଦ ଶାହ ରଙ୍ଗିଲାଙ୍କ ନାମରେ ଏ ଘରାନା ନାମିତ । ଏ ନବାବ ଏଡ଼େ ସଙ୍ଗୀତପ୍ରେମୀ ଥିଲେ ଯେ ଶତ୍ରୁ ଦୁର୍ଗ ଆକ୍ରମଣ କଲେ ମଧ୍ୟ ସଙ୍ଗୀତ ଶ୍ରବଣରେ ମଜ୍‌ଗୁଲ ଥାଇ ସୈନ୍ୟ ଚାଳନା ପାଇଁ ଆଦେଶ ଦେବାକୁ ଭୁଲିଗଲେ । ଫଳରେ ରାଜ୍ୟ ହରାଇଲେ-

 

ବ୍ୟାସ ଓ ବାଲ୍ମୀକି ମଧ୍ୟରେ, ଆଧ୍ୟାତ୍ମିକତା ଓ ନୈତିକତା ମଧ୍ୟରେ, ଅଦ୍ୱୈତ ଓ ଦ୍ୱୈତ ମଧ୍ୟରେ, ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ମଧ୍ୟରେ, ଏକ କଥାରେ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କ ମଧ୍ୟରେ ଯେଉଁ ପାର୍ଥକ୍ୟ, ସେଇ ପାର୍ଥକ୍ୟ ଅଛି ଏକ ପକ୍ଷରେ ତାନ୍‌ସେନ୍‌ ଓ ଫୈୟାଜ୍‌ ଖାଁ ଓ ଅନ୍ୟ ପକ୍ଷରେ ଉପରିଲିଖିତ ଗାୟକ-ଗାୟିକାଙ୍କ ମଧ୍ୟରେ । ମାଧୁର୍ଯ୍ୟ ଭାବ ହେଉଚି ଏକ ନିର୍ଦ୍ଦିଷ୍ଟ ସୀମିତ ଭାବ । କିନ୍ତୁ ଐଶ୍ୱର୍ଯ୍ୟଭାବ ହେଉଚି ଏକ ଅନିର୍ଦ୍ଦିଷ୍ଟ ଅସ୍ପଷ୍ଟ ଭାବ–ଯାହାକୁ ବର୍ଣ୍ଣନା କରି ହୁଏନା । ଗୋଲାପଟି ଦେଖିଲେ ବା ଥଣ୍ଡା ପବନ ଦେହରେ ଲାଗିଲେ ଯେଉଁ ଅନୁଭୂତି ହୁଏ ତାହା ନିର୍ଦ୍ଦିଷ୍ଟ ସୀମିତ; କିନ୍ତୁ ଗୋଲାପ ଫୁଲ ଓ କୁଷ୍ଠରୋଗୀର ଘା, ଥଣ୍ଡା ପବନ ଓ ଦାବାନଳ ଏକହିଁ ଶକ୍ତିର ବିଭିନ୍ନ ପ୍ରକାଶ । ଏକଥା ଅନୁଭବ କଲେ ଯେଉଁ ଭାବ ଜନ୍ମେ ତାହା ଅସ୍ପଷ୍ଟ, ଅସୀମ ଅବର୍ଣ୍ଣନୀୟ; ଏବଂ ଏହି କାରଣରୁହିଁ ଏହା ଏପରି ଏକ କୋହ ସୃଷ୍ଟି କରେ ଯାହାକୁ କୁହାଯାଇପାରେ ଚିରବିରହ ଅବସ୍ଥା । ପ୍ରଣୟିନୀ ବା ପ୍ରଣୟୀକୁ ଛାତିରେ କୁଣ୍ଢାଇ ଧରିରଖିଥିଲେବି ସେ କୋହ ଯାଏ ନାହିଁ–ମନେହୁଏ ମିଳନ ସମ୍ପୂର୍ଣ୍ଣ ହେଉନାହିଁ । ଶ୍ରୀରାଧା ଏହି ଚିରବିରହ ଅବସ୍ଥାରେହିଁ ରହୁଥିଲେ; ପ୍ରତ୍ୟେକ ଜୀବର ଆତ୍ମା ମଧ୍ୟ । ପ୍ରତ୍ୟେକ ରସ, ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ଭାବ, ପ୍ରତ୍ୟେକ ଜୀବ, ପ୍ରତ୍ୟେକ ସୃଷ୍ଟି, ପ୍ରତ୍ୟେକ ପରମାଣୁ ଅନ୍ୟଠାରୁ ଭିନ୍ନ । ଏ ତତ୍ତ୍ୱ ମାଧୁର୍ଯ୍ୟ ତତ୍ତ୍ୱ । ପୁଣି ସବୁ ଏକ, ଏ ତତ୍ତ୍ୱ ଐଶ୍ୱର୍ଯ୍ୟ ତତ୍ତ୍ୱ । ସବୁ ରସ ଓ ଭାବ ଯେଉଁଠି ଏକ ହୋଇଯାଆନ୍ତି, ସେ ଭାବ ମହାଭାବ । ତେଣୁ ନଅ ପ୍ରକାର ବିଭିନ୍ନ ରସ (ହାସ୍ୟ, ବୀର ଇତ୍ୟାଦି) ସାହିତ୍ୟରେ ଥିଲେହେଁ କୁହାଯାଇଛି–ପ୍ରକୃତରେ ଗୋଟିଏ ମାତ୍ର ରସ ଅଛି, କରୁଣ ରସ । ‘ଏକୋରସଃ କରୁଣ ଏବ ନିମିତ୍ତଭେଦାତ୍‌’–ଭବଭୂତି । ଦାର୍ଶନିକ-ଅଭିନେତା ଚାର୍ଲି ଚ୍ୟାପ୍‌ଲିନ୍‌ ତାଙ୍କ ଅପୂର୍ବ ଚଳଚ୍ଚିତ୍ରମାନଙ୍କରେ ଏହାହିଁ ଦର୍ଶାଇଛନ୍ତି ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବରେ । ସବୁ ବସ୍ତୁ, ଜୀବ, ଭାବ, ରସର ମିଳନସ୍ଥଳୀ ପ୍ରତି ଯେଉଁ ପ୍ରେମ ଓ ତଜ୍ଜନିତ ବେଦନା ବା କୋହ, ଆକୁତି ଜନ୍ମେ ତାହାହିଁ ଚିରବିରହ ଅବସ୍ଥା ।

 

ଫୈୟାଜ୍‌ ଖାଁ ସାହେବଙ୍କ ସଙ୍ଗୀତ ଏହି କୋହ ସୃଷ୍ଟି କରୁଥିଲେ । ତାଙ୍କ ‘ବନ୍ଦେ ନନ୍ଦକୁମାରମ୍‌’ (କାଫି ଠୁଙ୍ଗ୍‍ରୀ) ଅନ୍ତତଃ ରେକର୍ଡ଼ରେ ଯେ ଶୁଣିଛନ୍ତି ସେ ଅନୁଭବ କରିଛନ୍ତି । ଐଶ୍ୱର୍ଯ୍ୟ ଭାବ ପ୍ରକାଶକ ଥିବା ହେତୁରୁ ତାଙ୍କ ସଙ୍ଗୀତରେ ତେଣୁ କାରୁକାର୍ଯ୍ୟ ବା ଆଳଙ୍କାରିକତା ନଥିଲା । ଯଦିଓ ସେ ଧ୍ରୁପଦ, ଧାମାର, ଖେୟାଲ, ଠୁଙ୍ଗ୍‍ରୀ–ଏମିତି କି ଗଜଲ୍‌ ଓ ଦାଦ୍‌ରାବି ଗାଇଯାଇଛନ୍ତି ଏବଂ ରବୀନ୍ଦ୍ର ନାଥଙ୍କ ଭଳି ସବୁଥିରେ ତାଙ୍କର ପ୍ରତିଭାର ଛାପ ରଖିଯାଇଛନ୍ତି, ତଥାପି ସେ ଧାମର (ଧ୍ରୁପଦ ଗୋଷ୍ଠୀର ଅନ୍ୟ ଏକ ଢଙ୍ଗ) ଗାୟକଭାବେ ପ୍ରସିଦ୍ଧି ଲାଭ କରିଥିଲେ-। ଧ୍ରୁପଦ ଷ୍ଟାଇଲ୍‌ (ସୁର ବା ରୀତି)ରେ କୌଣସିପ୍ରକାର ଆଳଙ୍କାରିକତା ନିସିଦ୍ଧ । ଧ୍ୱନି ସବୁ ସିଧାସଳଖ ହେବା ଦରକାର । ଧ୍ରୁପଦ, ଧାମାର, ଖେୟାଲ୍‌, ଠୁଙ୍ଗୁରୀ, ଗଜଲ୍‌, ଦାଦ୍‌ରା ସମସ୍ତେ ଶାସ୍ତ୍ରୀୟ ସଙ୍ଗୀତ । ହେଲେ ଉପରେ କୁହାହେଇଥିବା କ୍ରମ ଅନୁସାରେ ଯେତେ ତଳ ଆଡ଼କୁ ଯାଉଥିବ ସେତେ ମାଧୁର୍ଯ୍ୟ ଭାବ ଓ ଭାବପ୍ରବଣତା ଏବଂ ଇନ୍ଦ୍ରିୟାବେଗ (sense appeal) ବେଶି ବେଶି ହେଉଥିବ ଓ ଆଳଙ୍କାରିକତା ବେଶି ବେଶି ପ୍ରକାଶ ପାଉଥିବ । କିନ୍ତୁ, ଯତ୍‌ ସ୍ୱଳ୍ପମ୍‌ ତତ୍‌ ଇଷ୍ଟମ୍‌। ଅତ୍ୟଧିକ ଅଳଙ୍କାର, ଯମକ, ଆଡ଼ମ୍ବର, ପ୍ରତୀକ, ଉପମା ଆଦିର ପ୍ରୟୋଗ କଳାକୁହିଁ ବଧ କରେ । ଆଧୁନିକ ଗାନରେ ଯେଉଁ ମାତ୍ରାର ଓ ପ୍ରକାରର ଭାବପ୍ରବଣତା ଓ ଆଳଙ୍କାରିକତା ଦେଖାଯାଏ, ଶାସ୍ତ୍ରୀୟ ସଙ୍ଗୀତରେ ସେମିତି ନଥାଏ । ଭଗବାନ ବ୍ୟାସଦେବ ମହାଭାରତର ଲକ୍ଷ ବ୍ରହ୍ମାଙ୍କୁ କହିବାକୁ ଯାଇ କହିଥିଲେ ଯେ ମୁଁ ନାନାପ୍ରକାର ଚରିତ୍ର ବର୍ଣ୍ଣନା କରିବି, କିନ୍ତୁ ସମସ୍ତେ ଯେ ଗୋଟିଏ ମାତ୍ର ପରମ ବସ୍ତୁ ପାଇଁ ବ୍ୟାକୁଳ ସନ୍ଧାନରେ ବ୍ୟାପୃତ (ଜାଣତରେ ବା ଅଜାଣତରେ), ତାହାହିଁ ପ୍ରତିପାଦିତ କରିବି । ସେମିତି ଧ୍ରୁପଦ, ଧାମାର, ଖେୟାଲ, ଠୁଙ୍ଗ୍‍ରୀ, ଗଜଲ୍‌, ଦାଦ୍‌ରା କାଜ୍‌ରୀ ଆଦି ବିଭିନ୍ନ ଷ୍ଟାଇଲ ବା ସୁରରେ ଗାଇଥିଲେହେଁ ସବୁଥିରେ ଫୈୟାଜ୍‌ ଖାଁ ସେଇ କୋହ (କରୁଣ ରସ)ହିଁ ପ୍ରକାଶ କରୁଥିଲେ । ଏ କୋହ ନିର୍ଭର କରେ ନୀତି ପାଳନ ଉପରେ ନୁହେଁ, ଗାୟକଙ୍କର ଅନୁଭବ ଉପରେ ।

 

ଥରକର ଗୋଟିଏ ଘଟଣା । ଖାଁ ସାହେବଙ୍କୁ ସେତେବେଳେ ଷାଠିଏ ସରିକି ବୟସ । ସେତେବେଳକୁ ସେ ଏତେ ବିଖ୍ୟାତ ଯେ ତାଙ୍କର ଆଫ୍‌ତାବ୍‌-ଏ-ମୌସିକି (ଯାହାର ଅର୍ଥ ‘ସଙ୍ଗୀତ ସୂର୍ଯ୍ୟ’ ଏବଂ ଯାହାକୁ ସେ ୧୯୧୧ ସାଲରେ ମାତ୍ର ତିରିଶବର୍ଷ ବୟସରେ ମହିଶୂର ମହାରାଜାଙ୍କ ପାଖରୁ ପାଇଥିଲେ । ଏହା ସହିତ ପାଇଥିଲେ ନାନାପ୍ରକାର ବହୁମୂଲ୍ୟ ରତ୍ନଖଚିତ ଗୋଟିଏ ସୁନାବଳା । ଖାଁ ସାହେବ ଏହାକୁ ବାମ ହାତରେ ପିନ୍ଧି ଆସରରେ ଗାଇଥିଲେ । ତାନ୍‌ ଦେବାବେଳେ ହାତ ଟେକିଲେ ସେଥିରୁ ଚକ୍‌ଚକ୍ ଜ୍ୟୋତି ବାହାରି ଅପୂର୍ବ ଶୋଭା ଧାରଣ କରୁଥିଲା । ଥରେ ଲକ୍ଷ୍ନୌର ଏକ ଜଲ୍‌ସାରେ କ୍ଷିତୀଶବାବୁ କୌତୁହଳୀ ହୋଇ ଅତି ବିନୟର ସହିତ ଖାଁ ସାହେବଙ୍କୁ ସେଟା କ’ଣ ବୋଲି ପଚାରିବାରୁ ଖାଁ ସାହେବ ତା’ର ଇତିହାସ କହି ହାତରୁ ଖୋଲି ସେଟି ତାଙ୍କୁ ଦେଖିବାକୁ ଦେଇଥିଲେ ।) ଉପାଧି ମ୍ଳାନ ହୋଇଯାଇଥାଏ । କଲିକତାରେ ଗୋଟିଏ ବଡ଼ ଜଲ୍‌ସା ବସିଥାଏ । ଭାରତର ଶ୍ରେଷ୍ଠ ଗାୟକମାନେ ସେଠାରେ ସମବେତ ହୋଇଥାନ୍ତି । ଜଣେ ଦୁଇଜଣ ଗାଇବା ପରେ ସିଦ୍ଧେଶ୍ୱରୀ ଦେବୀ ଧରିଲେ ‘ମିଆଁ କି ମଲ୍ଲାର’ ରାଗର ଖେୟାଲ । ମିଆଁ ବୋଇଲେ ମିଆଁ ତାନ୍‌ସେନ୍, ଆକବର ବାଦ୍‍ଶାହାଙ୍କ ପୃଥିବୀବ୍ୟାପୀ ଖ୍ୟାତି ସୌଧର ଯିଏ ଅନ୍ୟ ଏକ ପ୍ରଧାନ ସ୍ତମ୍ଭ । ତାନ୍‌ସେନ ତାଙ୍କ କନ୍ୟାର ବାହାଘରବେଳେ ଜୋଇଁଙ୍କୁ ଯୌତୁକ ଦେଇଥିଲେ ଶହେଟି ରାଗ–ଯାହାର ଅର୍ଥ ତାନ୍‌ସେନ ବଞ୍ଚିଥିବାଯାଏଁ ସେ ସବୁ ରାଗ ଆଉ ଗାଇବେ ନାହିଁ । କମ୍‌ ବଡ଼ ଯୌତୁକ ନୁହେଁ । ଏଥିରୁ ମିଆଁଙ୍କ ରାଗ-ସଂପତ୍ତି କେତେ ଅଗାଧ, କଳନା କରି ହୁଏ । ଏହି ଦୌହିତ୍ର ବଂଶର ପ୍ରଖ୍ୟାତ ଗୁଣୀ ହେଲେ ଉଜିର୍‌ ଖାଁ ସାହେବ । ପୁତ୍ର-ପୌତ୍ର ବଂଶ ସ୍ଥାପନ କଲେ ସେନୀ ଘରାନା ।

 

ମଲ୍ଲାର ରାଗ ହେଉଚି ମେଘ ଓ ବର୍ଷାକାଳର ରାଗ । ଯେମିତି ରାମକେଳୀ, ଗୁନ୍‌କେଲୀ, ଲଲତ୍ ଆଦି ସମସ୍ତେ ଭୈରବୀ ରାଗ (ସୂର୍ଯ୍ୟୋଦୟ ବେଳାର ରାଗ) ଗୋଷ୍ଠୀର ହେଲେବି ସୂର୍ଯ୍ୟୋଦୟର ଏବଂ ତା’ ସହିତ ପଦ୍ମ ଫୁଟିବାର ବିଭିନ୍ନ ଭାବବସ୍ତାର ବିଭିନ୍ନ ଭାବ ଫୁଟାଏ, ସେମିତି କେତେକ ମଲ୍ଲାରରେ ପାଇବେ ବତାସ ଓ ଝଡ଼ ତୁଫାନର ସୁମ୍‌ନଭନ । ଆଉ କେତେକରେ ବର୍ଷାର ରୁମୁଝୁମୁ ସଙ୍ଗୀତ । ପୁଣି ଆଉ କେତେକରେ ପାଇବେ ମୟୂର ବା ଦର୍ଦୁର (ବେଙ୍ଗ)ର ପୁଲକ । ଆଉ ଏକ ଶ୍ରେଣୀର ମଲ୍ଲାର ଦିଏ ଭିଜା ଓ ଥଣ୍ଡା ପବନର ମଧୁରତା । ଆଉ କେତେକରେ ଅନୁଭବ କରିବେ ମେଘର ଘନଘଟା, ବିଜୁଳିର ଚମକ, ଏମିତିକି, କରକାପାତ ।

 

ସିଦ୍ଧେଶ୍ୱରୀ ଦେବୀ ଅପୂର୍ବ ଗାୟିକା । ଗଳାଟି ଟିକିଏ ମର୍ଦାନା । ତେଣୁ ମଲ୍ଲାର ରାଗ ସେ ଗଳାକୁ ଖୁବ୍‌ ଖାପିଯାଏ । ତାଙ୍କ ଆଳାପରେ ‘ମେଘ ଯେ ମାଳ ମାଳ ହୋଇ, ଗଗନ ପଥେ ବିରାଜଇ’ର ଶୋଭା ଧାରଣ କଲା । ମନେହେଲା ଯେମିତି କୁଆଡ଼ୁ କୁଆଡ଼ୁ କଳା-ଘୁମୁରିଆ ମେଘ ଆସି ଜମା ହେଉଛନ୍ତି ଆକାଶରେ । ଆଳାପ ପରେ ବିଳମ୍ବିତ ଲୟରେ ସେ ଯେତେବେଳେ ଗାଇଲେ ସେତେବେଳେ ପ୍ରକଟିତ ହେଲା ମେଘର ଗୁରୁଗୁରୁ ଗର୍ଜନ ଓ ବିଦ୍ୟୁତ୍‌ର ଝଲକ ମଝିରେ ମଝିରେ । ଦ୍ରୁତ ଲୟରେ ଗାଇବାବେଳକୁ ବର୍ଷଣ । ଅପୂର୍ବ ସେ ସଙ୍ଗୀତ । ସଭାସ୍ଥ ସମସ୍ତେ ହାୟ ହାୟ କରି ଉଠିଲେ ।

 

ଖାଁ ସାହେବ ବସିଥାନ୍ତି ସିଦ୍ଧେଶ୍ୱରୀ ଦେବୀଙ୍କଠାରୁ ଅଳ୍ପ ଦୂରରେ । ସେ ପ୍ରଶଂସା ଜ୍ଞାପନ କଲେ ସତ, ସେଥିରେ ଯେମିତି ପ୍ରାଣ ନଥିଲା । ମନେହେଲା, ସେ ଯେମିତି ମନକଷ୍ଟ ପାଇଛନ୍ତି । କିନ୍ତୁ କେଉଁଥିପାଇଁ ? ଯାହାହେଉ, ତାଙ୍କୁ ଯେତେବେଳେ ଅନୁରୋଧ କରାଗଲା ଗାଇବାକୁ ସେ ଧରିଲେ ସେଇ ‘ମିଆଁ କି ମଲ୍ଲାର’ । ଭଦ୍ର ଓ ଗୁଣୀମାନଙ୍କ ସଙ୍ଗୀତ-ସଭାରେ ଏହା ମହାଅସୌଜନ୍ୟମୂଳକ କଥା । ଜଣେ, ବିଶେଷରେ ଜଣେ ନାରୀ, ଗୋଟିଏ ରାଗରେ ଗାଇବା ପରେ ତାଙ୍କ ପରବର୍ତ୍ତୀ ଗାୟକ ବା ଗାୟିକା ସେହି ରାଗରେ ଗାଇବା ଅଭଦ୍ରତା ବୋଲି ଧରାହୁଏ । ଖାଁ ସାହେବଙ୍କ ଭଳି ଗୁଣୀ, ବିନୟୀ, ଭଦ୍ରଲୋକ ଏପରି କରିବାକୁ ସମସ୍ତେ ଅବାକ୍‌ ହେଲେ । କେହି କେହି କ୍ଷୁଣ୍ଣ ମଧ୍ୟ ହେଲେ । ସିଦ୍ଧେଶ୍ୱରୀ ଦେବୀଙ୍କ ମୁହଁ କାଳିଆ ପଡ଼ିଗଲା ।

 

କିନ୍ତୁ ଖାଁ ସାହେବ ଦଶମିନିଟ ସରିକି ଆଳାପ କରିବା ପରେ କଥାଟା ଜଣାପଡ଼ିଗଲା ଯେ ‘ମିଆଁ କି ମଲ୍ଲାର’ର ମର୍ଯ୍ୟାଦା ହାନିରେ ସେ କ୍ଷୁଣ୍ଣ ହୋଇ ଏହା କଲେ । ସିଦ୍ଧେଶ୍ୱରୀ ଦେବୀ ଯାହା କଲେ, ବା ସବୁ ମଲ୍ଲାରରେ ଯାହା ପ୍ରକଟିତ ହୁଏ, ତା ହେଉଚି ମଲ୍ଲାରର ବହିର୍ରଙ୍ଗ । ମିଆଁ ତାନ୍‌ସେନ୍‌ ମଲ୍ଲାରରେ ଯେଉଁ ଅପୂର୍ବ ନୂତନ ରୂପ ଦେଲେ ଏବଂ ଯେଉଁଥିପାଇଁ ତାଙ୍କ ନାମ ସହିତ ସେ ରାଗର ନାମଟି ଯୋଡ଼ା ହୋଇ ‘ମିଆଁ କି ମଲ୍ଲାର’ ନାମରେ ପ୍ରସିଦ୍ଧି ଲାଭ କଲା, ସେ ରାଗରେ ପ୍ରକଟିତ ହେଲା ମଲ୍ଲାରର ଖାଲି ମାଧୁର୍ଯ୍ୟ ଭାବଟି ନୁହେଁ, ଐଶ୍ୱର୍ଯ୍ୟଭାବ–ସେଇ କୋହ (ତାନ୍‌ସେନ୍‌ଙ୍କ ସୁଯୋଗ୍ୟ ପୁତ୍ର ‘ବିଲାସଖାନ୍‌ ଟୋଡ଼ି’ ରାଗର ଯେଉଁ ନୂତନ ରୂପ ଦେଲେ ତାହା ମଧ୍ୟ ‘ବିଲାସଖାନୀ ଟୋଡ଼ି’ରୂପେ ପରିଚିତ ହୋଇ ରହିଲା ।) ମହାକବି କାଳିଦାସ ‘ମେଘଦୂତ’ରେ ନାନାପ୍ରକାର ମେଘର ବର୍ଣ୍ଣନା ଦେଇଛନ୍ତି ଓ ତା’ ସହିତ ଦେଇଛନ୍ତି ନାନାଦେଶ ଓ ଲୋକର ବର୍ଣ୍ଣନା-। କିନ୍ତୁ ସବୁଥିରେ ପ୍ରଚ୍ଛନ୍ନ ଓ ଗଭୀର ଭାବରେ ରହଚି ‘କଶ୍ଚିତ୍ କାନ୍ତା’ ପକ୍ଷର ଗୁରୁ ବିରହ । ନାନାଜାତିର ମେଘ, ଦେଶ, ଲୋକ ଦେଖି ଜଣେ ବିରହୀ ଯେପରିଭାବେ ବର୍ଣ୍ଣନା ଦେବ, ସେଇପରି ଭାବରେ ବର୍ଣ୍ଣିତ ହୋଇଛି । ମେଘଦୂତ କାବ୍ୟର ଛନ୍ଦ ମନ୍ଦାକ୍ରାନ୍ତ ଛନ୍ଦ ତ କୋହ ପ୍ରକାଶକ ଛନ୍ଦ । ଏହି ବିରହଭାବ ଯେମିତି ମେଘଦୂତର ଆତ୍ମା, ସେଇ କୋହ ସେମିତି ମିଆଁ କି ମଲ୍ଲାର ରାଗର ଆତ୍ମା ।

 

ଦେଖିବାକୁ ଗଲେ, ‘ସାହିତ୍ୟ’ର ବ୍ୟାପକ ଅର୍ଥ ଭିତରେ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ସ୍ଥାପତ୍ୟ, ଲିଖିତ ଭାଷା ସବୁ ଅନ୍ତର୍ଭୁକ୍ତ ହେଲେହେଁ ଶାସ୍ତ୍ରୀୟ ସଙ୍ଗୀତହିଁ ଏକମାତ୍ର ମାଧ୍ୟମ ଯିଏ ସେଇ ଅନିର୍ବଚନୀୟ କୋହ ପ୍ରକାଶ କରିପାରେ । ଏହାର କାରଣ ବୋଧହୁଏ ଶାସ୍ତ୍ରୀୟ ସଙ୍ଗୀତରେ ଭାଷା ପ୍ରାଧାନ୍ୟ ନ ପାଇ ଧ୍ୱନି ପ୍ରାଧାନ୍ୟ ପାଏ ବୋଲି । ସ୍ୱାମୀହରା ସ୍ତ୍ରୀ ଯେତେବେଳେ କାନ୍ଦେ ସେତେବେଳେ ସେଥିରେ ଆଉ ଭାଷା ନଥାଏ । କେବଳ ଧ୍ୱନିରେ ବୁଝାପଡ଼େ ଶୋକ କେଡ଼େ ଗଭୀର । ଭାଷା ଥିଲେବି ଅସ୍ପଷ୍ଟ ବା ଅର୍ଦ୍ଧୋଚ୍ଚାରିତ । ଆଖିରୁ ପାଣି ଝରିବା ଅବସ୍ଥାବି ନଥାଏ । ଆକାର, ଅଙ୍ଗଭଙ୍ଗୀ ବା ଭାଷା ମାଧ୍ୟମରେ ଯାହା ପ୍ରକାଶ ପାଏ ତା’ର ଗୋଟିଏ ନିର୍ଦ୍ଦିଷ୍ଟ ସୀମିତ ଅର୍ଥ ଥାଏ । ତେଣୁ ବ୍ୟାପ୍ତି ମଧ୍ୟ ସ୍ପଷ୍ଟ, ନିର୍ଦ୍ଦିଷ୍ଟ, ସୀମିତ । ତେବେ ଏ ସୀମାକୁ ଯେଉଁ ଶିଳ୍ପୀ ଯେତେ ବଢ଼ାଇ ପାରିଚି ସିଏ ସେତେ ବଡ଼ ଶିଳ୍ପୀ ।

 

ଖାଁସାହେବଙ୍କ ଆଳାପ ଚାଲିଥିବାବେଳେ ସମସ୍ତେ ଅନୁଭବ କଲେ ଛାତି ଭିତରେ ଏକ ଅପୂର୍ବ ଚାପ, ନିଜକୁ ଅଜାଡ଼ି ଦେବାର ବେଦନା । ସେ ଯେତେବେଳେ ବିଳମ୍ବିତ ଲୟରେ ଗାଇଲେ ସେ ବେଦନା ଯେପରି ଠେଲିଉଠୁଥାଏ । ବାହାରକୁ । ସେତେବେଳେ କାହାରି ଆଉ କିଛି କହିବାର ଅବସ୍ଥା ନଥାଏ । ସମସ୍ତଙ୍କ ମୁଣ୍ଡ ତଳକୁ ନଇଁପଡ଼ିଥାଏ ଗଭୀର ବେଦନାବୋଧରେ । ଦ୍ରୁତ ଲୟରେ ଗାଇବାବେଳକୁ ସମସ୍ତଙ୍କ ଆଖିରେ ପାଣି । ପାଣି ପଡ଼ୁନଥାଏ, କାଳେ ରସଗ୍ରହଣରେ ବାଧା ହେବ ବୋଲି । ଆଖିବି ଶୁଖିଗଲା । ଗୀତ ଶେଷବେଳକୁ ସମସ୍ତେ ଖାଁ ସାହେବଙ୍କୁ ଅଭିବାଦନ ଦେଇବି ପାରିଲେ ନାହିଁ । ସଭାଟିଯାକ ଦୀର୍ଘଶ୍ୱାସରେ ଭରିଗଲା । ସଭା ନୀରବ, ସମସ୍ତେ ଧ୍ୟାନସ୍ଥ-।

 

କିଛିକ୍ଷଣ ପରେ ଯାଇ ସମସ୍ତେ ଖାଁ ସାହେବଙ୍କୁ ନୀରବରେ ସଲାମ କରି ଅଭିନନ୍ଦନ ଜଣାଇଲେ; ସିଦ୍ଧେଶ୍ୱରୀ ଦେବୀବି । ଅସୌଜନ୍ୟ କଥା ସମସ୍ତେ ଭୁଲିଗଲେ । ସମସ୍ତେ ଅନୁଭବ କଲେ ‘ମିଆଁ କି ମଲ୍ଲାର’ର ଅନ୍ତରଙ୍ଗ ଭାବଟି ଯେମିତି ସୁପ୍ରତିଷ୍ଠିତ ହେଲା ।

 

ଖାଁ ସାହେବ ଆଉଥରେ ଏପରି ‘ଅସୌଜନ୍ୟ’ ପ୍ରକାଶ କରିଥିଲେ । ଏଥର ପ୍ରେମିକାର ମର୍ଯ୍ୟାଦା ରକ୍ଷା ପାଇଁ । ସ୍ଥାନ ଦିଲ୍ଲୀ । ପ୍ରସିଦ୍ଧ ସୁରସିକ ବିରାଟ ଧନୀ ସିଂଜୀଙ୍କ ଘରେ ଜଲ୍‌ସା ବସିଥାଏ । ଖାଁ ସାହେବ ସେତେବେଳେ ତରୁଣ, ଗଜା ଟୋକା । ପ୍ରସିଦ୍ଧ ଗାୟିକା ସୁନ୍ଦରୀ ମାଲ୍‌କାଙ୍କ ପ୍ରେମରେ ସେ ସେତେବେଳେ ମସ୍‌ଗୁଲ । ଶୁଣାଯାଏ, ଏ ଦୁହିଁଙ୍କ ପ୍ରେମ କଦାପି ଭାଷାମାଧ୍ୟମରେ ପ୍ରକାଶ ପାଇନାହିଁ, ପ୍ରକାଶ ପାଇଛି କେବଳ ରାଗ ଓ ଇଙ୍ଗିତ ମାଧ୍ୟମରେ । ଦୁହେଁହିଁ ଭାରି ସଂଯତ ଓ ଭଦ୍ର । ମାଲ୍‌କା ମଧ୍ୟ ସେ ଜଲ୍‌ସାକୁ ନିମନ୍ତ୍ରିତ ହୋଇଥିଲେ । ସେ ତାଙ୍କ ମା’ଙ୍କ ସହିତ ଆସିଥିଲେ ।

 

ଆଉ ନିମନ୍ତ୍ରିତ ହୋଇଥିଲେ ଗହର୍‌ଜାନ । ସେ ମଧ୍ୟ ଆସିଥାନ୍ତି ତାଙ୍କ ମା’ଙ୍କ ସହିତ । ସେତେବେଳେ ଗହର୍‌ଜାନ୍‌ଙ୍କ ବୟସ ଚାଳିଶ ସରିକି । କିନ୍ତୁ ସେ ଥିଲେ ଅନନ୍ତ ଓ ଚିରଯୌବନା; ଅର୍ଥାତ୍‌ କାଳଦୃଷ୍ଟିରୁ ତାଙ୍କର ଯୌବନ ଚିର ଏବଂ ବ୍ୟାପ୍ତି ଦୃଷ୍ଟିରୁ ଅନନ୍ତ । ରବୀନ୍ଦ୍ରନାଥଙ୍କ ଭାଷାରେ ସେ ଥିଲେ ସେଇ ନାରୀ ଯିଏ ‘ନହ ମାତା, ନହ କନ୍ୟା, ନହ ବଧୂ ।’ ଯାହାଙ୍କ ନାରୀତ୍ୱ କୌଣସି ନିର୍ଦ୍ଦିଷ୍ଟ ରୂପରେ ବା ଉଦ୍ଦେଶ୍ୟରେ ଆବଦ୍ଧ ନୁହେଁ । ସେ ଥିଲେ ମୂର୍ତ୍ତିମତୀ ଆକର୍ଷଣୀ ଶକ୍ତି, ଅଥଚ ସେ ଆକର୍ଷଣର କୌଣସି ଉଦ୍ଦେଶ୍ୟ ନାହିଁ ବା ଲକ୍ଷ୍ୟ ନାହିଁ । ସେ ପ୍ରବେଶ କରନ୍ତି ସମସ୍ତ ଅଙ୍ଗରେ ଏକ ଅପୂର୍ବ ଲୀଳାଚପଳତା ଖେଳାଇ । ରୂପସଜ୍ଜାରେ, ପ୍ରୌଢ଼ାବସ୍ଥାରେ ମଧ୍ୟ, ଷୋଡ଼ଶୀର ଗର୍ବ ଓ ଗୌରବ । ଗମନଭଙ୍ଗୀରେ ଥିଲା ଅପୂର୍ବ ହିଲ୍ଲୋଳ । ଏସବୁ ସେ ଜାଣିଶୁଣି ଯୋଜନା କରି କରନ୍ତି, ତା’ ନୁହେଁ; ଏ ତାଙ୍କ ଦୈବୀଗୁଣ । ସେ ଥିଲେ ‘ଉଷାର ଉଦୟ-ସମ ଅନବଗୁଣ୍ଠିତା, ଅକୁଣ୍ଠିତା’ । ତାଙ୍କର କଥାବାର୍ତ୍ତା, ଚାଲିଚଳଣରେ କୌଣସି କୁଣ୍ଠା ନଥିଲା । ସଭାରେ ବସିଛନ୍ତି; ପାଖରେ ତାଙ୍କର ବସିଛନ୍ତି ଜଣେ ଗୁଣୀ ଯାହାଙ୍କୁ ସେ ଆଦୌ ଚିହ୍ନନ୍ତି ନାହିଁ କି ଆଳାପ ପରିଚୟ ହୋଇନାହିଁ । ବାହାରକୁ ଟିକିଏ ଯିବା ଦରକାର ପଡ଼ିଲା । ଅକୁଣ୍ଠିତ ଚିତ୍ତରେ ଓ ବିନା ଦ୍ୱିଧାରେ ଗହର୍‌ଜାନ୍‌ ସେ ଭଦ୍ରଲୋକଙ୍କ କାନ୍ଧରେ ଭରାଦେଇ ଉଠି ପଡ଼ିଲେ । ସମସ୍ତେ ଅବାକ୍‌ । କିନ୍ତୁ ସେ କିଛି ଜାଣନ୍ତି ନାହିଁ-। ଏଥିପାଇଁ ସେ ତାଙ୍କର ଗୁରୁଜନମାନଙ୍କଠାରୁ ଅନେକ ତୀବ୍ର ଭର୍ତ୍ସନା ଶୁଣିଛନ୍ତି; ସବୁ ମୁଣ୍ଡପାତି ସ୍ୱୀକାର କରିଛନ୍ତି; କିନ୍ତୁ ସ୍ୱାଭବ ବଦଳାଇ ପାରିନାହାନ୍ତି । ମରାଳକୁ ଯଦି କୁହାଯାଏ, ‘ତୁ ଆଉ ସେମିତି ଚାଲନା’ ତେବେ ସେ କ’ଣ ସେ କଥା ମାନିପାରିବ ? ଯଦି ବା ମାନେ ତେବେ କ୍ଷତି କାହାର ? ତାଙ୍କୁ ଦେଖିଲେ ‘ମୁନିଗନ ଧ୍ୟାନ ଭାଙ୍ଗି ଦେୟ୍‌ପଦେ ତପସ୍ୟାର ଫଲ୍‌’ ଅବସ୍ଥା ହୁଏ । ସେଥିପାଇଁ ତାଙ୍କର ଗୋଟାଏ ବଦ୍‌ନାମବି ଥିଲା ଯେ, ସେ ଡାହାଣୀ, ସମସ୍ତଙ୍କ କଳା ହରଣ କରିନିଅନ୍ତି । ସେଥିରେ ପୁଣି ସେ ଥିଲେ ଅସାଧାରଣ ପ୍ରତିଭାବାନ୍‌ ଗାୟିକା । ଗାନ କରିବାବେଳେ ତାଙ୍କର ଅପୂର୍ବ ମୁଖ-ବିଳାସ, ଭାବଭଙ୍ଗୀ ଶ୍ରୋତାମାନଙ୍କୁ ଅବଶ କରିଦେଉଥିଲା ।

 

ସେ ଜଲ୍‌ସାରେ ପ୍ରଥମେ ଗାଇଲେ ମାଲ୍‌କାଜାନ୍‌ । ପ୍ରେମିକା ଫୈୟାଜ୍‌ ଖାଁଙ୍କୁ ଥରେ ମାତ୍ର ବାଙ୍କ ଚାହାଣୀରେ ଚାହିଁ ଧରିଲେ ଧାମାର । ଅପୂର୍ବ ଗଳା, ଅପୂର୍ବ ପ୍ରସ୍ତୁତି, ଅପୂର୍ବ ଭଙ୍ଗୀ । ଆଉ ଦୁଇଟି ଧାମାର ପରେ ମାଲ୍‌କା ଠୁଙ୍ଗୁରୀ ଗାଇଲେ । ସେଥିରେ ପ୍ରକାଶ ପାଇଲା ଯେମିତି ଜ୍ୟୋତି, ସେମିତି ତାବିଶ୍‌ (ତାପ) ଓ ମିଠାସ୍‌ (ମିଷ୍ଟତା) । ଏହାପରେ ଗୋଟିଏ ଗଜଲ୍‌ ଗାଇ ସେ ସଭାର ମିଜାଜ୍‌ ଖୁସ୍‌ କରିଦେଲେ । ସେତେବେଳକୁ ବାଜିଥାଏ ରାତି ସାଢ଼େ ଏଗାର । ଆରମ୍ଭ ହୋଇଥିଲା ସନ୍ଧ୍ୟାବେଳେ ।

 

ଗହର୍‌ଜାନ୍‌ ବେଶ୍‌ ଉପଭୋଗ କରୁଥିଲେ । ମାଲ୍‌କାଙ୍କ ମା’ଙ୍କ ମୁହଁ ଗର୍ବରେ ଉଜ୍ଜ୍ୱଳ । କିନ୍ତୁ ଗହର୍‌ଙ୍କ ମା’ଙ୍କ ଆଖି ସେତେବେଳେ ହିଂସା ଓ କ୍ରୋଧରେ ଦପ୍‌ଦପ୍‌ ଜଳୁଥାଏ । ମାତୃତ୍ୱର ଆଉ ଏକ ରୂପ, ଆଉ ଏକ ବିକାଶ । ସେ ମନେ ମନେ କହୁଥାନ୍ତି, ମୋ ଝିଅ ଗାଆନ୍ତା କି, ପୋଡ଼ାମୁହିଁକୁ ଦେଖନ୍ତି ! କିନ୍ତୁ ମୁହଁ ଖୋଲି ଏ କଥା କହିପାରୁ ନଥାନ୍ତି । ସଭାସ୍ଥ ଲୋକେ କିନ୍ତୁ ସେତେବେଳକୁ ଗୋଟାଏ ମଜା ଦେଖିବାକୁ ଇଚ୍ଛା କଲେଣି । କଥାଟା ଫୁସୁରୁ-ଫାସୁରୁ ହେଉ ହେଉ ପ୍ରକାଶ ପାଇଗଲା । ପ୍ରଥମେ ଗୁରୁଜନମାନେ ଏଥିରେ ରାଜି ହେଉ ନଥିଲେ; କିନ୍ତୁ ସମସ୍ତଙ୍କ ଚାପରେ ରାଜି ହେଲେ । ଗହରଜାନ୍‌ଙ୍କୁ ଅନୁରୋଧ କରାଗଲା ଯଥାରୀତି ।

 

ଗହରଜାନ୍‌ ବସିଥିବା ସ୍ଥାନରୁ ଆଗେଇ ଆସିଲେ । ତାଙ୍କ ମା’ ବାଘୁଣୀ ତା’ ଛୁଆକୁ ଜଗିବା ଭଳି ଥାବା ପକାଇ ବସିଲେ । ଗହର୍‌ଜାନ୍‌ ପ୍ରଥମେ ଏକ ଅପୂର୍ବ କାଣ୍ଡ କଲେ; ଏକ ଅଭୁତପୂର୍ବ, ଅଦୃଷ୍ଟପୂର୍ବ, ଅଶ୍ରୁତପୂର୍ବ କାଣ୍ଡ । ଛିଡ଼ା ହୋଇପଡ଼ି ଦରବାରି ରାଗର ‘ଜେରାନା’ ଗାଇ ନାଚିଲେ ।

 

‘ତେରାନା’ ବିଷୟରେ ଏଠାରେ ଟିକିଏ କହିବାକୁ ପଡ଼ୁଛି, କାରଣ ତାହେଲେ ଯାଇ କାଣ୍ଡଟିର ଅଦ୍ଭୁତତା ହୃଦୟଙ୍ଗମ କରିହେବ । ‘ତେରାନା’ ବା ‘ତେରେନୋମ୍‌’ ଶବ୍ଦଟି ଆସିଛି ‘ହରିଓଁ’ରୁ । ମୁସଲମାନମାନେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଜନ୍ମଦାତା; କିନ୍ତୁ ତାହା ଆସିଚି ହିନ୍ଦୁ ପଦ୍ଧତିରୁ । ଖେୟାଲ୍‌ ଢଙ୍ଗରେ ପ୍ରଥମେ ଆଳାପ, ତା’ପରେ ବିଳମ୍ବିତ ଲୟରେ ଗାନ, ତା’ପରେ ଦ୍ରୁତ ଲୟରେ ଗାନ । ସବାଶେଷରେ କେହି କେହି ‘ତେରାନା’ ଗାଆନ୍ତି । ସାଗରର ମଧ୍ୟଭାଗର ନିସ୍ତରଙ୍ଗ ଅବସ୍ଥା ବା ଅତି ସାନ ସାନ ଢେଉ ସହିତ ଆଳାପର ତୁଳନା କରାଯାଇପାରେ । ଭାବ ସେତେବେଳେ ଗଭୀର, ଥକକୂଳ ନାହିଁ । ଲୟ ଅଛି କିନ୍ତୁ ତାଳ ନାହିଁ । କୂଳ ଆଡ଼କୁ ଆସିଲେ ଦେଖିବେ ତା’ପରେ ବଡ଼ ବଡ଼ ଢେଉ, ଫୁଲି ଫୁଲି ଉଠିଚି ବିଳମ୍ବିତ ଲୟରେ । ତା’ପରେ କୂଳର ନିକଟବର୍ତ୍ତୀ ହେଲେ ଢେଉଗୁଡ଼ିକର ଗତି ଖୁବ୍ ଦ୍ରୁତ, ଭାଙ୍ଗିଭାଙ୍ଗି ପଡ଼ୁଚି । କୂଳର ଅତି ନିକଟରେ ଅତି ସାନ ସାନ ଢେଉ ଟିକିଏ ଉଠି ଭାଙ୍ଗିପଡ଼ୁଚି । କୂଳକୁ ଭଗବାନ ବୋଲି ଭାବନ୍ତୁ । କୂଳ ପାଇଗଲେ ମୁହଁରେ ଖାଲି ‘ହରିଓଁ, ହରିଓଁ’ ଅତି ଦ୍ରୁତ ଭାବରେ । ଏଇ ଅବସ୍ଥାରେ ଏକ ଉଦ୍ଦାମ ଭଙ୍ଗୀ ପ୍ରକାଶ ପାଏ ‘ହରିଓଁ’ରେ । ହିନ୍ଦୁଙ୍କ ଗାନ ଏହି କ୍ରମରେହିଁ ହେଉଥିଲା । ଖେୟାଲ୍‌ ମଧ୍ୟ ସେଇ କ୍ରମରେ ଗୀତ ହେଲା । ମୁସଲମାନମାନେ ‘ହରିଓଁ’ କଥା ବୁଝି ନପାରି ହେଉ ବା ହରି ମୁହଁରେ କହିବେ ନାହିଁ ବୋଲି ହେଉ ‘ହରିଓଁ’କୁ କଲେ ‘ତେରେ ନୋମ୍‌’ ଏବଂ ତାହାକୁ ରାଗ, ତାଳ, ଲୟ ଆଦି ସହିତ ଏକ ସଙ୍ଗୀତରୂପ ଦେଲେ; ଯଥା–ଦ୍ରିମ୍‌ ତେରେନା, ତେରେ ତେରେନା, ତେରେ ନୋମ୍‌ ଇଥ୍ୟାଦି । ଭାଷା ବିଲ୍‌କୁଲ୍‌ ନାହିଁ–ଖାଲି ଧ୍ୱନି ।

 

ଗହର୍‌ଜାନ୍‌ ଏହିପରି ଗୋଟିଏ ତେରାନା ଗାଇଲେ । ତା’ ପୁଣି ଦରବାରି ଭଳି ଏକ ମହା ଐଶ୍ୱର୍ଯ୍ୟଭାବଜ୍ଞାପକ ରାଗର ତେରାନା । କଳ୍ପନା କରନ୍ତୁ, ବ୍ରହ୍ମାଙ୍କ ସଭା । ଅବର୍ଣ୍ଣନୀୟ । ତା’ର ରୂପ କ୍ଷଣେ କ୍ଷଣେ ବଦଳେ । ସବୁ ଦେବଦେବୀମାନେ ଆସନ ଗ୍ରହଣ କରିଛନ୍ତି । ଗାୟକ ବିଷ୍ଣୁଙ୍କ ଗୁଣକୀର୍ତ୍ତନ କରୁଛନ୍ତି । ଏବଂ ତେଣୁ ବ୍ରହ୍ମାଣ୍ଡ ସୃଷ୍ଟି ଓ ଲୟ ବର୍ଣ୍ଣନା କରୁଛନ୍ତି । ସେ ଯେଉଁ ରାଗରେ ଏ ଐଶ୍ୱର୍ଯ୍ୟ ବର୍ଣ୍ଣନା କରୁଥିବେ ତାହାହିଁ ଦରବାରି ରାଗ (ସ୍ୱନାମଧନ୍ୟ ମଲ୍ଲିକାର୍ଜ୍ଜୁନ ମନସୁର୍‌ ଥରେ ରାମଦାସୀ ମଲ୍ଲାର ସହିତ ଦରବାରି କାନାଡ଼ାର ସ୍ପର୍ଶ ଦେଇ ଏପରି ଅଦ୍ଭୁତ ଭାବ ସୃଷ୍ଟି କଲେ ଯେ ସମ୍ବାଦପତ୍ରମାନଙ୍କରେ ତାହାର ଭୂୟସୀ ପ୍ରଶଂସା କରାହୋଇ କୁହାହୋଇଥିଲା ଯେ ଶ୍ରୋତାମାନେ ଆଧ୍ୟାତ୍ମିକ ଆନନ୍ଦର ସ୍ୱାଦ ପାଇଥିଲେ; ଅର୍ଥାତ୍‌ ଦରବାରି କାନାଡ଼ା ଓ ମଲ୍ଲାର ଦୁଇଟି ଭିନ୍ନ ଭାବର ରାଗ ହେଲେହେଁ ସେ ଦୁଇ ଭାବର ମିଳନ ବିନ୍ଦୁ ପର୍ଯ୍ୟନ୍ତ ମଲ୍ଲିକାର୍ଜ୍ଜୁନ ମନ୍‌ସୁର୍‌ ଶ୍ରୋତାମାନଙ୍କୁ ନେଇଯାଇଥିଲେ) । ସେଇ ରାଗର ତେରାନାରେ ଗହର୍‍ଜାନ୍‌ ନାଚିଲେ । ତେରାନା ସହିତ ନୃତ୍ୟ-। ତା’ ପୁଣି ଦରବାରିର ତେରାନା; କିନ୍ତୁ ଗହର୍‌ ପକ୍ଷରେ ଏହା ସମ୍ଭବ ।

 

ସେଇ ଗୋଟିଏ କାଣ୍ଡରେ ସମସ୍ତଙ୍କ ମୁଣ୍ଡ ବୁଲିଗଲା । ମାଲ୍‌କାଜାନ୍‌ଙ୍କ ମା’ଙ୍କ ମୁହଁ କାଳିଆ ପଡ଼ିଗଲା । ମାଳ୍‌କାଜାନ୍‌ଙ୍କରବି ସେଇ ଅବସ୍ଥା । ତା’ପରେ ଗହର୍‌ଜାନ୍‌ ଯେତେବେଳେ ଠୁଙ୍ଗ୍‍ରୀ ଓ ପରେ ପରେ ଗଜଲ୍‌ ଓ ଦାଦରା ଗାଇଲେ ସେତେବେଳେ ସମସ୍ତେ କାହିଲ୍‌ । ମାଲ୍‌କାଙ୍କ ମା’ ଝିଅର ମୁହଁ ଦେଖି ତୀବ୍ର ବ୍ୟଥା ପାଇଲେ । କିନ୍ତୁ ମାଲକାଜାନ୍‌ଙ୍କ ମୁହଁରେ ତଥାପି ଗହର୍‌ଙ୍କ ପ୍ରତି ତାରିଫ୍‌ ଫୁଟିଉଠୁଥାଏ । କିନ୍ତୁ ତାଙ୍କ ମା’ ଖାଲି କ୍ରୋଧରେ ଫୁଲୁଥାନ୍ତି । ଫୈୟାଜ ଖାଁ ସାହେବ ଉଦାସ ଭାବରେ ଚାହୁଁ ଥାନ୍ତି ମାଲ୍‌କାଙ୍କ ଆଡ଼େ । ମାଲ୍‌ତାଙ୍କ ଜୁଲୁସ୍‌ ଫିକା ପଡ଼ିଯିବାରୁ ସମସ୍ତେ ଦୁଃଖିତ । ମାଲ୍‌କାଙ୍କ ମର୍ଯ୍ୟାଦା ଫେରାଇ ଆଣିବା ପାଇଁ ସମସ୍ତେ ଚିନ୍ତିତ । କିନ୍ତୁ ତା’ଠୁ ବେଶି ଦୁଃଖିତ ଏଇଥିପାଇଁ ଯେ ‘ରଙ୍ଗିଲା’ ଘରାନା ଭଳି ଏତେ ଉଚ୍ଚ ଏବଂ ଗମ୍ଭୀର ‘ଘରାନା’ ତା’ ତୁଳନାରେ ଗୋଟାଏ ଅତି ହାଲୁକା ସଙ୍ଗୀତର ବେଗରେ ଭାସିଗଲା ।

 

ସେ ଘରାନାର ମର୍ଯ୍ୟାଦା ବର୍ତ୍ତମାନ ଫୈୟାଜ୍‌ ଖାଁ ଛଡ଼ା ଆଉ କେହି ଫେରାଇ ଆଣିପାରିବେ ନାହିଁ । ତେଣୁ ସମସ୍ତେ ତାଙ୍କ ଆଡ଼କୁ ଚାହିଁଲେ । କିନ୍ତୁ ସେ କହିଲେ, ଜନାବ, ବର୍ତ୍ତମାନ ଅବସ୍ଥାରେ ଆଉ କିଛି କରିହେବ ନାହିଁ । ତାଙ୍କ ‘ଘରାନା’ର ସୁଉଚ୍ଚ ମର୍ଯ୍ୟାଦା କଥା କହି, ତାଙ୍କର ଭୂୟସୀ ପ୍ରଶଂସା କରି ସମସ୍ତେ ନାନାଭାବରେ ତାଙ୍କ ଉପରେ ଚାପ ପକାଇଲେ । କିନ୍ତୁ ତାଙ୍କ ମୁହଁରେ ଗୋଟିଏ କଥା–ଜନାନାଙ୍କ ଦଙ୍ଗଲ୍‌ରେ ସେ ଗାଇବେ ନାହିଁ । ଜନାନାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ତାଙ୍କ ଘରାନାର ଆଦତ୍‌ ନୁହେଁ । ଯାହାହେଉନା ପଛେ ସେ ତାହା କରି ଘରାନାର ମର୍ଯ୍ୟାଦାକୁ ଧୂଳିସାତ୍‌ କରିପାରିବେ ନାହିଁ । ଜନାନାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ ? ଛି-! ଲୋକେ କ’ଣ କହିବେ ! ଏକଜିଦ୍‌–ସେ ଗାଇବେ ନାହିଁ ।

 

ଏତିକିବେଳେ ତେଜ୍‌ନାରାୟଣଜୀ କହିଲେ ଭାଇ, ଇୟେ ଭି ତୋ ଜେରା ଖ୍ୟାଲ୍‌ କରୋ ମାଲ୍‌କା କୈସା ଦୁଃଖ୍‌ ପାୟି । ଉସ୍‌କା ଦହନ୍‌ ଭି ତୋ ସମଝନା ଚାହି । ମାଲ୍‌କା ପ୍ରାଣରେ କେଡ଼େ ଆଘାତ ଲାଗିଚି ଏଟା ତ ବୁଝିବା ଉଚିତ ।

 

ଫୈୟାଜ ଥିଲେ ଖାଣ୍ଟି ମର୍ଦ । ସେଇ ଗୋଟିଏ କଥାରେ ସେ ସିଧା ହୋଇ ବସିଲେ । ପ୍ରେମିକାର ମର୍ଯ୍ୟାଦା ପାଇଁ ସେ ନିଜର ଓ ଘରାନାର ମର୍ଯ୍ୟାଦା ତ୍ୟାଗ କରିଦେବେ । କହିଲେ, ଅବ୍‌ ଯୋ କୁଛ୍‌ଭି ହୋ ପରଓ୍ୱା ନ କରୁଙ୍ଗା ! ଅପୂର୍ବ ! ଅପୂର୍ବ !

 

ତା’ପରେ ତାଙ୍କୁ ଆଦବକାଇଦା ଅନୁସାରେ ଯଥାରୀତି ନିମନ୍ତ୍ରଣ କଲା ପରେ ସେ ସିଧା ହୋଇ ବସିଲେ । ଆଖିରେ ତାଙ୍କର ପ୍ରେମର ଅପୂର୍ବ ଆବେଗ । ସମସ୍ତେ ଉତ୍‌କଣ୍ଠାର ସହିତ ଅନାଇ ରହିଲେ । ଖାଁ ସାହେବ ଚାରିଆଡ଼କୁ ଦୃଷ୍ଟି ବୁଲାଇଆଣି ଦୃଷ୍ଟି ସ୍ଥିର କରି ଧରିଲେ ‘ମିଆଁ କି ମଲ୍ଲାର’ର ଆଳାପ । ଧାମାରର ଆଳାପ ଆଉ କେଉଁ ରାଗ ବା ସେ ଅବସ୍ଥାରେ ଧରିପାରିଥାଆନ୍ତେ-! ସେ ଆବେଗ, ସେ ଆକୁତି ଆଉ କେଉଁ ରାଗରେ ବା ପ୍ରକାଶ ପାଇଥାନ୍ତା । ମୁହୂର୍ତ୍ତକ ଭିତରେ ସୁର୍ ଲାଗିବାମାତ୍ରକେ ଗହର୍‌ଜାନ୍‌ଙ୍କ ସ୍ମୃତି ଧୋଇଗଲା । କ୍ରମେ କ୍ରମେ ସଭାସ୍ଥ ଲୋକେ ଅଧୀର ଭାବରେ ଖାଲି ଛାତି ଆଉଁସିବାକୁ ଲାଗିଲେ । ସମସ୍ତଙ୍କ ଛାତିରେ କୋହ ଭରିଯାଉଥାଏ । ଇଆଡ଼େ ମେଘର ଘନଘଟାକୁ ଦେଖିବେ ନା ଛାତି ଭିତର କୋହକୁ ସମ୍ଭାଳିବେ ! ମେଘ ଓ କୋହ ଯେମିତି ଏକ । ସେ କୋହ ପୁଣି ଏମିତି ଯେ ସମସ୍ତଙ୍କୁ ଚାହିଁ ଖାଲି କାନ୍ଦିବାକୁ ଇଚ୍ଛା । ଏକ ଅପୂର୍ବ ବେଦନା-। ଆଳାପ ପରେ ଧାମାର ଆରମ୍ଭ କଲାବେଳକୁ ମାଲ୍‌କା ଓ ମାଲ୍‌କାଙ୍କ ମା’ ଏବଂ ଗହର୍‌ ଓ ତାଙ୍କ ମା’ ପରସ୍ପର ହିଂସା ଭୁଲିଯାଇ ପରସ୍ପରକୁ ମୁଗ୍‌ଧ ଦୃଷ୍ଟିରେ ଅନାଉଥାନ୍ତି । (ଉତ୍କୃଷ୍ଟ କଳା ହିଂସାକୁବି ଉଠାଇ ନେଇଯାଏ ।) ଗାନ ଶେଷ କରି ଫୈୟାଜ୍‌ ଧୀରେ ଧୀରେ ଉଠିଗଲେ । ସଭା ସ୍ତବ୍‌ଧ ।

 

କିନ୍ତୁ ଏଇ ଫୈୟାଜ୍‌ ପୁଣି ମୁସ୍ତରୀ ବାଈଙ୍କ ଗାନ ଶୁଣି ଏତେ ମୁଗ୍‌ଧ ହୋଇଗଲେ ଯେ ତାଙ୍କୁ ଯେତେବେଳେ ତା’ପରେ ଗାନ କରିବାକୁ କୁହାଗଲା ସେ କୌଣସିମତେ ଗାଇଲେ ନାହିଁ । ଇୟେ କଲିକତାର ଏକ ଜଲ୍‌ସାର କଥା । ୧୯୩୧ ସାଲ । ସଙ୍ଗୀତ ପାଇଁ ପୁରୁଷାନୁକ୍ରମେ ପ୍ରସିଦ୍ଧ ବିତ୍ତଶାଳୀ ବଡ଼ାଲ ପରିବାରର କଲିକତାସ୍ଥ ବିରାଟ ବାସଗୃହରେ ପାଳିତ ହେଉଥାଏ । ‘ଲାଲଚାନ୍ଦ ଉତ୍ସବ’ । (ପ୍ରେମଚାନ୍ଦ ବଡ଼ାଲ ଥିଲେ ପ୍ରସିଦ୍ଧ ଗାୟକ ଏବଂ ତାଙ୍କ ଯୋଗ୍ୟ ପୁତ୍ର ଥିଲେ ଲାଲାଚାନ୍ଦ ବଡ଼ାଲ । ଲାଲଚାନ୍ଦଙ୍କ ତିନିପୁଅ ଭିତରୁ ରାଇଚାନ୍ଦ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ । ଏହାଙ୍କର ଜଣେ ପ୍ରିୟ ଓ ସୁଯୋଗ୍ୟ ଶିଷ୍ୟ ଥିଲେ କେନ୍ଦ୍ରାପଡ଼ାର ବିଖ୍ୟାତ ନରେନ୍ଦ୍ରବଂଶର ସ୍ୱର୍ଗୀୟ ଗୋକୁଳ ଶ୍ରୀଚନ୍ଦନ, ଯିଏ ସଙ୍ଗୀତ ପାଇଁ ବହୁ ତ୍ୟାଗ କରିଥିଲେ । ଗୋକୁଳ ଶ୍ରୀ ଚନ୍ଦନଙ୍କ ପ୍ରିୟ ଶିଷ୍ୟମାନଙ୍କ ଭିତରୁ ଜଣେ ହେଉଛନ୍ତି ବର୍ତ୍ତମାନ ସୁବିଖ୍ୟାତ ଗାୟକ ଶ୍ରୀ ବାଳକୃଷ୍ଣ ଦାସ । କିନ୍ତୁ ଦୁଃଖର କଥା ତାଙ୍କ କଣ୍ଠରୁ ଆଉ ଶାସ୍ତ୍ରୀୟ ସଙ୍ଗୀତ ଶୁଣାଯାଉନାହିଁ । )

 

‘ଲାଲ୍‌ଚାନ୍ଦ ଉତ୍ସବ’ ବିଶେଷତ୍ୱ ଥିଲା, ଭାରତର ନାନାସ୍ଥାନ ସନ୍ଧାନ କରି ନୂତନ ଓ ଅପରିଚିତ ପ୍ରତିଭାକୁ ସମ୍ମାନ ଦେବା ଓ ଲୋକଲୋଚନକୁ ଆଣିବା । ଏହି ଅନୁସନ୍ଧାନର ଫଳ ହେଲା ସେ ବର୍ଷ ମୁସ୍ତରୀ ବାଈ । ତାଙ୍କ ନିବାସ ଥିଲା ଆଗ୍ରା ଜିଲ୍ଲାର ଏକ ନିପଟ ମଫସଲରେ । ସେଇଠି ସେ ଗୀତ ଗାଇ ମଫସଲି ଗୁଣୀମାନଙ୍କୁ ଶୁଣାଉଥିଲେ । କେହି ତାଙ୍କୁ ଜାଣିନଥିଲେ । ‘ଲାଲ୍‌ଚାନ୍ଦ ଉତ୍ସବ’ର ଅନୁସନ୍ଧାନୀ ଦଳରୁ ଜଣେ ତାଙ୍କୁ ବାହାର କରି କଲିକତାର ଗୁଣୀ ସମାଜକୁ ଆଣିଲେ ।

 

ସକାଳେ ଯେଉଁ ଅଧିବେଶନ ବସିଲା, ସେଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କବି କାଜି ନଜରୁଲ୍‌ ଇସଲାମ । ମୁସ୍ତରୀ ବାଈ ଏଇ ଅଧିବେଶନରେ ଧୂମକେତୁ ଭଳି ଉଦୟ ହେଲେ । ତାଙ୍କର ଅଦ୍ଭୁତ ନୈପୁଣ୍ୟ, କଣ୍ଠ-ମାଧୁର୍ଯ୍ୟ ଓ ହୃଦୟସ୍ପର୍ଶୀ ଆବେଦନ ଶୁଣି ସମସ୍ତେ ହତବାକ୍‌ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ–କିଏ ଇୟେ ! କବି ନଜରୁଲ୍‌ ତ ଆଉ ଘରକୁ ଗଲେ ନାହିଁ । ଦିନଯାକ ମୁସ୍ତରୀ ବାଈଙ୍କ ଗାନ ଘରୋଇ ଭାବରେ ଶୁଣିବାପାଇଁ ସେଇଠି ରହିଗଲେ ।

 

ରାତିର ଅଧିବେଶନ ଆରମ୍ଭ ହେଲା । ଏ ଅଧିବେଶନରେ ଥିଲେ କବି ଇସ୍‌ଲାମ୍‌, ମଜିଦ ଖାଁ, ଜ୍ଞାନ ଗୋସ୍ୱାମୀ (ସେ ଫୈୟାଜ୍‌ଙ୍କ ଏଡ଼େ ଗୁଣମୁଗ୍‌ଧ ଥିଲେ ଯେ, ବ୍ରାହ୍ମଣ ଶୁଣାଯାଏ ଚୈତନ୍ୟଙ୍କ ଅଷ୍ଟସଖା ଭିତରୁ ଜଣେ ପ୍ରଧାନ ସଖା ଅଦ୍ୱୈତଙ୍କ ବଂଶଧର ହୋଇ ସୁଦ୍ଧା ଫୈୟାଜଙ୍କ ଗୋଡ଼ ଘଷିଦେଉଥିଲେ) ଇତ୍ୟାଦି । ଆଉ ଥିଲେ ଫୈୟାଜ ଖାଁ ।

 

ମୁସ୍ତରୀ ବାଈ ଗୁଣୀଜନମାନଙ୍କୁ ସେଲାମ୍‌ କରି ଗାନ ଧରିଲେ । ଶ୍ରୋତାମାନେ ମୁଗ୍‌ଧ ହୋଇଗଲେ କଣ୍ଠମାଧୁର୍ଯ୍ୟରେ । ରାଗର ଚିତ୍ର ବା ତାଳ-ଲୟର ପ୍ରୟୋଗ ଯଥାଯଥ ହେଲା କି ନାହିଁ ସେଥିପ୍ରତି କାହାରି ଦୃଷ୍ଟି ରହିଲା ନାହିଁ । ସମସ୍ତେ ଅନୁଭବ କଲେ ଏକ ଅପାର୍ଥିବ ସୁରବିହାର । ଉତ୍କୃଷ୍ଟ କଳାର ପ୍ରଭାବ ଏହିପରି ।

 

ଉଦ୍ୟୋକ୍ତାମାନଙ୍କ ମଧ୍ୟରେ ମହାଭାଳେଣି ପଡ଼ିଲା, ଏହାପରେ କାହାକୁ ଗାଇବାକୁ କୁହାଯିବ । ମୁସ୍ତରୀ ବାଈଙ୍କୁ ଅତିକ୍ରମ କରି କିଏ ଗାଇବାକୁ ସକ୍ଷମ ହେବ ? ସମସ୍ତେ ଏକମତ ହେଲେ ଯେ ଫୈୟାଜ ଖାଁଙ୍କ ଛଡ଼ା ଆଉ କେହିପାରିବେ ନାହିଁ । ସମସ୍ତେ ତାଙ୍କୁ ଅନୁରୋଧ କଲେ-। ଖାଁ ସାହେବ କିନ୍ତୁ କହିଲେ, ମୋତେ ଆଜି ଏ ଆସରରେ ଗାଇବାକୁ କହନ୍ତୁ ନାହିଁ । ଏ ଗାନ ପରେ ମୋର ଆଉ ଗାଇବାର ମିଜାଜ୍‌ ନାହିଁ । ସତ କହିବାକୁ ଗଲେ, ଏ ଗାନ ପରେ କାହାରି ଆଉ ଗାଇବା ଦରକାରନାହିଁ । ମୁଁ ଅନ୍ତତଃ ପାରିବି ନାହିଁ । ଆଉ କାହାରି ଇଚ୍ଛା ଥିଲେ ଗାଆନ୍ତୁ ।

 

ମସ୍ତୁରୀ ବାଈ ସେତେବେଳକୁ ଖାଁ ସାହେବଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁ କହିଲେ–ଏ ଆପଣ କ’ଣ କହୁଛନ୍ତି; ଆପଣଙ୍କ ପାଖରେ ମୁଁ କି ଛାର !

 

ଖାଁ ସାହେବ କହିଲେ, ସେ ଯାହାହେଉ । ମୋ ହାଲ୍‌ତ ଦେଖୁଛ । ତୁମ ଗାନ ଶୁଣୁ ଶୁଣୁ କାନ୍ଦି କାନ୍ଦି ମୋ ଗଳା ବସିଯାଇଛି ! ଗାନ ଗାଇବି କେମିତି ?

 

ଏହାପରେ ଖାଁସାହେବଙ୍କୁ ଆଉ କେହି ଅନୁରୋଧ କଲେ ନାହିଁ । ତାଙ୍କ ସମଝଦାରି ଦେଖିବି ସମସ୍ତେ ଚମତ୍କୃତ । ସେ ଆସରରେ ଆଉ କେହିବି ଗାଇବାକୁ ଇଚ୍ଛା କରି ନଥିଲେ; ଏମିତି କି ବାଦ୍ୟଯନ୍ତ୍ର ବଜାଇବାକୁ ଇଚ୍ଛା କରି ନଥିଲେ ।

 

‘ଲାଲ୍‌ଚାନ୍ଦ ଉତ୍ସବ’ରେ ଏହି ଗାନ ହେଉଥିବାବେଳେ ରବୀନ୍ଦ୍ର ନାଥ ରେଡ଼ିଓରେ ସେ ଗାନ ଶୁଣୁଥିଲେ । କବି ଫୋନ୍‌ କରି ପଚାରିଲେ, କିଏ ଏହି ଦେବୀ ଯାହାଙ୍କ ଅପୂର୍ବ ସଙ୍ଗୀତ ମୁଁ ଶୁଣିଲି । ମୋର ଅନୁରୋଧ ଗୋଟିଏ ବିଶେଷ ଅଧିବେଶନର ଆୟୋଜନ କରି ମୋତେ ତାଙ୍କ ଗାନ ଶୁଣାନ୍ତୁ ।

 

ଏପରି ଅଧିବେଶନ ଆୟୋଜିତ ହୋଇଥିଲା । ସେ ଅଧିବେଶନରେ ରବୀନ୍ଦ୍ରନାଥଙ୍କ ସହିତ ନଜ୍‌ରୁଲ ଇସ୍‌ଲାମ୍‌ ମଧ୍ୟ ଥିଲେ । ମୁସ୍ତରୀ ବାଈ ଗୋଟିଏ ଖେୟାଲ ଗାଇବା ପରେ ଦୁଇଟି ରବୀନ୍ଦ୍ର ସଙ୍ଗୀତ ଗାନ କରିଥିଲେ । ଆଶ୍ଚର୍ଯ୍ୟର କଥା, ଇତିମଧ୍ୟରେ ସେ ବଙ୍ଗଳା ଶିଖି ରବୀନ୍ଦ୍ର ସଙ୍ଗୀତ ମଧ୍ୟ ହାସଲ କରିସାରିଥିଲେ । ଅତ୍ୟନ୍ତ ଦୁଃଖର କଥା ଯେ ମୁସ୍ତରୀ ବାଈ ଯକ୍ଷ୍ମା ରୋଗରେ ଅକାଳରେ ପ୍ରାଣତ୍ୟାଗ କଲେ ।

 

ଫୈୟାଜ୍‌ ଖାଁ ସାହେବଙ୍କ ପ୍ରୟାଣ ହେଲା ନଭେମ୍ବରର ୧୯୫୦ ରେ । ସେତେବେଳକୁ ତାଙ୍କ ବୟସ ଛଅସ୍ତରି ସରିକି । ପରିଣତ ବୟସ ହେଲେ ମଧ୍ୟ କଣ୍ଠର ଦୃଢ଼ତା ଟିକିଏବି ହ୍ରାସ ପାଇନଥିଲା । ଏ ଦେଶ କିନ୍ତୁ ଏମିତି ଯେ ଏତେ ବଡ଼ ଗୁଣୀଙ୍କ ପ୍ରୟାଣ ସମ୍ବାଦ ଗୋଟାଏ ନଗଣ୍ୟ ସମ୍ବାଦ ଭଳି ସାନ ସାନ ଅକ୍ଷରରେ ସମ୍ବାଦପତ୍ରମାନଙ୍କର ଗୋଟାଏ କୋଣରେ ପ୍ରକାଶପାଇଥିଲା ।

 

[ପ୍ରଥମ ଘଟନାଟି ମୁଁ ପାଇଚି ଓଡ଼ିଶାର ବିଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ-ଗାୟକ ଓ ଶିକ୍ଷକ, ସଙ୍ଗୀତ-ଶିକ୍ଷା ପାଇଁ ସର୍ବତ୍ୟାଗୀ, ଭାରତପ୍ରସିଦ୍ଧ ଗାୟକ ଓ ଲଖ୍‌ନୌ ସଙ୍ଗୀତ ବିଶ୍ୱବିଦ୍ୟାଳୟର ଅକ୍ଷଧ୍ୟ ଶ୍ରୀ ରତନ୍‌ ଜନ୍‌କର୍‌ଙ୍କ ଶିଷ୍ୟ ଶ୍ରୀ କ୍ଷିତୀଶଚନ୍ଦ୍ର, ମୈତ୍ର, ବି. ଏ., ବି. ଇ. ଡି., ବି. (ମ୍ୟୁଜିକ୍‌)ଙ୍କ ଠାରୁ । ସେ ନିଜର ଏ ଆସରରେ ଉପସ୍ଥିତ ଥିଲେ । ଏ ଗୁଣୀଙ୍କୁ ଉତ୍କଳ ସାହିତ୍ୟ ସମାଜ ଏ ବର୍ଷ–୧୯୭୨ରେ–ସମ୍ମାନିତ କରିଛନ୍ତି । ଦ୍ୱିତୀୟ ଘଟନାଟି ପାଇଛି ଶ୍ରୀ ଅମିୟନାଥ ସାନ୍ୟାଲଙ୍କ ପ୍ରସିଦ୍ଧ ବଙ୍ଗଳା ବହି ‘ସ୍ମୃତିର ଅତଲେ’ରୁ । ଏ ବହିରେ ଆଉ ଦୁଇ ଜଣ ବିଖ୍ୟାତ ଗାୟକ ମୌଜୁଦ୍ଦୀନ ଓ କାଲେ ଖାଁ ସାହେବଙ୍କ ସଙ୍ଗୀତର ବିଚିତ୍ର ଘଟନାମାନ ମଧ୍ୟ ବର୍ଣ୍ଣିତ ଅଛି । ଏହାର ସାହିତ୍ୟିକ ଦିଗଟି ମଧ୍ୟ ଅତି ଚମତ୍କାର । ତୃତୀୟ ଘଟନାଟି ନେଇଚି ଶ୍ରୀ ଦିଲୀପକୁମାର ମୁଖୋପାଧ୍ୟାୟଙ୍କ ବଙ୍ଗଳା ବହି ‘ସଙ୍ଗୀତେର୍‌ ଆସରେ’କରୁ । କେବଳ ଘଟନା ଓ ତଥ୍ୟଗୁଡ଼ିକ ମୁଁ ନେଇଚି ।]

Image